ଜନଜାତି ଉପଦେଷ୍ଟା ପରିଷଦ ବୈଠକ: ଜନଜାତିଙ୍କ ଜମି ହସ୍ତାନ୍ତର ସଂପର୍କିତ ସଂଶୋଧନକୁ ପରିଷଦର ନାମଞ୍ଜୁର
ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଛେଦରେ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରସ୍ତାବ ଗୃହୀତ
ଆଜି ପରିଷଦର ବୈଠକରେ ୧୯୫୬ ଜମିଜମା ହସ୍ତାନ୍ତରଣ ଆଇନର ନିୟମାବଳୀ-୨ ର ସଂଶୋଧନ ପ୍ରସ୍ତାବକୁ ନାମଞ୍ଜୁର କରାଯାଇଥିଲା। ୨୦୨୩ ଜୁଲାଇ ୧୧ ତାରିଖରେ ଅନୁଷ୍ଠିତ ଜନଜାତି ଉପଦେଷ୍ଟା ପରିଷଦ ବୈଠକରେ ଏହି ପ୍ରସ୍ତାବ ଆସିଥିଲା। ପରେ ୨୦୨୩ ନଭେମ୍ବର ୧୪ ତାରିଖରେ ରାଜ୍ୟ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଥିଲା। ତେବେ ୨୦୨୪ ଜାନୁଆରୀ ୨୯ ତାରିଖରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହାକୁ ନାମଞ୍ଜୁର କରାଯାଇଥିଲା। ଆଜି ଜନଜାତି ଉପଦେଷ୍ଟା ପରିଷଦ ମଧ୍ୟ ଏହି ପ୍ରସ୍ତାବକୁ ନାମଞ୍ଜୁର କରିଛି। ଏହା ଫଳରେ ଆଦିବାସୀ ମାନଙ୍କ ସଂପତ୍ତିକୁ ହସ୍ତାନ୍ତର କରାଯାଇପାରିବ ନାହିଁ।
ତେବେ ଜନଜାତି ଲୋକମାନେ ସେମାନଙ୍କର ବିଭିନ୍ନ ଜରୁରୀ କାମ, ଯେପରି ବିବାହ, ପିଲାଙ୍କ ଉଚ୍ଚଶିକ୍ଷା କିମ୍ବା ବ୍ୟବସାୟ ଆଦି କାମରେ ଋଣ ପାଇପାରିବେ, ସେଥିପାଇଁ ଆଗାମୀ ଦିନରେ ଅନ୍ୟାନ୍ୟ ବିକଳ୍ପ ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ବୈଠକରେ ସ୍ଥିର ହୋଇଥିଲା। ବୈଠକରେ ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଛେଦରେ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା। ଏହାବ୍ୟତୀତ ଅନ୍ୟାନ୍ୟ ଜନଜାତି ଭାଷାକୁ ଅଷ୍ଟମ ଅନୁଛେଦରେ ସ୍ଥାନିତ କରିବା ପାଇଁ ଆଲୋଚନା ହୋଇଥିଲା।
ସେହିପରି ରାଜ୍ୟ ସରକାର ମଧ୍ୟ ଜନଜାତି ମାନଙ୍କ ବିକାଶ ପାଇଁ ଅନେକ ଯୋଜନା ହାତକୁ ନେଇଛନ୍ତି। ଅନୁସୂଚିତ ଜନଜାତି ମାନଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କ ଡ୍ରପ୍ ଆଉଟ ହାର ହ୍ରାସ କରିବା ପାଇଁ ସହିଦ ମାଧୋ ସିଂହ ହାତଖର୍ଚ୍ଚ ଯୋଜନା ଜାନୁଆରୀ ୫ ତାରିଖରେ ଆରମ୍ଭ କରିବାକୁ ଯାଉଛନ୍ତି। ଏଥିରେ ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇ ଥିବା ଛାତ୍ରଛାତ୍ରୀ ମାନଙ୍କୁ ବାର୍ଷିକ ୫ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଦିଆଯିବ। ସେହିପରି ସହିଦ୍ ଲକ୍ଷ୍ଣଣ ନାୟକ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମରେ ୭୦୫ଟି ବିଦ୍ୟାଳୟକୁ ଆଦର୍ଶ ବିଦ୍ୟାଳୟରେ ପରିଣତ କରିବା ପାଇଁ ପଦକ୍ଷେପ ନିଆଯାଉଛି।
ସୂଚନାଯୋଗ୍ୟ ଯେ ଜନଜାତି ଉପଦେଷ୍ଟା ପରିଷଦରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ଅଛନ୍ତି ଏବଂ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ଉପାଧ୍ୟକ୍ଷ ଅଛନ୍ତି। ଏହାବ୍ୟତୀତ ଆଉ ୧୮ ଜଣ ସଦସ୍ୟ ଅଛନ୍ତି। ଏଥିରେ ୧୫ ଜଣ ବିଧାନସଭା ସଦସ୍ୟ, ୨ ଜଣ ସାଂସଦ ଏବଂ ଜନଜାତି ବିକାଶ ପାଇଁ କାର୍ଯ୍ୟ କରୁଥିବା ଜଣେ ଆଦିବାସୀ ମହିଳା ସଦସ୍ୟା ଭାବେ ସ୍ଥାନ ପାଇଛନ୍ତି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ ଅତିଥି ସଦସ୍ୟ ଭାବେ ଯୋଗ ଦେଇଥିଲେ।
ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଏବଂ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଓ ଶାସନ ସଚିବ ମାନେ ଉପସ୍ଥିତ ଥିଲେ। ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ କୁମାର ମିଶ୍ର ବୈଠକର କାର୍ଯ୍ୟସୂଚୀ ସଂପର୍କରେ ଉପସ୍ଥାପନ ରଖିଥିଲେ।
Comments are closed.