ପ୍ରୟାସ ସର୍ବକନିଷ୍ଠ ଆଇପିଏଲ୍ ଖେଳାଳି
ହାଇଦରାବାଦ : ଆଇପିଏଲ୍ ମ୍ୟାଚ୍ ଖେଳିବାରେ ସର୍ବକନିଷ୍ଠ ଖେଳାଳି ହୋଇଛନ୍ତି ପ୍ରୟାସ ରାୟ ବର୍ମନ। ରବିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ପାଇଁ ସନ୍ରାଇଜର୍ସ ହାଇଦରାବାଦ ବିପକ୍ଷରେ ମ୍ୟାଚ୍ ଖେଳିବା ସହ ଯୁବ ଲେଗ୍ସ୍ପିନର ପ୍ରୟାସ ରାୟ ବର୍ମନ ଏହି କୃତିତ୍ବ ହାସଲ କରିଛନ୍ତି। ମାତ୍ର ୧୬ ବର୍ଷ ୧୫୭ ଦିନ ବୟସରେ ପ୍ରୟାସ ଜୀବନର ସର୍ବପ୍ରଥମ ଆଇପିଏଲ୍ ମ୍ୟାଚ୍ ଖେଳିଥିଲେ। ତାଙ୍କ ପୂର୍ବରୁ ସର୍ବକନିଷ୍ଠ ଆଇପିଏଲ୍ ଖେଳାଳି ହେବାର ଗୌରବ ଆଫ୍ଗାନିସ୍ତାନର ଅଫ୍ସ୍ପିନର ମୁଜିବୁର୍ ରେହ୍ମାନଙ୍କୁ ମିଳିଥିଲା। ମୁଜିବୁର ୧୭ ବର୍ଷ ୧୧ ଦିନ ବୟସରେ କିଙ୍ଗ୍ସ ଏକାଦଶ ପଞ୍ଜାବ ପାଇଁ ଜୀବନର ପ୍ରଥମ ଆଇପିଏଲ୍ ମ୍ୟାଚ୍ ଖେଳିଥିଲେ। ୧୬ ବର୍ଷ ବୟସରେ ବିଜୟ ହଜାରେ ଟ୍ରଫି ଖେଳି ପ୍ରୟାସ ରାୟ ବର୍ମନ ବଙ୍ଗଳା ପାଇଁ ସର୍ବାଧିକ ୱିକେଟ ନେଇଥିଲେ। ଏହାପରେ ଗତ ଆଇପିଏଲ୍ ନିଲାମରେ ପ୍ରୟାସଙ୍କୁ ଦେଢ଼ କୋଟି ଟଙ୍କାରେ ଆର୍ସିବି କିଣିଥିଲା। ଏହି ମ୍ୟାଚ୍ରେ ପ୍ରୟାସଙ୍କୁ ପ୍ରଥମ ସୁଯୋଗ ମିଳିଥିଲେ ହେଁ ତାଙ୍କୁ ସଫଳତା ମିଳିନଥିଲା। ୪ ଓଭରରୁ ପ୍ରୟାସ ୫୬ ରନ୍ ଦେଇଥିଲେ ଏବଂ ୱିକେଟ ପାଇନଥିଲେ। ପ୍ରଥମ ଓଭରରେ ପ୍ରୟାସ ୬ ରନ୍ ଦେଇଥିଲେ ହେଁ ଜନି ବେୟାରଷ୍ଟୋ ଓ ଡେଭିଡ୍ ୱାର୍ଣ୍ଣରଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁଁ ପରବର୍ତ୍ତୀ ୩ ଓଭରରୁ ସେ ୫୦ ରନ୍ ଦେଇଥିଲେ। ସର୍ବକନିଷ୍ଠ ଆଇପିଏଲ୍ ଖେଳାଳି ତାଲିକାରେ ଥିବା ପରବର୍ତ୍ତୀ ୩ ଜଣ ହେଲେ ଭାରତୀୟ। ସର୍ଫରାଜ ଖାଁ ୧୭ ବର୍ଷ ୧୭୭ ଦିନ, ପ୍ରଦୀପ ସାଙ୍ଗୱାନ ୧୭ ବର୍ଷ ୧୭୯ ଦିନ ଓ ୱାଶିଂଟନ ସୁନ୍ଦର ୧୭ ବର୍ଷ ୧୯୯ ଦିନ ବୟସରେ ପ୍ରଥମ ଆଇପିଏଲ୍ ମ୍ୟାଚ୍ ଖେଳିଥିଲେ।