ଭାରତୀୟ ମଜଦୁର ସଂଘ ୧୭ତମ ପ୍ରାଦେଶିକ ଅଧିବେଶନ ଉଦ୍‍ଘାଟିତ

କେନ୍ଦୁଝରଗଡ : କେନ୍ଦୁଝର ଅଡିଟୋରିୟମଠାରେ ଭାରତୀୟ ମଜଦୁର ସଂଘ ଓଡିଶା ପ୍ରଦେଶର ୧୭ତମ ତ୍ରୟବାର୍ଷିକ ପ୍ରାଦେଶିକ ଅଧିବେଶନ ଶନିବାର ଉଦ୍‍ଘାଟିତ ହୋଇଯାଇଛି। କେନ୍ଦୁଝର ଜିଲା ବିଏମଏସ ସଭାପତି ନିହାର ରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦ୍‍ଘାଟନୀ ସମାରୋହକୁ ଅଖିଳ ଭାରତୀୟ ଅଧକ୍ଷ ହିରଣ୍ମୟ ପାଣ୍ଡ୍ୟା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସ୍ୱାଗତ କମିଟି ଅଧକ୍ଷ ତଥା ଓଡିଶା ସରକାରଙ୍କ ପବ୍ଲିକ ଆକାଉଣ୍ଟ କମିଟି ଚେୟାରମ୍ୟାନ ତଥା କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ ମଞ୍ଚାସୀନ ସମସ୍ତ ଅତିଥି ଏବଂ ଓଡିଶାର ୩୦ଟି ଜିଲାରୁ ଉପସ୍ଥିତ ପ୍ରତିନିଧିମାନଙ୍କୁ ସ୍ୱାଗତ କରିବା ସହିତ ଭାରତୀୟ ମଜଦୁର ସଂଘ ପ୍ରତିଷ୍ଠାତା  ଦତ୍ତାତ୍ରେୟ ବପୁରାଓ ଠେଙ୍ଗଣିଜୀଙ୍କ ସ୍ମୃତିଚାରଣ କରିଥିଲେ। ଶ୍ରୀ ମାଝୀ ଭାରତୀୟ ମଜଦୁର ସଂଘର ଶ୍ରମିକ ଉତ୍ଥାନ ନିମିତ୍ତ ପଦକ୍ଷେପ ଓ ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ। ବିଏମଏସ ଏକ ଅଣ ରାଜନୈତିକ ସଙ୍ଗଠନ ଓ ଏହାର ସଫଳ ନେତୃତ୍ୱ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱର ଉଦାହାରଣ ସୃଷ୍ଟି କରିଛି। ଅନେକ ଦେଶ ଆଜିର ଦିନରେ ବିଏମଏସକୁ ଅନୁକରଣ କରୁଛନ୍ତି। ବିଏମଏସ ଜି-୨୦ର ନେତୃତ୍ୱ ନେଇ ସମସ୍ତ ସଦସ୍ୟ ଦେଶ ଦ୍ୱାରା ପ୍ରଶଂସିତ ହୋଇ ପାରିଛି, ଏଣୁ ଏଠାରେ ଉପସ୍ଥିତ ସମସ୍ତ ବିଏମଏସ ସଦସ୍ୟ ନିଜକୁ ଗୌରବାନ୍ୱିତ ମନେ କରିଥିଲେ ।

ବିଏମଏସ ରାଜ୍ୟ ସଭାପତି ପୃଥ୍ୱୀରାଜ ପଣ୍ଡା ତ୍ରୟବାର୍ଷିକ ଅଧିବେଶନର ଉଦ୍ଦେଶ୍ୟ ସରକାରୀତନ୍ତ୍ରର ଶ୍ରମିକ ବିରୋଧୀ ମନୋଭାବ ଉପରେ ଆଲୋକପାତ କରିଥିଲେ। ମୁଖ୍ୟଅତିଥି ଅଖିଳ ଭାରତୀୟ ଅଧକ୍ଷ ହିରନ୍ମୟ ପାଣ୍ଡ୍ୟା ଦ୍ୱି-ଦିବସୀୟ ଅଧିବେଶନର ସଫଳତା କାମନା କରିଥିଲେ। ଏଥିସହ ଦିନଥିଲା ବିଏମଏସ ସଙ୍ଗଠନକୁ ସମସ୍ତେ ପରିହାସ କରୁଥିଲେ ଆଜି ଦିନରେ ବିଏମଏସ ସଙ୍ଗଠନକୁ ସମସ୍ତେ ଭୟର ସହିତ ସମ୍ମାନ କରୁଛନ୍ତି। ଏହା କେବଳ କାର୍ଯ୍ୟକର୍ତ୍ତା ମାନଙ୍କ ନିରନ୍ତର ପ୍ରୟାସ ଓ କଠିନ ପରିଶ୍ରମ କାରଣରୁ ସମ୍ଭବ ହୋଇପାରିଛି ବୋଲି କହିଥିଲେ। ଅନେକ ବର୍ଷ ଧରି ଭାରତୀୟ ମଜଦୁର ସଂଘ କେବଳ ଦେଶର ନଂ ୧ ଶ୍ରମିକ ସଙ୍ଗଠନ ହୋଇ ରହିନାହିଁ, ଆଜିର ଦିନରେ ବିଏମଏସ ବିଶ୍ୱର ନଂ-୧ ଶ୍ରମିକ ସଙ୍ଗଠନ ମାନ୍ୟତା ହାସିଲ କରି ପାରିଛି ବୋଲି ବିଶ୍ୱର ଅନେକ ବଡ ବଡ ଦେଶ ସ୍ୱୀକାର କରୁଛନ୍ତି।

