ଇଚ୍ଛାର ଅଳ୍ପୀକରଣ ଓ ଭୋଗର ସୀମାକରଣ
ତୁଳସୀ ଜୈନ
ସମକାଳୀନ ଭାରତୀୟ ସମାଜ ଦିନକୁ ଦିନ ହିଂସ୍ର ଓ ବୀଭତ୍ସ ହେବା ଦେଖି ସମସ୍ତେ ଆଜି ଚିନ୍ତିତ ଓ ବ୍ୟାକୁଳ। ମାଂସପେଶୀ କଠୋର, ନମନୀୟତା ଲୁପ୍ତ। କୋମଳ ସଂବେଦନା ଦୁର୍ବଳତା ରୂପେ ପରିଗଣିତ। ସ୍ନିଗ୍ଧତା ଅଭାବରେ ସାଧାରଣ ଭାରତୀୟର ଜୀବନରେ କର୍କଶତା ଓ ରୁକ୍ଷତାରେ ବୃଦ୍ଧି ଘଟିଛି। ଆତ୍ମୀୟତା ବାଣୀରେ ରହୁନି କି ବ୍ୟବହାରରେ ମଧ୍ୟ ଦେଖାଯାଉନି। ମନ ଯଦି ଅମ୍ଳୀୟ ତ’ ଅଭିବ୍ୟକ୍ତିର ଏହି ମାଧ୍ୟମଦ୍ୱୟକୁ (ବାଣୀ ଓ ବ୍ୟବହାର) ଦୋଷଦେଇ ଲାଭ କ’ଣ? କେବଳ ଅହଙ୍କାର ଓ ମମକାରର ମଳିନ ଚେତନା ଆମକୁ ଗ୍ରାସ କରିଯିବା ଉପରେ। ‘ମୁଁ’, ‘ମୋ ପତ୍ନୀ’ ଓ ‘ମୋ ସନ୍ତାନ’ ମଧ୍ୟରେ ସମଗ୍ର ବ୍ରହ୍ମାଣ୍ଡ ସମାହିତ ହୋଇ ପଡ଼ୁଛି। ବିପୁଳ ଐଶ୍ୱର୍ଯ୍ୟ ଥାଇ ମଧ୍ୟ ବ୍ୟକ୍ତି କାଙ୍ଗାଳ ଓ ସମାଜ ଦରିଦ୍ର। ଭାଇ-ଭାଇ ମଧ୍ୟରେ ରୁଗ୍ଣ ନିସ୍ତବ୍ଧତା ବ୍ୟାପ୍ତ। ‘ବସୁଧୈବ କୁଟୁ୍ମ୍ବକମ୍’ ନାମକ ପରିକଳ୍ପନା ଅବିଶ୍ୱସନୀୟ ଓ ଅସମ୍ଭବ ପ୍ରତୀତ ହେଉଛି। ପରିବାର ଟୁକୁରା ଟୁକୁରା ହୋଇ ବିଭାଜିତ। ସଂସ୍କୃତିରେ ବିକୃତିର ଅନୁପ୍ରବେଶ ଘଟିଛି। ଉଚ୍ଚତମ ନୈତିକ ମୂଲ୍ୟବୋଧ ଉପରେ ଆଧାରିତ ଏହି ଜଗଦଗୁରୁ ସଂସ୍କୃତି ଅବକ୍ଷୟମୁଖୀ ଏବଂ ଅନ୍ତଃସାରଶୂନ୍ୟ ହେବାରେ ଲାଗିଛି।
ପାଶ୍ଚାତ୍ୟ ଲୋକେ ଭୋଗବାଦୀ ଏବଂ ତ୍ୟାଗ କରିବାରେ ଆମେ ଧୁରନ୍ଧର ବୋଲି ଆମ ଭାରତୀୟ ମାନସରେ ଏକ ଆତ୍ମ ପ୍ରବଞ୍ଚନା ଘର କରି ସାରିଛି। ତେବେ ତ୍ୟାଗ କେବଳ ରାମାୟଣ, ମହାଭାରତ, ଆଗମ ଓ ପିଟକରେ ସୀମିତ ହୋଇ ପଡ଼ିଛି। ତହିଁ ମଧ୍ୟରେ ରହିଥିବା ଉଦାତ୍ତ ଚରିତ୍ରଗୁଡ଼ିକ ବି ଆଜି ପ୍ରତୀତ ହେଉଛନ୍ତି ଭିନ୍ନକ୍ଷମ। ଏକବିଂଶ ଶତାବ୍ଦୀର ତୃତୀୟ ଦଶନ୍ଧିର ପ୍ରଗତିକାମୀ ରାଷ୍ଟ୍ର ଉପରେ ସେମାନଙ୍କର କୌଣସି ପ୍ରଭାବ ପରିଲକ୍ଷିତ ହେଉନାହିଁ। ଯେନତେନ ପ୍ରକାରେଣ ସାଧ୍ୟପ୍ରାପ୍ତିର ଦୁର୍ବାର ଲାଳସା ଆମକୁ ଭୋକିଲା କରି ଦେଇଛି। ତିନିଲୋକର ସମସ୍ତ ଐଶ୍ୱର୍ଯ୍ୟ କେବଳ ମୋ ପାଇଁ ଉଦ୍ଦିଷ୍ଟ – ଏହି ଯଯାତୀୟ କାମନାଦ୍ୱାରା ଆମେ ଆଜି ଅନ୍ଧ। ପୁତ୍ର ପୁରୁରବାର ସମଗ୍ର ଯୌବନ ମଧ୍ୟ ଆମ କାମ ଓ କାମନାର ବହ୍ନିକୁ ଉପଶମ କରିବାରେ ହୋଇପଡ଼ି଼ଛି ଅସମର୍ଥ।
ଏ ପରିସ୍ଥିତିରେ କିଛି ଲୋକଙ୍କ ଜୀବନଶୈଳୀ ଯଦି ସମାଜର ଆଦର୍ଶରେ ପରିଣତ ହୁଏ, ତେବେ ସମାଜର ସମ୍ଭାବିତ ବୀଭତ୍ସ ରୂପର ପରିକଳ୍ପନା ମନରେ ଭୀତି ସଞ୍ଚାର କରିଥାଏ। ଭାରତର ଏକ ନମ୍ବର ଉଦ୍ୟୋଗପତି ତଥା ବିଶ୍ୱର ଶୀର୍ଷ ପାଞ୍ଚ-ଦଶ ଜଣ ଧନୀଲୋକଙ୍କ ମଧ୍ୟରେ ପ୍ରତିଷ୍ଠିତ ମହାନୁଭବଙ୍କ ପୁଅଙ୍କ ବିବାହ ପ୍ରସଙ୍ଗ ଅଳ୍ପଦିନ ତଳେ ବେଶ୍ ଚର୍ଚ୍ଚିତ ଥିଲା। ଅର୍ଥ ଓ ଆଡ଼ମ୍ବରର ନଗ୍ନ ପ୍ରଦର୍ଶନ, ଭୋଗବାଦର ପରାକାଷ୍ଠାଦ୍ୱାରା କ’ଣ ଦେଖାଇବାକୁ ଚାହୁଁଥିଲା ଏହି ଅମ୍ବାନୀ ପରିବାର ! ଅନାବଶ୍ୟକ ପ୍ରଦର୍ଶନ ଓ ଅପବ୍ୟୟ ମାଧ୍ୟମରେ କି ପ୍ରକାର ଇତିହାସ ସେମାନେ ରଚନା କରିଗଲେ? ଏହା ଇନଫେରିଅରିଟି ନା ସୁପରିଅରିଟି କମ୍ପ୍ଲେକ୍ସ ବୁଝାପଡ଼ୁନି। ବିତ୍ତୀୟ ଦୃଷ୍ଟରୁ କେହି ତାଙ୍କର ସମକକ୍ଷ ନ ଥିବାରୁ ପ୍ରତିଦ୍ୱନ୍ଦ୍ବିତା ସୃଷ୍ଟି ହୋଇ ନପାରେ; କିନ୍ତୁ ସମାଜରେ ଅସହିଷ୍ଣୁତା ଓ ଈର୍ଷା ଭାବ ନିଶ୍ଚିତ ଭାବରେ ବୃଦ୍ଧି ପାଇବ। ଦେଶର ପ୍ରଧାନମନ୍ତ୍ରୀ, ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ତଥା ପଦ୍ମ ପୁରସ୍କାରପ୍ରାପ୍ତ ମନୀଷୀମାନେ ଏପରି କାର୍ଯ୍ୟକ୍ରମରେ ଯୋଗଦାନ କରି ଏଭଳି ଅହଂମନ୍ୟତାକୁ ପୋଷଣ ଦେବା ଆହୁରି ଦୁର୍ଭାଗ୍ୟଜନକ। ପାରସ୍ପରିକ ସମ୍ବନ୍ଧ ବା ବ୍ୟାବହାରିକତାର ନିର୍ବାହ ସକାଶେ ପୃଥକ୍ ଭାବରେ ଏକ ଶାନ୍ତ ପରିବେଶରେ ଯାଇ ବରବଧୂଙ୍କୁ ଆଶୀର୍ବାଦ ଦିଆଯାଇପାରିଥାନ୍ତା।
