ପୁଞ୍ଜି ପତନ
ରାଜ୍ୟ ସରକାରଙ୍କ ତତ୍ପରତାପୂର୍ଣ୍ଣ ପଦକ୍ଷେପ ହେତୁ ଓଡ଼ିଶାରେ ପୁଞ୍ଜିନିବେଶର ପରିମାଣ ବଢ଼ିଛି ଓ ରୋଜଗାର ସୁଯୋଗ ସୃଷ୍ଟି ହେବାରେ ଲାଗିଛି, ସେଥିରେ ଦ୍ବିମତ ହେବାର ନାହିଁ। ଏହି କାରଣରୁ ଇନଭେଷ୍ଟ୍ ଇଣ୍ଡିଆ ଓ ବିଶ୍ବବ୍ୟାଙ୍କ ସର୍ବେକ୍ଷଣରେ ଦେଶର ୨୧ଟି ରାଜ୍ୟ ମଧ୍ୟରୁ ଯେଉଁ ଚାରିଟି ରାଜ୍ୟଙ୍କୁ ‘ଆସ୍ପାୟରିଂ ଲିଡର’ ବା ଉଚ୍ଚାଭିଳାଷୀ ନେତୃତ୍ବର ଆଖ୍ୟା ଦିଆଯାଇଛି, ସେଥିରେ ଓଡ଼ିଶା ସ୍ଥାନ ପାଇବା ଆଦୌ ବିସ୍ମୟକର ନୁହେଁ। ଏହି ସର୍ବେକ୍ଷଣରେ ଓଡ଼ିଶା ମୋଟାମୋଟି ଭାବେ ୮୦ ଶତାଂଶ ନମ୍ବର ରଖିଥିବାବେଳେ ଜାତୀୟ ହାରାହାରି ନମ୍ବର ୭୦ ଶତାଂଶ ବୋଲି କୁହାଯାଇଛି। ତେଣୁ ସବୁ ଦୃଷ୍ଟିରୁ ଦେଖିଲେ ଓଡ଼ିଶା ପୁଞ୍ଜିନିବେଶକୁ ପ୍ରୋତ୍ସାହନ ଯୋଗାଇବାରେ ସଫଳ ହୋଇଥିବା ମନେହେଉଛି। ଏଥିପାଇଁ ରାଜ୍ୟ ସରକାର ନେଇଥିବା ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଯେ ଦାୟୀ, ସେଥିରେ ସନ୍ଦେହ ନାହିଁ। ଏସବୁ ପଦକ୍ଷେପ ମଧ୍ୟରୁ ରାଜ୍ୟସ୍ତରୀୟ ସେଲ୍ ସ୍ଥାପନ, ହସ୍ତତନ୍ତ ନିବେଶକଙ୍କ ପାଇଁ ସମର୍ପିତ ନୋଡାଲ ଅଧିକାରୀ ନିଯୁୁକ୍ତି, ନିୟମିତ ଭାବେ ଘରୋଇ ଓ ଆନ୍ତର୍ଜାତିକ ପୁଞ୍ଜିନିବେଶ କାର୍ଯ୍ୟକ୍ରମ ଆୟୋଜନ, ଗୋ-ସୁଇଫ୍ଟ ପ୍ରଯୁକ୍ତି ଆରମ୍ଭ ଇତ୍ୟାଦି। ଇଜ୍ ଅଫ୍ ଡୁଇଙ୍ଗ୍ ବିଜିନେସ୍ ବା ବ୍ୟବସାୟ କରିବା ପାଇଁ ସୁଗମତା ଆଣିବା କ୍ଷେତ୍ରରେ ମଧ୍ୟ ସୁଧାର ଆସିଛି। ୨୦୧୫ରେ ଇଜ୍ ଅଫ୍ ଡୁଇଙ୍ଗ ବିଜିନେସ ଅନୁପାଳନର ହାର ପ୍ରାୟ ୫୩ ଶତାଂଶ ଥିବାବେଳେ ୨୦୧୭ରେ ୯୮ ଶତାଂଶ ହୋଇଛି। ଏଥିରୁ ବୁଝିବାକୁ ହେବ ଯେ ନିବେଶକଙ୍କ ପାଇଁ ଓଡ଼ିଶାରେ ପୁଞ୍ଜିନିବେଶ କରିବାରେ ସେଭଳି ସମସ୍ୟା ନାହିଁ ଓ ନାଲିଫିତା ଦ୍ବାରା ସେମାନଙ୍କ କାମ ଅଟକୁ ନାହିଁ। ହାରାହାରି ପ୍ରକଳ୍ପ ଅନୁମୋଦନ ଅବଧି ୨୦ ଦିନ ହେବା ଏହାକୁ ଦର୍ଶାଉଛି। ପୁଞ୍ଜିନିବେଶ ପ୍ରସ୍ତାବ କାର୍ଯ୍ୟକାରୀ କରିବାରେ ଓଡ଼ିଶାକୁ ଆସୋଚାମ୍ ତାଲିକାରେ ପ୍ରଥମ ସ୍ଥାନରେ ରଖିଛି। ତେବେ ଏହି ପୁଞ୍ଜିନିବେଶ ଦ୍ବାରା ପ୍ରକୃତରେ କେତେ ରୋଜଗାର ସୃଷ୍ଟି