ପ୍ରଭୁକୃପା ଓ ବଣଭୋଜି ପାଇଁ କେନ୍ଦୁଝରକୁ ଛୁଟିଛି ପର୍ଯ୍ୟଟକଙ୍କ ସୁଅ
କେନ୍ଦୁଝରଗଡ଼଼: ନୂଆବର୍ଷରେ ପ୍ରଭୁକୃପା ଲାଭ କଲେ ବର୍ଷତମାମ୍ ସୁଖ ଓ ଶାନ୍ତିରେ ଜୀବନ ଅତିବାହିତ ହୋଇଥାଏ। ଏହି ବିଶ୍ୱାସ ରଖି କେନ୍ଦୁଝର ଜିଲାର ଘଟଗାଁସ୍ଥିତ ପ୍ରତ୍ୟକ୍ଷ ଆରାଧ୍ୟ ଦେବୀ ମା’ତାରିଣୀ ଏବଂ ଜିଲାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ସାନିଧ୍ୟ ଲାଭ ଉଦ୍ଦେଶ୍ୟରେ ଇଂରାଜୀ ନବବର୍ଷ ଦିନ ପ୍ରତିବର୍ଷ ଘଟଗାଁ ଓ କେନ୍ଦୁଝରର ପୁରୁଣାବଜାରକୁ ଜିଲା ତଥା ରାଜ୍ୟ ବାହାରର ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। କେବଳ ସେତିକି ନୁହେଁ, ପ୍ରଭୁଙ୍କ ସାନିଧ୍ୟ ଲାଭ ସାଙ୍ଗକୁ ନୂଆବର୍ଷ ପାଳନ ଅବସରରେ ବଣପାହାଡ ଘେରା କେନ୍ଦୁଝର ଜିଲାର ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟ, ସୁଦୃଶ୍ୟ ଜଳପ୍ରପାତ ଏବଂ ପାହାଡ଼ିଆ ଶୀତକୁ ଉପଭୋଗ ପାଇଁ ବଣଭୋଜି ନିମନ୍ତେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବଡଦିନ ଠାରୁ ନବବର୍ଷ ପର୍ଯ୍ୟନ୍ତ କେନ୍ଦୁଝର ଜିଲାକୁ ପ୍ରତିଦିନ ଲକ୍ଷାଧିକ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି।
ବିଶେଷକରି ଜିଲା ମୁଖ୍ୟାଳୟଠାରୁ ମାତ୍ର ୫ କି.ମି. ଦୂରରେ ୪୯ନଂ ଜାତୀୟ ରାଜପଥ ପାର୍ଶ୍ବରେ ଅବସ୍ଥିତ ୩୧ ମିଟର ଉଚ୍ଚତା ବିଶିଷ୍ଟ ରାଜ୍ୟ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ସାନଘାଗରା ଜଳପ୍ରପାତକୁ ନୂଆବର୍ଷ ବଣଭୋଜି ଉପଲକ୍ଷେ ରାଜ୍ୟର ପ୍ରତ୍ୟେକ କୋଣ ଅନୁକୋଣରୁ ପର୍ଯ୍ୟଟକଙ୍କ ଭିଡ ଲାଗିଛି। ଏଠାକାର ଶିଶୁ ଉଦ୍ୟାନ, ଗୋଲାପ ବଗିଚା, ବୋଟିଂ ତଥା ଚର୍ତୁଃପାର୍ଶ୍ବରେ ଘେରି ରହିଥିବା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ବଣଭୋଜିର ମଜା ନେବାକୁ ପର୍ଯ୍ୟଟକ ନୂଆବର୍ଷ ପୂର୍ବ ରାତିରୁ କେନ୍ଦୁଝର ସହରରେ ପର୍ଯ୍ୟଟକ ବିଭିନ୍ନ ହୋଟେଲ ମାନଙ୍କରେ ଭିଡ ଜମାଇ ସାରିଲେଣି। କେବଳ ସାନଘାଗରା ନୁହେଁ ଜିଲାର ବିଭିନ୍ନ ଦର୍ଶନୀୟ ପର୍ଯ୍ୟଟନସ୍ଥଳୀ ମାନଙ୍କରେ ପର୍ଯ୍ୟଟକଙ୍କ ଭିଡ ଲାଗି ରହିଥିବା ବେଳେ ଏହାକୁ ଆଖିଆଗରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ସାନଘାଗରା ସମେତ ବଡ଼ଘାଗରା, ଖଣ୍ଡାଧାର, ଗୁଣ୍ଡିଚାଘାଗୀ, ହାଣ୍ଡିଭଙ୍ଗା ପରି ରାଜ୍ୟ ପ୍ରସିଦ୍ଧ ପ୍ରାକୃତିକ ଜଳପ୍ରପାତ, କେନ୍ଦୁଝର ପୁରୁଣାବଜାରସ୍ଥିତ ବଳଦେବଜୀଉ ମନ୍ଦିର, ରାଜବାଟୀ, ସିଦ୍ଧମଠ, ମୁର୍ଗାମହାଦେବ ଓ ଗୋନାସିକା ଭଳି ପ୍ରସିଦ୍ଧ ଦେବାଦେବୀ ପୀଠ ଏବଂ ସୀତାବିଞ୍ଜ, ସରେଇ, ରାଜନଗର, ପୋଡ଼ାସିଙ୍ଗିଡ଼ି ଭଳି ଐତିହାସିକ ଓ ପୌରାଣିକସ୍ଥଳୀ, ହଦଗଡ଼଼, ଜଗଦଳା ଓ କାଣିଝରୀ ପରି ରମଣୀୟ ଡ଼୍ୟାମ ସାଙ୍ଗକୁ କାଞ୍ଜିପାଣି ଘାଟିର ମନଲୋଭା ପ୍ରାକୃତିକ ଦୃଶ୍ୟ, ଚିକିଣିଆସ୍ଥିତ ଜିଲା ପାର୍କ, ବାରହାଟିପୁରା, ଅସନପାଟ, ଆନନ୍ଦପୁରର ଚକ୍ରତୀର୍ଥ ଓ ଗଡ଼ଚଣ୍ଡୀ ପରି ଜିଲାର ପ୍ରମୁଖ ଦର୍ଶନୀୟ ସ୍ଥାନମାନଙ୍କରେ ନୂଆବର୍ଷ ପାଳନ ନିମନ୍ତେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
Comments are closed.