ଟଙ୍କା ଚିନ୍ତା ଚମତ୍କାର!
ଗୁରୁବାର ଟଙ୍କାକୁ ନେଇ ଦୁଇଟି ଖବର ଦେଶର ନେତୃବର୍ଗଙ୍କୁ ବେଶ୍ ଚିନ୍ତାରେ ପକାଇଥିବ ବୋଲି ଆମେ ଭାବୁଛୁ। ପ୍ରଥମଟି ଟଙ୍କାର ସର୍ବାଧିକ ମୂଲ୍ୟହ୍ରାସ ଓ ଦ୍ବିତୀୟଟି ସୁଇସ୍ ବ୍ୟାଙ୍କରେ ଭାରତୀୟଙ୍କ କଳାଧନର ପରିମାଣ ବର୍ଷକ ଭିତରେ ପଚାଶ ଶତାଂଶ ବୃଦ୍ଧି। ଏ ଦୁଇଟିଯାକର ଭାରତୀୟ ଅର୍ଥବ୍ୟବସ୍ଥା ଉପରେ କୁପ୍ରଭାବ ବେଶ୍ ସୁଦୃଶ୍ୟ। ଅତଏବ ସରକାରଙ୍କ ପକ୍ଷରୁ ପ୍ରତିକାରାତ୍ମକ ଉପାୟ ଚିନ୍ତା କରାଯିବା ଆଶା ଅପେକ୍ଷଣୀୟ।
ଆମେରିକୀୟ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ସର୍ବାଧିକ ହ୍ରାସ ଘଟି ୬୯ ଟଙ୍କା ୧୦ ପଇସାରେ ପହଞ୍ଚିବା ଖୁବ୍ ଉଦ୍ବେଗଜନକ। ତୈଳ ବିପଣନକାରୀ କମ୍ପାନୀଗୁଡ଼ିକରେ ମାସ ଶେଷଆଡ଼କୁ ଡଲାରର ଚାହିଦା ଅଧିକ ହେଉଥିବାରୁ ଭାରତୀୟ ଟଙ୍କା ସେତେବେଳେ ଦୁର୍ବଳ ହୋଇଯାଏ, ଏହା ଠିକ୍; କିନ୍ତୁ ଏଥର ଟଙ୍କାର ମୂଲ୍ୟହ୍ରାସ ପଛରେ ଆନ୍ତର୍ଜାତିକ ଆର୍ଥିକ-ରାଜନୈତିକ ପରିସ୍ଥିତି ମଧ୍ୟ ଖୁବ୍ ଦାୟୀ, ତାକୁ ଅସ୍ବୀକାର କରିହେବ ନାହିଁ। ବିଶ୍ବବଜାରରେ ଅଶୋଧିତ ତୈଳଦର ବୃଦ୍ଧି ଏହାର ଏକ ପ୍ରମୁଖ କାରଣ। ଗତ ବୁଧବାର ଆମେରିକା ଭାରତ ଓ ଚୀନ ସମେତ ବହୁ ଦେଶକୁ ଚେତାବନୀ ଦେଇଥିଲା ଯେ ଆଗାମୀ ୪ ନଭେମ୍ବର ପର୍ଯ୍ୟନ୍ତ ଇରାନରୁ ଅଶୋଧିତ ତୈଳ ଆମଦାନୀ କରିବା ସେମାନେ ବନ୍ଦ କରନ୍ତୁ; ନଚେତ୍ କଟକଣା ଭୋଗିବା ପାଇଁ ପ୍ରସ୍ତୁତ ରହନ୍ତୁ। ଏହାର ଅର୍ଥ ହେଲା ଆଗାମୀ ତିନିମାସ ମଧ୍ୟରେ ଇରାନରୁ ତୈଳ ଆମଦାନୀ ବନ୍ଦ କରିବା ପାଇଁ ଆମେରିକା ସିଧାସଳଖ କହିଛି। ଏହି ଘୋଷଣା ପରେ ଆନ୍ତର୍ଜାତିକ ସ୍ତରରେ ଅଶୋଧିତ ତୈଳ ମୂଲ୍ୟରେ ଅଧିକ ବୃଦ୍ଧି ଘଟିଥିବା ଲକ୍ଷ୍ୟ କରାଯାଇଛି।