ହୋଇଛି, ତାହା ଭବିଷ୍ୟତରେ ଆକଳନର ବିଷୟ। ଏହା ବେଶି ଗୁରୁତ୍ବପୂର୍ଣ୍ଣ; କାରଣ ପୁଞ୍ଜିନିବେଶ ଦ୍ବାରା ଶିଳ୍ପପତି ବା ବ୍ୟବସାୟୀଙ୍କ ହିତସାଧନ ସରକାରଙ୍କ ଅସଲ ଲକ୍ଷ୍ୟ ନୁହେଁ, ବରଂ ତା’ ମାଧ୍ୟମରେ ରୋଜଗାର ସୃଷ୍ଟି ଓ ଅଧିକ ରାଜସ୍ବ ହାସଲ ବାସ୍ତବ ଉଦ୍ଦେଶ୍ୟ ହେବା ଉଚିତ।
ଅନ୍ୟପକ୍ଷରେ ପୁଞ୍ଜିନିବେଶ ସମ୍ପର୍କିତ ଜାତୀୟ ଖବରଟି ଆଦୌ ସୁଖକର ନୁହେଁ। ବିଶ୍ବବ୍ୟାଙ୍କ ରିପୋର୍ଟରେ ଭାରତ ବ୍ୟାବସାୟିକ ସୁଗମତା ଦୃଷ୍ଟିରୁ ବହୁ ଅଗ୍ରଗତି ହାସଲ କରି ଇଜ୍ ଅଫ୍ ଡୁଇଙ୍ଗ୍ ବିଜିନେସ ରିପୋର୍ଟରେ ବିଶ୍ବର ଶହେଟି ଦେଶ ମଧ୍ୟରେ ଅନ୍ତର୍ଭୁକ୍ତ ହୋଇପାରିଥିବା ସତ୍ତ୍ବେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫ୍ଡିଆଇ) କ୍ଷେତ୍ରରେ ବହୁତ ପଛରେ ପଡ଼ିଯାଇଛି। ଏ ସମ୍ପର୍କରେ ଯେଉଁ ତାଜା ସରକାରୀ ରିପୋର୍ଟ ଜାରି ହୋଇଛି, ତଦନୁସାରେ ୨୦୧୬-୧୭ ତୁଳନାରେ ୨୦୧୭-୧୮ରେ ଏଫ୍ଡିଆଇ ବୃଦ୍ଧିର ହାର ତିନିଗୁଣ ହ୍ରାସ ପାଇଛି। ଗତ ଆର୍ଥିକ ବର୍ଷରେ ମାତ୍ର ତିନି ଶତାଂଶ ବୃଦ୍ଧି ପାଇ ମୋଟ ୪୪.୮୫ ବିଲିୟନ ଡଲାର ପୁଞ୍ଜିନିବେଶ ହୋଇଥିଲା, ଯାହା ବିଗତ ପାଞ୍ଚବର୍ଷ ଭିତରେ ସବୁଠୁ କମ୍। ୨୦୧୬ରେ ଏଫ୍ଡିଆଇ ବୃଦ୍ଧି ହାର ଥିଲା ୮.୬୭ ଶତାଂଶ। ମୋଦି ସରକାରଙ୍କ ବହୁପ୍ରଚାରିତ ‘ମେକ୍ ଇନ ଇଣ୍ଡିଆ’ ପାଇଁ ଯେ ଏହା ଏକ ବଡ଼ ଧକ୍କା, ତାହା କହିବା ବାହୁଲ୍ୟ। ଏବେ ଭାରତରେ ସବୁଠୁ ବେଶି ପୁଞ୍ଜିନିବେଶ କରୁଥିବା ଦେଶ ମଧ୍ୟରେ ମରିସସ୍ ଓ ସିଙ୍ଗାପୁର ଆଗରେ ରହିଛନ୍ତି; କିନ୍ତୁ ବିଶେଷଜ୍ଞମାନେ ସନ୍ଦେହ କରୁଛନ୍ତି ଯେ ଏହି ଦୁଇଟି ଦେଶରୁ ଆସୁଥିବା ପୁଞ୍ଜି ପ୍ରକୃତରେ ଦୁଇପଟିଆ ଟିକସ ଫାଇଦା ପାଇବାର ଏକ ବାହାନା ହୋଇପାରେ। ଏହି ଦୁଇଦେଶ ପରେ ନେଦରଲାଣ୍ଡ, ଆମେରିକା ଓ ଜାପାନ ପୁଞ୍ଜିନିବେଶ କରିଛନ୍ତି, ଯାହାର ପରିମାଣ ତିନି ବିଲିୟନ୍ ଡଲାରରୁ ବି କମ୍। ପୁଞ୍ଜି ପତନର ଏ ଧାରାକୁ ରୋକିବା ପାଇଁ ମୋଦି ସରକାରଙ୍କୁ ଆହୁରି ଅଲଗା କିଛି ଉପାୟ ଚିନ୍ତା କରିବାକୁ ପଡ଼ିବ, ଯେପରିକି ବିଦେଶୀ ପୁଞ୍ଜିନିବେଶକମାନେ ଆକର୍ଷିତ ହେବେ।