ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ଥାବ ଆଗତ
ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି। ପଞ୍ଚାୟତ ସମିତିର ୧୪ ଜଣ ସମିତି ସଭ୍ୟ ସଭ୍ୟା ନିର୍ଦ୍ଧାରିତ ଫର୍ମରେ ଦସ୍ତଖତ କରି କେନ୍ଦୁଝର ଉପ ଜିଲ୍ଲାପାଳଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଦରଖାସ୍ତ କରିଥିଲେ। ଅନାସ୍ଥା ପ୍ରସ୍ତାବ ନେଇ ଆସନ୍ତା ଜାନୁୟାରୀ ୪ ତାରିଖକୁ ଦିନ ଧାର୍ଯ୍ୟ ହୋଇଛି। ଉକ୍ତ ଦିନ ୧୧ଟା ୩୦ ସମୟରେ ପାଟଣା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହରେ ଅଧ୍ୟକ୍ଷାଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ବୈଠକ ହୋଇ ଆଲୋଚନା ହେବ ବୋଲି ସୂଚନା ମିଳିଛି। ସାହରପଡ଼ା ବିଡିଓ ରଣଜିତ କୁମାର ମହାନ୍ତଙ୍କ ଉପସ୍ଥିତିରେ ଅନାସ୍ଥା ପ୍ରସ୍ଥାବ ଉପରେ ଆଲୋଚନା ହେବା ନେଇ କେନ୍ଦୁଝର ଉପ ଜିଲ୍ଲାପାଳ କାର୍ଯ୍ୟାଳୟରୁ ଚିଠି ନମ୍ବର ୧୨୮୯୧/୪୨ରେ ଜିଲ୍ଲା ପଞ୍ଚାୟତ ଅଫିସର, ପାଟଣା ବିଡ଼ିଓଙ୍କୁ ନୋଟିସ ଜାରି ହୋଇଛି। ଏନେଇ ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ। ସୂଚନା ଯୋଗ୍ୟ ଯେ ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକଙ୍କ ମନମୁଖୀ କାର୍ଯ୍ୟ ସାଙ୍ଗକୁ ପଞ୍ଚାୟତ ସମିତିର ଉନ୍ନୟନ କାର୍ଯ୍ୟରେ ନିର୍ବାଚିତ ସମିତି ସଭ୍ୟ ମାନଙ୍କୁ ଅଣଦେଖା କରୁଥିବା ନେଇ ବ୍ଲକର ୨୦ଟି ପଞ୍ଚାୟତ ମଧ୍ୟରୁ ୧୪ ଜଣ ସମିତି ସଭ୍ୟ ଗତ ୧୩ ତାରିଖରେ କେନ୍ଦୁଝର ଉପଜିଲ୍ଲାପାଳ ଉମା ଶଙ୍କର ଦଳେଇଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଦରଖାସ୍ତ କରିଥିଲେ। ଅନାସ୍ଥା ପ୍ରସ୍ତାବ ଆଗତ କରିବାରେ ପଲାଣଘାଟି ସମିତି ସଭ୍ୟ ବିଶ୍ଵନାଥ ନାୟକ ନେତୃତ୍ୱ ନେଉଥିବା ସୂଚନା ଥିବାବେଳେ ଏବେ ବ୍ଲକ ଉପାଧ୍ୟକ୍ଷା ଥିବା ତାଙ୍କ ପତ୍ନୀ ସରାସକୋଲା ସମିତିସଭ୍ୟା ବୀଣାପାଣି ନାୟକଙ୍କୁ ବ୍ଲକ ଅଧ୍ୟକ୍ଷା ପଦରେ ବସାଇବାକୁ ଗୋଟି ଚଳାଇଥିବା ଜଣାପଡିଛି।
Comments are closed.