ପର୍ଯ୍ୟଟନ ଋତୁ: ଭୀମକୁଣ୍ଡରେ ଭୋଜି ଭାତ ସହ ନାଚ ଗୀତର ଆସର ଜମୁଛି

ପାଟଣା : ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ସୀମା ଦେଇ ବହି ଯାଇଥିବା ବୈତରଣୀର ଭୀମକୁଣ୍ଡ ମନୋହର ଦୃଶ୍ୟରେ  ପର୍ୟ୍ୟଟକମାନେ ଆତ୍ମବିଭୋର ହୋଇ ପ୍ରକୃତିର ସୁନ୍ଦରତାକୁ ମନ ଭରି ଉପଭୋଗ କରୁଛନ୍ତି। ଭୀମକୁଣ୍ଡର ପ୍ରସ୍ତର ଶଯ୍ୟାରେ ଶୁଭ୍ର ରଙ୍ଗର ବିସ୍ତୀର୍ଣ୍ଣ ଜଳରାଶି ଓ ବିଶାଳ ଜଳକୁଣ୍ଡ ସର୍ବଦା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। କେନ୍ଦୁଝର ତଥା ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡ ପ୍ରକୃତିପ୍ରେମୀଙ୍କ ମନ ସବୁ ସମୟରେ ଜିଣି ଆସିଛି। ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ସୀମାରେ ସବୁଜବନାନୀ ଘେରା ପୁଣ୍ୟତୋୟା ବୈତରଣୀ ଶଯ୍ୟାରେ ଏହି ମନୋରମ ସ୍ଥାନ ଅବସ୍ଥିତ । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆ ଗ୍ରାମ ପଞ୍ଚାୟତର ଘାଟବାଲିଯୋଡି ଗ୍ରାମରେ ଏହା ଥିବାବେଳେ ମୟୁରଭଞ୍ଜ ଜିଲାର ସୀମାରେ ବୋରିଂ ଗ୍ରାମରେ ଏହା ରହିଛି। ପର୍ଯ୍ୟଟନ ଋତୁରେ ଓଡ଼ିଶାର ବିଭିର୍ଣ୍ଣ ଜିଲ୍ଲା ତଥା ଅନ୍ୟ ରାଜ୍ୟ ମାନଙ୍କରୁ ପର୍ଯ୍ୟଟକମାନେ ଏଠାକୁ ଛୁଟି ଆସି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବେଶ ମନ ଭରି ଉପଭୋଗ କରିଥାନ୍ତି।

