ଗ୍ରାମବାସୀଙ୍କୁ ଜଳକଷ୍ଟରୁ ଉଦ୍ଧାରିବାର ପଣ
ଭୋପାଳ : ଭୀଷଣ ଗରମରେ ମରୁଡିଗ୍ରସ୍ତ ବୁନ୍ଦେଲଖଣ୍ଡ ଅଞ୍ଚଳରେ ଜଳସଙ୍କଟ ଉତ୍କଟ ରୂପ ଧାରଣ କରିଛି। ପ୍ରାକୃତିକ ଜଳଉତ୍ସ ଶୁଖିଯାଉଥିବା ବେଳେ ନଳକୂଅ ଏବଂ ପମ୍ପରେ ମଧ୍ୟ ପାଣି ଆସିବା ସ୍ୱପ୍ନ ପାଲଟିଯାଉଛି। ଏପରି ସ୍ଥିତିରେ ଟୋପାଏ ପାଣି ପାଇଁ ଡହଳବିକଳ ହେଉଥିବା ସ୍ଥାନୀୟ ଗ୍ରାମଗୁଡିକର ବାସିନ୍ଦାଙ୍କ ଲାଗି ଆଦିବାସୀ ମହିଳାମାନଙ୍କର ଏକ ଦଳ ଦେବଦୂତ ଭାବେ କାମ କରୁଛନ୍ତି। ଗାଁଲୋକେ ସେମାନଙ୍କୁ ନଳକୂଅ ମାଉସୀ (ଟ୍ୟୁବ୍ୱେଲ ଚାଚି) ବୋଲି ଡାକୁଛନ୍ତି।
ଖରାତାତିକୁ ଖାତିର ନକରି ଏହି ମହିଳାମାନେ ଖବର ପାଇବା ମାତ୍ରେ ରେଞ୍ôଚ ନେଇ ଗୋଟିଏ ଗାଁରୁ ଆଉ ଗୋଟିଏ ଗାଁକୁ ପହଞ୍ଚିଯା’ନ୍ତି ଏବଂ ଟ୍ୟୁବ୍ୱେଲ ମରାମତିରେ ଲାଗିଯା’ନ୍ତି। ଛତରପୁରର ଘୁୱାରା ଅନ୍ତର୍ଗତ ଝିରିୟାଝୋର ଗ୍ରାମର ବାସିନ୍ଦା ଏହି ମହିଳାମାନଙ୍କୁ ବେଳେବେଳେ ୫୦କିଲୋମିଟର ଦୂରରେ ଥିବା କୌଣସି ଗ୍ରାମରୁ ମଧ୍ୟ ନଳକୂଅ ସଜାଡିବା ଲାଗି ଡକରା ଆସିଥାଏ। ଆମକୁ ସୂଚନା ମିଳିବା ମାତ୍ରେ ଆମେ ତୁରନ୍ତ ସେଠାରେ ପହଞ୍ଚିଯାଉ ବୋଲି ଦଳର ନେତ୍ରୀ ସୀମା କହନ୍ତି। ଗ୍ରାମବାସୀ ମଧ୍ୟ ଏମାନଙ୍କ ଉପରେ ଏତେ ଭରସାଶୀଳ ଯେ ସେମାନଙ୍କ କହିବାନୁସାରେ, ଜନସ୍ୱାସ୍ଥ୍ୟ ବିଭାଗର ଯନ୍ତ୍ରୀମାନେ ଟ୍ୟୁବ୍ୱେଲ ସଜାଡିବା ଲାଗି ଆସିବା ବେଳକୁ ଖୁବ୍ ଡେରି ହୋଇଯାଉଛି। ଏହି ମାଉସୀମାନେ ହିଁ ସେମାନଙ୍କର ଜୀବନ ବଞ୍ଚାଉଛନ୍ତି। ଚଳିତବର୍ଷ ସେମାନେ ଶହେରୁ ଅଧିକ ଟ୍ୟୁବ୍ୱେଲ ସଜାଡିଥିବା ଜଣାଯାଇଛି। ଦଳର ଜଣେ ସଦସ୍ୟ ମୀରା କହନ୍ତି- ଜଳକଷ୍ଟ ଭୋଗୁଥିବା ଗ୍ରାମବାସୀଙ୍କ ଦୁର୍ଦଶା ଆମେ ଭଲଭାବେ ବୁଝିପାରୁ। ଏବେ ମରୁଡି ଯୋଗୁ ଆମ କାମ ବଢିଯାଇଥିଲେ ମଧ୍ୟ ଆମେ ଏଥିପାଇଁ ଚିନ୍ତା କରୁନାହିଁ। ପୁରୁଷପ୍ରଧାନ ଅଞ୍ଚଳରେ ସେବାର ପ୍ରତୀକ ପାଲଟିଥିବା ଏହି ମହିଳାମାନଙ୍କୁ ଜିଲାପାଳ ରମେଶ ଭଣ୍ଡାରୀ ଖୁବ୍ ପ୍ରଶଂସା କରିଛନ୍ତି। ପ୍ରଶାସନ ଏମାନଙ୍କୁ ଆବଶ୍ୟକ ସରଞ୍ଜାମ ଯୋଗାଇଦେବା ସହିତ ସେମାନଙ୍କୁ ଆହୁରି କୁଶଳୀ କରିବା ଲାଗି ପଦକ୍ଷେପ ନେଉଥିବା କଥା ଜଣାଇଛନ୍ତି ସେ।