ମାନସିକତାରେ ମୋହ

ତପନ କୁମାର ଦାଶ

ରାତ୍ରିର ବିଳମ୍ବିତ ପ୍ରହର। ନିଜ କୁଡ଼ିଆ ଭିତରେ ଏକ ଲୟରେ ନିଜ କାମରେ ବ୍ୟସ୍ତଥାନ୍ତି ଫକିର ବାବା। ଖୁବ ସତର୍କତାର ସହ ଘର ଭିତରକୁ ପଶି ଆସିଥିବା ଲୋକଟି ବାବାଙ୍କୁ ଜାଗ୍ରତ ଅବସ୍ଥାରେ ଦେଖି ଚମକି ପଡ଼ିଲା। ଭୟ ଓ ଆଶଙ୍କା ସହ ଆଗନ୍ତୁକ ଜଣକ ତରତର ହୋଇ ଅଣ୍ଟାରେ ଖୋସିଥିବା ଧାରୁଆ ଛୁରିଟିକୁ ବାହାର କରି ଡରାଇବାକୁ ଚେଷ୍ଟା କଲା। ଅବିଚଳିତ ଢଙ୍ଗରେ ବାବାଜୀ କହିଲେ… ତୁମର ଡରିବା କିମ୍ବା ଛୁରି ଦେଖାଇବାର କୌଣସି ପ୍ରୟୋଜନ ନାହିଁ, ଏଠାରେ କେହି ସେମିତି ଖରାପ ଲୋକ ନାହାନ୍ତି। ତୁମେ ନିର୍ଭୟରେ କିଏ ଓ କେଉଁ ପ୍ରୟୋଜନରେ ଏଠାକୁ ଆସିଛ କହିପାର। ଲୋକଟି ନିଜକୁ ଚୋର ଏବଂ ଚୋରି କରିବା ଉଦ୍ଦେଶ୍ୟରେ ଆସିଛି ବୋଲି କହିଲା। ଏ କଥା ଶୁଣି ଫକିର ଦୁଃଖରେ କାନ୍ଦିବାକୁ ଲାଗିଲେ। ଚୋରଟି ଆଶ୍ଚର୍ଯ୍ୟ ହୋଇ କାନ୍ଦିବାର କାରଣ କ’ଣ ବୋଲି ପଚାରିବାରୁ ଫକିର କହିଲେ… ଆହା, ତୁମର କେତେ ଅସୁବିଧା ପଡ଼ିନଥିବ ସତେ ! ନଚେତ୍‌, ଏତେ ରାତିରେ ତୁମେ ଶୋଇବା ଛାଡ଼ି ଅନ୍ୟ କାହା ଘରୁ ଚୋରି ଭଳି ଘୃଣ୍ୟ କାର୍ଯ୍ୟ କରିବା ପାଇଁ ବାଧ୍ୟ ହୋଇ ନଥାନ୍ତ। ମାତ୍ର ଖୁବ୍‌ ଦୁଃଖର କଥା ତୁମେ ନେବା ପାଇଁ ମୋ ପାଖରେ ଏଇ ମାତ୍ର ଅଳ୍ପ କିଛି ମୁଦ୍ରା ବ୍ୟତୀତ ଆଉ କିଛି ମୂଲ୍ୟବାନ ବସ୍ତୁ ନାହିଁ। ତୁମେ ଏତକ ନେଇଯାଇପାର। ଚୋର ତରତର ହୋଇ ଟଙ୍କା ଧରି ବାହାରିଗଲା। ଅସୁବିଧାରେ ପଡ଼ିଥିବା ସେହି ବ୍ୟକ୍ତିଟିକୁ ଉଦ୍ଧାର କରିବା ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରିବା ସହ ଅଳ୍ପ କିଛି ସାହାଯ୍ୟ କରିବାର ସାମର୍ଥ୍ୟ ପ୍ରଦାନ କରିଥିବାରୁ କୃତଜ୍ଞତା ଜଣାଇ ବାବା ଆନନ୍ଦରେ ଶୋଇପଡ଼ିଲେ। ଗଳ୍ପଟି ଜାପାନ ଦେଶର ଜଣେ ସିଦ୍ଧ ଫକିରଙ୍କ ଉପରେ ଆଧାରିତ ଏକ ସତ୍ୟ ଘଟଣା। ଆମ ଭିତରେ ଥିବା ଗୁଣ ଗୁଡିକୁ ଆମେ ଅନ୍ୟମାନଙ୍କ ପାଖରେ ସହଜରେ ଦେଖିପାରୁ। ଫକିରଙ୍କ ହୃଦୟରେ ଚୋରି ପ୍ରବୃତ୍ତିର ଆତ୍ୟନ୍ତିକ ଅଭାବ ଏବଂ ପୂର୍ଣ୍ଣ କରୁଣାର ଭାବ ଥିଲା। ସେଥିପାଇଁ ଘରକୁ ପଶିଆସି ଧାରୁଆ ଅସ୍ତ୍ରରେ ଆକ୍ରମଣ ଏବଂ ଚୋରି ଉଦ୍ୟମ କରୁଥିବା ବ୍ୟକ୍ତି ଠାରେ ତାଙ୍କୁ ଆତତାୟୀ କିମ୍ବା ଚୋର ଭଳି ସାଙ୍ଘାତିକ ଅବଗୁଣ ପରିବର୍ତ୍ତେ ତାର ଅସହାୟତା ଦୃଷ୍ଟିଗୋଚର ହେଲା। ପ୍ରୋଜେକ୍ଟର ଭିତରୁ ଯେଉଁ ଚିତ୍ର ବାହାରେ, ଚଳଚ୍ଚିତ୍ର ପରଦାରେ କେବଳ ସେହିପରି ପ୍ରତିଛବି ହିଁ ସ୍ପଷ୍ଟ ହୋଇ ଦିଶେ।

prayash

ଆମ ମନରେ ହିଂସା, ଦ୍ୱେଷ, ଲୋଭ, ପରଶ୍ରୀକାତରତା ଭଳି ମନ୍ଦଗୁଣ ଯେତେ ପରିମାଣର ଅଧିକ ଥାଏ ଅନ୍ୟ ମାନେ ଆମକୁ ସେତିକି ପରିମାଣରେ ଖରାପ ପ୍ରତୀତ ହୁଅନ୍ତି। ନିଜ ଭିତରେ ଦିବ୍ୟ ଗୁଣ ଏବଂ ସତ୍‌ ଭାବନା ଭରିଗଲେ ପ୍ରତ୍ୟେକ ପରିସ୍ଥିତି ଏବଂ ମଣିଷଠାରେ ଅମୃତମୟ ସୃଷ୍ଟିର ଆଭାସ ଅନୁଭବ ହେବା ନିଶ୍ଚିତ।

Comments are closed.