ସାମାଜିକ ଗଣମାଧ୍ୟମରେ ଶ୍ରଦ୍ଧାଞ୍ଜଳି ସଭା

0

ବିଜନ କୁମାର ମହାପାତ୍ର

prayash

ଶ୍ରଦ୍ଧାଞ୍ଜଳି ଦେବାର ଏବେ ନୂଆ ଚଳଣି ଆରମ୍ଭ ହୋଇଛି । ସବୁ ପୁରୁଣା ଶୈଳୀ ଏବେ ଅତୀତ ହେବାକୁ ବସିଛି । ଯେଉଁମାନେ ପୁରୁଣା ଶୈଳୀରେ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି, ସେମାନଙ୍କୁ ପରିହାସ କରାଯାଇ ଗାଉଁଲି, ପୁରୁଣାକାଳିଆ ବୋଲି କୁହାଯାଉଛି । ଯୁଗର ଗତି ଦେଖି ଯେଉଁମାନେ ବଦଳିଯାଆନ୍ତି, ସେମାନଙ୍କୁ ଚତୁରପଣିଆର ସାର୍ଟିଫିକେଟ୍ ଆପେଆପେ ମିଳିଯାଏ। ଆଉ ଯେଉଁମାନେ ବଦଳନ୍ତି ନାହିଁ, ସଂସାର ବିଷୟରେ ସେମାନେ ଯେତେ ଅଭିଜ୍ଞ ବା ପୋଖତ ବୋଲି ଦାବି କଲେ ମଧ୍ୟ ସେମାନଙ୍କୁ ବିଫଳ ବୋଲି ଧରାଯାଏ । ମୃତ ବ୍ୟକ୍ତି ମଧ୍ୟ ମରଣ ପୂର୍ବରୁ ଏବେ ସ୍ବପ୍ନ ଦେଖୁଥିବ ଯେ, ନିଜର ଶ୍ରଦ୍ଧାଞ୍ଜଳି ସଭା କେମିତି ଦିବ୍ୟ ଓ ଭବ୍ୟ ହେବ । ଟିକେ ରସାଳ ହେବ। ଅନ୍ୟର ଶ୍ରଦ୍ଧାଞ୍ଜଳି ସଭା ଅପେକ୍ଷା ତାର ସଭାରେ ଅଧିକ ଭିଡ ହେଉ । ଏମିତି ଯଦି ଜଣେ ଭାବେ, ତାହା ହେଲେ ତାଙ୍କୁ ଦୋଷ ଦେଇ ହେବନି। ଯଦି ଦୋଷ ଦେବେ, ତାହାହେଲେ ଆଜିକାଲିର ଚଳଣିକୁ ଦିଅନ୍ତୁ ।
ଆଜିକାଲିର ଶ୍ରଦ୍ଧାଞ୍ଜଳି ସଭାରେ ସାମିଲ ହେବା ପାଇଁ ଲୋକେ ହସହସ ମୁହଁରେ ଘରୁ ବାହାରି ପଡ଼ନ୍ତି। ପକେଟରେ ଥାଏ ଏକ ଭଲ ରକମର ସ୍ମାର୍ଟଫୋନ୍ । ଘରୁ ବାହାରିବା ପୂର୍ବରୁ ଫୋନର ମେମୋରି ଓ ବ୍ୟାଟେରି ଭଲ ରୂପେ ଚେକ୍ କରିନିଅନ୍ତି ନ’ ହେଲେ ଶ୍ରଦ୍ଧାଞ୍ଜଳି ସଭାରେ ଫଟୋ ନେଲାବେଳକୁ ଅସୁବିଧା ହୋଇଯିବ ଯେ!କେହିକେହି ଉନ୍ନତମାନର ଡି.ଏସ୍.ଏଲ୍.ଆର୍ ଧରି ଯାଇଥାଆନ୍ତି, ଯାହାଫଳରେ ମୃତ ବ୍ୟକ୍ତିଙ୍କ ଫଟୋ ଉପରେ ସେମାନଙ୍କ ଦ୍ବାରା ଚଢ଼ାଯାଇଥିବା ସହାନୁଭୂତିର ପ୍ରତିଟି ଫୁଲକୁ କ୍ୟାମେରାରେ ବନ୍ଦୀ କରିପାରିବେ । ଏସବୁ ସାବଧାନତା ବାଦ୍, ଶ୍ରଦ୍ଧାଞ୍ଜଳି ଦେବାକୁ ଯାଉଥିବା ବ୍ୟକ୍ତିଜଣକ, ସାଥିରେ ଆଉ ଜଣକୁ ବି ଧରିଯାଇଥାଆନ୍ତି। ଦୁଇଜଣଙ୍କ ମଧ୍ୟରେ ଚୁକ୍ତି ହୋଇଥାଏ କି ଜଣେ ମୃତକଙ୍କ ଫଟୋ ଉପରେ ଫୁଲ ଚଢାଇଲାବେଳେ ଆରଜଣକ ଏହି ଦୃଶ୍ୟ ଉତ୍ତୋଳନ କରିବ । ସେହିଭଳି ଆରଜଣକ ଯେତେବେଳେ ଏହି କୃତ୍ୟ କରିବେ, ସେତେବେଳେ ପ୍ରଥମ ବ୍ୟକ୍ତିଜଣକ ସେହି ଭାବପ୍ରବଣ ଦୃଶ୍ୟର ବଢ଼ିଆ ଫଟୋ ଉଠାଇବେ। ଯଦି ଭଲ ଫଟୋ ଉଠାଯାଇ ପାରିବ ନାହିଁ, ତାହାହେଲେ ଦୁଇ ତିନିଥର ଉଦ୍ୟମ କଲେ ବି ମନ୍ଦ ନୁହେଁ । ହଁ, ମୃତବ୍ୟକ୍ତିଙ୍କ ଫଟୋ ସହ ସେଲ୍ଫି ମଧ୍ୟ ଉଠାଯିବ ନା !