ଦେଶର ଅନେକ ସଙ୍ଗଠନ ପ୍ରତିଷ୍ଠାର ପରବର୍ତ୍ତୀ ସମୟରେ ଅନେକ ଥର ବିଭାଜିତ ହୋଇଥିବା ବେଳେ, ବିଏମଏସ ୬୮ବର୍ଷ ଧରି ଲୌହସ୍ତମ୍ଭ ଭଳି ଦଣ୍ଡାୟମାନ ହୋଇ ରହିଛି। ବ୍ରିକ୍ସ ସମ୍ମିଳିତ ଦେଶ ମାନେ ବିଏମଏସ ସହିତ ମିଶି ଶ୍ରମିକ ମାନଙ୍କ ଉନ୍ନତିକ୍ଷେତ୍ରରେ କାର୍ଯ୍ୟ କରିବାକୁ ବିଏମଏସକୁ ଅନୁରୋଧ କରୁଛନ୍ତି। ବିଏମଏସର କାର୍ଯ୍ୟକର୍ତ୍ତାମାନେ ପଦପଦବୀ ପାଇଁ ଲଢେଇ ନକରି ନିରନ୍ତର ଭାବେ କାର୍ଯ୍ୟ କରି ଆସୁଛନ୍ତି ଓ ଆନ୍ଦୋଳନ ମାଧ୍ୟମରେ ଦାବି ହାସଲ କରିବାରେ ସମର୍ଥ ହୋଇଛନ୍ତି । ୨୦୧୪ପରେ ବିଏମଏସ ଦେଶରେ ଅନେକ ଆନ୍ଦୋଳନ କରିଛି, କିନ୍ତୁ ଅନ୍ୟ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ମାନେ କାହିଁକି ପ୍ରଶାସନ ଓ ପ୍ରବନ୍ଧନକୁ ଜାଗ୍ରତ କରିବାକୁ ଆନ୍ଦୋଳନ କରୁ ନାହାଁନ୍ତି ଏହା ଦେଶର ଶ୍ରମିକ ମାନେ ସେମାନଙ୍କୁ ପ୍ରଶ୍ନ କରିବା ଆବଶ୍ୟକ ବୋଲି ଶ୍ରୀ ପାଣ୍ଡ୍ୟା ପ୍ରଶ୍ନ କରିଛନ୍ତି।

ଶ୍ରୀ ପାଣ୍ଡ୍ୟା ଯୋଜନା ଶ୍ରମିକମାନଙ୍କୁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଉଥିବା ବେଳେ ସେମାନଙ୍କ ଦାବି ପୂରଣ କରୁନଥିବା ବିଷୟକୁ ନେଇ ଦୁଃଖ ପ୍ରକାଶ କରି ରାଜ୍ୟ ସରକାର ଅବିଳମ୍ବେ ସେମାନଙ୍କ ଦାବି ପୂରଣ ଉପରେ କାର୍ଯ୍ୟ କରିବା ପାଇଁ କହିଥିଲେ। ଓଡିଶା ପ୍ରକୃତିକ ସମ୍ପଦରେ ଭରି ରହିଥିବା ସତ୍ତେ୍ୱ ରାଜ୍ୟର ଲୋକେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଏହାକୁ କେଉଁ ପ୍ରକାର ବିକାଶ କୁହାଯିବ? ମହିଳା ମାନଙ୍କ ସଶକ୍ତିକରଣ ଉପରେ ବିଏମଏସ ସର୍ବଦା ଚିନ୍ତନ କରିଆସୁଅଛି ଓ ଆଗକୁ କରିବ ମଧ୍ୟ । ଆଜି ଓଡିଶାର ଅନେକ ବୁଦ୍ଧିଜୀବୀ ଜ୍ଞାନୀଗୁଣି ଦେଶର ନେତୃତ୍ୱ ନେଉଛନ୍ତି। ଆଗକୁ ଆସୁଥିବା ଶ୍ରମିକ ମାନଙ୍କ ପ୍ରତି ବିପଦ, ବୈଷୟିକ ପରିବର୍ତ୍ତନକୁ ନେଇ ଉପସ୍ଥିତ ପ୍ରତିନିଧି ମାନଙ୍କ ଶ୍ରୀ ପାଣ୍ଡ୍ୟା ଦୃଷ୍ଟି ଆକର୍ଷଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପଦ୍ମଶ୍ରୀ ଦୈତାରୀ ନାୟକ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ଶ୍ରମିକ ପ୍ରତିନିଧିମାନଙ୍କୁ ଆର୍ଶିବଚନ ପ୍ରଦାନ କରିଥିଲେ। ଏହି ଦ୍ୱି-ଦିବସୀୟ ଅଧିବେଶନରେ ରାଜ୍ୟର ବିଭିନ୍ନ ଜିଲାରୁ ୧ହଜାରରୁ ଉର୍ଦ୍ଧ ଶ୍ରମିକ ପ୍ରତିନିଧି ଅଂଶଗ୍ରହଣ କରିଥିବା ବେଳେ ରବିବାର ଏହାର ଉଦ୍‍ଯାପନୀ ସମାରୋହ ସମେତ ଆଗାମୀ ୩ବର୍ଷ ପାଇଁ ରାଜ୍ୟ ସଙ୍ଗଠନର କର୍ମକର୍ତ୍ତା ନିର୍ବାଚିତ କରାଯିବ।

Comments are closed.