ସିଏସ୍‌ଓ ରିପୋର୍ଟ ଜିଡିପି ଅଭିବୃଦ୍ଧି ୭.୭%

0

ନୂଆଦିଲ୍ଲୀ: ୨୦୧୭-୧୮ ଆର୍ଥିକବର୍ଷର ଚତୁର୍ଥ ତ୍ରୈମାସରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧିି ହାର ୭.୭% ରହିଛି। ଏହା ଫଳରେ ଦେଶ ଏହାର ଦ୍ରୁତ ଅଭିବୃଦ୍ଧି ହାର ହାସଲକାରୀ ରାଷ୍ଟ୍ର ମାନ୍ୟତା ବଜାୟ ରଖିଛି। ଏ କ୍ଷେତ୍ରରେ ଭାରତ ଚାଇନାକୁ ଅତିକ୍ରମ କରିଛି। କାରଣ ଏହି ସମୟରେ ଚାଇନାର ଅଭିବୃଦ୍ଧି ହାର ୬.୮% ରହିଛି। ତେବେ ସମ୍ପୂର୍ଣ୍ଣ ୨୦୧୭-୧୮ରେ ଦେଶର ଜିଡିପି ଅଭିବୃଦ୍ଧିି ୬.୭% ରହିଥିବା କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ସିଏସ୍‌ଓ) ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା କୁହାଯାଇଛି।

ଏହି ଚତୁର୍ଥ ତ୍ରୈମାସରେ ଦେଶର କୃଷି, ବିନିର୍ମାଣ ଏବଂ ନିର୍ମାଣ କ୍ଷେତ୍ରର ଅଭିବୃଦ୍ଧି ଯଥାକ୍ରମେ ୪.୫%, ୯.୧% ଏବଂ ୧୧.୫% ରହିଥିଲା। ତେବେ ବିମୁଦ୍ରାୟନ ପରେ ଦେଶର ଅଭିବୃଦ୍ଧି ହାର କ୍ଷେତ୍ରରେ ଚତୁର୍ଥ ତ୍ରୈମାସ ଫଳାଫଳ ହେଉଛି ସର୍ବାଧିକ ବୋଲି ରିପୋର୍ଟରେ କୁହାଯାଇଛି। ବିମୁଦ୍ରାୟନ ଏବଂ ଦ୍ରବ୍ୟ ଏବଂ ସେବା ଟିକସ(ଜିଏସ୍‌ଟି) କାର୍ଯ୍ୟକାରିତା ପରେ ଦେଶରେ ଅଭିବୃଦ୍ଧି ହାର ମନ୍ଥର ପଡିଯାଇଥିଲା। କିନ୍ତୁ ଗତ ଦୁଇ ତ୍ରୈମାସରେ ଦେଶର ଅଭିବୃଦ୍ଧି ହାରରେ ସୁଧାର ଦେଖାଦେଇ ଏହା ୭% ଅତିକ୍ରମ କରିଛି। ଅନ୍ୟପକ୍ଷରେ ଦେଶରେ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ଦେଖାଦେଇଥିବା ଅନାଦାୟ ଋଣ ଜନିତ ସମସ୍ୟା ସରକାରଙ୍କ ପାଇଁ ଏବେ ମୁଖ୍ୟ ଚିନ୍ତାର କାରଣ ସାଜିଛି। ୨୦୧୭ରେ ଏହି ଋଣ ପରିମାଣ ୯.୭୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ତେବେ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ସଅଳ ମୌସୁମୀ ଆସିବା ଏବଂ ଚଳିତବର୍ଷ କୃଷି କ୍ଷେତ୍ରରେ ଉତ୍ପାଦନ ଭଲ ରହିବାକୁ ଥିବାରୁ ଆଗକୁ ଅଭିବୃଦ୍ଧି ହାର ଭଲ ରହିବା ଆଶା କରାଯାଉଛି।

Leave A Reply