‘ବ୍ଲାକ୍‌ରୋଜ’ ରହସ୍ୟ

0

ପାରାଦ୍ବୀପ ବନ୍ଦରର ପ୍ରବେଶ ଦ୍ବାରର ଅନତିଦୂରରେ ନ’ବର୍ଷତଳେ ‘ବ୍ଲାକ୍‌ରୋଜ’ ଜାହାଜ ବୁଡ଼ି ଘଟଣା ଏବେ ମଧ୍ୟ ରହସ୍ୟାବୃତ ହୋଇରହିଛି। ଏହି ଜାହାଜ ସହିତ ବହୁ ରହସ୍ୟ ଜଡ଼ିତ ଥିଲା। ଏହାର ବୀମା ବ୍ୟବସ୍ଥା ନଥିଲା ଏବଂ ଏହା ବେଆଇନ ଭାବେ ମାଲ ପରିବହନ କରୁଥିଲା। ଏହାର ଚଳାଚଳ ଓ ପରିବହନ ବ୍ୟାପାରରେ କିଏ ସଂପୃକ୍ତ ତାହା ମଧ୍ୟ ଅଜଣା। ଓଡ଼ିଶା କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କରୁଥିଲେ ମଧ୍ୟ କିଛି ଫଳ ଏଯାଏ ମିଳିନାହିଁ। ସୂଚନା ଅଧିକାର ଆଇନ ବଳରେ ଜଣେ ବ୍ୟକ୍ତି ଏହି ଜାହାଜ ସମ୍ପର୍କରେ କିଛି ତଥ୍ୟ ପାଇବା ପରେ ଏହାକୁ ଭିତ୍ତିକରି ବନ୍ଦର ଟ୍ରଷ୍ଟବୋର୍ଡର ଦୁଇଜଣ ଟ୍ରଷ୍ଟିଙ୍କ ସୁପାରିସ କ୍ରମେ କେନ୍ଦ୍ର ସରକାର ଘଟଣାର ସିବିଆଇ ତଦନ୍ତ ନିର୍ଦେଶ ଦେଇଛନ୍ତି।
ବହୁ ବିଳମ୍ବରେ ସିବିଆଇ ତଦନ୍ତକୁ ନେଇ ଓଡ଼ିଶାରେ ରାଜନୈତିକ ତତ୍ପରତା ବୃଦ୍ଧି ପାଇବାର ଅନେକ କାରଣ ରହିଛି। ଗୋଟିଏ ପଟରେ ଜାହାଜର ସନ୍ଦିଗ୍ଧ ଚଳାଚଳ ଏହା ପଛରେ ଥିବା ରାଜନୈତିକ ପୃଷ୍ଠପୋଷକତା ଏବଂ କ୍ରାଇମବ୍ରାଞ୍ଚ ତଦନ୍ତର ନିଷ୍କ୍ରିୟତା। ଅନ୍ୟପକ୍ଷରେ ରହିିଛି ବିଜେପି-ବିଜେଡି ବଳ କଷାକଷିରେ ସିବିଆଇକୁ ବ୍ୟବହାର କରିବା ପ୍ରସଙ୍ଗ। ଆଉ ଏକ ପ୍ରସଙ୍ଗ ହେଲା ମାମଲାଟି ଏବେ ହାଇକୋର୍ଟରେ ବିଚାରାଧୀନ ଥିବା ଅବସ୍ଥାରେ ଏହାର ସିବିଆଇ ତଦନ୍ତ ନିର୍ଦେଶ। ଏହ ସମଗ୍ର ପ୍ରକରଣରେ ଯେ ନିରୋଳା ରାଜନୀତି ରହିଛି ଏସବୁ ଦେଖିବାପରେ ସ୍ପଷ୍ଟ ମନେ ହେଉଛି। ସିବିଆଇ ଏହାର ସତ୍ୟ ଉଦ୍‌ଘାଟନ କରିବ ନା ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର-ରାଜ୍ୟ ଲଢ଼େଇରେ ରାଜନୈତିକ ଆୟୁଧ ପାଲଟିବ ତାହାହିଁ ଦେଖିବାକୁ ବାକି।

Leave A Reply