ନବୀନ ବୁଲିଲେ ଉଜୁଡା କ୍ଷେତ – ଚାଷୀଙ୍କୁ ଭେଟିଲେ, ଆଶ୍ୱାସନା ଦେଲେ
ସାକ୍ଷୀଗୋପାଳ: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ନରେ ସତ୍ୟବାଦୀ ଗସ୍ତରେ ଆସିଥିଲେ। ଅଦିନିଆ ଲଘୁଚାପ ଜନିତ ଅବିଶ୍ରାନ୍ତ ଓ ଲଗାଣ ବର୍ଷା କ୍ଷତିଗ୍ରସ୍ତ ଧାନ ବିଲ ପରିଦର୍ଶନ କରିଥିଲେ। ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଥିଲେ। କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଦାବୀ କରିଥିଲେ।
ସେ କହିଥିଲେ, ଅଦିନିଆ ବର୍ଷା ବର୍ଷକର ଆହାର ଉଜାଡି ଦେଇଛି। ବର୍ଷା ପାଣିରେ ଭାସୁଛି ଚାଷୀର ପରିଶ୍ରମ। ବର୍ଷଯାକ ପରିବାର ମୁହଁରେ ଆହାର ଦେବା ଚିନ୍ତାରେ ଚାଷୀ କୂଳl ଏଭଳି ଅସମୟରେ ସେ ସତ୍ୟବାଦୀର କ୍ଷତିଗ୍ରସ୍ତ ଚାଷୀମାନଙ୍କ ସାଙ୍ଗରେ ଠିଆ ହୋଇଛନ୍ତି ବୋଲି କହିଥିଲେ।
ଆଜି ନବୀନ ପଟ୍ଟନାୟକଙ୍କ ଗସ୍ତ ସମୟରେ ହଜାର ହଜାର ଚାଷୀଙ୍କ ଉପସ୍ଥିତି ନବୀନ ପଟ୍ଟନାୟକଙ୍କ ଜନପ୍ରିୟତା ବଜାୟ ରହିଛି ବୋଲି ପ୍ରମାଣ କରିଛିl ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଶୁକଳ ମେଳଣ ପଡିଆରେ ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ପଟ୍ଟନାୟକ ଚାଷୀ ମାନଙ୍କ ସହିତ ସିଧାସଳଖ ଆଲୋଚନା କରି ଅଭିଯୋଗ ପତ୍ର ବି ଗ୍ରହଣ କଲେ। ଆଉ ସରକାରଙ୍କ ନିକଟରେ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଦେବାକୁ ଦାବି କଲେ।
ହେଲିକେପ୍ଟର ଯୋଗେ ବିରୋଧୀ ଦଳ ନେତା ପହଞ୍ଚିଥିଲେ। ନବୀନ ପଟ୍ଟନାୟକଙ୍କୁ ଭେଟିବା ଓ ଦେଖିବା ପାଇଁ ହଜାର ହଜାର ଚାଷୀଙ୍କ ସହ ଶୁଭେଚ୍ଛୁ ଓ ସମର୍ଥକଙ୍କ ପ୍ରବଳ ଭିଡ଼ ହୋଇଥିଲା। ଭିଡ଼ ନିୟନ୍ତ୍ରଣ ପୋଲିସର ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ବ୍ୟାରିକେଡ଼ ଭାଙ୍ଗି ଯାଇଥିଲା। କାର ଚାରିପଟେ ସମାଗମ ଏତେ ମାତ୍ରାରେ ଥିଲା ଯେ ନବୀନ ବାବୁ ସଭା ମଞ୍ଚକୁ ଭାଷଣ ଦେବା ପାଇଁ ମଧ୍ୟ ଯାଇପାରିନଥିଲେ। ହେଲିକେପ୍ଟର ନିକଟରେ ମଧ୍ୟ ଭିଡ଼ ହୋଇ ଯାଇଥିଲା। ଫଳରେ ଉଡାଣ ବିଳମ୍ବ ହୋଇଥିଲା। ସତ୍ୟବାଦୀ ବିଜେଡି ନେତା ତଥା ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ,ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସ ବର୍ମା, ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, କାକଟପୁର ବିଧାୟକ ତୁଷାର କାନ୍ତି ବେହେରା, ପୁରୀ ବିଧାୟକ ସୁନିଲ ମହାନ୍ତି, ପିପିଲି ପୂର୍ବତନ ବିଧାୟକ ରୁଦ୍ର ପ୍ରସାଦ ମହାରଥୀ, ଜିଲ୍ଲା ଯୁବ ସଭାପତି ନାରାୟଣ ସ୍ୱାଇଁ, ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, କଣାସ ବ୍ଲକ ଅଧ୍ୟକ୍ଷା ପ୍ରଭାତୀ ରାଉତଙ୍କ ସହିତ ଅନ୍ୟାନ୍ୟ ବରିଷ୍ଠ ବିଜେଡି ନେତା ଓ କର୍ମୀମାନେ ସ୍ୱାଗତ କରିଥିଲେ। ବିଭିନ୍ନ ଚାଷ ଜମିକୁ ଯାଇ ସ୍ଥିତି ପରିଦର୍ଶନ କରିବା ସମୟରେ ହଜାର ହଜାର ଚାଷୀ ଓ ମହିଳା ମାନେ ହୁଳହୁଳି ପକାଇ ସ୍ବାଗତ କରିଥିଲେ।
Comments are closed.