ଗୋଚର ଭୂମି ବନାମ ସରକାରୀ ଅନୁଷ୍ଠାନ

0

ପୀତାମ୍ବର ରାଉତ

prayash

ଆର୍ଯ୍ୟମାନଙ୍କର ମୁଖ୍ୟ ଜୀବିକା ଥିଲା କୃଷି ଓ ଗୋପାଳନ। ବିନା ଗୋପାଳନରେ ଜୈବିକ କୃଷି ଅସମ୍ଭବ। ଗୋମାତାଙ୍କ ସୃତି ଓ ଭୁଷୁଣ୍ଡି ରାମାୟଣର ବର୍ଣ୍ଣନା ଅନୁଯାୟୀ-ଗୋମାତା ସମସ୍ତ ପ୍ରାଣୀଙ୍କ ପାଇଁ ଲକ୍ଷ୍ମୀ ଓ ସବୁ ଦେବତାଙ୍କ ପାଇଁ ହବିଷ୍ୟ। ଦ୍ୱାପରେ ଯୁଗରେ ଭଗବାନ ଶ୍ରୀକୃଷ୍ଣ ଗୋବର୍ଦ୍ଧନ ଧାରଣ କରି ଗୋମାତାଙ୍କୁ ବି ସୁରକ୍ଷା ଦେଇଥିଲେ। ତାଙ୍କର ସମସ୍ତ ବାଲ୍ୟକାଳ ଗାଈ ଚରାଇବାରେ ବିତେଇଥିଲେ। ବର୍ତ୍ତମାନ ମଧ୍ୟ ଗୋ-ଜାତି ଆମ ପାଇଁ ଅନ୍ନଦାତ୍ରୀ ଲକ୍ଷ୍ମୀ।
ଆଜି ଗୋ-ସଂପଦ ଘୋର ଦୁର୍ଦିନରେ; କାରଣ ଏମାନଙ୍କ ପାଇଁ ଉଦ୍ଦିଷ୍ଟ ଚାରଣ ଭୂମିକୁ ତଞ୍ଚକତା ପୂର୍ବକ ଆମେ ଅନ୍ୟ ଦିଗରେ ବ୍ୟବହାର କରୁଛେ। ଓଡିଶା ଗଭର୍ଣ୍ଣମେଣ୍ଟ ଲ୍ୟାଣ୍ଡ ସେଟେଲମେଣ୍ଟ ଆକ୍ଟ -୧୯୭୪ରେ ଉଲ୍ଲେଖ ଅଛି ଯେ, ପ୍ରତ୍ୟେକ ବ୍ୟବସ୍ଥିତ ଗାଁର ସମୁଦାୟ ଜମିର ୫ ପ୍ରତିଶତ ଗୋଚର ପାଇଁ ସଂରକ୍ଷିତ ରହିବ। ଏତଦ୍‌ବ୍ୟତୀତ ଚାଷଜମି, ଘରବାଡି, ଅନାବାଦୀ, ରକ୍ଷିତ ଅନାବାଦୀ, ଶ୍ମଶାନ, ଖେଳପଡିଆ, ଜଙ୍ଗଲଜମି ମଧ୍ୟ ରହିଥାଏ। ବର୍ତ୍ତମାନ ସରକାର ସେବା ଓ ବିକାଶ ନାଁରେ ଅନେକ ଲୋକାଭିମୁଖୀ ଅନୁଷ୍ଠାନ, ଯଥା-ଅଙ୍ଗନୱାଡି କେନ୍ଦ୍ର, ଦମକଳ କେନ୍ଦ୍ର, ଖାଉଟି ସମବାୟ କେନ୍ଦ୍ର, ବ୍ୟାଙ୍କ, ଆଦର୍ଶ ବିଦ୍ୟାଳୟ, ନ୍ୟାୟାଳୟ, ଥାନା, ଫାଣ୍ଡି ଓ ଆହୁରି ଅନେକ ଅନୁଷ୍ଠାନ ତିଆରି କରିବାରେ ଲାଗିଛନ୍ତି। ଏହି ସବୁ ଅନୁଷ୍ଠାନ ବହୁଳ ଭାବରେ ଗୋଚର ଜମିରେ ଗଢି ଉଠିବାର ନଜିର୍ ମିଳୁଛି।
