ଜଳ ବିଶୋଧନ କରିବ ଭାରତୀୟ ସଜନା ମଞ୍ଜି
ନୂଆଦିଲ୍ଲୀ: ସମ୍ପ୍ରତି ସମଗ୍ର ବିଶ୍ୱରେ ଉତ୍କଟ ଜଳ ସଙ୍କଟ ଦେଖାଦେଇଛି। ପୃଥିବୀର କେତେକ ପ୍ରାନ୍ତରେ ପାନୀୟ ଜଳ ପାଇଁ ଲୋକଙ୍କ ମଧ୍ୟରେ ହାହାକାର ସୃଷ୍ଟି ହୋଇଛି। ୨.୧ ବିଲିୟନ୍ ବିଶ୍ୱବାସୀ ସୁରକ୍ଷିତ ପାନୀୟ ଜଳ ପାଉ ନ ଥିବା ଜାତିସଂଘ ରିପୋର୍ଟ ଦେଇଥିବା ବେଳେ ଏହି ସମସ୍ୟାରୁ ଭାରତ ମଧ୍ୟ ବର୍ତ୍ତି ପାରି ନାହିଁ ବୋଲି ନିକଟରେ ନୀତୀ ଆୟୋଗ ପ୍ରକାଶ କରିଛନ୍ତି। ଏଭଳି ସ୍ଥିତିରେ ସାଧାରଣ ଲୋକଙ୍କୁ ପର୍ଯ୍ୟାପ୍ତ ପାନୀୟ ଜଳ ଯୋଗାଇ ଦେବା ତଥା ଜଳସଙ୍କଟ ଉପରେ ବିଶ୍ୱ ତାପାୟନର ପ୍ରଭାବ ହ୍ରାସ କରିବା ନେଇ ବୈଜ୍ଞାନିକମାନେ ବ୍ୟାପକ ଗବେଷଣା କରି ସମାଧାନର ସୂତ୍ର ବାହାର କରିଛନ୍ତି।
ଭାରତ ମାଟିରେ ସୃଷ୍ଟ ସଜନା (ମୋରିଙ୍ଗା ଓଲିଫେରା) ବୃକ୍ଷ ବିଶ୍ୱ ଜଳସଙ୍କଟ ଦୂର କରିପାରିବ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି। ବୈଜ୍ଞାନିକ ଷ୍ଟିଫେନ୍ ଭୋଲେଗୋଲ ସଜନା ଛୁଇଁ ମଞ୍ଜିରେ ଥିବା ବିଶେଷ ପ୍ରୋଟିନ୍ ଏବଂ ମୃତ୍ତିକା ବ୍ୟବହାର ଦ୍ୱାରା ଜଳ ବିଶୋଧନର ଏକ ନୂତନ ପ୍ରକ୍ରିୟା ଉଦ୍ଭାବନ କରିଛନ୍ତି। ‘ଏଫ୍-ସ୍ୟାଣ୍ଡ’ ଭାବେ ନାମିତ ଏହି ପ୍ରକ୍ରିୟାରେ ବିଶୋଧନ କରିବା ଦ୍ୱାରା ଜଳରେ ଥିବା ସମସ୍ତ ସୁକ୍ଷ୍ମଜୀବ ନଷ୍ଟ ହୋଇଯାଆନ୍ତି ଏବଂ ଦ୍ରବିଭୂତ ଜୈବ ଅଙ୍ଗାର ମଧ୍ୟ ବାହାରିଯାଏ। ଜଳ ସମ୍ପୂର୍ଣ୍ଣ ପରିଷ୍କାର ହୋଇଯାଏ। ଏହି ବିଶୋଧିତ ଜଳକୁ ଦୀର୍ଘ ଦିନ ପର୍ଯ୍ୟନ୍ତ ସଂରକ୍ଷିତ କରାଯାଇପାରେ। ଏଫ-ସ୍ୟାଣ୍ଡ ପ୍ରକ୍ରିୟାରେ ବ୍ୟବହୃତ ଉପକରଣ ପୁନଃବ୍ୟବହାର ଯୋଗ୍ୟ ହୋଇଥାଏ। ଜଳ ବିଶୋଧନ ନିମନ୍ତେ ସଜନା ବୃକ୍ଷର ମଞ୍ଜିର ବ୍ୟବହାର ପୂର୍ବରୁ ମଧ୍ୟ ପ୍ରଚଳିତ ହୋଇଆସୁଛି; କିନ୍ତୁ ଏହାଦ୍ୱାରା ଦ୍ରବୀଭୂତ ଜୈବ ଅଙ୍ଗାର ୨୪ ଘଣ୍ଟା ପରେ ପୁନଃ ସତେଜ ହୋଇ ଉଠୁଥିବାରୁ ଜଳ ସମ୍ପୂର୍ଣ୍ଣ ବିଶୋଧିତ ହୋଇପାରେ ନାହିଁ। କିନ୍ତୁ ସଜନା ମଞ୍ଜି ଦୂଷିତ ମୃତ୍ତିକାର ମୂଳ ଉପାଦାନ ସିଲିକା କଣିକାକୁ ଶୋଷି ନେଉଥିବା ବୈଜ୍ଞାନିକ ଭେଲେଗୋଲ ଲକ୍ଷ୍ୟ କରିଥିଲେ। ଏହା ପରେ ସେ ଏଫ୍-ସ୍ୟାଣ୍ଡ ପ୍ରକ୍ରିୟାର ପରିକଳ୍ପନା କରିଥିଲେ। ଜଳାଭାବରେ ଥିବା ବିଶ୍ୱବାସୀଙ୍କୁ ଏଫ୍-ସ୍ୟାଣ୍ଡ ପ୍ରକ୍ରିୟା ଅବଲମ୍ବନ ପୂର୍ବକ ଆବଶ୍ୟକ ପରିମାଣର ବିଶୋଧିତ ଜଳ ଯୋଗାଇବା ନିମନ୍ତେ ପର୍ଯ୍ୟାପ୍ତ ସଜନା ମଞ୍ଜିର ଦରକାର। ଏହି ଚାହିଦା ପୂରଣ ଲାଗି ସଜନା ଚାଷ ଉପରେ ଗୁରୁତ୍ୱ ଦେବାକୁ ହେବ। ସମ୍ପ୍ରତି କେବଳ ଫ୍ୟାଟି ଏସିଡ୍ ଏବଂ ତୈଳ ସଂଗ୍ରହ ଉଦ୍ଦେଶ୍ୟରେ ସଜନା ଚାଷ କରାଯାଉଛି। କିନ୍ତୁ ସଜନା ମଞ୍ଜିରୁ ଫ୍ୟାଟି ଏସିଡ୍ କାଢିନେବା ଦ୍ୱାରା ଏଥିରେ ଥିବା ପ୍ରୋଟିନ୍ର ଶୋଷଣ କ୍ଷମତା ପ୍ରଭାବିତ ହେବ। ଏଫ୍-ସ୍ୟାଣ୍ଡ ପ୍ରକ୍ରିୟା ପାଇଁ ଉଦ୍ଦିଷ୍ଟ ସଜନା ମଞ୍ଜି ଫ୍ୟାଟି ଏସିଡ୍ଯୁକ୍ତ ହେବା ଆବଶ୍ୟକ। ଏଫ-ସ୍ୟାଣ୍ଡ ଜରିଆରେ ଉଭୟ ତରଳ ଏବଂ କଠିନ ଅବସ୍ଥାରେ ଜଳକୁ ଏହି ପ୍ରକ୍ରିୟାରେ ବିଶୋଧନ କରିହେବ। ଏଣୁ ବିଶ୍ୱର ଯେକୌଣସି ପ୍ରାନ୍ତରେ ଏହି ପ୍ରକ୍ରିୟା ଅବଲମ୍ବନ ପୂର୍ବକ ପାନୀୟ ଜଳ ପ୍ରସ୍ତୁତ କରିବା ସମ୍ଭବ ବୋଲି ବୈଜ୍ଞାନିକ ଭେଲେଗାଲ କହିଛନ୍ତି। ତାଙ୍କର ଏହି ଗବେଷଣା ସମ୍ବନ୍ଧୀୟ ରିପୋର୍ଟ ଲଙ୍ଗମୁଇର୍ ପତ୍ରିକାରେ ପ୍ରକାଶ ପାଇଛି।