‘ଯୁଗଶ୍ରୀ ଯୁଗନାରୀ’ର ବାର୍ଷିକ ସାରସ୍ୱତ ଓ ସମ୍ବର୍ଦ୍ଧନା ସମାରୋହ

ଭୁବନେଶ୍ୱର: ‘ଯୁଗଶ୍ରୀ ଯୁଗନାରୀ’ର ବାର୍ଷିକ ସାରସ୍ୱତ ଓ ସମ୍ବର୍ଦ୍ଧନା ସମାରୋହ ଗୀତଗୋବିନ୍ଦ ଭବନରେ ପତ୍ରିକାର ସମ୍ପାଦିକା ମମତା ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଯାଇଛି। ସଭା ଆରମ୍ଭରେ ଦିବଂଗତ ବିିଶିଷ୍ଟ କଣ୍ଠଶିଳ୍ପୀ ପ୍ରଫୁଲ୍ଳ କରଙ୍କ ବିୟୋଗରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ‘ଯୁଗଶ୍ରୀ ଯୁଗନାରୀ’ ସହ-ସମ୍ପାଦିକା ଡ. ପ୍ରଭାବତୀ ପଣ୍ଡା ଅତିିଥି ପରିିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ମୁଖ୍ୟଅତିଥି ଭାବେ ପଦ୍ମଶ୍ରୀ ଡ. ଦେବୀପ୍ରସନ୍ନ ପଟ୍ଟନାୟକ ଯୋଗଦେଇ ନାରୀ ସଶକ୍ତିକରଣରେ ଯୁଗଶ୍ରୀ ଯୁଗନାରୀ ପତ୍ରିକା ଗୁରୁତ୍ୱ ଦେଉଥିବାରୁ ଏହାର ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ବିଶିଷ୍ଟ ପରିବେଶବିତ୍ ପଦ୍ମଶ୍ରୀ ସାବରମତୀ କୃଷି କାର୍ଯ୍ୟ ଓ ଚାରା ରୋପଣ ପାଇଁ ଆହ୍ବାନ ଦେଇଥିଲେ। ବିଶିଷ୍ଟ ସାହିତ୍ୟିକ ବିଜୟ ନାୟକ ଏବଂ ଡ. ଶକୁନ୍ତଳା ବଳିଆରସିଂହ ବକ୍ତବ୍ୟ ରଖିଥିଲେ। ପତ୍ରିକାର ସମ୍ପାଦିକା ମମତା ମହାପାତ୍ର ପତ୍ରିକାର ବହୁମୁଖୀ ଗୁଣବତ୍ତା ଓ ଆଭିମୁଖ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ।
ବରିଷ୍ଠ ସାରସ୍ୱତ ସାଧକ ସର୍ବଶ୍ରୀ ଶାନ୍ତନୁ ଆଚାର୍ଯ୍ୟ, ଅଧ୍ୟାପକ ବିଶ୍ୱରଞ୍ଜନ, ବସନ୍ତ ପଣ୍ଡା, ବନଜା ଦେବୀ, ଗୌରହରି ଦାସ, କର୍ଣ୍ଣେଲ ଶରତ ମହାପାତ୍ର, ଉପେନ୍ଦ୍ର ପ୍ରସାଦ ନାୟନ, ଡଃ ପ୍ରଭାସ ଆଚାର୍ଯ୍ୟ, ପୀତବାସ ରାଉତରାୟ, ଇନ୍ଦିରା ଦାଶ, ବ୍ରତତୀ ଦାସ, ମୀନାକ୍ଷୀ ରାଉତରାୟ, କନକ ମଞ୍ଜରୀ ସାହୁ, କୁସୁମ ପଟେଲ ପ୍ରମୁଖ ସାରସ୍ବତ ସାଧକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ଏହି ଉତ୍ସବରେ ଯୁଗଶ୍ରୀ ଯୁଗନାରୀ ସମାଜସେବା ସମ୍ମାନ ସାବରମତୀ, ସାରସ୍ୱତ ସମ୍ମାନ ଡ. ପ୍ରଭାତୀ ମିଶ୍ର, ବିଶିଷ୍ଟ ସାହିତ୍ୟିକା, ଶ୍ରେଷ୍ଠ ସଂପାଦିକା ସମ୍ମାନ ସବିତାରାଣୀ ବେହେରା, ଚିତ୍ରଶିଳ୍ପୀ ସମ୍ମାନ ଶିଳ୍ପୀ କେଶୁ ଦାସ ଓ ପରିବେଶ ସୁରକ୍ଷା ସମ୍ମାନ: ପାରାଦ୍ୱୀପ ଫସଫେଟ ଲିମିଟେଡ ପ୍ରଦାନ କରାଯାଇଥିଲା। ଅଧ୍ୟାପକ କମଳାକାନ୍ତ ଦାଶଙ୍କ ବ୍ୟଙ୍ଗ କବିତା ପୁସ୍ତକ ‘କରନ୍ତି ଅଙ୍ଗେ ଅନେକ ଛାପ’, ଗୀତାଞ୍ଜଳିି ପଟ୍ଟନାୟକଙ୍କ ଗଳ୍ପ ପୁସ୍ତକ ‘ନୂଆ ସକାଳ’, ଡାକ୍ତର ଅନୀତା ପଣ୍ଡାଙ୍କର ଉପନ୍ୟାସ ‘କୈଶୋର୍ଯ୍ୟ କସ୍ତୁରୀ’ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ‘ଯୁଗଶ୍ରୀ ଯୁଗନାରୀ’ ଏପ୍ରିଲ-୨୦୨୨ ସଂଖ୍ୟାର ଶୁଭ ଉନ୍ମୋଚନ ହୋଇଥିଲା। ସୁଶ୍ରୀ ଗୀତାଞ୍ଜଳି ସିଂହ ମଞ୍ଚ ଆହ୍ୱାନ କରିଥିବା ବେଳେ ସହିଦନଗର ଆର୍ଯ୍ୟ ମହିଳା ସମତି ବେଦପାଠ କରିଥିଲେ। ସୁଶ୍ରୀ ଦୀପ୍ତି ଦାସ ସଂଯୋଜନା କରିଥିଲା ବେଳେ ଡକ୍ଟର ମିନାକ୍ଷୀ ପଣ୍ଡା, ଡ. ସୁଷମା ମିଶ୍ର, ଡ. ଗାୟତ୍ରୀ କର, ଡ. ରିଚା ମହାପାତ୍ର, ମାନି ଦାଶ, ବସନ୍ତ ପ୍ରଧାନ ସଭା ପରିଚାଳନାରେ ସହାୟତା କରିଥିଲେ। ଅଧ୍ୟାପକ କମଳାକାନ୍ତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.