ଭୁବନେଶ୍ୱର : ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ଭୁବନେଶ୍ୱରରେ ଆସନ୍ତା ଜାନୁଆରୀ ମାସ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଯାଉଛି। ସ୍ଥାନୀୟ ଜନତା ମଇଦାନଠାରେ ମହାସମାରୋହରେ ଏହା ପାଳନ ହେବାକୁ ଯାଉଛି । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଏହାର ସମ୍ପୂର୍ଣ୍ଣ ପ୍ରସ୍ତୁତିର ସମୀକ୍ଷା କରିଥିଲେ । ଭାରତୀୟ ସଂସ୍କୃତି ସାରା ବିଶ୍ୱରେ ନିଜର ସମୃଦ୍ଧ ଐତିହ୍ୟ ଓ ପରମ୍ପରା ପାଇଁ ପ୍ରସିଦ୍ଧ। ଓଡିଶାର ସମୃଦ୍ଧ କଳା, ସଂସ୍କୃତି ଓ ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ପ୍ରବାସୀ ଭାରତୀୟ ଦିବସ ଏକ ପ୍ରକୃଷ୍ଟ ଅବସର। ଏହି ସମାରୋହରେ ଦେଶ ବିଦେଶରୁ ପ୍ରାୟ ୭ହଜାର ଅତିଥି ଯୋଗଦେବେ । ଅଦ୍ୟାବଧି ୨୭୪୮ ଜଣ ଅତିଥି ଅଂଶ ଗ୍ରହଣ ନିମନ୍ତେ ପଞ୍ଜିକରଣ କରି ସାରିଲେଣି ।
ମୁଖ୍ୟ ଅତିଥି ଭାବେ ତ୍ରିନିଦାଦ ଓ ଟୋବାଗୋ ରାଷ୍ଟ୍ରପତି କ୍ରିଷ୍ଟାଇନ୍ କାର୍ଲ କାଙ୍ଗାଲୁ ( Ms Christine Carla Kangaloo) ଯୋଗଦେବେ । ଏହି ଅବସରରେ ସେ ଚନ୍ଦକା ସ୍ଥିତ ଗୋଡିବାରି ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିବେ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବୈଦେଶିକ ମନ୍ତ୍ରୀ ଏସ୍ ଜୟ ଶଙ୍କର, ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ପ୍ରଭୁତି ଏହି ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ପ୍ରବାସୀ ଭାରତୀୟ ଏକ୍ସପ୍ରେସ’ର ଉଦଘାଟନ କରିବେ ।
ଏହାକୁ ଦୃଷ୍ଟିରେ ରଖି ଅଧିକ ସଂଖ୍ୟକ ହାଇ ସିକ୍ୟୁରିଟି ଫୋର୍ସ, ୨୫୦ ଟ୍ରାଫିକ ନିୟନ୍ତ୍ରଣକାରୀ ଏବଂ ୧୪୦ ଲିଆଜିନିଙ୍ଗ ଅଫିସରଙ୍କୁ ନିୟୋଜିତ କରାଯାଇଛି । ସେହିପରି ବିଦେଶରୁ ଆସୁଥିବା ଅତିଥି ମାନଙ୍କୁ ଏକ ସୁନ୍ଦର ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ଅଭିଜ୍ଞତା ପ୍ରଦାନ ପାଇଁ ଟ୍ୱିନସିଟି ଭୁବନେଶ୍ୱର ଓ କଟକକୁ ସମ୍ପୂର୍ଣ୍ଣ ରୂପେ ସ୍ୱଚ୍ଛ ଓ ନିର୍ମଳ କରାଯାଇଛି । ସହରର ରାସ୍ତା ଘାଟ, ଅଫିସ୍ ବିଲଡିଙ୍ଗ, ବିଡିଏ ପାର୍କ ଓ ବରପୁତ୍ରଙ୍କ ପ୍ରତିମୂର୍ତ୍ତୀ ଗୁଡିକୁ ପରିଷ୍କାର ପରିଛନ୍ନ କରାଯାଇ ସୁସଜ୍ଜିତ ଆଲୋକ ମାଳାରେ ସଜାଇ ଦିଆଯାଉଛି । ପ୍ରବାସୀ ଭାରତୀୟ ଦିବସ ମହାସମାରୋହରେ ଆୟୋଜନ ବେଳେ ସହରର ବିଭିନ୍ନ ସ୍ଥାନରେ ପଥ ଉତ୍ସବ, ଏକାମ୍ର ଉତ୍ସବ, ଆଦିବାସୀ ମେଳା ପ୍ରଭୁତି ଦ୍ୱାରା ରାଜଧାନୀକୁ ଉତ୍ସବ ମୁଖର କରାଯିବ ।
