ଠାକୁରମୁଣ୍ଡା: ବୈତରଣୀ ନଦୀର ସୁନାମୁନିଠାରେ ପଥର ବନ୍ଧା ହୋଇଥିବା ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହକୁ ଶନିବାର ବିଳମ୍ବିତ ରାତିରେ ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଅଗ୍ନିଶମ ବାହିନୀ ପାଣି ଭିତରୁ ଉଦ୍ଧାର କରିଛି। ମୃତ ମହିଳା ଜଣକ ନିକଟ ମନୋହରପୁର ଗ୍ରାମର ବାଲକା ଟୁଡୁଙ୍କ ପତ୍ନୀ ମେରୀ ବେଶ୍ରା ବୋଲି ଜଣାପଡ଼ିଛି। ହତ୍ୟା ସନ୍ଦେହରେ ପୁଲିସ ମୃତକଙ୍କ ସ୍ୱାମୀ ବାଲକା ଟୁଡୁଙ୍କୁ ଅଟକ ରଖିଛି।
ସୂଚନା ଅନୁଯାୟୀ, ଠାକୁରମୁଣ୍ଡା ବ୍ଲକ ସୀମାନ୍ତ କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ମନୋହରପୁର ଗ୍ରାମ ନିକଟ ଦେଇ ବହି ଯାଇଥିବା ବୈତରଣୀ ନଦୀର ସୁନାମୁନିଠାରେ ନଦୀ ପାଣିରେ ବୁଡ଼ି ରହିଥିବା ଶରୀରର କିଛି ଅଂଶକୁ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏନେଇ ଆନନ୍ଦପୁର ଥାନାକୁ ସୂଚନା ଦେବା ସହିତ ଠାକୁରମୁଣ୍ଡା ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ପାଣି ଭିତରେ ବୁଡ଼ି ରହିଥିବା ମୃତଦେହକୁ ରାତିରେ ଅଗ୍ନିଶମ ବାହିନୀ ଉଦ୍ଧାର କରି କୂଳକୁ ଆଣିଥିଲେ। କେହି ଦୁର୍ବୃତ୍ତ ମହିଳା ଜଣକୁ ହତ୍ୟାପରେ ଶରୀରରେ ପଥର ବାନ୍ଧି ନଦୀ ପାଣିରେ ବୁଡ଼ାଇ ଦେଇଥିବା ସନ୍ଦେହ କରାଯାଉଛି। ମହିଳାଙ୍କ ମୃତଦେହକୁ ସ୍ଥାନୀୟ ଲୋକେ ଚିହ୍ନଟ କରିବା ପରେ ପୁଲିସ ସନ୍ଦେହରେ ମୃତକଙ୍କ ସ୍ୱାମୀକୁ ଅଟକ ରଖିଛି। ମୃତ ମହିଳା ଜଣକ ଗତ ୨୫ ତାରିଖ ରାତିରୁ ନିଖୋଜ ଥିବାବେଳେ ୩ ଦିନ ପରେ ନଦୀ ଭିତରୁ ମୃତଦେହ ଉଦ୍ଧାର ହୋଇଛି। ରବିବାର ସକାଳୁ ଘଟଣାସ୍ଥଳରେ କେନ୍ଦୁଝର ଜିଲା ସାଇଣ୍ଟିଫିକ ଟିମ୍ ଓ ଏଏସପି, ଆନନ୍ଦପୁର ଥାନା ପୁଲିସ ପହଞ୍ଚି ଘଟଣାର ଅନୁସନ୍ଧାନ କରୁଛନ୍ତି।



