‘‘କହନ୍ତି ଯେଡ଼େ, ନୁହନ୍ତି ତେଡ଼େ’’
ସବୁ କଥା ବା କାମ ସମସ୍ତେ କରି ପାରିବେନି। ତେଣୁ ସମସ୍ତଙ୍କଠୁ ସବୁ କଥା ଆଶା, ବୃଥା ଯେମିତି ନିର୍ବୋଧତା ବି ସେମିତି। ଗୁଡ଼େ ‘କୁହାମୁଣ୍ଡା କପିଳା’ଙ୍କ ବାକ୍ଚାତୁରୀରେ ବଣା ହୋଇଯାଇଥିବା ଲୋକେ ଶେଷରେ ହପ୍ପାରେ ପଡ଼ନ୍ତି। କବିସୂର୍ଯ୍ୟ ବଳଦେବ ତ ଲେଖିଲେ, “ଖିଲାଇଲେ ହେଲେ ନାନା ମସଲା, ତୁରଙ୍ଗ ହୁଏକି ରାସଭ ପିଲା?” ବିରାଡ଼ି ହାତରେ ମାଛ ଭାର ଦେଉଥିବା ଲୋକଟି ବିରାଡ଼ି ପେଟ ପୂରାଏ ସିନା, ତା ବନ୍ଧୁ କୋଉ ମାଛ ପାଇବେ ବା ଖାଇବେ? ଉପଯୁକ୍ତ ମାଧ୍ୟମ ଓ ଲୋକ ବାଛିବା ହିଁ ବଡ଼ ସଫଳତା। ଭେଜାର କଥା ୟେ। ସଂସ୍କୃତରେ କୁହାଯାଇଛି, “ଅମନ୍ତ୍ରମକ୍ଷରଂ ନାସ୍ତି, ନାସ୍ତି ମୂଳିମନୌଷଧିମ୍, ନିର୍ଗୁଣ ପୁରୁଷଃ ନାସ୍ତି, ଯୋଜକସ୍ତତ୍ର ଦୁର୍ଲଭଃ।” ଅର୍ଥାତ୍ ଏ ବିଶ୍ୱବ୍ରହ୍ମାଣ୍ଡରେ ଏମିତି କୌଣସି ମୂଳ ବା ବୃକ୍ଷ ନାହିଁ ଯାହାର ଔଷଧୀୟ ଗୁଣ ନାହିଁ। ସେମିତି କୌଣସି ଅକ୍ଷର ନାହିଁ ଯାହା ମନ୍ତ୍ର ନୁହେଁ ଓ ଏମିତି ଲୋକଟିଏ ନାହିଁ ଯାହାର କିଛି ଗୁଣ ନାହିଁ। ତେବେ ଅଭାବ ଓ ସମସ୍ୟା ରହିଛି କେଉଁଠି? ହଁ ରହିଛି, ତାକୁ ଠାବ କରିବା ଓ ଜାଣିବା ଲୋକ ‘ଯୋଜକ’ର ଅଭାବ। ହଂସ, ଦୁଧରୁ ପାଣିକି ଅଲଗା କରିଦିଏ, ସେ କାମ ବିରାଡ଼ି କି ଦେଲେ ସେ ସବୁତକ ପିଇଯିବ ସିନା, କୋଉ ଏକୁ ଅଲଗା କରିଦେଇ ପାରିବ? ହିରଣ୍ୟକଶିପୁ ବର ପାଇଲେ, ଜଳରେ ମରିେବନି, ସ୍ଥଳରେ କି ପାତାଳରେ ମରିବେନି, ଦିନରେ ମରିବେନି କି ରାତିରେ ମରିବେନି, ଦେବତା, ମଣିଷ କି ରାକ୍ଷସ ମାରିପାରିବେନି, କି କୋଉ ଅସ୍ତ୍ରରେ ବି ମରିବେନି। ୟା ଅର୍ଥ ଅମର ବର ପାଇଗଲେ। ତା’ ପରେ ଯା’ ହେବା କଥା ତ ହେଲା। ଧରାକୁ ସରା ମଣିଲେ। ପୃଥିବୀ ତାଙ୍କ ଅତ୍ୟାଚାରରେ ଉଠିଲା, ପଡ଼ିଲା। ତେବେ ସେ ମରିବେ କେମିତି? ମଲେ କି ନାହିଁ ମ! ନୃସିଂହ ଆବିର୍ଭୂତ ହୋଇଗଲେ! ଅଧା ମଣିଷ, ଅଧା ସିଂହ (ପଶୁ) ତାଙ୍କ ଜଙ୍ଘ ଉପରେ ତାଙ୍କୁ ପକେଇ ଦେଲେ। ସେଟା ଜଳ, ସ୍ଥଳ, ପାତାଳ ନୁହଁ। ଦିନ ନୁହଁ କି ରାତି ନୁହେଁ, ‘ସନ୍ଧ୍ୟା’ ସେତେବେଳେ ହୋଇଥିଲା। ଏଡ଼େ ଏଡ଼େ ନଖରେ ତାକୁ ଭିଣି ପକେଇ ମାଇଲେ, ନଖଗୁଡ଼ା କୋଉ ଅସ୍ତ୍ର? ବେଟା ଅକଲ ଗୁଡ଼ୁମ୍ କରିଦେଲେ ପ୍ରଭୁ। ଅସମ୍ଭବ ଲାଗୁଥିବା କଥାଟା କେତେ ସହଜରେ ପ୍ରଭୁ ସମ୍ଭବ କରିଦେଲେ! ସେମିତି ରାବଣଙ୍କୁ ମାରିବାରେ ଶ୍ରୀରାମ ତାଙ୍କ ଦଶମୁଣ୍ଡକୁ ଯୁଦ୍ଧ ପଡ଼ିଆରେ କୋଡ଼ିଏ କି ପଚିଶ ଥର ଛିଡ଼ଉଥିଲେ। ଭାବିଲେ ମଲା ୟେ। ମାତ୍ର ମୁଣ୍ଡଗୁଡ଼ା ପୁଣି ଲାଗି ଯାଉଥିଲା। ବୁଝାଗଲା ତା’ ମରମଭେଦୀ ଶରଟା ମନ୍ଦୋଦରୀଙ୍କ ପାଖେ ସିଙ୍ଗଲ ଲକ୍ରେ। ଆମ ଜଗନ୍ନାଥଙ୍କ ରତ୍ନଭଣ୍ଡାରର ଡୁପ୍ଲିକେଟ ଚାବି ବ୍ୟବସ୍ଥା ରାବଣଙ୍କ ପ୍ରାଣନାଶକ ଶର ପାଇଁ ନ ଥିଲା। ଜଗା ଚାବି ହଜା ଓ ଖୋଜା ତ ଏବେ ଆଉ ଗୋଟେ ପୁରାଣ ହେଲାଣି। ତା’ ପରେ ରତ୍ନଭଣ୍ଡାର ଖୋଲା ଯେବେ ହୁଏ ସେ ଆଉ ଗୋଟେ ପୁରାଣ ହେବ। ଏବେ ପଣସଖିଆ ସରିଛି ଅଠା ପାଇଁ ଭଣ୍ଡାରି ଠାବ ଚାଲିଛି। ଛାଡ଼ନ୍ତୁ ସେ କଥା। ଶ୍ରୀହନୁମାନଙ୍କୁ ଏ ଶର ଅପହରଣ ଦାୟିତ୍ୱ ଦିଆଗଲା। ସେ ତ ‘ବୁଦ୍ଧିମତାଂ ବରିଷ୍ଠମ୍’। ସେ ବି ଶର ମନ୍ଦୋଦରୀଙ୍କଠୁ ଧପେଇ ଆଣିଲେ। ରାବଣ ବି ମଲେ। ବୃତ୍ରାସୁର କଥା। ତା’ ଉତ୍ପାତରେ ଦେବତାମାନେ ବି ଥରହର। ଇନ୍ଦ୍ରଙ୍କ ଅସ୍ତ୍ର ବି କାଟୁ କଲାନି। ‘ଦଧୀଚି’ ବିଚରା ତପସ୍ୟାରତ। ତାଙ୍କ ଯୋଗ, ନିଷ୍ଠା ଓ ସାଧନାର ପଟାନ୍ତର ନାହିଁ। ମାଉଁସ ନ ଥିବା ହାଡ଼ର ଦିହ ତାଙ୍କର ହୋଇଯାଇଥିଲା। ସେଇ ହାଡ଼ରେ ବାଣ ତିଆରି ହେବ। ତା’ ହେବ ବଜ୍ର। ଇନ୍ଦ୍ରଙ୍କ ଏ ବଜ୍ର କାଳକାଳକୁ ଅଜେୟ ଅସ୍ତ୍ର ହୋଇ ରହିଲା। ବୃତ୍ରାସୁର ମଲା। ସବୁ କଳୁଷ, କଳ୍ମଷ ଦୂର ପାଇଁ ବାଟ ଓ ବ୍ୟବସ୍ଥା ଅଛି। କୁଶାଙ୍କୁର କ୍ଷତରେ ଚାଣକ୍ୟଙ୍କ ପିତାଙ୍କର ଅକାଳ ମୃତ୍ୟୁ ହୋଇଗଲା। କୁଶ ବଂଶ ଲୋପପାଇଁ ପ୍ରତିଜ୍ଞା କଲେ। କୁଶ ତ ଓପାଡ଼ିଲେ, କାଳେ ରହିଯାଇଥିବା ମୂଳ କଅଁଳିବ ଏଇ ଆଶଙ୍କାରେ ତା ମୂଳରେ ଦହି ଓ ଗୁଡ଼ ଢାଳୁଥିଲେ। ପିମ୍ପୁଡ଼ି ଲାଗି ଗଜାକୁ କାଟିଦେବେ। ଏ କଥା ଦେଖି ରାଜା ତାଙ୍କୁ ରାଜ ଦରବାରକୁ ନିମନ୍ତ୍ରଣ କରିଥିଲେ। କି ଜିଦ୍! କି ନିଷ୍ଠା! ସବୁ ମୂଳରେ ନିଷ୍ଠା ଓ ତ୍ୟାଗ ସଫଳତା ଢାଳେ। ନେପୋଲିଅନ କହିଲେ, “Impossible is a word found in the dictionary of fools?” ‘ଅସମ୍ଭବ’ ହେଉଛି ନିର୍ବୋଧଙ୍କ ଭାଷାକୋଷର ଶବ୍ଦ। ଅବଶ୍ୟ ସେଣ୍ଟ ହେଲେନା ଦ୍ୱୀପରେ ହାତକଡ଼ି ଗୋଡ଼ କଡ଼ିରେ ପୃଥିବୀଯାକର ଅସମ୍ଭବର ଅନୁଭବରେ ସେ ଶେଷ ନିଶ୍ୱାସ ଢେର ଦୟନୀୟ ପରିସ୍ଥିତିରେ ତ୍ୟାଗ କଲେ। ୟେ ଆଉ ଏକ ଭିନ୍ନ ପ୍ରସଙ୍ଗ।
ଏବେ ସୁଇସବ୍ୟାଙ୍କରେ କଳାଟଙ୍କା ଜମା ପରିମାଣ ଏଇ ୨୦୧୭-୧୮ରେ ସାତ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଥିବା ଖବର ଚମକ ସୃଷ୍ଟି କରିଛି। ସୁଇସ୍ ବ୍ୟାଙ୍କର ସମସ୍ତ କଳା ଟଙ୍କା ଉଦ୍ଧାର କରି ସାରା ଦେଶବାସୀଙ୍କ ବ୍ୟାଙ୍କ ଖାତାରେ ଜମା କରିଦେବେ ବୋଲି ଶ୍ରୀ ମୋଦିଜୀ କହିଥିଲେ। ଅଚ୍ଛେଦିନ ସହ ଏ କଳାଟଙ୍କା ଉଦ୍ଧାର ଓ ବଣ୍ଟନ କଥା ଦେଶବାସୀଙ୍କ ମନରେ ବିପୁଳ ଆଶା, ବିଶ୍ୱାସ ଓ ଉତ୍ସାହ ସୃଷ୍ଟି କରିଥିଲା। ନିର୍ବାଚନରେ ଅଭୂତପୂର୍ବ ସଫଳତା ଓ ବିଜୟ ସେ ହାସଲ କରି ଦେଶର ପ୍ରଧାନମନ୍ତ୍ରୀ ହେଲେ। କଳାଟଙ୍କାକୁ ଉଦ୍ଧାରିବା ଓ ଧରିବା ପାଇଁ ସେ ନୋଟକୁ ଅଚଳ ଘୋଷଣା କରିଦେଲେ। ଲୋକେ ବି ଏକୁ ସହିଲେ। ମାତ୍ର ସେ ଟଙ୍କା କେତେ ଉଦ୍ଧାର ହେଲା, କେତେ କାହା ବ୍ୟାଙ୍କ ଜମାଖାତାରେ ରହିଲା ସେ କଥା ଛାଡ଼ନ୍ତୁ। ପୁଣି କେମିତି ଏତେ ବିପୁଳ ଅର୍ଥ, ଏ ନୂଆ ନୋଟ ସୁଇସ୍ ବ୍ୟାଙ୍କକୁ ଗଲା? ବିମୁଦ୍ରାୟନରେ ହଇରାଣ ହରକତ ମଧ୍ୟବିତ୍ତ ବାଲାଏ ହେଲେ। ତିମି ତିମିଙ୍ଗଳକୁ ଧରିବ କିଏ? ତମେ ପତରେ ପତରେ ଗଲେ ସେ ଶିରାରେ ଶିରାରେ ଯିବେ, ଗଲେ ବି।
ଚୋରା କାରବାର, ଏ ଦେଶ ବ୍ୟାଙ୍କ ଓ ଅର୍ଥକୋଷ ଲୁଟ ତରାଜରେ ସାମାନ୍ୟମାତ୍ର ଅଙ୍କୁଶ ଯେ ଲାଗି ପାରିନାହିଁ, ଏକଥା ଏ ସୁଇସ ବ୍ୟାଙ୍କ ଚୋରା ବା କଳାଟଙ୍କା ଜମା ପରିମାଣରୁ ଜଣାପଡ଼ୁଛି। ତେଣୁ ଅଚ୍ଛେଦିନ ୟେ ନେହିଁ, କଛା ଫିଟା ଦିନ୍ ବନିଯାଇଛି। ଏ ଦେଶର ବୃତ୍ରାସୁରମାନଙ୍କୁ ମାରିବାକୁ ଦଧୀଚିଟିଏ ଦରକାର। ମାତ୍ର କାଇଁ ଏ ‘ଦଧୀଚି’? ନୃସିଂହ ଅବତାର ଲୋଡ଼ା, କାଇଁ ନୃସିଂହ? କିଏ ଧେଡ଼ିଆ ନର ତ କିଏ ମଣିଷଖିଆ ସିଂହ। ନରସିଂହ ନାହାନ୍ତି, କାହାନ୍ତି? ଖାଲି କୁହାମୁଣ୍ଡା କପିଳାଙ୍କ ଧ୍ୱନିରେ ଏ ଦେଶ ଚହଲୁଛି। ପାଦ ତଳୁ ମାଟି ଖସୁଛି। ନିର୍ବାଚନ ବି ପାଖେଇ ଆସିଲା। କପିଳାଙ୍କ କହଣି ବଢ଼ିବ। ମାତ୍ର ସତ କ’ଣ?
“ୟେ କହନ୍ତି ଯେଡ଼େ ନୁହନ୍ତି ତେଡ଼େ” ତାଙ୍କର “ଆଉ ଯାହା ମାପୁଥିଲେ ମାପୁଥା”।