ଏମିତି ସବୁ ଆଜିକାଲି ହେଉଛି । ଏସବୁ ଆଜିର ‘ଟ୍ରେଣ୍ଡ୍’ କୁଆଡେ ! ଶ୍ରଦ୍ଧାଞ୍ଜଳି ସଭାକୁ ଯିବାପାଇଁ ହେଲେ ବା ଏ ପ୍ରକାରର କାର୍ଯ୍ୟକ୍ରମ ଆୟୋଜନ କରିବାକୁ ହେଲେ ବର୍ତ୍ତମାନ କ୍ୟାମେରା ବହୁତ ଜରୁରୀ ହୋଇପଡ଼ିଛି। ବିନା କ୍ୟାମେରାରେ ଶ୍ରଦ୍ଧାଞ୍ଜଳି ଦେବା ପୁରୁଣାକାଳିଆ ମନେହେବ ନା। ଆମର ଯାହା ମନେହୁଏ, ମୃତ ବ୍ୟକ୍ତିଙ୍କ ଆତ୍ମାକୁ ମଧ୍ୟ ବିନା କ୍ୟାମେରାରେ ସନ୍ତୁଷ୍ଟି ମିଳିବ ନାହିଁ । ମୃତ ବ୍ୟକ୍ତିଙ୍କ ଆତ୍ମା ମଧ୍ୟ ଚାହୁଁଥିବେ ଯେ, ତାଙ୍କ ଫୁଲମାଳ ସୁଶୋଭିତ ଫଟୋ ସାମାଜିକ ଗଣମାଧ୍ୟମରେ ସ୍ଥାନ ପାଉ । ଲୋକେ ଏହାକୁ ‘ଡିପି’ ବନାନ୍ତୁ । ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଉ ତାଙ୍କ ଫଟୋ ।
ଶ୍ରଦ୍ଧାଞ୍ଜଳି ସଭାରେ ଲୋକେ ମୃତକଙ୍କ ଫଟୋ ଉପରେ ଶ୍ରଦ୍ଧାସୁମନ ଦେବାକୁ ଗଲାବେଳେ ଆଖିରେ ନେଇଆସିଥାଆନ୍ତି ଦୁଇ ଟୋପା ଲୁହ,। ଶ୍ରଦ୍ଧାଞ୍ଜଳି ସଭାର ଦୁଇ ଚାରିଘଣ୍ଟା ପୂର୍ବରୁ ଆଖିରୁ ଦୁଇ ଟୋପା ଲୁହ ବୁହାଇବାର ଅଭ୍ୟାସ କରିବାକୁ ପଡିଥାଏ । ଏଭଳି ‘ୱିଥ୍ ଟିୟର୍ସ’ ଫଟୋ ସାମାଜିକ ଗଣମାଧ୍ୟମରେ ଛାଇ ହୋଇଯାଏ । ‘କମେଣ୍ଟ୍‌’ ଓ ‘ଲାଇକ୍’ ଦେଖି ଉତ୍‌ଫୁଲ୍ଲିତ ହୁଅନ୍ତି ଲୋକେ ।
ଲୁହ, କ୍ୟାମେରା ଓ ଶ୍ରଦ୍ଧାଞ୍ଜଳି- କି ଜବରଦସ୍ତ ମିଶ୍ରଣ ! ସାମାଜିକ ଗଣମାଧ୍ୟମରେ ଲାଇକ୍, କମେଣ୍ଟ ଓ ସେୟାର ପାଇବା ପାଇଁ ଶ୍ରଦ୍ଧାଞ୍ଜଳି ସଭାରେ ଉନ୍ନତଧରଣର ଫଟୋସୁଟ୍ ଜରୁରୀ ହୋଇପଡିଛି । ବିନା ଫଟୋରେ ଶ୍ରଦ୍ଧାଞ୍ଜଳି ବ୍ୟାଣ୍ଡ୍‌ବାଜାରହିତ ବାହାଘର ଭଳି। ଦେଖନ୍ତୁ ଆଜ୍ଞା, ଆପଣ ଯଦି ପ୍ରକୃତରେ ମୃତକଙ୍କ ହିତୈଷୀ ଓ ତାଙ୍କୁ ବୈକୁଣ୍ଠ ପଠାଇବାକୁ ଚାହାନ୍ତି, ତାହାହେଲେ ତାଙ୍କ ଶ୍ରଦ୍ଧାଞ୍ଜଳି ସଭାକୁ ଟିକେ ‘ଟ୍ରେଣ୍ଡି’ କରନ୍ତୁ । ଫଟୋମୋଟ ଉଠାନ୍ତୁ। ସାମାଜିକ ଗଣମାଧ୍ୟମରେ ଛାଡନ୍ତୁ । ତାହାହେଲେ ଯାଇ ବିଚରା ମୃତକଙ୍କ ଆତ୍ମା ଶାନ୍ତି ପାଇବ। ଆଜିକାଲିର ଫେସନ ଆଜ୍ଞା । ନୂଆ ଧାରା କୁଆଡେ ଚାଲୁଛି । ଆଉ ଏହି ଧାରା ଅନୁସାରେ ମୃତ୍ୟୁ ଏକ ମହୋତ୍ସବ ପାଲଟି ଯାଇଛି। ତେଣୁ ଏହାକୁ ଉପଭୋଗ କରନ୍ତୁ!
ଚାଣକ୍ୟ ନଗର, ଲାଞ୍ଜିପଲ୍ଲୀ, ବ୍ରହ୍ମପୁର -୮

Leave A Reply