ବଣୁଆ ହାତୀଙ୍କ ଉପଦ୍ରବ, କାନ୍ଥରେ ଚାପି ହୋଇ ବୃଦ୍ଧାଙ୍କ ମୃତ୍ୟୁ

ସମ୍ବଲପୁର: ସମ୍ବଲପୁର ଜିଲାରେ ଯୁଯୁମୁରା ବ୍ଲକ ଅନ୍ତର୍ଗତ ଅଞ୍ଚଳରେ ବଣୁଆ ହାତୀ ଉପଦ୍ରବ ଥମିବାର ନାମ ନେଉ ନାହିଁ। ଯୁଯୁମୁରା ବ୍ଲକ ଅନ୍ତର୍ଗତ ଲିପିଣ୍ଡା ଗ୍ରାମ ପଞ୍ଚାୟତର ଧମା କଟା ଗ୍ରାମରେ ରବିବାର ବିଳମ୍ବିତ ରାତ୍ରିରେ ବଣୁଆ ହାତୀ ଉପଦ୍ରବ କରିଥିବା ବେଳେ ଏକ ଘରର କାନ୍ଥ ଭାଙ୍ଗି ଦେଇଥିଲା। ଫଳରେ ଘରେ ଶୋଇଥିବା ସାଲନୀ ମିଞ୍ଜ ନାମକ ଜଣେ ବୃଦ୍ଧାଙ୍କ ଉପରେ କାନ୍ଥ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଯାଇଛି। ଖବର ପାଇ ଯୁଯୁମୁରା ପୁଲିସ ଓ ବନ ବିଭାଗର ଦଳ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତଦେହକୁ ଉଦ୍ଧାର କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବନାଞ୍ଚଳ ଅଧିକାରୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ଶନିବାର ମଧ୍ୟ ଯୁଯୁମୁରା ବ୍ଲକ ଅନ୍ତର୍ଗତ କଂସର ଠାରେ ମୁଡକି ମୁଣ୍ଡା ନାମକ ଜଣେ ବୃଦ୍ଧାଙ୍କୁ ହାତୀ ଦଳି ଦେଇ ମାରି ଦେଇଥିବା ବେଳେ ଗତକାଲି ରାତ୍ରିରେ ପୁଣି ଜଣେ ବୃଦ୍ଧାଙ୍କୁ ହାତୀ ମାରିଦେବା ଘଟଣା ସହିତ ଅଞ୍ଚଳରେ ନିୟମିତ ହାତୀ ଉପଦ୍ରବ ଯୋଗୁଁଁ ଧନଜୀବନ କ୍ଷତିକୁ ନେଇ ଜନଅସନ୍ତୋଷ ବୃଦ୍ଧି ପାଉଛି।

ସେହିପରି ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଅନ୍ତର୍ଗତ ଲିପିଣ୍ଡା ଗ୍ରାମ ପଞ୍ଚାୟତର ଲିପିଣ୍ଡା ଗ୍ରାମରେ ବଣୁଆ ହାତୀ ଉପଦ୍ରବ କରି ଜୟଦେବ ମାଝୀଙ୍କ ଘରକୁ ବଣୁଆ ହାତୀ ଉକାନ୍ଥ ଭାଙ୍ଗି ଦେଇଛି। ଅବଶ୍ୟ ଏହି ଘଟଣା ସମୟରେ ଠିକଣା ସମୟରେ ପରିବାର ଲୋକେ ଘରୁ ବାହାରି ପଳାଇ ଯିବାରୁ ସେମାନେ ବର୍ତ୍ତି ଯାଇଥିଲେ।

ଏହି ଘଟଣାରେ କେହି ମୃତାହତ ହୋଇ ନ ଥିବା ବେଳେ କିନ୍ତୁ ଏହା ପରେ ଲୋକେ ଆତଙ୍କିତ ରହିଛନ୍ତି। ଏହି ଘଟଣା ପରେ ସୋମବାର ବନ ବିଭାଗ ପକ୍ଷରୁ ଘଟଣାସ୍ଥଳ ପରିଦର୍ଶନ କରି କ୍ଷୟକ୍ଷତିର ଆକଳନ କରାଯାଇଛି। ଅପରପକ୍ଷରେ ଗତକାଲି ରାତ୍ରିରେ ଗ୍ରାମ ନିକଟସ୍ଥ ଧମା କଟାରେ ଏଭଳି ଏକ ଘଟଣାରେ କାନ୍ଥ ତଳେ ଚାପି ହୋଇ ଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଥିବାରୁ ହାତୀ ଉପଦ୍ରବକୁ ରୋକିବାକୁ ସବୁ ମହଲରୁ ଦାବି ହେଉଛି।

Comments are closed.