ଉନ୍ନତିକରଣ ନାଁରେ ମେଳିଛି ଦୁର୍ନୀତି ପସରା, ଗୁଡ଼ହଣ୍ଡି ଡୋକରିଚଞ୍ଚରା ଅବହେଳିତ

ଲଡୁଗାଁ: ଗୁଡହାଣ୍ଡି ଡୋକରିଚଞ୍ଚରା ପୁରାତନ ଐତିହ୍ୟର ଗୁଣ ଗରିମା ବହନ କରି ଆସିଛି । ଏହା କାହାକୁ ବା ଅଗୋଚର । କୋକସରା ବ୍ଲକ ଅଧିନରେ ଥିବା ଏହି ପର୍ଯ୍ୟଟନସ୍ଥଳୀ ବିଶ୍ଵ ଦରବାରରେ ଚର୍ଚ୍ଚାର ପରିସରକୁ ଆସିଥିଲେ ହେଁ ଆଜି ଅବହେଳିତ । ପର୍ଯ୍ୟଟକ ବୁଲିବା ପାଇଁ ଆସୁଛନ୍ତି ସିନା ଅବ୍ୟବସ୍ଥା ଦେଖି ମନଦୁଃଖରେ ଫେରୁଛନ୍ତି । କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଅଧିନରେ ଉନ୍ନତିକରଣ ଓ ସୋନ୍ଦର୍ଯ୍ୟକରଣ କାର୍ଯ୍ୟ ହାତକୁ ନେଇଥିବା ବେଳେ ପୂର୍ତ୍ତ ବିଭାଗ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ କରୁଛି, କିନ୍ତୁ ଏହି ପ୍ରଶସ୍ତି କରଣ କାମରେ ବନ ବିଭାଗ କଣ୍ଟା ସାଜିଛି । ସାହାଜଖୋଲ ଜଙ୍ଗଲର ହଜାର ହଜାର ହେକ୍ଟର ଅଞ୍ଚଳରୁ ଗଛକାଟି ମକା ଚାଷ କରାଯାଉଥିବା ବେଳେ ଚାରି କିଲୋମିଟର ରାସ୍ତା ପ୍ରଶସ୍ତିକରଣକୁ ବନ ବିଭଗର ଉଚ୍ଚ ପଦସ୍ଥ ଅଧିକାରୀ ବିରୋଧ କରିବା ଜନସାଧାରଣରେ ଅସନ୍ତୋଷର କାରଣ ସାଜିଛି ।

ରାସ୍ତା ନିର୍ମାଣ କରୁଥିବା ଠିକାଦାର ଓ ପୂର୍ତ୍ତ ବିଭାଗ ଅଧିକାରୀ ମିଳିତ ଭାବେ ରାସ୍ତା କାର୍ଯ୍ୟ ମନ୍ଥର ଗତିରେ ନିମ୍ନମାନର କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି । ନୂତନ ବର୍ଷ ବଣଭୋଜି ପାଇଁ ପ୍ରବଳ ଜନ ସମାଗମ ହେଉଥିବା ବେଳେ ଏଠାରେ ପିଇବା ପାଣିର ସୁବିଧା କି ଗୋଷ୍ଠୀ ଶୌଚାଳୟ ନାହିଁ । ବେହେରା ନଦୀ ପୋଲ ନିକଟରୁ ଡୋକରୀଚଞ୍ଚରା ଯାଏ ଦୀର୍ଘ ୪ କିଲୋମିଟର ରାସ୍ତା ଦୁଇକଡେ ଅନାବନା ଘାସଲଟା ଉଠି ଥିବାରୁ ଲୋକଙ୍କ ଯାତାୟତରେ ବାଧକ ସାଜି ରାସ୍ତା ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି । ସରକାର ଉନ୍ନତୀକରଣ, ସୋନ୍ଦର୍ଯ୍ୟକରଣ ଓ ରାସ୍ତାଘାଟ ନିର୍ମାଣ ଆଦିରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଅତ୍ୟନ୍ତ ନିମ୍ନ ମାନର କାମ କରି ବନବିଭାଗର ଅଧିକାରୀମାନେ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଥିବା ସାହାଜଖୋଲ ସୁରକ୍ଷା ସମିତି ମହାସଂଘ ଓ ଗୁଡହାଣ୍ଡି ଡୋକରିଚଞ୍ଚରା ଉନ୍ନୟନ ସମିତି ସହ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏ ନେଇ ବିଭିନ୍ନ ସମୟରେ ଆନ୍ଦୋଳନ ହୋଇଥିଲେ ମଧ୍ୟ ଆଜିଯାଏ ଏହାର ସମାଧାନ ହୋଇପାରି ନାହିଁ । ଏବେ ଦୁଇମାସ ହେବ ବଣଭୋଜିର ଆସର ଜମିଥିବା ବେଳେ ହଜାର ହଜାର ଲୋକଙ୍କ ସମାଗମ ହେଉଛି ।