କେବଳ ଯେ ତୈଳଦର ପାଇଁ ଟଙ୍କାର ମୂଲ୍ୟ ହ୍ରାସ ଘଟିଛି, ତାହା ନୁହେଁ; ଏଥିପାଇଁ ଆମେରିକା ଓ ଚୀନ ମଧ୍ୟରେ ଜାରି ବାଣିଜ୍ୟଯୁଦ୍ଧର ପ୍ରଭାବ ମଧ୍ୟ ରହିଥାଇପାରେ; କାରଣ ଏଥିରେ ଏବେ ଭାରତ ବି ନିଜକୁ କିଛି ପରିମାଣରେ ସାମିଲ କରିଛି। ଇତିମଧ୍ୟରେ ଭାରତ ପକ୍ଷରୁ କେତେକ ଆମେରିକୀୟ ବସ୍ତୁ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କରାଯାଇଛି। ଅନ୍ୟପକ୍ଷରେ ଭାରତ ଇରାକ ଓ ସାଉଦି ଆରବ ପରେ ଇରାନରୁ ହିଁ ସର୍ବାଧିକ ଅଶୋଧିତ ତୈଳ ଆମଦାନୀ କରୁଥିବାରୁ ଆମେରିକାର ଚେତାବନୀ ନିଶ୍ଚୟ ସମସ୍ୟା ସୃଷ୍ଟି କରିବ। ଗତଥର ଇରାନ ଉପରେ କଟକଣା ଲାଗିଥିବା ସତ୍ତ୍ବେ ଭାରତ ସେଠାକୁ ଆମଦାନୀ ବନ୍ଦ କରିନଥିଲା; ତେବେ ଆମେରିକା ସରକାର ସହିତ ଆଲୋଚନା ପରେ ତା’ର ପରିମାଣ ଅବଶ୍ୟ କମାଇ ଦେଇଥିଲା। ଆମେରିକା ସେତେବେଳେ ଭାରତୀୟ କମ୍ପାନୀଗୁଡ଼ିକ ଉପରେ କଟକଣା ଲଗାଇ ନଥିଲା; କିନ୍ତୁ ଏେବ ସେ ଯେଉଁ କଡ଼ା ଆଭିମୁଖ୍ୟ ପ୍ରକାଶ କରିଛି, ତାହା ନିକଟ ଭବିଷ୍ୟତରେ ଟଙ୍କା ଉପରେ ଅଧିକ ଚାପ ସୃଷ୍ଟି କରିବାର ଆଶଙ୍କା ରହିଛି। ଅତଏବ ଏଥିପାଇଁ ସରକାରଙ୍କୁ ଏବେଠାରୁ ନୂତନ ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ।
ଆହୁରି ମଧ୍ୟ ଆମେରିକା ନିଜର ମୁଦ୍ରାନୀତିକୁ ଅଧିକ କଡ଼ାକଡ଼ି କରିଥିବାରୁ ବିକାଶଶୀଳ ଦେଶଗୁଡ଼ିକର ମୁଦ୍ରା ଚାପଗ୍ରସ୍ତ ହୋଇଛି। ଗତ କେଇ ମାସ ଭିତରେ ବିନିଯୋଗକାରୀମାନେ ଆମେରିକାରେ ଅଧିକ ଫାଇଦା ପାଇବେ ବୋଲି ଭାରତରୁ ବିପୁଳ ପରିମାଣର ପୁଞ୍ଜି ପ୍ରତ୍ୟାହାର କରିନେଇଥିବା ଦେଖିବାକୁ ମିଳିଛି। ଆଗାମୀ ସମୟରେ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ସୁଧହାର ବୃଦ୍ଧି କରିବା ପାଇଁ ଚିନ୍ତା କରୁଥିବାରୁ ଆଗକୁ ଭାରତ ପାଇଁ ଅଧିକ ସଙ୍କଟ ସୃଷ୍ଟି ହେବା ଥୟ। ତେଣୁ ଭାରତକୁ ଏଭଳି କିଛି ନୂଆ ପ୍ରତିକାରାତ୍ମକ ବ୍ୟବସ୍ଥା କଥା ଚିନ୍ତା କରିବାକୁ ପଡ଼ିବ, ଯାହା ଏଥିରୁ ତାକୁ ସୁରକ୍ଷା ଦେଇପାରିବ; ନଚେତ ଅର୍ଥବ୍ୟବସ୍ଥା ଅଧିକ ବିପର୍ଯ୍ୟସ୍ତ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ।
ସେହିପରି କଳାଧନ ନେଇ ସୁଇସ୍ ବ୍ୟାଙ୍କର ତାଜା ତଥ୍ୟ ଭାରତର ଚିନ୍ତା ବଢ଼ାଇବା ପାଇଁ ଯଥେଷ୍ଟ। ଏଥିରେ କୁହାଯାଇଛି ଯେ ୨୦୧୭ ଆର୍ଥିକ ବର୍ଷରେ ଭାରତୀୟ କଳାଧନ ଜମାରେ ପଚାଶ ଶତାଂଶ ବୃଦ୍ଧି ପାଇ ୭୦୦୦ କୋଟି ଟଙ୍କାରେ ପହଞ୍ଚିଛି। ମୋଦି ସରକାର ବିମୁଦ୍ରାୟନ କରି କଳାଟଙ୍କା ରୋକିବେ ବୋଲି ଯେଉଁ ବାହୁସ୍ଫୋଟ ଦେଖାଇଦେଲେ, ତାହା ନିଷ୍ଫଳ ସାବ୍ୟସ୍ତ ହୋଇଛି, ସେଥିରେ ସନ୍ଦେହ ନାହିଁ। ଅବଶ୍ୟ କଳାଧନ ରୋକିବାକୁ କେନ୍ଦ୍ର ସରକାର ପ୍ରଥମ କ୍ୟାବିନେଟ୍ ବୈଠକରେ ହିଁ ଏସ୍ଆଇଟି ଗଠନ କରିଥିଲେ ଏବଂ କଳାଧନ ଜମାକାରୀଙ୍କ ବିରୋଧରେ ଅଭିଯାନ ଚଳାଇଥିବା କହିଆସୁଛନ୍ତି। ଏହାସତ୍ତ୍ବେ ସୁଇସ୍ ବ୍ୟାଙ୍କରେ କଳାଧନ ପରିମାଣ ବଢ଼ିବା ବସ୍ତୁତଃ ସମଗ୍ର କଳାଧନ ନିରୋଧ ବ୍ୟବସ୍ଥାର ବିଫଳତାକୁ ହିଁ ଦର୍ଶାଉଛି। ବିମୁଦ୍ରାୟନ ପରେ ସରକାର ନୂଆ ୫ ଶହ ଓ ୨ ହଜାର ଟଙ୍କିଆ ନୋଟ୍ ପ୍ରଚଳନ କରିଥିଲେ। ସେତେବେଳେ ଏହା କଳାଟଙ୍କା ଜମା ପାଇଁ ପ୍ରୋତ୍ସାହନ ଦେବ ବୋଲି ଯେଉଁ ଆଶଙ୍କା ପ୍ରକାଶ ପାଇଥିଲା, ତାହା ସତ୍ୟ ସାବ୍ୟସ୍ତ ହୋଇଛି। ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଭାରତ ଓ ସୁଇଜରଲାଣ୍ଡ୍ ସରକାରଙ୍କ ମଧ୍ୟରେ କଳାଟଙ୍କା ନେଇ ଆଲୋଚନା ହେବାପରେ ସୁଇସ୍ ବ୍ୟାଙ୍କରୁ ବହୁ କଳାଟଙ୍କା ଭାରତୀୟମାନେ ଉଠାଇ ଅନ୍ୟ ଦେଶର ସୁରକ୍ଷିତ ବ୍ୟାଙ୍କଗୁଡ଼ିକରେ ରଖିଥିବା ମଧ୍ୟ ଜଣାପଡ଼ିଥିଲା। ଏହାର ଅର୍ଥ ହେଲା, ସରକାର ଡାଳେଡାଳେ ଗଲେ ଦୁର୍ନୀତିଗ୍ରସ୍ତ କଳାଟଙ୍କା ଜମାକାରୀମାନେ ପତ୍ରେପତ୍ରେ ଯାଉଛନ୍ତି। ଏଥିପାଇଁ ନୂଆ ରଣନୀତି ନଆପଣାଇଲେ ସେମାନଙ୍କୁ ଧରିବା ସମ୍ଭବପର ନୁହେଁ। କେବଳ ନିର୍ବାଚନ ଜିଣିବା ପାଇଁ ସୁନ୍ଦରସୁନ୍ଦର ସ୍ଲୋଗାନ ଦେଇଦେଲେ ସବୁକିଛି ଠିକ୍ ହୋଇଯିବ ନାହିଁ, ଏକଥା ମୋଦି ସରକାର ଏବେ ଭଲଭାବେ ବୁଝିପାରୁଥିବେ ନିଶ୍ଚୟ। ୨୦୧୯ ନିର୍ବାଚନ ପାଖେଇ ଆସୁଥିବାବେଳେ ଟଙ୍କା ଓ କଳାଟଙ୍କା ତାଙ୍କ ପାଇଁ କି ଆହ୍ବାନ ସୃଷ୍ଟି କରୁଛି, ତାହା ଦେଖିବା କଥା।