ହିଂସା-ବ୍ୟାଧି
ଆଜିକାଲି ସାଧାରଣ କଥାକୁ ନେଇ ଅନ୍ୟ ଉପରେ ଆକ୍ରମଣ କରିବାର ପ୍ରବଣତା ଓ ଘଟନା ବଢ଼ିଚାଲିଛି। ଗୁଜବ ଓ ସନ୍ଦେହକୁ ଆଧାର କରି ବା କ୍ଷଣିକ ଉତ୍ତେଜନାର ବଶବର୍ତ୍ତୀ ହୋଇ ଅତି ସହଜରେ କିଛି ଲୋକ ଏକାଠି ମିଶି କାହାକୁ ପିଟିପିଟି ମାରିଦେବା ଭଳି ବର୍ବରତା ମଧ୍ୟ ଦେଖିବାକୁ ମିଳୁଛି। ଗତବର୍ଷ ଗୋହତ୍ୟା କରିଥିବା ଅଭିଯୋଗ ଓ ସନ୍ଦେହରେ ନିର୍ଦୋଷ ଲୋକଙ୍କୁ ଏହିପରି ହତ୍ୟା କରାଯାଇଥିବାବେଳେ ଏବେ ଦେଶର ବହୁ ରାଜ୍ୟରେ ପିଲାଚୋର ସନ୍ଦେହରେ ଏହିପରି ନୃଶଂସତା କରାଯାଉଛି। ଗତ ରବିବାର ମହାରାଷ୍ଟ୍ରର ଧୁଲେ ଜିଲାରେ ପାଞ୍ଚଜଣଙ୍କୁ ପିଲାଚୋର ସନ୍ଦେହରେ ମାରି ଦିଆଗଲା। ଗୁରୁବାର ତ୍ରିପୁରାରେ ଓ ଗତ ମାସରେ ଆସାମରେ ଠିକ୍ ସେହି ସନ୍ଦେହରେ ତିନି-ତିନି ଜଣଙ୍କୁ ଉନ୍ମତ୍ତ ଲୋକେ ପିଟିପିଟି ମାରି ଦେଇଥିଲେ। ଦେଶର ବିଭିନ୍ନ ଅଞ୍ଚଳରେ ଅଚିହ୍ନା ନିରୀହ ଲୋକେ ଏଭଳି ସାମୂହିକ ହିଂସା କବଳିତ ହେଉଛନ୍ତି, ଯାହା ଚିନ୍ତାଜନକ ନିଶ୍ଚୟ। ଏସବୁ ଘଟନାରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ମଣିଷର ନିଜ ଉପରେ ଭରସା ଓ ବିଶ୍ବାସ କ୍ରମଶଃ କମିକମି ଯାଉଛି। କିଛି ବୁଝିବା ବା ବିଚାର କରିବା ଅବସ୍ଥାରେ ମଧ୍ୟ ସେ ରହୁନାହିଁ। କୌଣସି ଗୁଜବକୁ ତେଣୁ ସେ ସହଜରେ ବିଶ୍ବାସ କରିଯାଉଛି ଓ ସେଥିରେ ଏତେ ଅନ୍ଧ ହୋଇଯାଉଛି ଯେ କାହାକୁ ହତ୍ୟା କରିବାକୁ ମଧ୍ୟ କୁଣ୍ଠାବୋଧ କରୁନାହିଁ। ଏ ହିଂସ୍ରଖେଳ ଦେଖିବା ପାଇଁ କିଛି ଖଳଲୋକ ସାମାଜିକ ଗଣମାଧ୍ୟମର ଦୁରୁପଯୋଗ ପୂର୍ବକ ସେଥିରେ ମିଛ ଭିଡିଓ ଓ ବାର୍ତ୍ତା ପ୍ରଚାରପ୍ରସାର କରୁଛନ୍ତି। ସାଧାରଣ ଲୋକେ ଏହାକୁ ନବୁଝି ହିଂସାପ୍ରମତ୍ତ ହେବା ଧୀରେଧୀରେ ଏକ ସାମାଜିକ ମନୋରୋଗରେ ପରିଣତ ହେଲାଣି। ଏଭଳି ସାମୂହିକ ହିଂସାକୁ ଅବିଳମ୍ବେ ନ ରୋକାଗଲେ ଏହା ଆଗକୁ ଭୟଙ୍କର ସାମାଜିକ ବିପର୍ଯ୍ୟୟ ଯେ ସୃଷ୍ଟି ନକରିବ, ତାହା କହିହେବ ନାହିଁ।