ସୋଲାର ପ୍ଲେଟ୍ ଚୋରି କରୁଥିବାବେଳେ -ତିନିଜଣଙ୍କୁ ଧରିଲେ ଗାଁ ଲୋକ

ଲାଞ୍ଜିଗଡ -ଶୁକ୍ରବାର ବିଳମ୍ବିତ ରାତିରେ ଲାଞ୍ଜିଗଡ ବ୍ଲକ ବାତେଲିମା ଗ୍ରାମପଞ୍ଚାୟତ ବାଣୀପଙ୍ଗା ଗାଁରେ ପାନୀୟ ଜଳ ପ୍ରକଳ୍ପରେ ଲାଗିଥିବା ସୋଲାର ପ୍ଲେଟ୍ ଚୋରି କରି ନେଉଥିବାବେଳେ ତିନିଜଣ ଚୋରଙ୍କୁ ଗ୍ରାମବାସୀ ମାଡି ବସିବା ସହିତ ଲାଞ୍ଜିଗଡ ପୁଲିସକୁ ଜିମା ଦେଇଛନ୍ତି । ଗାଁ ଲୋକେ ବିଳମ୍ବିତ ରାତିରେ ବାତେଲିମାଠାରେ ହେଉଥିବା ଗଜଲକ୍ଷ୍ମୀ ପୂଜା ଦେଖି ଫେରୁଥିବାବେଳେ ପାଞ୍ଚଜଣ ବ୍ୟକ୍ତି ବାଣୀପଙ୍ଗାଠାରେ କେକେଡିଏ ଦ୍ୱାରା ନିର୍ମିତ ସୋଲାର ପାନୀୟ ଜଳ ସୋଲାର ପ୍ଲେଟ୍ ଚୋରି କରୁଥିବା ଦେଖିବାକୁ ପାଇଥିଲେ ।

ସନ୍ଦେହ ହେବାରୁ ସେମାନଙ୍କୁ ଧରିବାକୁ ଉଦ୍ୟମ କଲାବେଳେ ଦୁଇଜଣ ଫେରାର ହୋଇଯାଇଥିବାବେଳେ ତିନିଜଣ ଚୋରଙ୍କୁ ଧରି ବାତେଲିମାକୁ ଆଣି ରାତି ତମାମ ଅଟକ ରଖିଥିଲେ । ଶନିବାର ସକାଳୁ ଲାଞ୍ଜିଗଡ ପୁଲିସକୁ ଖବର ଦିଆଯିବା ପରେ ଲାଞ୍ଜିଗଡ ଥାନାଧିକାରୀ ସତ୍ୟାନନ୍ଦ ପାତ୍ରଙ୍କ ନେତୃତ୍ୱରେ ପୁଲିସ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ଦ୍ୱାରା ଅଟକ ଥିବା ୩ ଚୋର, ସୋଲାର ପ୍ଲେଟ୍ ଓ ବାଇକ୍‌କୁ ଉଦ୍ଧାର କରି ଥାନାକୁ ନେଇଥିବା ଜଣାପଡିଛି । ଅଟକ ଥିବା ତିନିଜଣ ଚୋର ରାୟଗଡା ଜିଲ୍ଲା ଡୁର୍କିଲିମାର ଶ୍ରୀକାନ୍ତ ବାଗ, ହରିଶ ନୁଣ୍ଡୃକା ଓ ଗୁଣାଙ୍ଗ ଗାଁର ଡମ୍ବୁ ଲକାର ବୋଲି ଜଣା ପଡିଛି । ସେହିପରି ଏହି ଚୋରା ସୋଲାର ପ୍ଲେଟ୍ କିଣୁଥିବା ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ପୁଲିସ ପଚରାଉଚୁରା କରୁଥିବାବେଳେ ଏଥିରେ ସଂପୃକ୍ତ ଲାଞ୍ଜିଗଡ ବ୍ଲକ ଭାଟଗୁଡା ଗାଁର ଅଜିତ ମାଝୀ ଓ ଗୋପୀନାଥପୁର ଗାଁର କୋବିନ୍ଦ ମାଝୀ ଫେରାର ଥିବା ସୂଚନା ମିଳିଛି । ଏନେଇ ଲାଞ୍ଜିଗଡ ଥାନାରେ କେସ୍ ନଂ ୭୯/୦୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି ।

Comments are closed.