ବିପଦଶଙ୍କୁଳ କେନାଲ ରାସ୍ତା, ଅଧୀକ୍ଷଣ ଯନ୍ତ୍ରୀଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ମୁଖୀଗୁଡା: ଇନ୍ଦ୍ରବତୀ ବାମ ମୁଖ୍ୟ କେନାଲ ଅନ୍ତର୍ଗତ ଗୁନଗୁନିଆ ମାଇନର କେନାଲ ସର୍ଭିସ ରାସ୍ତା ଦୀର୍ଘ ଦିନ ହେଲା ସଂକୀର୍ଣ୍ଣ ହୋଇପଡିଛି। ଯାହା ଫଳରେ ଉକ୍ତ ରାସ୍ତା ଦେଇ ଦୈନିକ ଯିବା ଆସିବା କରୁଥିବା ଭେଜିଗୁଡା ଗ୍ରାମପଞ୍ଚାୟତର ଜନସାଧାରଣ ହନ୍ତସନ୍ତ ହେଉଛନ୍ତି। ମୁଖୀଗୁଡା-ମୋଟେର ରାସ୍ତା ଗୁନଗୁନିଆ ଛକ ଠାରୁ ୮୦୦ ମିଟର କେନାଲ ରାସ୍ତା ଦୁଇ ପଟ ମାଟି ଧସିଯିବା ସହ ଅନାବନା ଗଛଳତାରେ ପରିପୂର୍ଣ୍ଣ ହୋଇଛି। ଉକ୍ତ ରାସ୍ତା ଦେଇ ଭେଜିଗୁଡା ମଣ୍ଡିର ଧାନ ଟ୍ରକ ତଥା ନିକଟରେ ଥିବା କ୍ରସରର ଗାଡି ଚଳାଚଳ କରିଥାଏ। ସଂକୀର୍ଣ୍ଣ ରାସ୍ତା ଯୋଗୁଁ ଲୋଡିଂ ଗାଡି ଗୁଡିକ ବିପଦ ସଂକୁଳ ଅବସ୍ଥାରେ ଯିବା ଆସିବା କରୁଛି। ଟ୍ରକଟିଏ ରାସ୍ତାରେ ଆସିଲେ ରାସ୍ତା ଜାମ ହେବା ସହ ଲୋକଙ୍କ ଚାଲିବା ପାଇଁ ମଧ୍ୟ ରାସ୍ତା ରହୁନାହିଁ। ଏହି ରାସ୍ତା ଦେଇ ଆଖପାଖ ଅଞ୍ଚଳର ଅନେକ ଗାଁର ଜନସାଧାରଣ ନିର୍ଭରଶୀଳ ଥିବା ବେଳେ କଲମପୁର ବ୍ଳକର ଲୋକେ ମଧ୍ୟ ଏହି ରାସ୍ତା ଦେଇ ମୋଟେର, ଜୁନାଗଡ଼, କୋକସରାକୁ ଯାଇଥାନ୍ତି। କିନ୍ତୁ ସଂକୀର୍ଣ୍ଣ ରାସ୍ତା ଯୋଗୁଁ ଅନେକ ଦୁର୍ଘଟଣା ଘଟୁଥିବା ସହ ସବୁବେଳେ ବିପଦଶଙ୍କୁଳ ରହୁଛି। ଏ ନେଇ ଭେଜିଗୁଡା ଗ୍ରାମପଞ୍ଚାୟତ ବାସୀ ବାମ ମୁଖ୍ୟ କେନାଲ କୁସୁମଖୁଣ୍ଟି ଡିଭିଜନର ଅଧିକ୍ଷଣ ଯନ୍ତ୍ରୀଙ୍କୁ ଅଭିଯୋଗ କରିଛନ୍ତି।

Comments are closed.