ଜିଏସ୍ଟିକୁ ବର୍ଷେ
ବସ୍ତୁ ଓ ସେବା କର ବା ଜିଏସ୍ଟିକୁ ବର୍ଷେ ପୂରିଛି। ବର୍ଷକ ମଧ୍ୟରେ ଏହି ଗୁରୁତ୍ବପୂର୍ଣ୍ଣ ଆର୍ଥିକ ସଂସ୍କାର କ୍ଷେତ୍ରରେ ଖୁବ୍ ଉତ୍ଥାନପତନ ଆସିଥିବା ଦେଖିବାକୁ ମିଳିଛି, ଯାହାକୁ ସଂପୂର୍ଣ୍ଣ ଅସ୍ବାଭାବିକ ବୋଲି କୁହାଯାଇନପାରେ। କୌଣସି ନୂଆ ବ୍ୟବସ୍ଥାଟିଏ କାର୍ଯ୍ୟକାରୀ ହେଲେ ପ୍ରଥମେପ୍ରଥମେ ସେଥିରେ ସମସ୍ୟା ଦେଖାଦିଏ ଏବଂ ତା’କୁ ଠିକ୍ଭାବେ ସଜାଡ଼ିଦେଲେ ତା’ର ସମାଧାନ ହୋଇଯାଏ। ଅବଶ୍ୟ ଏହା ସତ୍ୟ ଯେ ଜିଏସ୍ଟି ନେଇ କେନ୍ଦ୍ର ସରକାର ଯେତିକି ଉତ୍ସୁକତା ଦେଖାଇଥିଲେ, ତା’ର କାର୍ଯ୍ୟକାରିତା ନେଇ ସେତିକି ତତ୍ପର ହୋଇନଥିଲେ, କାରଣ ଏହା କାର୍ଯ୍ୟକାରୀ ହେବାଦିନଠାରୁ ଏ ପର୍ଯ୍ୟନ୍ତ ଯଥୋଚିତ ଆନୁଷ୍ଠାନିକ ବ୍ୟବସ୍ଥା ନିର୍ମାଣ ହୋଇ ପାରିନାହିଁ ଏବଂ ଏବେମଧ୍ୟ ଏହାକୁ ଜଟିଳ ବୋଲି କୁହାଯାଉଛି। ସରକାର ଅବଶ୍ୟ ମଝିମଝିରେ ଜିଏସ୍ଟି କାଉନସିଲ୍ ବୈଠକ ଡକାଇ ଅନେକ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିଛନ୍ତି; କିନ୍ତୁ ତାହା ଯଥେଷ୍ଟ ମନେହେଉନାହିଁ। ରିଟର୍ଣ୍ଣ ଫାଇଲିଂ ସରଳୀକରଣ ଓ ଏକ ଗ୍ରହଣଯୋଗ୍ୟ ଟିକସ ହାର ସ୍ଥିର କରିବା ଭଳି ସମସ୍ୟାଗୁଡ଼ିକ ଏବେ ବି ଏହି ଗୁରୁତ୍ବପୂର୍ଣ୍ଣ ଟିକସ ସଂସ୍କାର ପାଇଁ ଏକ ବଡ଼ ଆହ୍ବାନ ପାଲଟିଛି। ତେଣୁ କେବଳ ଜିଏସ୍ଟିର ଗତ ବର୍ଷକର ଯାତ୍ରାର ସମୀକ୍ଷା କଲେ ହେବ ନାହିଁ; ଏହାର ଭବିଷ୍ୟତର ରୂପରେଖ ନେଇ ମଧ୍ୟ ଚିନ୍ତା କରିବାର ବେଳ ଆସିଛି।
ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜିଏସ୍ଟିକୁ ସହଯୋଗୀ ସଙ୍ଘବାଦର ସର୍ବଶ୍ରେଷ୍ଠ ଉଦାହରଣ ଭାବେ ଅଭିହିତ କରିଛନ୍ତି। ଏଥିରେ ଦ୍ବିମତ ମଧ୍ୟ ହେବାର ନାହିଁ; କାରଣ ରାଜ୍ୟଗୁଡ଼ିକ ଏଥିରେ ଯେଉଁଭଳି ସହଯୋଗ କରିଛନ୍ତି, ତାହା ବେଶ୍ ଉଲ୍ଲେଖନୀୟ। ତେବେ ଓଡ଼ିଶା ଭଳି ରାଜ୍ୟ ଜିଏସ୍ଟି କାର୍ଯ୍ୟକାରୀ ହେବାଦ୍ବାରା ଅନେକ କ୍ଷେତ୍ରରେ କ୍ଷତିଗ୍ରସ୍ତ ମଧ୍ୟ ହୋଇଛନ୍ତି। କେନ୍ଦ୍ର ସରକାର ଅବଶ୍ୟ କ୍ଷତିପୂରଣ ପ୍ରଦାନ କରିଛନ୍ତି; କିନ୍ତୁ ଏହି ବ୍ୟବସ୍ଥାକୁ ଆହୁରି ସରଳ କରିବାର ଆବଶ୍ୟକତା ରହିଛି। ଜିଏସ୍ଟିକୁ ଏକୀକୃତ ଟିକସ ବ୍ୟବସ୍ଥା କୁହାଯାଉଥିଲେ ହେଁ ତାହା ବାସ୍ତବ କ୍ଷେତ୍ରରେ ଏକୀକୃତ ହୋଇପାରିନାହିଁ ବା ଭବିଷ୍ୟତରେ ହେବାର ସମ୍ଭାବନା ମଧ୍ୟ ଦେଖାଯାଉନାହିଁ। ଏବେ ଏଥିରେ ପାଞ୍ଚଥାକିଆ ଟିକସ ହାର ରହିଛି, ଯାହା ବିଶ୍ବର ସବୁଠୁ ଜଟିଳ ଜିଏସ୍ଟି ବ୍ୟବସ୍ଥା। ବିଶ୍ବ ବ୍ୟାଙ୍କ ଭାଷାରେ, ପେଟ୍ରୋଲିୟମ, ଶକ୍ତି, ରିଅଲ ଇଷ୍ଟେଟ୍କୁ ଜିଏସ୍ଟି ପରିସର ବାହାରେ ରଖାଯାଇଥିବାରୁ ତାହା ଏହି ବ୍ୟବସ୍ଥାର ବଡ଼ ଦୁର୍ବଳତା। ଆହୁରି ମଧ୍ୟ ଏହାର ୨୮ ଶତାଂଶ ଟିକସ ଥାକଟି ସମଗ୍ର ଏସିଆରେ ସର୍ବାଧିକ ଜିଏସ୍ଟି ହାର ଏବଂ ବିଶ୍ବରେ ଚିଲି ପରେ ଦ୍ବିତୀୟ ସର୍ବାଧିକ। ଅତଏବ ଏ ସମ୍ବନ୍ଧରେ ସରକାର ଚିନ୍ତା କରିବାର ସମୟ ଉପଗତ। ଅପରପକ୍ଷେ, ଆରମ୍ଭରୁ ଜିଏସ୍ଟି ନେଟୱାର୍କ ପୋର୍ଟାଲରେ ଥିବା ପ୍ରଯୁକ୍ତିଗତ ତ୍ରୁଟିଗୁଡ଼ିକୁ ଇତିମଧ୍ୟରେ ଠିକ୍ କରାଯାଇଥିବା ସତ୍ତ୍ବେ ଏହାକୁ ଆହୁରି ସରଳ ଏବଂ ଲୋକାଭିମୁଖୀ କରାଯିବା ଦରକାର। ଅନେକ ଲଘୁ ଓ ମଧ୍ୟମ ଶିଳ୍ପସଂସ୍ଥା ତଥା ବ୍ୟବସାୟୀ ଜିଏସ୍ଟିର ଜଟିଳତା ଯୋଗୁଁ ବ୍ୟବସାୟ ବନ୍ଦ କରିଦେବାର ନଜିର୍ ମଧ୍ୟ ରହିଛି। ଆଗକୁ ସେଭଳି ଅବସ୍ଥା ଯେମିତି ନ ଉପୁଜିବ, ସେଥିପ୍ରତି ସରକାର ଦୃଷ୍ଟି ଦିଅନ୍ତୁ।