ଏସବୁ ସହରକୁ ଯିବା ପୂର୍ବରୁ ରୁହନ୍ତୁ ସତର୍କ

0

ବିଶ୍ବସ୍ତରରେ ଶ୍ବାସରୋଗୀଙ୍କ ସଂଖ୍ୟା ଦିନକୁଦିନ ବଢ଼ିବାରେ ଲାଗିଛି। କେବଳ ଭାରତରେ ଏମାନଙ୍କ ସଂଖ୍ୟା ୩କୋଟି ହେବ ବୋଲି ଅନୁମାନ କରାଯାଉଛି। ଭାରତର ପ୍ରମୁଖ କେତୋଟି ସହର ଅଛି, ଯେଉଁଠାକୁ ଯିବା ପୂର୍ବରୁ ପର୍ୟ୍ୟଟକ ସଚେତନ ରହିବା ନିତାନ୍ତ ଜରୁରୀ।

ଫିରୋଜାବାଦ୍, ଉତ୍ତର ପ୍ରଦେଶ : ରଙ୍ଗିନ୍ ଚୁଡ଼ି ନିମନ୍ତେ ଏହି ସହରର ବିଶେଷ ଖ୍ୟାତି ରହିଛି। ତେବେ ଏଠାରେ ସଂଖ୍ୟାଧିକ କାଚ କାରଖାନା ଥିବାରୁ ଦିନକୁଦିନ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି। ଏଠା ବାୟୁମଣ୍ଡଳରେ ଅନେକ ପ୍ରକାରର ବିଷାକ୍ତ ଗ୍ୟାସ୍ ଠାବ କରାଯାଇଛି, ଯାହା ସ୍ବାସ୍ଥ୍ୟ ନିମନ୍ତେ ଖୁବ୍ ହାନିକାରକ ବୋଲି ବିଶେଷଜ୍ଞଙ୍କ ମତ।

ଆଗ୍ରା : ପୂର୍ବରୁ ଏହି ଅଞ୍ଚଳରେ ହୋଇଥିବା ଏସିଡ୍ ବର୍ଷା ପାଇଁ ବିଭିନ୍ନ ତର୍ଜମା ହୋଇସାରିଛି। ଆଗ୍ରାରେ ସବୁଜିମା ହ୍ରାସ ପାଉଥିବାରୁ ଏହାର ପ୍ରଭାବ ଐତିହ୍ୟ ସ୍ଥଳ ତାଜମହଲ ଉପରେ ମଧ୍ୟ ପଡ଼ିଛି। ଆଗ୍ରା ନିକଟବର୍ତ୍ତୀ ଅଞ୍ଚଳର ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବାର ପ୍ରକାଶ।

ଗ୍ବାଲିୟର : ମଧ୍ୟପ୍ରଦେଶର ଏଇ ଛୋଟ ସହରଟି ରାଜାରାଜୁଡ଼ାଙ୍କ ପ୍ରମୁଖ ସ୍ଥଳ ଭାବେ ଜଣାଯାଏ। ଏଠା ବାୟୁମଣ୍ଡଳରେ ନିୟମିତ ଭାବେ ଟକ୍ସିନ୍ ସ୍ତର ବୃଦ୍ଧି ପାଉଥିବାର ଦେଖାଯାଉଛି। ଏହି ଅଞ୍ଚଳର ସଂଖ୍ୟାଧିକ ଲୋକେ ହୃଦରୋଗରେ ଆକ୍ରାନ୍ତ। ଲୋକେ ପରିବେଶ ପ୍ରଦୂଷଣ ଦିଗରେ ଆଦୌ ସଚେତନ ନୁହଁନ୍ତି।ପାଟନା, ବିହାର : ଏଠାକାର ସ୍ଥାନୀୟ ବସିନ୍ଦା ପ୍ରତି ୧୦ଜଣରେ ୬ଜଣ ଶ୍ବାସରୋଗରେ ଆକ୍ରାନ୍ତ। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ତାଲିକାରେ ଦିଲ୍ଲୀ ଭାରତର ପ୍ରଥମ ପ୍ରଦୂଷିତ ସହର ସ୍ଥାନରେ ଥିବାବେଳେ ପାଟନା ଦ୍ବିତୀୟ ସ୍ଥାନରେ ଅଛି। ପୁରୁଷଙ୍କ ତୁଳନାରେ ଏଠା ମହିଳା ଓ ପିଲା ଅଧିକ ରୋଗାକ୍ରାନ୍ତ ବୋଲି ଜଣାପଡ଼ିଛି।
କାନପୁର, ଉତ୍ତରପ୍ରଦେଶ : ଏହି ସହରରେ ଖୁବ୍ ଧୂଳି ଉଡ଼ୁଥିବାରୁ ଏହି କାରଣରୁ ରୋଗ ବ୍ୟାପିଥାଏ। ଧୂଳି ପାଇଁ ରାସ୍ତାକଡ଼ ଖାଦ୍ୟ ସାମଗ୍ରୀ ବିକ୍ରି ଦୋକାନ ମଧ୍ୟ ପ୍ରଭାବିତ ହୋଇଥାନ୍ତି। ଏସବୁ ସତ୍ତ୍ବେ ସଚେତନତା ଅଭାବରୁ ହିଁ ଏଠାରେ ପ୍ରଦୂଷଣର ମାତ୍ରା ବଢ଼ୁଛି।

Leave A Reply