ସମାଜ ଡିଜିଟାଲ ଡେସ୍କ: ଗଞ୍ଜାମ ଜିଲାର ଖଜୁରିଆ ନିକଟ ଏକ ନିର୍ମାଣାଧୀନ କୋଠାରୁ ପୁଲିସ ବୋମା ଭର୍ତ୍ତି ବ୍ୟାଗ ଜବତ କରିଛି। ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ବସ୍ଥ ଖଜୁରିଆର ଏହି କୋଠାରେ ଦୁର୍ବୃତ୍ତମାନେ ଉକ୍ତ ବ୍ୟାଗଟିକୁ ଛାଡ଼ି ପଳାଇଛନ୍ତି। ବ୍ୟାଗରୁ ୩୦ରୁ ଅଧିକ ବୋମାକୁ ପୁଲିସ ଜବତ କରିଛି। ପୁଲିସ ପକ୍ଷରୁ ପାଟ୍ରୋଲିଂ ଚାଲିଥିଲା। ଏହି ସମୟରେ ଦୁର୍ବୃତ୍ତମାନେ ପୁଲିସ ଗାଡ଼ି ଦେଖି ଉକ୍ତ କୋଠାରେ ବ୍ୟାଗକୁ ଲୁଚାଇ ଫେରାର ହୋଇଯାଇଥିଲେ। ପୁଲିସ ସନ୍ଦେହରେ ବ୍ୟାଗ ଯାଞ୍ଚ କରିବା ସମୟରେ ସେଥିରେ ବୋମା ରହିଥିବା ଜଣାପଡ଼ିଥିଲା। ପୁଲିସ ବୋମାଗୁଡ଼ିକୁ ନିଷ୍କ୍ରିୟ କରିବାକୁ ଯୋଜନା କରୁଥିବାବେଳେ ଘଟଣାର ଅଧିକ ତଦନ୍ତ ଚଳାଇଛି।



