୩୫୯ ଡାକ୍ତର ପଦ ଖାଲି, ନାହାନ୍ତି ଚର୍ମ ରୋଗ ବିଶେଷଜ୍ଞ
କେନ୍ଦୁଝରଗଡ଼: ସ୍ୱାସ୍ଥ୍ୟ ସେବା ଭିତ୍ତିଭୂମି ସୁଦୃଢ଼ ସହ ଆଦିବାସୀବହୁଳ କେନ୍ଦୁଝର ଜିଲାର ରୋଗୀଙ୍କୁ ଉନ୍ନତମାନର ଚିକିତ୍ସା ସହାୟତା ଯୋଗାଇ ଦେବା ଲକ୍ଷ୍ୟରେ ୨ବର୍ଷ ଧରି କାର୍ଯ୍ୟକ୍ଷମ ହୋଇଆସିଛି ଧରଣୀଧର ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ। ଏହି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇନପାରିବା କାରଣରୁ ଏବେବି ଜିଲାର ଗୁରୁତର ରୋଗୀଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର ହେବା ଜିଲାରେ ସ୍ୱାସ୍ଥ୍ୟସେବା କେମିତି ଚାଲିଛି ତାହା ଏଥିରୁ ସ୍ପଷ୍ଟ ଅନୁମେୟ। ଜିଲାରେ ଡାକ୍ତର ଅଭାବ ସାଙ୍ଗକୁ ଅସଜଡା ଭିତ୍ତିଭୂମି ଯୋଗୁଁଁ ଜିଲା ଖଟିଖିଆ ଗରୀବ ଶ୍ରେଣୀ ଲୋକେ ଉପଯୁକ୍ତ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହୋଇ ଅକାଳରେ ମୃତୁବରଣ କରିବା କିଛି ନୂଆକଥା ନୁହେଁ।
ଜିଲା ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ ଜିଲାରେ ମୋଟ ୬୭୨ଡାକ୍ତର ପଦ ମଧ୍ୟରୁ ୩୪ଜଣ ଡିଏମଏଫ୍ ଡାକ୍ତରଙ୍କୁ ମିଶାଇ ମୋଟ ୩୧୩ଜଣ ଡାକ୍ତର କାର୍ଯ୍ୟରତ ଥିବାବେଳେ ୩୫୯ଡାକ୍ତର ପଦ ଖାଲି ପଡ଼ିବା ଜିଲାେରେ ସ୍ୱାସ୍ଥ୍ୟସେବା କିଭଳି ଚାଲି ଆସୁଛି ତାହା ଏଥିରୁ ଅନୁମାନ କରାଯାଇପାରେ। କାର୍ଯ୍ୟରତ ୩୧୩ଜଣ ଡାକ୍ତରଙ୍କ ମଧ୍ୟରୁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୭୦ଜଣ ଡାକ୍ତର ନିୟମିତ ଏବଂ ୯ଜଣ ଚୁକ୍ତିଭିତ୍ତିକ ଡାକ୍ତରଙ୍କୁ ମିଶାଇ ୨୭୯ଜଣ ଥିବାବେଳେ ଡିଏମଏଫ୍ରୁ ୨୬ଜଣ ସୁପର ସ୍ପେଶାଲିଷ୍ଟ ଓ ୩୪ଜଣ ବିଶେଷଜ୍ଞ ଡାକ୍ତରଙ୍କୁ ମିଶାଇ ମୋଟ ୬୦ଜଣ ଡାକ୍ତର ନିଯୁକ୍ତି ଦିଆଯାଇଛି। ଡିଏମଏଫ୍ ନିଯୁକ୍ତ ଡାକ୍ତରଙ୍କୁ ବାଦ୍ ଦେଲେ ଜିଲାରେ ୩୫୯ଡାକ୍ତର ପଦ ଖାଲି ଥିବାବେଳେ ଜିଲା ସ୍ୱାସ୍ଥ୍ୟ ବିଭାଗକୁ ଡିଏମ୍ଏଫ୍ ହିଁ ସାହା ଭରସା ବୋଲି ବୁଦ୍ଧିଜୀବୀ ମହଲରେ ଉଦ୍ବେଗ ପ୍ରକାଶ ପାଇଛି। ଡିଏମଏଫ୍ରୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ୧୮ଜଣ, ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ୪ଜଣ, ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ୩ଜଣ ଏବଂ ବଡବିଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ସୁପର ସ୍ପୋଶାଲିଷ୍ଟ ଡାକ୍ତର ସପ୍ତାହକୁ ଥରେ କିମ୍ବା ମାସକୁ ଦୁଇଥର ରୋଗୀ ସେବା ପାଇଁ ମୋଟା ଅଙ୍କରେ ନିଯୁକ୍ତ ହୋଇଥିଲେ ହେଁ କେବଳ ପ୍ରଥମ ଓଳି ନିର୍ଦ୍ଦିଷ୍ଟ ସଂଖ୍ୟକ ରୋଗୀ ପରୀକ୍ଷା ପରେ ଘରୋଇ ଚିକିତ୍ସାରେ ବ୍ୟସ୍ତ ରହି ରୋଗୀ ସେବା ନାମରେ ଶୋଷଣ କରୁଥିଲେ ହେଁ ବିଭାଗୀୟ ଅଧିକାରୀ ଏଥିପ୍ରତି ଆଖିବୁଜି ଦେବା ଉଭୟ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ନିରାଶ କରିଛି।
ଜିଲା ମୁଖ୍ୟ ଚିକିତ୍ସାଳୟରେ ୮୧ଡାକ୍ତର ପଦ ଖାଲି ଥିବାବେଳେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ୩୩ଜଣ, ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ୩୧ଜଣ, କେଶଦୁରାପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୬ଜଣ, ଉଦୟପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୫ଜଣ, ଫକୀରପୁର, ସାଇଁକୁଳ, ବାସୁଦେବପୁର ଓ ବଡବିଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୪ଜଣ ଲେଖାଏଁ, ପାଟଣା ଓ ଭଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୩ଜଣ, ଝୁମ୍ପୁରା, ତେଲକୋଇ, ବାଂଶପାଳ, ଭଗାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୨ଜଣ ଲେଖାଏଁ, ଯୋଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୧ଜଣ, ହରିଚନ୍ଦନପୁର ଓ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୦ଜଣ ଲେଖାଏଁ, ଘଟଗାଁ ଓ ଶାଳନିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୯ଜଣ ଲେଖାଏଁ ଡାକ୍ତର ପଦକୁ ମିଶାଇ ଜିଲାରେ ମୋଟ ୩୫୯ଡାକ୍ତର ପଦ ଖାଲି ପଡ଼ିଛି।
ସେହିଭଳି ମାସିକ ମୋଟା ଅଙ୍କର ଅର୍ଥ ବ୍ୟୟ କରି ଡିଏମ୍ଏଫ୍ରୁ ମୋଟ ୬୦ଜଣ ଡାକ୍ତର ନିଯୁକ୍ତ ସତ୍ତ୍ବେ ଜଣେ ହେଲେ ଚର୍ମ ରୋଗ ବିଶେଷଜ୍ଞଙ୍କୁ ନିଯୁକ୍ତି ଦିଆନଯିବା ଫଳରେ ଜିଲାର ଚର୍ମ ରୋଗରେ ଆକ୍ରାନ୍ତ ରୋଗୀ ବାଧ୍ୟ ହୋଇ ଘରୋଇ ଚିକିତ୍ସା ଦ୍ୱାରା ଶୋଷଣର ଶୀକାର ହେଉଥିବା ବରିଷ୍ଠ କଂଗ୍ରେସ ନେତା ଆଲୋକ ମିଶ୍ର କହିଛନ୍ତି। ସେହିଭଳି ଖଣି ଓ ଶିଳ୍ପବହୁଳ କେନ୍ଦୁଝର ଜିଲାରେ ସଡକଜନିତ ଦୁର୍ଘଟଣା ରାଜ୍ୟରେ ସର୍ବାଧିକ ସହ ମୃତ୍ୟୁହାର ମଧ୍ୟ ଢ଼େର ଅଧିକ ହୋଇଥିଲେ ହେଁ ଦୁର୍ଘଟଣାଗ୍ରସ୍ତଙ୍କୁ ଆଶୁ ଚିକିତ୍ସା ସହାୟତା ଯୋଗାଇ ଦେବାପାଇଁ ଜିଲାରେ ଆଜିପର୍ଯ୍ୟନ୍ତ ଗୋଟିଏ ହେଲେ ଟ୍ରମା କେୟାର ସେଣ୍ଟର କାର୍ଯ୍ୟକ୍ଷମ ହୋଇନପାରିବା ଜିଲାବାସୀଙ୍କୁ ରାଜ୍ୟ ସରକାରଙ୍କ କ୍ରମାଗତ ଅବହେଳା ସ୍ପଷ୍ଟ ହୋଇଛି ବୋଲି ଶ୍ରୀ ମିଶ୍ର କହିଛନ୍ତି। ପଡୋଶୀ ଜିଲା ମୁଖ୍ୟ ଚିକିତ୍ସାଳୟ ମାନଙ୍କରେ ଜଟିଳ ରୋଗୀଙ୍କ ସ୍ୱାସ୍ଥ୍ୟସେବା ନିରୂପଣ ନିମନ୍ତେ ଏମଆରଆଇ ବ୍ୟବସ୍ଥା ଉପଲବ୍ଧ ଥିବାବେଳେ କେନ୍ଦୁଝର ଜିଲାରେ ଏହି ସୁବିଧା ଉପଲବ୍ଧ ନଥିବା କାରଣରୁ ଜଟିଳ ରୋଗରେ ଆକ୍ରାନ୍ତ ରୋଗୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ଚିହ୍ନଟ ନିମନ୍ତେ କଟକ ଭୁବନେଶ୍ୱର ଉପରେ ନିର୍ଭରଶୀଳ ହେବାସହ ଅଧିକ ଖର୍ଚ୍ଚାନ୍ତ ହେବା ରୋଗୀଙ୍କୁ ନିରାଶ କରିଛନ୍ତି। କେବଳ ଡାକ୍ତର ନୁହଁନ୍ତି, ୧୩୬ ଫାର୍ମାସିଷ୍ଟ ପଦ ମଧ୍ୟରୁ ୩୬, ୫୮୭ ଷ୍ଟାଫ୍ ନର୍ସ ପଦ ମଧ୍ୟରୁ ୯୭, ଲାବ୍ରୋଟେରୀ ଟେକ୍ନିସିଆନ (ପାଥୋ) ୮୦ ମଧ୍ୟରୁ ୪୦, କନିଷ୍ଠ ରେଡିଓଗ୍ରାଫର ୨୫ରୁ ୫ ଏବଂ ୪୪୬ ଚତୁର୍ଥ ଶ୍ରେଣୀ କର୍ମଚାରୀ ମଧ୍ୟରୁ ୧୯୬ ପଦ ଖାଲି ପଡ଼ିବା ଜିଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମି କେତେ ସୁଦୃଢ଼ ତାହା ଏଥିରୁ ସ୍ପଷ୍ଟ ବାରି ହୋଇପଡୁଛି। ସେହିଭଳି ଗ୍ରାମାଞ୍ଚଳରେ ନିଯୁକ୍ତ ଅନେକ ଡାକ୍ତରଙ୍କ ସମେତ ସ୍ୱାସ୍ଥ୍ୟ କର୍ମଚାରୀ ମାସର ଅଧିକାଂଶ ଦିନ ନିଜ କର୍ତ୍ତବ୍ୟ ସ୍ଥାନରେ ଅନୁପସ୍ଥିତ ରହି ରୋଗୀ ସେବା ନାମରେ କେନ୍ଦୁଝର ସହରରେ ଅବସ୍ଥାପିତ ବିଭିନ୍ନ ଘରୋଇ ଚିକିତ୍ସାଳୟ ଓ କ୍ଲିନିକରେ ରୋଗୀ ଦେଖୁଥିବା କାହାକୁ ଅଛପା ନୁହେଁ। ଏଭଳି ସ୍ଥିତିରେ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ ତଦନ୍ତପୂର୍ବକ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ଦାୟିତ୍ୱରେ ଥିବା ଅଧିକାରୀ ସୁରକ୍ଷା ଦେବା ଜିଲାରେ ସ୍ୱାସ୍ଥ୍ୟସେବା ଦିନକୁ ଦିନ ଭୁଷୁଡିବାକୁ ଲାଗିଥିବାରୁ ଏ ଦିଗରେ ବେଳ ଥାଉଁ ଥାଉଁ ସ୍ୱାସ୍ଥ୍ୟ ବିଭାଗ ଓ ଜିଲା ପ୍ରଶାସନ ପଦକ୍ଷେପ ଗ୍ରହଣ ନକଲେ ଆଗକୁ ପରିସ୍ଥିତି ଅଣାୟତ ଆଡକୁ ଗତି କରିବ ଏଥିରେ ଦ୍ୱିମତ ନାହିଁ ବୋଲି ଶ୍ରୀ ମିଶ୍ର ସତର୍କ କରାଇ ଦେଇଛନ୍ତି।
Comments are closed.