ଭାରତ ପର୍ଯ୍ୟଟନର ନିଆରା ପ୍ରୟାସ: ଝଟକିବ ଦେଓମାଳି, ଝରିଆଲ

ଯୁବ ପର୍ଯ୍ୟଟନ କ୍ଲବ୍‌ରେ ସାମିଲ ହେଉଛନ୍ତି ଛାତ୍ରଛାତ୍ରୀ

ଭୁବନେଶ୍ୱର : ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶାରେ କାର୍ଯ୍ୟ କରୁଛି ଭାରତ ପର୍ଯ୍ୟଟନ। କୋରାପୁଟର ଦେଓମାଳି ପର୍ବତର ଉନ୍ନତି ସହିତ ବଲାଙ୍ଗିର ଜିଲା ରାଣୀପୁର-ଝରିଆଲର ଚଉଷଠି ଯୋଗିନୀ ମନ୍ଦିରକୁ ପର୍ଯ୍ୟଟକଙ୍କ ପାଇଁ ଅଧିକ ଆକର୍ଷଣର କେନ୍ଦ୍ରବିନ୍ଦୁ କରିବାକୁ ଯୋଜନା କରିଛି ସଂସ୍ଥା। ସେହିଭଳି ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଯୁବ ପର୍ଯ୍ୟଟନ କ୍ଲବ୍‌ରେ ସାମିଲ କରାଯାଇ ପର୍ଯ୍ୟଟନକୁ ଅଧିକ ଗୁରୁତ୍ବ ଦିଆଯାଇଛି।

ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟର ସ୍ବଦେଶ ଦର୍ଶନ ପ୍ରକଳ୍ପ ମାଧ୍ୟମରେ ଓଡ଼ିଶାର କୋରାପୁଟ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ଭାବେ ପରିଚିତ ଦେଓମାଳି ପର୍ବତ ଝଟକିବ। ଏହାର ବିକାଶ ପାଇଁ ଆବଶ୍ୟକ ଆର୍ଥିକ ସହାୟତା ପ୍ରଦାନ କରିବାକୁ ବିଭାଗ ପ୍ରସ୍ତୁତ ଅଛି। ସେହିଭଳି ଭାରତ ପର୍ଯ୍ୟଟନର ପ୍ରସାଦ ପ୍ରକଳ୍ପ ଯୋଜନାରେ ବଲାଙ୍ଗୀର ଜିଲା ରାଣୀପୁର ଝରିଆଲ ପର୍ଯ୍ୟଟନ କ୍ଷେତ୍ରକୁ ସାମିଲ ନିମନ୍ତେ ପ୍ରସ୍ତାବ ଦିଆଯାଇଛି। ଆଗାମୀ ଦିନରେ ନୂଆରୂପରେ ଝଟକିବ ଦେଓମାଳି ଏବଂ ଝରିଆଲ।

ସ୍ବଦେଶ ଦର୍ଶନ ପ୍ରକଳ୍ପରେ ଜଙ୍ଗଲ, ସମୁଦ୍ରକୂଳ ସହିତ ଐତିହ୍ୟ ସ୍ଥାନଗୁଡ଼ିକର ଉନ୍ନତି ପାଇଁ ଯୋଜନା କରାଯାଇଛି। ପ୍ରସାଦ ପ୍ରକଳ୍ପରେ କେବଳ ମନ୍ଦିର ସହିତ ପୂଜାସ୍ଥଳୀଗୁଡ଼ିକର ଉନ୍ନତି ଉଦ୍ୟମ ଆରମ୍ଭ ହୋଇଛି। ୨୦୨୩ ଜୁନ୍-ଜୁଲାଇରୁ ଭାରତ ପର୍ଯ୍ୟଟନ ପକ୍ଷରୁ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇଛି। ରାଜ୍ୟରେ ୭ଟି ମହାବିଦ୍ୟାଳୟ ସହିତ ୩୦୯ଟି ବିଦ୍ୟାଳୟରେ ଗଢ଼ିଉଠିଛି ଯୁବ ପର୍ଯ୍ୟଟନ କ୍ଲବ୍। ପର୍ଯ୍ୟଟନକୁ ଅଧିକ ଲୋକାଭିମୁଖୀ କରିବାରେ ଏହି ନୂତନ ଯୋଜନା କାର୍ଯ୍ୟକାରୀ ହେଉଛି। ପ୍ରାୟ ୧୨ ହଜାର ଛାତ୍ରଛାତ୍ରୀ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକ ପରିଦର୍ଶନ ସହିତ ପର୍ଯ୍ୟଟନ ସମ୍ପର୍କରେ ବିଶେଷ ଜ୍ଞାନ ପ୍ରତଯୋଗିତାରେ ଭାଗ ନେଉଛନ୍ତି।

ଭାରତ ପର୍ଯ୍ୟଟନ ବର୍ଷ ସାରା କାର୍ଯ୍ୟକ୍ରମ ଜାରି ରଖିଛି। ନୂଆ ଯୋଜନାରେ ଛାତ୍ରଛାତ୍ରୀ ପର୍ଯ୍ୟଟନ କ୍ଷେତ୍ର ବୁଲି ଖୁବ୍ ଆନନ୍ଦ ପ୍ରକାଶ କରୁଛନ୍ତି। ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକର ପ୍ରଚାର ପ୍ରସାର ସହିତ ଭ୍ରମଣର ଉପଯୋଗିତାକୁ ଅଧିକ ଗୁରୁତ୍ବ ଦିଆଯାଉଥିବା ଭାରତ ପର୍ଯ୍ୟଟନର ସୂଚନା ଅଧିକାରୀ ଜଗନ୍ନାଥ ବେହେରା କହିଛନ୍ତି।

Comments are closed.