ପ୍ରଶ୍ନଉଠେ ଏସବୁ ଗୋଚର ଜମିରେ କାହିଁକି? କ’ଣ ଗାଈଗୋରୁଙ୍କର ପାଟି ଫିଟୁନାହିଁ ବୋଲି ନା ଗାଈଗୋରୁ ପାଳନ କରୁଥିବା ସେହି ଅପାଠୁଆମାନେ ମଧ୍ୟ ଆଇନ୍ ଧାରାର ବହିର୍ଭୂତ? ଜନମଙ୍ଗଳ ଅନୁଷ୍ଠାନ ପାଇଁ ଜମିର ଅଭାବ ନାହିଁ। କାରଣ ବିପୁଳ ଜମିର ଅଧିକାରୀ ବହୁତ ଲୋକ ଆମ ରାଜ୍ୟରେ ଅଛନ୍ତି। ସେମାନଙ୍କଠାରୁ ସରକାର ବଳକା ଜମି ଅଧିଗ୍ରହଣ କଲେ କିମ୍ବା କିଣିଲେ କ’ଣ ଅସୁବିଧା ହୁଅନ୍ତା? ଯଦିବା ଗୋଚର ଜମିରେ ବିଭିନ୍ନ ଅନୁଷ୍ଠାନ ତିଆରି ହେଉଛି ଅଧା ଜମିରେ ତେବେ ତାହା ରାସ୍ତା ପାଖକୁ ହେଉଛି ଏବଂ ଅପରପାର୍ଶ୍ବଟି ଗୋଚର ରହୁଛି ପୂର୍ବବତ୍। ଭାବନ୍ତୁ ତ, ଗାଈଗୋରୁମାନେ ଅନୁଷ୍ଠାନ ମଧ୍ୟ ଦେଇ ସେ ପଟକୁ ଚରିବାକୁ ଯାଇ ପାରିବେ କି? ତେଣୁ ସରକାର ଗୋଚର ଜମିରେ ଅନୁଷ୍ଠାନ ଗଢି ଗାଈଗୋରୁଙ୍କ ପାଟିରେ ତୁଣ୍ଡି ବାନ୍ଧୁନାହାନ୍ତି ତ? ଏବେବି ଲକ୍ଷଲକ୍ଷ ସଂଖ୍ୟାରେ ଗାଈଗୋରୁ ଘାସ ବଦଳରେ କାଗଜ ଓ ପ୍ଲାଷ୍ଟିକ୍ ଜରି ଖାଉନାହାନ୍ତି କି?
ସ୍ୱାଧୀନତା ସମୟରେ ଭାରତର ଜନସଂଖ୍ୟା ଥିଲା ୩୬ କୋଟି ଏବଂ ଗୋ-ମହିଷାଦିଙ୍କ ସଂଖ୍ୟା ଥିଲା ୯୮ କୋଟି। ବର୍ତ୍ତମାନ ଭାରତର ଜନସଂଖ୍ୟା ୧୨୫ କୋଟି ଏବଂ ଗୋସଂପଦର ସଂଖ୍ୟା ୪୦ କୋଟି। ଏହି ପରିସଂଖ୍ୟାନ ସ୍ପଷ୍ଟ କରିଦେଉଛି ଗୋ-ସଂପଦ ଓ ଗୋଚାରଣ ଜମି କିଭଳି ହ୍ରାସ ପାଉଛି। ଏହା ଆଗାମୀ ଭବିଷ୍ୟତ ପାଇଁ ପରିବେଶ ଅସନ୍ତୁଳନର କାରଣ ହେବ। ବ୍ରାଜିଲ୍, ଯୁକ୍ତରାଷ୍ଟ୍ର ଆମେରିକା, ନିଉଜିଲାଣ୍ଡ, ଜାପାନ, ସ୍ୱିଡେନ୍ ଆଦି ସମୃଦ୍ଧ ଦେଶରେ ଗୋ-ସଂପଦର ପରିମାଣ ବଢିବାରେ ଚାଲିଛି। ଏହା ଆମକୁ ଏଇ ସନ୍ଦେଶ ଦେଉନିକି, ଆମେ ବିଫଳତାକୁ ଆପଣାଛାଏଁ ଆଦରି ନେଉଛୁ। ଇଂରେଜ ଶାସନ, ରାଜା ଓ ଜମିଦାରୀ ଶାସନ ସମୟରେ ଗୋଚର ଭୂମି ବେଶ୍‌ ସୁରକ୍ଷିତ ଥିଲା। ବ୍ୟକ୍ତି ବିଶେଷଙ୍କର ଜମିଦାନରେ ବେସରକାରୀ ତଥା ସରକାରୀ ଅନୁଷ୍ଠାନମାନ ଗଢି ଉଠିଥିଲା।