ଅନ୍ୟପଟେ ଶ୍ରୀ ରତନଟାଟାଙ୍କ (ଯାହାଙ୍କ ଅଳ୍ପଦିନ ତଳେ ନିଧନ ଘଟିଛି) ଜୀବନବୃତ୍ତ ଅନୁଧ୍ୟାନ କଲେ ଆମ ହୃଦୟ ଓ ମସ୍ତିଷ୍କ ଉଭୟ ଆଶ୍ୱାସ ଓ ବିଶ୍ୱାସର ପରମାଣୁରେ ଭରିଯାଆନ୍ତି। ଶିକ୍ଷା ପ୍ରଦାନକାରୀ କର୍ଣ୍ଣେଲ ଇନ୍ଷ୍ଟିଚ୍ୟୁଟକୁ ଅକଳ୍ପନୀୟ ଅନୁଦାନ ପ୍ରଦାନପୂର୍ବକ ଋଣମୁକ୍ତ ହେବାର ପ୍ରଚେଷ୍ଟା ଦେଖି ଆମ ମନ ବି କୃତଜ୍ଞତା ପ୍ରକାଶର ପ୍ରକ୍ରିୟା ଶିଖିବାକୁ ବ୍ୟାକୁଳ ହୁଏ। ସେ ଅନେକ ସାମାଜିକ, ଶୈକ୍ଷିକ, ସାଂସ୍କୃତିକ, ଚିକିତ୍ସା, ଗବେଷଣା ଆଦି ପ୍ରକଳ୍ପଗୁଡ଼ିକର ପ୍ରତିଷ୍ଠାପନ ଓ ସାର୍ଥକ ପାଳନପୋଷଣ କରିଯାଇଛନ୍ତି। କେବଳ ମନୁଷ୍ୟ ନୁହେଁ ପ୍ରାଣୀ ଜଗତକୁ ବି ଆପଣା କୁଟୁମ୍ବ ମଣିଛନ୍ତି। ନିଜ ପ୍ରିୟ କୁକୁର ଅସୁସ୍ଥ ହୋଇ ପଡ଼ିବାରୁ ତା’ର ପ୍ରତ୍ୟକ୍ଷ ଦେଖାଚାହାଁ ପାଇଁ ନିଜେ ଉପସ୍ଥିତ ରହି ଇଂଲଣ୍ଡ ରାଜପରିବାରର ମର୍ଯ୍ୟାଦାବନ୍ତ ଆମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରି ଦିଅନ୍ତି। ରାଷ୍ଟ୍ର ସର୍ବୋପରି, ଏହାକୁ ବହୁମାନ ଦେଇ ଅନେକ ବିଶ୍ୱସ୍ତରୀୟ ଶିଳ୍ପସଂସ୍ଥାକୁ ଅଧିଗ୍ରହଣ କରି ଆଇନା ଦେଖାଇବାରେ ହୋଇଛନ୍ତି ସମର୍ଥ।
ଥରେ ରତନଟାଟାଙ୍କୁ ପ୍ରଶ୍ନକରାଯାଇଥିଲା ଯେ ତାଙ୍କ ଜୀବନର ସବୁଠୁଁ ଆନନ୍ଦ ଦାୟକ ଓ ଶ୍ରେଷ୍ଠ ଅବସର କେବେ ଆସିଥିଲା? ରତନଟାଟା ଏକ ମାର୍ମିକ ଉତ୍ତର ଦେଇ ପ୍ରଥମ ଚରଣରେ ଧନ ଓ ସଂସାଧନ ପ୍ରାପ୍ତି, ଦ୍ୱିତୀୟ ଚରଣରେ ମୂଲ୍ୟବାନ ବସ୍ତୁ ଓ ବସ୍ତ୍ରଆଦି ସଂଗ୍ରହରେ ଏବଂ ତୃତୀୟ ଚରଣରେ ବଡ଼ ପ୍ରୋଜେକ୍ଟ ଅଧିଗ୍ରହଣ, ଏସିଆର ବୃହତ୍ତମ ଇସ୍ପାତ କାରଖାନା ପ୍ରତିଷ୍ଠା ଆଦି ମାଧ୍ୟମରେ ପାଇଥିଲି; କିନ୍ତୁ ସେ ସବୁ ଅସ୍ଥାୟୀ ଥିଲା। ଚତୁର୍ଥ ଓ ନିର୍ଣ୍ଣାୟକ ପର୍ଯ୍ୟାୟ ମୋ ଜୀବନର ଗତିପଥ ବଦଳେଇ ଦେଇଥିଲା– ଜଣେ ବନ୍ଧୁଙ୍କ ପରାମର୍ଶରେ ମୁଁ ୨୦୦ଟି ହ୍ୱିଲ ଚେୟାର କିଣି ଗୋଟିଏ ଦିବ୍ୟାଙ୍ଗ କେନ୍ଦ୍ରକୁ ବିରତରଣ କରିବା ସକାଶେ ଯାଇଥିଲି। ସେତେବେଳେ ସେହି ପିଲାମାନଙ୍କ ଚକ୍ଷୁରେ ଯେଉଁ ଚମକ ଦେଖିଲି ତାହା ମୋ ଭିତରେ ଅପୂର୍ବ ଓ ଦିବ୍ୟ ଉନ୍ମାଦନା ଭରିଦେଲା। ସେମାନଙ୍କୁ ଯେପରି ସ୍ୱର୍ଗର ସାମ୍ରାଜ୍ୟ ମିଳିଯାଇଛି। ମୁଁ ପ୍ରତ୍ୟାବର୍ତ୍ତନ କରିବାକୁ ବାହାରିଛି ଗୋଟିଏ ପିଲା ମୋ ଗୋଡ଼ ଦୁଇଟିକୁ ଭିଡ଼ି ଧରିଲା। ମୁଁ ଛଡ଼ାଇବା ପାଇଁ ଚେଷ୍ଟା କରିବାରୁ ସେ ଆହୁରି ଜୋର୍ରେ ଜାବୁଡ଼ି ଧରିଲା। ମୁଁ ଟିକିଏ ନଇଁଯାଇ ପଚାରିଲି – ତମକୁ ଆଉ କ’ଣ ଦରକାର ମୋତେ କୁହ? ପିଲାର ଉତ୍ତର ମୋ ଲାଗି ପରିବର୍ତ୍ତନର ବାର୍ତ୍ତା ଥିଲା। ସେ କହିଲା- ମୁଁ ଆପଣଙ୍କୁ ଭଲଭାବେ ଚିହ୍ନି ମନେ ରଖିବାକୁ ଚାହେଁ। କାରଣ ଯେତେବେଳେ ସ୍ୱର୍ଗରେ ଆମ ଭେଟ ହେବ ମୁଁ ଆପଣଙ୍କୁ ଚିହ୍ନି ପୁଣି ଥରେ କୃତଜ୍ଞତା ପ୍ରକଟ କରିପାରିବି। ମୁଁ ବୁଝିଗଲି ପ୍ରକୃତ ଖୁସି ସମ୍ପତ୍ତିରେ ନ ଥାଏ, ଅନ୍ୟମାନଙ୍କ ସେବାରେ ରହିଥାଏ। ଆମ ମୃତ୍ୟୁ ପରେ ଲୋକେ ଆମକୁ କିପରି ମନେ ରଖିବେ – ତାହା ହିଁ ଜୀବନ ସମ୍ମୁଖରେ ବିଦ୍ୟମାନ ରହିବା ଉଚିତ।’
ଅନିଚ୍ଛା ସେତ୍ତ୍ବ ଅମ୍ବାନୀ ଓ ଟାଟା ମଧ୍ୟରେ ରହିଥିବା ଏହି ପାର୍ଥକ୍ୟ ଦର୍ଶାଇବାକୁ ପଡ଼ୁଛି। କାହା ପାଖରେ କେତେ ଧନ ଅଛି, ଏହା ସମସ୍ୟା ନୁହେଁ। ପ୍ରକୃତ ସମସ୍ୟା ହେଉଛି କିଏ କେତେ ଖର୍ଚ୍ଚ କରୁଛି, କେତେ ଉପଭୋଗ କରୁଛି, କେତେ ପ୍ରଦର୍ଶନ କରୁଛି।