ଭୁବନେଶ୍ୱର ସହିତ ଏହାର ଆଖପାଖ ଅଞ୍ଚଳର ପରିମଳ ବ୍ୟବସ୍ଥା ଓ ସୌନ୍ଦର୍ଯ୍ୟକରଣ ଉପରେ ସ୍ୱତନ୍ତ୍ର ଧ୍ୟାନଦେବା ପାଇଁ ମୁଖ୍ୟମନ୍ତ୍ରୀ ବି.ଏମ୍.ସି ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ସହରର ସ୍ୱଚ୍ଛତା, ଶୃଙ୍ଖଳା ଓ ସରକାରଙ୍କ ଦ୍ୱାରା ପ୍ରଦତ୍ତ ନିୟମାବଳୀର ଅନୁପାଳନ କରି ସମାରୋହର ସଫଳ ରୂପାୟନରେ ଭାଗିଦାରୀ ହେବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।
ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ସମାରୋହରେ ଓଡିଶାର ସମୃଦ୍ଧ କଳା ଓ ଐତିହ୍ୟର ପ୍ରଦର୍ଶନ ରାଜାରାଣୀ ସଙ୍ଗୀତ ଉତ୍ସବ, ଓଡିଶୀ ନୃତ୍ୟ, ମୁକ୍ତେଶ୍ୱର ଡ୍ୟାନ୍ସ ଫେଷ୍ଟିଭାଲ, ଦେଶଜ ନୃତ୍ୟ ଇତ୍ୟାଦି ମାଧ୍ୟମରେ ବିଭିନ୍ନ ସ୍ଥାନରେ ପ୍ରଦର୍ଶନ କରାଯିବ । ଏହାର ଦୂରଦର୍ଶନରେ ସିଧା ପ୍ରସାରଣ ମଧ୍ୟ କରାଯିବ। ଭୁବନେଶ୍ୱର, କଟକ, ପୁରୀ, କୋଣାର୍କ ଆଦି ବିଭିନ୍ନ ସହରର ପ୍ରାୟ ୩୧ଟି ପର୍ଯ୍ୟଟନ ସ୍ଥଳୀକୁ ଅତିଥି ମାନଙ୍କୁ ନେବା ପାଇଁ ବ୍ୟବସ୍ଥା କରାଯାଉଛି ।
ଓଡିଶାର ଏକ ପ୍ୟାଭିଲିୟନ ଜନତା ମଇଦାନରେ ରହିବ, ଯେଉଁଥିରେ ଶ୍ରୀ ଜଗନ୍ନାଥ ସଂସ୍କୃତି, କଳିଙ୍ଗ ଯୁଦ୍ଧ, ସମ୍ରାଟ ଅଶୋକଙ୍କ ଚଣ୍ଡାଶୋକରୁ ଧର୍ମାଶୋକରେ ରୂପାନ୍ତରଣ, ଐତିହ୍ୟ ବାଲିଯାତ୍ରା ଓ ଅନ୍ୟାନ୍ୟ କୀର୍ତ୍ତିରାଜୀ ଗୁଡିକର ପ୍ରଦର୍ଶନ କରାଯିବ । ଏହା ସହ ଏକ ଡିଜିଟାଲ୍ ପ୍ରଦର୍ଶନୀର ମଧ୍ୟ ଆୟୋଜନ କରାଯାଇଛି । ଅତିଥି ମାନଙ୍କ ଭ୍ରମଣ ତଥା ଯାତାୟାତ ନିମନ୍ତେ ୧୦ଟି ଉନ୍ନତ ମାନର ବସ ଏବଂ ୫ଟି ଡବଲ୍ ଡେକର ବସର ବ୍ୟବସ୍ଥା କରାଯାଇଛି । ୨୦୦ରୁ ଅଧିକ ପ୍ରବାସୀ ସାମ୍ବାଦିକ, ୭ଟି ଦେଶରୁ ୟଟ୍ୟୁବର ଓ ବ୍ଲଗର ଏଥିରେ ଅଂଶ ଗ୍ରହଣ କରୁଛନ୍ତି । ଏହି ଉତ୍ସବର ପ୍ରଚାର ଓ ପ୍ରସାରଣ ନିମନ୍ତେ ସୋସିଆଲ ମିଡିଆ, ଟିଭି ଓ ବିଜ୍ଞାପନ ଇତ୍ୟାଦି ମାଧ୍ୟମରେ ଜନସାଧାରଣଙ୍କୁ ତିନିଗୋଟି ଭାଷା ଯଥା-ଓଡିଆ, ହିନ୍ଦୀ, ଇଂରାଜୀରେ ଅବଗତ କରାଯାଉଛି ।
ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ଦୁଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡା, ଆଇନ, ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ କୃଷ୍ଣଚନ୍ଦ୍ର ମହାପାତ୍ର, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପୋଲିସ୍ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ ଏବଂ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ ସଚିବ ମାନେ ଉପସ୍ଥିତ ଥିଲେ ।
Comments are closed.