ଜଲାଲାବାଦର ଜହ୍ଲାଦ
ମୁସଲମାନବହୁଳ ଆଫଗାନିସ୍ତାନରେ ସଂଖ୍ୟାଲଘୁମାନଙ୍କ ସ୍ଥିତି ଭଲ ନୁହେଁ। ସେମାନେ ସର୍ବଦା ଇସଲାମୀୟ ମୌଳବାଦୀ ଗୋଷ୍ଠୀଙ୍କ ଭୟରେ ଥାଆନ୍ତି। ରବିବାର ଜଲାଲାବାଦଠାରେ ଦଳେ ଶିଖ ପ୍ରତିନିଧିଦଳ ସେ ଦେଶର ରାଷ୍ଟ୍ରପତି ଅସରଫ ଘନିଙ୍କୁ ଭେଟିବାକୁ ଯାଉଥିବାବେଳେ ଦେହରେ ବିସ୍ଫୋରକ ଖଞ୍ଜିଥିବା ଜଣେ ଯୁବକ ବିସ୍ଫୋରଣ ଘଟାଇବାରୁ ୨୦ଜଣ ଶିଖଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ୨୦ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ କେତେକ ହିନ୍ଦୁ ମଧ୍ୟ ଅଛନ୍ତି। ସମଗ୍ର ଆଫଗାନିସ୍ତାନରେ ଶିଖମାନଙ୍କ ସଂଖ୍ୟା ଅତିବେଶୀରେ ଏକ ହଜାର ହେବ ଏବଂ ସେମାନେ ପ୍ରାୟତଃ ଜଲାଲାବାଦ ଅଞ୍ଚଳରେ ବେପାରବଣିଜ କରି ଚଳନ୍ତି। ସେ ଦେଶରେ ହିନ୍ଦୁଙ୍କ ସଂଖ୍ୟା ମଧ୍ୟ ଅତି ନଗଣ୍ୟ। ରବିବାର ଘଟିିଥିବା ଆତ୍ମଘାତୀ ବିସ୍ଫୋରଣରେ ଜଣେ ପ୍ରମୁଖ ଶିଖ ନେତା ଅବତାର ସିଂହ ଖାଲସାଙ୍କର ମଧ୍ୟ ମୃତ୍ୟୁ ଘଟିଛି। ସେ ଆଫଗାନିସ୍ତାନରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବାକୁ ଘୋଷଣା କରିଥିଲେ। ଏଭଳି କାମ ପଛରେ ଥିବା ଲୋକଙ୍କୁ ଜହ୍ଲାଦ କହିଲେ ଅତ୍ୟୁକ୍ତି ହେବନାହିଁ।
ଆଫଗାନିସ୍ତାନରେ ଶିଖ ଓ ହିନ୍ଦୁୁମାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ଓ ସେମାନଙ୍କ ଧାରାବାହିକ ଉତ୍ପୀଡନରେ ଭାରତ ଉଦ୍ବିଗ୍ନ ହେବା ସ୍ବାଭାବିକ। ଆଫଗାନିସ୍ତାନସହ ଭାରତର କୂଟନୈତିକ ସଂପର୍କ ଉତ୍ତମ ଏବଂ ସେ ଦେଶର ପୁନଃନିର୍ମାଣ କାର୍ଯ୍ୟରେ ଭାରତ ନାନାଭାବେ ସହାୟତା କରୁଛି। ଅନେକ ଭାରତୀୟ ସଂସ୍ଥା ସେଠାରେ ବିିଭିନ୍ନ ପ୍ରକଳ୍ପ ନିର୍ମାଣରେ ସଂପୃକ୍ତ। ବହୁ ଭାରତୀୟ ମଧ୍ୟ ଆଫଗାନିସ୍ତାନର ଏସବୁ ନିର୍ମାଣ କାର୍ଯ୍ୟରେ ଲିପ୍ତ।
ଉତ୍ତମ ସମ୍ପର୍କ ଅଭାବରୁ ପାକିସ୍ତାନକୁ ଆଫଗାନିସ୍ତାନରେ ବେପାର ବଣିଜ ଓ ନିର୍ମାଣ କାର୍ଯ୍ୟ ଆଦି କରିବାକୁ ସୁଯୋଗ ମିଳୁନାହିଁ। ତେଣୁ ଏଥିରେ ପାକିସ୍ତାନୀ ଏଜେଣ୍ଟ ଓ ଆତଙ୍କବାଦୀ ସଂଗଠନଗୁଡ଼ିକ ସେଠାରେ ଅନୁପ୍ରବେଶ କରି ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇ ଅସ୍ଥିରତା ସୃଷ୍ଟି କରୁଛନ୍ତି। ଜଲାଲାବାଦ୍ ବିସ୍ଫୋରଣ ଘଟଣା ତାହାର ଏକ ଉଦାହରଣ ବୋଲି କୁହାଯାଇପାରେ।
ଆଫଗାନିସ୍ତାନ କର୍ତ୍ତୃପକ୍ଷ ସେଠାକାର ଶିଖ ଓ ହିନ୍ଦୁମାନଙ୍କ ସୁରକ୍ଷା ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଆହୁରି ମଧ୍ୟ ଆନ୍ତର୍ଜାତିକ ଆତଙ୍କବାଦର ମିଳିତ ମୁକାବିଲା ପାଇଁ ମିଳିତ ସଂଗ୍ରାମର ଆବଶ୍ୟକତା ଏହି ଘଟଣା ପରେ ଅଧିକ ଅନୁଭୂତ ହେଉଛି।