prayash

କିନ୍ତୁ ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଏତେବଡ ପର୍ଯ୍ୟଟନ ସ୍ଥଳୀରେ ପାନୀୟ ଜଳ , ଗୋଷ୍ଠୀ ଶୌଚାଳୟ ବ୍ୟବସ୍ଥା ହୋଇପାରିନାହିଁ । କୋକସରା ବ୍ଲକ ପ୍ରଶାସନ ତରଫରୁ ନଳକୂପ ଖନନ କରି ସୌର ଚାଳିତ ପମ୍ପ ଲଗାଇ ଓଭରହେଡ ଟାଙ୍କି ମାଧ୍ୟମରେ ପାନୀୟ ଜଳ ଯୋଗାଇ ଦିଆଯାଉଥିବା ବେଳେ ଏହା ମଧ୍ଯ ବିଭିନ୍ନ ସମୟରେ ଅଚଳ ହୋଇପଡୁଛି । ଯାହା ଫଳରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ନେଇଛି ଏବଂ ବ୍ଲକ ତରଫରୁ ନିର୍ମାଣାଧୀନ ଦୁଇଟି ଗୋଷ୍ଠୀ ଶୌଚାଳୟ ବନ ବିଭାଗର ଅଧିକାରୀ ଓ ବ୍ଲକ ପ୍ରଶାସନର ଟଣା ଓଟରାରେ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡ଼ି ରହିଛି । ବ୍ଲକ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ନିକଟେ ଅଚଳ ସୌରଚାଳିତ ନଳକୂପ ଖରାପ ହେଉଥିବା ନେଇ ବାରମ୍ୱାର ଜଣାଉଥିଲେ ହେଁ କନିଷ୍ଠ ଯନ୍ତ୍ରୀ ଗୁରୁତ୍ୱ ଦେଉ ନ ଥିବା ଉନ୍ନୟନ ସମିତି ଅଭିଯୋଗ କରିଛି ।

ତେବେ ଏଭଳି ଉତ୍କଟ ଓ ଜଟିଳ ପରିସ୍ଥିତି ସହ ମୁକାବିଲା କରି କରି ଉନ୍ନୟନ ସମିତି ସହ ଖୋଦ୍ ଗୁଡହାଣ୍ଡି ଡୋକରିଚଞ୍ଚରା ଆଜି ଦରମରା ହୋଇ ପଡ଼ି ରହିଛି । ଏଥିଯୋଗୁଁ ବନ ବିଭାଗ ଓ ପୂର୍ତ୍ତ ବିଭାଗ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ଗୁରୁତ୍ୱାରୋପ କରିବା ପାଇଁ ଦାବି ହେଉଥିବା ବେଳେ ହୋଇଥିବା ନିମ୍ନମାନର କାର୍ଯ୍ୟର ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମାନେ କହିଛନ୍ତି । ସେହିପରି ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପର୍ଯ୍ୟଟନ ସ୍ଥଳୀର ବିକାଶ ଓ ସୋନ୍ଦର୍ଯ୍ୟକରଣ କାର୍ଯ୍ୟ ବ୍ୟାପକ ଭାବେ ତ୍ବରାନ୍ବିତ କରିବାକୁ ଅଞ୍ଚଳବାସୀ ଆଶା ବାନ୍ଧି ବସିଛନ୍ତି ।

Comments are closed.