ଭାବନା ଓ ବାସ୍ତବତା
ପ୍ରଫୁଲ୍ଲ କୁମାର ରାଉତ
ମହାଭାରତ ଯୁଦ୍ଧର ଅବବ୍ୟହିତ ପୁର୍ବରୁ ଉଭୟ ପାଣ୍ଡବ ଏବଂ କୌରବ- ପକ୍ଷ ନିଜ ନିଜର ସୈନ୍ୟସାମନ୍ତଙ୍କୁ ନେଇ ସମରପ୍ରାଙ୍ଗଣରେ ଉପସ୍ଥିତ। ଯୁଦ୍ଧ ଅବଶ୍ୟମ୍ଭାବୀ। ଧୃତରାଷ୍ଟ୍ରଙ୍କର ସନ୍ଦେହ। କୁରୁକ୍ଷେତ୍ରକୁ ଧର୍ମକ୍ଷେତ୍ର ଭାବେ ଆଖ୍ୟାୟିତ କରିଛନ୍ତି। ଧର୍ମକ୍ଷେତ୍ରରେ ବ୍ୟକ୍ତିର ଦମ୍ଭ ଗର୍ବ, ଅଂହଙ୍କାର ଆତ୍ମଗରିମା ବିଲୁପ୍ତ ହୋଇଯାଏ। ଉଦୟ ହୁଏ ବୈରାଗ୍ୟ, ପରୋପକାର ହିତାୟ। ଏହି ଯୁଦ୍ଧଭୂମିରେ ଉପସ୍ଥିତ ଭୀଷ୍ମ, ଦ୍ରୋଣ, କର୍ଣ୍ଣ ଆଦି ବୀର ପୁଙ୍ଗବ। ଅନ୍ୟ ପକ୍ଷରେ ସ୍ଥିତପ୍ରଜ୍ଞ ଯୁଧିଷ୍ଠିର, ଅବତାରୀ ପୁରୁଷ ସ୍ୱୟଂ ଶ୍ରୀକୃଷ୍ଣ। ସମସ୍ତେ ଯୁଦ୍ଧର ଭୟାବହତା ପରିଣାମ ବିଷୟରେ ଅବଗତ। ମୃତ୍ୟୁ, ଆହତ, ହାହାକାର, ଦୁଃଖଯନ୍ତ୍ରଣାର କରୁଣ ପ୍ରତିଛବି ସମସ୍ତଙ୍କ ବିବେକ ହୃଦୟକୁ ଆନ୍ଦୋଳିତ କରୁଥିବ। ଉଭୟଙ୍କ ମଧ୍ୟରେ ଜ୍ଞାନ ଉଦୟ ହୋଇ ଯୁଦ୍ଧର ଭୟାବହତାକୁ ଏଡ଼େଇ ଦିଆଯାଇପାରିବ ; କିନ୍ତୁ ବାସ୍ତବତା ଥିଲା ଅଲଗା।
ଜୀବନର ଅପରାହ୍ଣରେ ଈଶ୍ୱରଙ୍କ ଶରଣାପନ୍ନ ହୋଇ ବାନପ୍ରସ୍ଥ ଜୀବନ ଜିଇବାର ନିଷ୍ପତ୍ତି ନେଇ ସର୍ବଗୁଣ ସମ୍ପନ୍ନ ଜ୍ୟେଷ୍ଠପୁତ୍ର ରାମଚନ୍ଦ୍ରଙ୍କ ହସ୍ତରେ ଅଯୋଧ୍ୟା କଟକର ରାଜ୍ୟଭାର ଅର୍ପଣ କରିବାର ନିଷ୍ପତ୍ତି ନେଲେ ଦଶରଥ। ସୁସମ୍ବାଦ ଖେଳିଗଲା ବିଦ୍ୟୁତ୍ ବେଗରେ। ଆନନ୍ଦର ମେଘ ଖୁସିର ମନ୍ଦ ମନ୍ଦ ବର୍ଷାବିନ୍ଦୁରେ ମତୁଆଲା ଅଯୋଧ୍ୟାବାସୀ। ବାସ୍ତବତା କିନ୍ତୁ ଭିନ୍ନ। ସମୟ ସହ ତାଳଦେଇ ଚାଲିବାର ଅଭ୍ୟାସ କଷ୍ଟକର। ରାମଚନ୍ଦ୍ର ଅଯୋଧ୍ୟାର ରାଜା