ନଦୀ ଶଯ୍ୟାରେ ଜଳପ୍ରପାତ ଓ ତାହାର ଘୁ ଘୁ ନାଦ ବିଶାଳ କୁଣ୍ଡ ସବୁଜବନାନୀ ବନଫୁଲର ଶୋଭା ଦର୍ଶକଙ୍କ ମନରେ ରୋମାଂଚ ଭରିଦିଏ । କୁଣ୍ଡେଶ୍ୱର ,ତିର୍ଥେଶ୍ୱର ଓ ଭୀମେଶ୍ୱର ଶିବ ମନ୍ଦିର ସହ ଏଠାକାର ବିଶ୍ରାମ ସ୍ଥଳୀ ଓ ନଦୀଶଯ୍ୟାର ୱାଚ ଟାୱାର ଏହାର ଆକର୍ଷଣକୁ ଦ୍ୱିଗୁଣିତ କରୁଛି।  ମହାଭାରତ ଯୁଗର ଘଟଣା ବହୁଳ କିମ୍ବଦନ୍ତୀ ସହ ଏହି ସ୍ଥାନର ସମ୍ପର୍କ ଅଛି ବୋଲି ଭୀମକୁଣ୍ଡ ନାମରୁ ଅନୁମାନ କରାଯାଏ। ଇତିହାସ କହେ ମହାଭାରତ ସମୟରେ ପଞ୍ଚୁ ପାଣ୍ଡବ ମାନେ ଏହି ଠାରେ ଅଜ୍ଞାତ ବାସ କରିଥିଲେ । ବୈତରଣୀର ଜଳରାଶି ସେ ସମୟରେ କ୍ଷୀଣ ଜଳଧାରା ଥିଲା । ଭୀମ ସେଠାରେ ଗାଧୋଉଥିବା ସମୟରେ ଭୀମଙ୍କ ବିଶାଳ ଦେହରେ ଜଳଧାରା ବାଡେଇ ହୋଇ ସେଠାରେ ନିମ୍ନଗାମୀ ହୋଇ ବିଶାଳ ଗଣ୍ଡ ସୃଷ୍ଟି ହୋଇଥିଲା । ସେବେଠାରୁ ସେଇ ଗଣ୍ଡର ନାମ ଭୀମଙ୍କ ନାମରେ ନାମିତ ହୋଇ ଭୀମକୁଣ୍ଡ ହୋଇଛି। ମକର ସମୟରେ ଏଠାରେ ବୁଡ଼ ପକାଇବାକୁ ଲକ୍ଷାଧିକ ଶ୍ରଦ୍ଧାଳୁ ଆସିଥିବାବେଳେ ପର୍ଯ୍ୟଟନ ଋତୁରେ ହଜାର ହଜାର ଦର୍ଶକ ପ୍ରତି ଦିନ ବଣଭୋଜି ଓ ବୁଲାବୁଲି କରି ଯାଇଥାନ୍ତି। ବର୍ଷର ଅକ୍ଟୋବର ମାସ ଠାରୁ ମାର୍ଚ୍ଚ ମାସର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବା ସହ ସ୍ଥାନଟି ବେଶ ଚଳଚଞ୍ଚଳ  ହୋଇପଡେ ଏହି ଭୀମକୁଣ୍ଡ।

ଭୀମକୁଣ୍ଡର ଉନ୍ନତି ପାଇଁ ପର୍ଯ୍ୟଟନ ବିଭାଗ ତରଫରୁ ନିଆଯାଇଛି ଅନେକ ପଦକ୍ଷେପ । ପର୍ଯ୍ୟଟକ ମାନଙ୍କ ପାଇଁ ପିଣ୍ଡି ୱାଚ ଟାୱାର ଓ ପାନୀୟ ଜଳ ବ୍ୟବସ୍ଥା କରାଯାଇଛି। ପ୍ରକୃତିର ବିଭିଧତା ଓ ଭୀମକାନ୍ତ ଦୃଶ୍ୟ ଥରେ ନୟନରେ ଦେଖିବା ଉଚିତ ବୋଲି ପର୍ଯ୍ୟଟକ ମାନେ ମତାମତ ରଖିଥାନ୍ତି। ଭୀମକୁଣ୍ଡକୁ ଆସିବାକୁ ହେଲେ ଉଭୟ ସଡକ ପଥ ଏବଂ ରେଳ ପଥର ସୁବିଧା ଅଛି।  ରେଳପଥରେ ଭୁବନେଶ୍ୱରରୁ ଆସି ସିତାବିଞ୍ଜ କିମ୍ବା କେନ୍ଦୁଝର ଷ୍ଟେସନରୁ ସଡକ ପଥରେ ଆସି ପାଟଣା ମୁଖ୍ୟାଳୟ ଦେଇ ଭୀମକୁଣ୍ଡକୁ ଯାଇ ପାରିବେ।  ସଡକ ପଥରେ ଭୁବନେଶ୍ୱରରୁ ପାଣିକୋଇଲି ଆନନ୍ଦପୁର ଠାକୁରମୁଣ୍ଡା ଦେଇ ଭୀମକୁଣ୍ଡ କିମ୍ବା ଆନନ୍ଦପୁର – ଘଟଗାଁ – ଢେଙ୍କିକୋଟ ହୋଇ ଆସିପାରିବେ ।

Comments are closed.