ଧନର ମାତ୍ରାଧିକ ଉପଭୋଗ ଅପବ୍ୟୟ ଓ ଅନାବଶ୍ୟକ ପ୍ରଦର୍ଶନ, ପ୍ରତିକ୍ରିୟାତ୍ମକ ହିଂସାକୁ ଜନ୍ମ ଦେଇଥାଏ। ଏହା ହିଁ ରାଷ୍ଟ୍ରର ସୁରକ୍ଷା ଓ ଶାନ୍ତି ପାଇଁ ଚାଲେଞ୍ଜ ରୂପରେ ଦଣ୍ଡାୟମାନ। ସମାଜର ଗୋଟିଏ ହାତ ଅଭାବଦ୍ୱାରା ପକ୍ଷାଘାତଗ୍ରସ୍ତ ଏବଂ ଅନ୍ୟ ହାତ ଧନର ପ୍ରଭାବରୁ ଜାତ ଉଦ୍ବୃତ୍ତ ବା ଆବୁର ରୂପ ଧାରଣ କଲେ ସମାଜର ଶାରୀରିକ ଓ ମାନସିକ ସର୍ଜରୀ ଜରୁରୀ ହୋଇପଡ଼େ। ଏଭଳି ସମାଜରେ ଅପରାଧ, ଉପଦ୍ରବ ଓ ଆତଙ୍କ ବୃଦ୍ଧି ପାଇବା ସ୍ୱାଭାବିକ। ଧନର ଅଭାବ ଓ ଧନର ପ୍ରଭାବରୁ ମୁକ୍ତ ସମାଜ ହିଁ ସୁସ୍ଥ ସମାଜ ବୋଲାଇଥାଏ। ସେଠାରେ ହିଁ ଅହିଂସାର ବିକାଶ ସମ୍ଭବପର ହୁଏ।
ଯୁଗର ଆହ୍ୱାନ ହେଉଛି, ବ୍ୟକ୍ତିଗତ ସଂଗ୍ରହର ଉପଭୋଗ ଓ ପ୍ରଦର୍ଶନ ଉପରେ ବିବେକବନ୍ତ ଲୋକମାନେ ସ୍ୱୟଂ ଅଙ୍କୁଶ ଲଗାନ୍ତୁ। ଆତ୍ମସଂଯମ ସ୍ୱୀକାର କରନ୍ତୁ। ଏହା ହିଁ ହିଂସା ନିୟନ୍ତ୍ରଣର ପ୍ରକୃଷ୍ଟ ମାର୍ଗ। ଏହି ପ୍ରକ୍ରିୟାଦ୍ୱାରା ଆକ୍ରାମକ ମନୋବୃତ୍ତି ଓ ଉଗ୍ରବାଦକୁ ରୋକାଯାଇପାରିବ। ଭଗବାନ ମହାବୀର ଇଚ୍ଛାକୁ ଆକାଶ ସମ ଅନନ୍ତ କହିଛନ୍ତି। ସଂଯମ, ସୀମାକରଣ ଓ ପରିମାଣ ନିର୍ଦ୍ଧାରଣ ମାଧ୍ୟମରେ ରାଷ୍ଟ୍ରର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିହେବ। ଚୀନ ସମ୍ରାଟ ଜଣେ ଗରିବର ଦୁଃଖ ଦୁର୍ଦଶାରେ ମ୍ରିୟମାଣ ହୋଇ ଆଦେଶ ଦେଲେ ଯେ କାଲି ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ମଧ୍ୟରେ ଯେତେ ଭୂମି ଖୋଲାପଦରେ ମାପି ଏହି ବିନ୍ଦୁକୁ ଲେଉଟି ଆସିବ, ସେତେ ପରିମାଣର ଭୂସମ୍ପତ୍ତି ତୁମର ହୋଇଯିବ। ଲୋକଟି ରାତି ନପାହୁଣୁ ସେହି ସ୍ଥଳରେ ପହଞ୍ଚି ସୂର୍ଯ୍ୟ ଉଇଁଲାମାତ୍ରେ ପ୍ରବଳ ବେଗରେ ଦୌଡ଼ିବା ଆରମ୍ଭ କଲା। ଲେଉଟିବା ବେଳକୁ ଅପରାହ୍ଣ ସମାଗତ। ସୂର୍ଯ୍ୟାସ୍ତ ପୂର୍ବରୁ ମୂଳବିନ୍ଦୁରେ ପହଞ୍ଚିବାକୁ ପଡ଼ିବ। ଏବେ ସେ ଆହୁରି ବେଗରେ ନିର୍ଘାତ ଦୌଡ଼ିଲା। ରାସ୍ତାରେ ଖାଦ୍ୟ କି ପାଣି ଟୋପାଏ ବି ପିଇଲା ନାହିଁ। ବୋଧହୁଏ ଡିହାଇଡ୍ରେସନ ହେଲା। ସୂର୍ଯ୍ୟାସ୍ତର ପାଞ୍ଚ ସେକେଣ୍ଡ ପୂର୍ବରୁ ସେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାରେ ଅବଶ୍ୟ ସଫଳ ହେଲା; କିନ୍ତୁ ଧଡ଼ାସ୍ କରି ତଳେ ପଡ଼ିଗଲା ଓ ତା’ର ପ୍ରାଣବାୟୁ ଉଡ଼ିଗଲା। ଯଦି ଧୈର୍ଯ୍ୟ ଓ ବିବେକ ସହିତ ଯାତ୍ରା କରିଥାନ୍ତା ତେବେ ଅଚିରେ ୫୦୦ ଏକର ଜମି ନିଜ ନାମରେ କରିପାରିଥାନ୍ତା।
ଆଚାର୍ଯ୍ୟ ମହାପ୍ରଜ୍ଞ ଏକ ସୁଦୃଢ଼ ଅର୍ଥବ୍ୟବସ୍ଥା ସକାଶେ ପାଞ୍ଚଟି ସୂତ୍ର ନିର୍ଦ୍ଧାରଣ କରିଛନ୍ତି। ୧. ଇଚ୍ଛାର ପରିମାଣ, ୨. ବ୍ୟକ୍ତିଗତ ସଂଗ୍ରହର ପରିମାଣ ୩. ବ୍ୟକ୍ତିଗତ ଉପଭୋଗର ପରିମାଣ ୪. ଅନ୍ୟର ଆଜୀବିକା ଉଚ୍ଛେଦ ନ କରିବା ପାଇଁ ଦୃଢ଼ ସଂକଳ୍ପବଦ୍ଧତା ଏବଂ ୫. କରୁଣା ଓ ସମ୍ବେଦନାର ବିକାଶ। ଏହି ପ୍ରକ୍ରିୟାର ଆନ୍ତରିକ ସ୍ୱୀକୃତିଦ୍ୱାରା ଆମେ ଭୌତିକତା, ଉପଭୋକ୍ତାବାଦ, ସଞ୍ଚୟକରି ଠୁଳ କରିବାର ମାନସିକତା, ଆଡ଼ମ୍ବର ଓ ପ୍ରଦର୍ଶନ ଆଦିର ମଳିନ ପ୍ରଭାବରୁ ସମାଜକୁ ସୁରକ୍ଷିତ ରଖିବାରେ ସମର୍ଥ ହେବା। ଜଣକୁ ପ୍ରଗତି କରିବାର ପୂରା ଅଧିକାର ରହିଛି; କିନ୍ତୁ ଅନ୍ୟମାନଙ୍କୁ ବାଧିତ କରି କେବଳ ନିଜ ଉନ୍ନତିର ଚିନ୍ତା କରିବାକୁ ଆମ ସଂସ୍କୃତି ହେୟ ଦୃଷ୍ଟିରେ ଦେଖିଥାଏ। ଯଦି କରୁଣାର ଅନ୍ତଃସ୍ରୋତ ଆମ ଭିତରୁ ନିଃଶେଷ ହୋଇଗଲା, ତେବେ ଅଜସ୍ର ଅର୍ଥ ଥାଇ ବି ଆମେ ନିଃସ୍ୱ ଓ ଦରିଦ୍ର। କେହି ସୁନା, ରୁପା, ହୀରା କି ମାଣିକ୍ୟ ଖାଇ ନଥାନ୍ତି। ଜୀବନ ଧାରଣ ପାଇଁ ଭାତ ଓ ରୁଟି ହିଁ ଆବଶ୍ୟକ।
ତ୍ୟାଗର ଦୁର୍ଭିକ୍ଷ ଓ ଭୋଗର ସୁନାମି ମଧ୍ୟ ଦେଇ ଗତି କରୁଥିବା ଏକବିଂଶ ଶତାବ୍ଦୀର ତୃତୀୟ ଦଶନ୍ଧିରେ କିଏ ଆମ ଆଦର୍ଶ ହେବ ମୁକେଶ ଅମ୍ବାନୀ ନା ରତନ ଟାଟା – ଏହା ହିଁ ଦେଶର ଭାଗ୍ୟ ଓ ଭବିଷ୍ୟତର ନିର୍ମାଣ କରିବ।
Comments are closed.