ହେବା ପରିବର୍ତ୍ତେ ଚଉଦ ବର୍ଷର ବନବାସର ଦଣ୍ଡ। ନିର୍ବାକ୍ ନିସ୍ପନ୍ଦ ଅେଯାଧ୍ୟାବାସୀ। ଆନନ୍ଦର ବର୍ଷା ପରିବର୍ତ୍ତିତ ହୋଇଗଲା ବାତ୍ୟାର ତାଣ୍ଡବଲୀଳାରେ। ପିତୃସତ୍ୟ ପାଳି ଚଉଦବର୍ଷ ବନବାସର ଦଣ୍ଡ ମଥାପାତି ଗ୍ରହଣ କଲେ। ରାଜା ହୋଇଥିଲେ ହୁଏତ ବୈଭବଶାଳୀ ରାଷ୍ଟ୍ରରେ ପରିଣତ ହୋଇଥାନ୍ତା ଅଯୋଧ୍ୟା କଟକ। ପ୍ରଜାବତ୍ସଳ, ପ୍ରଜାରଞ୍ଜକ ଆଦର୍ଶ ନୀତିବାନ ନୀତିନିଷ୍ଠ ହୋଇ ଅଯୋଧ୍ୟାବାସୀଙ୍କର ପ୍ରିୟଭାଜନ ହୋଇପାରିଥାନ୍ତେ।
ଅପରିକଳ୍ପନୀୟ ମାରୀଚର ମାୟା ସୁନା ହରିଣ ରୂପ, ଅରଣ୍ୟରେ ରାବଣର ଯତିବେଶରେ ମାତା ସୀତାଙ୍କୁ ହରଣ ବିଶ୍ୱସନୀୟତାରେ ଅବିଶ୍ୱସନୀୟତାର ବାର୍ତ୍ତା। ନିଜେ କଷ୍ଟ ସହି ପୃଥିବୀକୁ ଅସୁରମାନଙ୍କର ଦୌରାତ୍ମ୍ୟରୁ ଉଦ୍ଧାର, ରାବଣର ଅଂହକାର ଭଗ୍ନ, ପାଷାଣୀ ଅହଲ୍ୟାର ମୁକ୍ତି, ଶବରୀର ଭକ୍ତି ଭଳି ପ୍ରସଙ୍ଗ ଅନାଲୋଚିତ ହୋଇ ରହିଯାଇଥାନ୍ତା। ସମସ୍ତଙ୍କର ଆରାଧ୍ୟ ଦେବତା ଆଦର୍ଶ ମର୍ଯ୍ୟାଦାପୁରୁଷୋତ୍ତମ ରୂପେ ପୂଜା ପାଇପାରିନଥାନ୍ତେ।
ସ୍ୱଂୟମ୍ବର ସଭାରେ ଏକ ଦୁଃସାଧ୍ୟ ସର୍ତ୍ତକୁ ବିଜୟଲାଭ କରିଥିବା ମଧ୍ୟମପାଣ୍ଡବ ଅର୍ଜୁନଙ୍କୁ ସ୍ୱାମୀ ରୂପେ ପାଇ ପୃଥିବୀର ସର୍ବଶ୍ରେଷ୍ଠ ସୌଭାଗ୍ୟବତୀ ବୋଲି କଳ୍ପନା କରୁଥିବା ଯାଜ୍ଞସେନୀ ଶାଶୂଘରେ ପହଞ୍ଚି ଏକ ଅପରିଣାମଦର୍ଶୀ ନିଷ୍ଠୁରବାକ୍ୟ ପାଇଁ ଜୀବନସାରା ପଞ୍ଚପତିଙ୍କୁ ନେଇ ସଂସାର କଲେ। କ୍ଷୁଧା ତୃ୍ଷ୍ଣାରେ କ୍ଲାନ୍ତଶ୍ଳାନ୍ତ ହୋଇ ବଶିଷ୍ଠଙ୍କ ଆଶ୍ରମରେ ଉପନୀତ ରାଜା ବିଶ୍ୱାମିତ୍ର ଏବଂ ଅନୁଚରଗାମୀ। କାମଧେନୁଙ୍କ ଅପାର କୃପାରୁ ତତ୍କ୍ଷଣାତ୍ ସମସ୍ତଙ୍କର କ୍ଷୁଧା ତୃଷ୍ଣା ନିବାରଣ ହୋଇଗଲା। ବଶିଷ୍ଠଙ୍କୁ କୃତଜ୍ଞତା ଜ୍ଞାପନ କରିବା ପରିବେର୍ତ୍ତ ଲୋଭ ବଳିଲା କାମଧେନୁ ଉପରେ। ରାଜ୍ୟରେ ଥିବା ସମସ୍ତ ସମ୍ପତ୍ତି ରାଜାଙ୍କର ନ୍ୟାୟରେ କାମଧେନୁ ବି ରାଜାଙ୍କର ସମ୍ପତ୍ତି ବୋଲି ଯୁକ୍ତି ଦର୍ଶାଗଲା। ଅନିଚ୍ଛାସେତ୍ତ୍ବ ବଳପ୍ରୟୋଗ ପୂର୍ବକ କାମଧେନୁକୁ ଆଶ୍ରମରୁ ରାଜଧାନୀକୁ ସ୍ଥାନାନ୍ତର ପ୍ରକିୟା କରଗଲା। ସ୍ନେହ ପ୍ରେମ ସଦାଚାର, ସତକର୍ମରେ ଅନ୍ୟର ହୃଦୟକୁ ଜୟ କରାଯାଇପାରେ କିନ୍ତୁ ଶକ୍ତିପ୍ରୟୋଗ ଦ୍ୱାରା ନୁହେଁ। କାମଧେନୁ ଉପରେ ପ୍ରୟୋଗ କରାଯାଉଥିବା
ପାଶବିକ ଅତ୍ୟାଚାରର ଦୃଶ୍ୟ ନିର୍ବିକାର ଭାବରେ ଦେଖୁଥିବା ବଶିଷ୍ଠ କୁଶକୁ ବ୍ରହ୍ମାସ୍ତ୍ର ଶକ୍ତି ଦେଇ ନିକ୍ଷେପ କଲେ। ନିପାତ ହେଲେ ଦୁରାଚାରୀଗଣ। କ୍ରୋଧ ଜର୍ଜରିତ ବିଶ୍ୱାମିତ୍ର ଶପଥ ନେଲେ ବ୍ରହ୍ମାସ୍ତ୍ର ମନ୍ତ୍ରର ଅଧିକାରୀ ହେବା ପାଇଁ। କୋଣାର୍କ ମନ୍ଦିରର ମୁଣ୍ଡିମାରିବାର ସମୟ ଅତିକ୍ରାନ୍ତ ପରେ ସମସ୍ତ ଅସଫଳ ଶିଳ୍ପୀଙ୍କର ମୁଣ୍ଡକାଟ ଘୋଷଣା ବିଚଳିତ ବିବ୍ରତ କରି ଦେଇଥିଲା ସ୍ଥପତିମାନଙ୍କୁ। ବିଶୁ ମହାରଣାର କୁଳ ରକ୍ଷାକାରୀ ଏକ ମାତ୍ର ସନ୍ତାନ ଧର୍ମପଦ ନିଜର ଜ୍ଞାନକୌଶଳ ଓ ଦକ୍ଷତା ଆପଣାଇ କୋର୍ଣାକ ମନ୍ଦିରର ଶୀର୍ଷ କଳସ ସ୍ଥାପନ ପରେ ସମସ୍ତଙ୍କର ପ୍ରିୟଭାଜନ ହୋଇ ପ୍ରଂଶସା ସାଉଣ୍ଟିବା ଆଶାରଖିଥିବା କୋମଳ ବାଳକଟି ନିଜଜାତିର ମଙ୍ଗଳପାଇଁ ମୃତ୍ୟୁକୁ ଆପଣେଇ ନେଲା। ନିରୀହ ଭ୍ରମରଟି ପଦ୍ମଫୁଲରୁ ମଧୁ ଆହରଣ କରୁକରୁ ସୂର୍ଯ୍ୟାସ୍ତ ପରେ ଫୁଲଟିର ପାଖୁଡ଼ା ବନ୍ଦ ହୋଇଯାଏ ଆପେ ଆପେ। ଶକ୍ତ କାଠକୁ କଣା କରିପାରୁଥିବାର ସାମର୍ଥ୍ୟ ଥିବା ଭ୍ରମରଟି ମନେମନେ ଭଲପାଉଥିବା ପଦ୍ମର କଁଅଳ ପାଖୁଡାକୁ କଷ୍ଟ ହେବ ଭାବି ନିଜେ ମୃତ୍ୟୁକୁ ଆମନ୍ତ୍ରଣ କରେ ସିନା କଷ୍ଟ ଦିଏ ନାହିଁ ନିଜର ପ୍ରେମିକାକୁ।
ଦସ୍ୟୁ ରତ୍ନାକରର ମୋହଭଙ୍ଗ ହେଲା ସେତେେବଳେ ଯେତେବେଳେ ସେ ନିଜର ସମସ୍ତ ସାମର୍ଥ୍ୟକୁ ଅସାମାଜିକ ଉପାୟ ବ୍ୟବହାର କରି ରୋଜଗାରରେ ପରିବାର ପ୍ରତିପୋଷଣ କରୁଥିବା ପ୍ରତ୍ୟେକ ସଦସ୍ୟ ତାର କର୍ମଫଳ ସହ ସହଭାଗିତାରେ ସମ୍ପୃକ୍ତ ନୁହନ୍ତି ବୋଲି ଉତ୍ତର ଦେଇଥିଲେ। ସେହି ନାସ୍ତିକ ଉତ୍ତର ତାକୁ ଭଗବତ୍ ବିଶ୍ୱାସରେ ରୂପାନ୍ତରିତ କରି ବାଲ୍ମୀକି ମହାମୁନିରେ ପରିବର୍ତ୍ତନ କରିଦେଲା। ଜୀବନର ସମସ୍ତ ରୋଜଗାରକୁ ବ୍ୟୟକରି ନିଜର ସନ୍ତାନକୁ ଉଚ୍ଚ ଶିକ୍ଷିତ କରାଇଥିବା ବାପାମାଆ ଯେତେବେଳେ ଜାଣିବାକୁ ପାଆନ୍ତି ନିଜର ପ୍ରିୟ ଆଦରଣୀୟ ସନ୍ତାନ ପାଠପଢ଼ାକୁ ପଛରେ ପକାଇ ସମାଜର ଅନୈତିକପନ୍ଥାକୁ ଆପଣେଇ ନେଇଛି। ସମୟ ବଢ଼ନ୍ତା ନଦୀର କଳାଭଉଁରି। କେତେବେଳେ କାହାକୁ ବୁଡେଇ ଅଣନିଶ୍ୱାସୀ କରିଦିଏ ତ କେତେବେଳେ କାହାର ମୃତ୍ୟୁର ଦୂତ ସାଜିଥାଏ। ଦୁଃଖ ଆସେ ସେତେବେଳେ ଯେତେବେଳେ ଭାବନା ବାସ୍ତବରେ ପରିଣତ ହୋଇପାରେନାହିଁ। ପଶ୍ଚାତ୍ତାପ କରିବାକୁ ହୁଏ ନିଜରମାନେ ଯେତେବେଳେ ନିଜ ଭାବନାରେ କଷ୍ଟ ଦେଇଥାନ୍ତି। ସମୟକୁ ତାଳ ଦେଇ ଆଗକୁ ବଢ଼ୁଥିବା ମଣିଷ ସମାଜରେ ଖାପ ଖୁଆଇ ଆଗକୁ ବଢ଼େ। ବାସ୍ତବରେ ଭାବନା ଓ ବାସ୍ତବତା ସମାନ୍ତର ସରଳରେଖାର ଦୁଇ ଧାର। ଦୁଇ ଧାରକୁ ଏକତ୍ର କରିବା ଅସମ୍ଭବ ପରିକଳ୍ପନା।
Comments are closed.