ଏହା ଜାଣି ମଧ୍ୟ ଆମେ ଏବେ ଗୋଚର ଭୂମି ପ୍ରାୟ ନିଶ୍ଚିହ୍ନ। ଯଦି ଗୋଚର ଭୂମି ଏମିତି ରାଜନୈତିକ ପଶାପାଲିରେ ହରଣ ହୋଇଚାଲିବ ତେବେ ତା’ର ସୁରକ୍ଷା ପାଇଁ ନିଶ୍ଚୟ ଅଣ୍ଟା ଭିଡିବେ ସେମାନେ ଯାହାଙ୍କୁ ବ୍ୟଥିତ କରିଛି ଏହି ସମସ୍ୟା। ଆମେ କେମିତି ଭୁଲି ଯାଉଛେ ଯେ ଗୋଚରଭୂମି ହିଁ ଗାଈଗୋରୁଙ୍କୁ ଖାଦ୍ୟ ଯୋଗାଇଥାଏ। ବର୍ତ୍ତମାନ ଗୋଚର ଜମିର ୪୦ ଶତାଂଶରେ ବିଭିନ୍ନ ଅନୁଷ୍ଠାନ ଗଢି ଉଠିଲାଣି। ସରକାରୀ ଚାକିରିର ବିକଳ୍ପ ମଧ୍ୟ ଯୋଗାଇବ ଗୋପାଳନଜନିତ କର୍ମ ସଂସ୍ଥାନ। ଯଦି ଗୋଚର ନାହିଁ ତେବେ କୁଆଡୁ ଆସିବେ ଗୋରୁଗାଈ। ଗୋଚର ଜମିକୁ ନେଇ ବର୍ତ୍ତମାନ ନିଆଳୀ ଓ ମାହାଙ୍ଗା ବ୍ଲକରେ ପ୍ରତିବାଦର ସ୍ୱର ତୀବ୍ର ହୋଇଛି।
ତେବେ ସମସ୍ୟା ଅନେକ । ସମସ୍ୟାର କାରଣ ଓ ନିରାକରଣ ବିଷୟରେ ଭାବିବା। ପ୍ରତ୍ୟେକ ଜନମଙ୍ଗଳ ଅନୁଷ୍ଠାନ ପାଇଁ ସ୍ଥାନୀୟ ବିଧାୟକ, ବ୍ଲକ ଅଧ୍ୟକ୍ଷ ଓ ତହସିଲଦାର ସ୍ଥାନ ନିରୂପଣ କରିଥାନ୍ତି। ଅନେକ ସମୟରେ ସେମାନଙ୍କର ଦୂରଦୃଷ୍ଟିହୀନ ବିଚାରର ଶିକାର ହୁଏ ଗୋଚର ଭୂମି। ଯେଉଁମାନେ ପ୍ରତିଷ୍ଠା ଅର୍ଜନ ନିଶାରେ ଗୋଚର ଜମିକୁ ଅଧିଗ୍ରହଣ କରୁଛନ୍ତି ସେମାନେ ମଧ୍ୟ ପରୋକ୍ଷରେ ଗୋମାତାକୁ ଦୁଃଖ ଦେଉଛନ୍ତି। ବାସ୍ତବରେ ରାଜନୀତି ହେଉଛି, ସର୍ବୋତ୍ତମ ନୀତି। ସେଇ ନୀତି ଓ ନେତାଏ ଗୋ-ସଂପଦ ବୃଦ୍ଧି ସହ ଗୋଚର ଜମିର ସୁରକ୍ଷା ପ୍ରସଙ୍ଗକୁ ନେଇ ବିଧାନସଭା ଓ ସଂସଦରେ ବିିଧିବଦ୍ଧ ବିତର୍କ କରି ଆଇନ୍ ଆଣନ୍ତୁ। କୌଣସି ପରିସ୍ଥିତିରେ ଗୋଚର ଜମି ସୁରକ୍ଷିତ ରହୁ। ଗୋସଂପଦର ସୁରକ୍ଷା ଓ ସମ୍ମାନ ପାଇଁ ଗୋପବନ୍ଧୁ ଦାସ ଲେଖିଥିଲେ ‘ଗୋ-ମାହାତ୍ମ୍ୟ’; ଯାହାର ନବାକ୍ଷରୀ ଛନ୍ଦ ବିଶିଷ୍ଟ କବିତା ଗାଉଥିଲା-
ସକଳ ଧର୍ମେ ଶ୍ରେଷ୍ଠ ସାର, କେବଳ ପର ଉପକାର। ଏ ଧର୍ମ ପାଳନ୍ତି ଗୋଜାତି, ଏ ଲାଗି ତାଙ୍କର ଉତ୍ପତ୍ତି।। ସହନ୍ତି ପରଲାଗି ଦୁଃଖ କେବେ ବି ନୁହନ୍ତି ବିମୁଖ। ଭୋଗନ୍ତି ଖରା, ବର୍ଷା, ଶୀତ, ସାଧନ୍ତି ସଦା ଲୋକ ହିତ। ମରଇ ପର ଉପକାରେ, ଗୋ -ସମ କେ ଆଉ ସଂସାରେ।
ନିଆଳି, କଟକ
[email protected]

Leave A Reply