ହିଂସା ଓ ଅରାଜକତା ବ୍ୟାପୁଛି
ବିପିନ ବିହାରୀ ମିଶ୍ର
ଯେଭଳି ଭାବରେ ଆମର କେତେକ ନେତା ପାକିସ୍ତାନକୁ ସୁହାଇଲା ଭଳିଆ ବିବୃତି ଦେଉଛନ୍ତି ସେଥିରେ ଦେଶବାସୀ ବିଚଳିିତ ହେବା ସ୍ବାଭାବିକ। ଏଇଭଳି ଦାୟିତ୍ବହୀନ ମନ୍ତବ୍ୟ ବାରମ୍ବାର ଆସିବ ନିର୍ବାଚନ ସରିବା ପର୍ଯ୍ୟନ୍ତ। ନିର୍ବାଚନ ସରିବା ପରେ ପରାଜିତ ପ୍ରାର୍ଥୀମାନେ କୈଫିୟତ ଦେଇଚାଲିବେ, ଯଥା ‘ସେମାନେ ଯେତେ ତଳକୁ ଖସିଲେ ଆମେ ତ ଯାଇ ପାରିବୁନି’ ‘ଟଙ୍କା ଓ ଗୁପ୍ତାଙ୍କର ବ୍ୟାପକ ବ୍ୟବହାର କରାଗଲା ଇତ୍ୟାଦି ସାଙ୍ଗକୁ ନିଶ୍ଚୟ ଦୋଷ ଦିଆଯିବ ନିର୍ବାଚନ କମିସନ ଏବଂ ଇଭିଏମକୁ। ନିର୍ବାଚନ ସଂକ୍ରାନ୍ତ ବାକ୍ଯୁଦ୍ଧ, ହିଂସା, ଆରୋପ-ପ୍ରତିଆରୋପ କମିଆସିବ ନିର୍ବାଚନ ପରେ, କିନ୍ତୁ ଅରାଜକତା ରହିଛି ଓ ଆସ୍ତେଆସ୍ତେ ବଢ଼ୁଛି। ଅରାଜକତା, ହିଂସା, ଦୁଷ୍କର୍ମକୁ କେତେକ ତୁଙ୍ଗନେତା ପ୍ରଥମେ ନିରବ ସମର୍ଥନ ଦେଉଥିଲେ, ଏବେ କୈଫିୟତ ଦେଉଛନ୍ତି। ଉତ୍ତରପ୍ରଦେଶରେ ଜଣେ ପୁଲିସ ଇନ୍ସପେକ୍ଟରଙ୍କୁ ମାରି ଦିଆଗଲା, କୈଫିୟତ ଆସିଲା ଯେ ସେ ନିରପେକ୍ଷ ନଥିଲେ। ଅନେକ ବର୍ଷତଳେ ଜଣେ ଯୁବତୀକୁ କେତେଜଣ ଯୁବକ ବଳାତ୍କାର କଲେ ଓ ସେ ପ୍ରଦେଶର ତତ୍କାଳୀନ କ୍ଷମତାରେ ଥିବା ତୁଙ୍ଗନେତା କହିଲେ ‘ପିଲାଗୁଡ଼ାକ, ପିଲାଳିଆମି ତ କରିବେ।’ ଏଇଭଳି ପିଲାଳିଆମି ତାଙ୍କ ପରିବାରର କାହାସାଙ୍ଗେ ଯଦି ହୋଇଥାଆନ୍ତା, ତେବେ ବୋଧହୁଏ ସେ କହିଥାନ୍ତେ ‘ପୁଲିସ୍ ସଂସ୍ଥା ଭୁଶୁଡ଼ି ପଡ଼ିଲାଣି।’ ଜନୈକ ମନ୍ତ୍ରୀଙ୍କର ମଇଁଷିପଲ ଫିଟିଯାଇ ଜଙ୍ଗଲକୁ ପଳେଇଲେ। ସେମାନେ ହେଲେ ଜନ୍ତୁ, ତେଣୁ ଜଙ୍ଗଲ ପ୍ରତି ଶ୍ରଦ୍ଧା ରଖିବା ସ୍ବାଭାବିକ। ମନ୍ତ୍ରୀଙ୍କର କୋପ ଦେଖି ଥାନାବାଲା ଗଲେ ମଇଁଷି ଖୋଜିବା ପାଇଁ। ମନ୍ତ୍ରୀଙ୍କର ପ୍ରକୋପ ଅନୁପାତରେ ତାଙ୍କ ପାଖଲୋକଙ୍କ ପ୍ରକୋପ। ବାରିପଦାରେ ପୁଲିସ କୁକୁର ସର୍କିଟ୍ହାଉସରେ ଠିଆହୋଇଥିବା ଜଣେ ମନ୍ତ୍ରୀଙ୍କ ଗାଡ଼ିରେ ପରିସ୍ରା କରିଦେଲା। ତାଙ୍କ ଦଳୀୟ କର୍ମୀ ବୁଝେଇଦେଲେ ଯେ ପୁଲିସ କୁକୁରର ତତ୍ତ୍ବାବଧାରକ ଏସ୍ପିଙ୍କ ନିର୍ଦେଶରେ ଏଭଳି କାର୍ଯ୍ୟ କରିଛନ୍ତି। ମନ୍ତ୍ରୀ ରାଗରେ ଅସ୍ଥିର। ବହୁ କଷ୍ଟରେ ତାଙ୍କୁ ବୁଝାଗଲା। ସେଇଭଳି ଭୋଗରାଇ ପୁଲିସ ଷ୍ଟେସନରେ କ୍ଷମତାରେ ଥିବା ଦଳର ଜଣେ କର୍ମୀଙ୍କୁ ଗିରଫ କରି ଥାନାରେ ରଖାଗଲା। ଜଣେ ମନ୍ତ୍ରୀ (ସେତେବେଳେ ଶପଥ ନେଇ ନଥିଲେ) ତାଙ୍କ ନେତୃତ୍ବରେ ଦଳର ବହୁତ କର୍ମୀ ଥାନାକୁ ଘେରାଉକରି ଟେକାପଥର ମାରିଲେ। ସେ ଅଞ୍ଚଳର ବାଲିଆପାଳ ସ୍ଥାନରେ କ୍ଷେପଣାସ୍ତ୍ର ପ୍ରୟୋଗ କେନ୍ଦ୍ର କରିବା ପାଇଁ ସରକାର ଯୋଜନା କରିଥିଲେ, କିନ୍ତୁ ପ୍ରବଳ ପ୍ରତିରୋଧ ହେବାରୁ ହୋଇପାରିଲା ନାହିଁ। ଗାଁର କେତେକ ଲୋକ ବହପ ପାଇ ଗାଁ ପଶିବା ପୂର୍ବରୁ ଏକ ଚେକ୍ଗେଟ୍ କଲେ ଓ ସେଇଠେ ଗାଁ ବାହାର ଲୋକଙ୍କୁ ଅନୁମତି ପତ୍ର ନେବାପାଇଁ ପଡ଼ିଲା। ସରକାରୀ କର୍ମଚାରୀ ମଧ୍ୟ ବାଦ୍ ପଡ଼ିଲେ ନାହିଁ। ଥରେ ଗାଁରେ ଜୁଆଖେଳ ହେଉଥିଲା, ଅଭିଯୋଗ ପାଇ ଫାଣ୍ଡିବାବୁ ଓ ଦୁଇଜଣ ସିିପାହି ଗଲେ। ଜୁଆଆଡ୍ଡାରୁ ବଟି ନେଉଥିବା ଗୁଣ୍ଡାମାନେ ଘେରିଯାଇ ପୁଲିସକୁ ନିସ୍ତୁକ ବାଡ଼େଇଲେ ଓ କେସ୍ ହେଲା, କିନ୍ତୁ ପୁଲିସ ଉପରେ ଚାପ ପଡ଼ିଲା ଯେ ‘ଆପୋସ ସମାଧାନ କରିନିଅନ୍ତୁ। କଥାଟାକୁ ବଢ଼େଇଲେ ଲାଭ କ’ଣ? ଥାନାକୁ ଯଦି ପଞ୍ଚାୟତ ଅଫିସ କରାଯାଏ ତେବେ ନ୍ୟାୟ ପାଇଁ ଲୋକେ କାହା ପାଖକୁ ଯିବେ? ଯଦି ହିଂସା କରିବା ପାଇଁ ଆମ ଦଳୀୟ କର୍ମୀମାନେ ଅତ୍ୟନ୍ତ ବ୍ୟାକୁଳ ଓ ଆଇନକୁ ତାଙ୍କର ସାମାନ୍ୟ ସମ୍ମାନ ନାହିଁ ତେବେ ତାହାକୁ ନିଜ ମଧ୍ୟରେ ସୀମିତ ରଖନ୍ତୁ। ଏବେ ଯେମିତି ଉତ୍ତରପ୍ରଦେଶର ଜଣେ ସାଂସଦ ଜଣେ ବିଧାୟକଙ୍କୁ ସମସ୍ତଙ୍କ ସାମନାରେ ଜୋତାରେ ପିଟିଲେ ଏବଂ ଉଭୟଙ୍କ ମଧ୍ୟରେ ଯେଉଁ ଭାଷା ବିନିମୟ ହେଲା ତାହା ଅତ୍ୟନ୍ତ ଅଶୋଭନୀୟ ଓ ନିନ୍ଦନୀୟ। ବିଭିନ୍ନ ମ୍ୟୁନିସିପାଲଟି ଜିଲାପରିଷଦ ସମ୍ମିଳନୀରେ େଠଲାପେଲା, ଚୌକି ଭଙ୍ଗା, ମାର୍ପିଟ୍, ଅଭଦ୍ର ଭାଷା ପ୍ରୟୋଗ ଚାଲିଛି। ଗଣମାଧ୍ୟମ ଦେଖାଉଛନ୍ତି ଓ ଦର୍ଶକଙ୍କ ମନରେ ଧାରଣା ଜନ୍ମୁଛି ଯେ ଏହା ଅପସଂସ୍କୃତି ନୁହେଁ, ନୂତନ ସଂସ୍କୃତି। କେତେକ ଏହାକୁ ସାବାସୀ ଦେଉଛନ୍ତି। ଯେମିତିକି ଜଣେ ମୁଖ୍ୟମନ୍ତ୍ରୀ ପିପିଲି ଥାନାରେ ପଶି ହାଜତରେ ଥିବା ତାଙ୍କ ଦଳର ଜଣେ ଲୋକଙ୍କୁ ହାଜତ୍ରୁ ବାହାର କରିଦେଇଥିଲେ। ଶସ୍ତା ରାଜନୀତିରେ ଏଇଭଳି ଆଉଜଣେ ମୁଖ୍ୟମନ୍ତ୍ରୀ (ପଶ୍ଚିମବଙ୍ଗର) ଅଭିଯୁକ୍ତଙ୍କୁ ଜବରଦସ୍ତ ଥାନାରୁ ନେଇଗଲେ।
ବର୍ତ୍ତମାନ ରାସ୍ତାରୋକ, ରେଳରୋକ, ବିଡ଼ିଓ, ତହସିଲଦାର ଅଫିସ ଇତ୍ୟାଦି ଘେରାଉ ଏକ ଗ୍ରହଣୀୟ କଥା ହୋଇଗଲାଣି। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଶ୍ରୀ କେଜରିୱାଲ ଆରମ୍ଭ କରିଥିବା ଧାରଣା ସଂସ୍କୃତିକୁ ଅନେକ ସମ୍ମାନନୀୟ କାର୍ଯ୍ୟ ବୋଲି ଭାବୁଛନ୍ତି। ସିବିଆଇ କାହିଁକି ପୁଲିସ କମିସନରଙ୍କୁ ଜେରା କରିବା ପାଇଁ ଆସିଲା, ସେଥିପାଇଁ ଗୋଟାଏ ସରକାରଙ୍କ ବିଚିତ୍ର ଆଚରଣ ଦେଖି ସମସ୍ତେ ଚୁପ୍ ରହିଲେ। ବୁଦ୍ଧିଜୀବୀ, ବରିଷ୍ଠ ସାମ୍ବାଦିକ ଓ ଲେଖକମାନେ କଲମ ଥୋଇଦେଲେ। ସ୍ଥାନୀୟ ପୁଲିସ ସିବିଆଇ ଅଫିସରଙ୍କୁ ଅେଡ଼ଇ ଥାନାକୁ ନେଇଗଲେ, ଅବଶ୍ୟ ପରେ ଛାଡ଼ିଦେଲେ। କୈଫିୟତ ନିଆଗଲାଯେ ଆମେ ତାଙ୍କୁ ଚୌକିରେ ବସେଇଛୁ, କଫି ମଧ୍ୟ ଦେଇଛୁ। ଘଟଣା ଘଟିବା ସାଙ୍ଗେସାଙ୍ଗେ ମୁଖ୍ୟମନ୍ତ୍ରୀ ଯାଇ ଧାରଣାରେ ବସିଲେ ଓ ତାଙ୍କ ସାଙ୍ଗରେ ବସିଗଲେ ଡିଜି ପୁଲିସ, ପୁଲିସ କମିସନର ଓ କେତେଜଣ ଆଡିସନାଲ ଡିଜି। ବରିଷ୍ଠ ଆଇପିଏସ ଧାରଣାରେ ବସିବା ହେଉଛି ଏହା ପ୍ରଥମ ଉଦାହରଣ। ରାଜନେତାଙ୍କୁ ଖୁସି କରିବା ପାଇଁ ଆମ ସରକାରୀ କର୍ମଚାରୀ, ଏପରିକି ବରିଷ୍ଠ କର୍ମଚାରୀମାନେ କେତେ ତଳକୁ ଖସିପାରନ୍ତି ଏ ଘଟଣା ତାହା ସୂଚାଏ।
ସାରା ଦେଶରେ ଏଭଳି ଘଟଣା ଘଟୁଛି। ରାଜନୀତି କରୁଥିବା ଅନେକ ଲୋକ ଭାବୁଛନ୍ତି ଦେଶର ସ୍ବାର୍ଥ ଅପେକ୍ଷା ଦଳର ସ୍ବାର୍ଥ ବଡ଼। ପୁଣି ନିର୍ବାଚନ ଜିତିବାକୁ ହେବ ଯେମିତି ହେଲେ। ବେଳଥିଲା କୌଣସି ବେନିୟମ କାର୍ଯ୍ୟ ନକରି ଆମ ନେତାମାନେ ନିର୍ବାଚନ ଜିତୁଥିଲେ। ଏବେ ପଇସା ବାଣ୍ଟିବା ଓ ବାହୁବଳ ପ୍ରୟୋଗ କରିବା ହୋଇଗଲାଣି ଅଧିକାଂଶଙ୍କ ପାଇଁ ଅମୋଘ ଅସ୍ତ୍ର। ଏହା ସାଙ୍ଗରେ ସରକାରୀ କଳକୁ ଅପବ୍ୟବହାର କରିବା ପାଇଁ ପ୍ରବଳ ପ୍ରୟାସ। ଏମାନଙ୍କର ଯୁକ୍ତି ହେଲା ‘ଯେହେତୁ ଆମ ଦଳ ସରକାର ଅଛି, ତେଣୁ ସରକାର ଆମର। ଯେହେତୁ ପୁଲିସ ହେଉଛି ସରକାରଙ୍କର, ତେଣୁ ପୁଲିସ ଆମର। କ୍ଷମତାରେ ଥିବା ଦଳ ୯୦% କର୍ମୀ ବିଡ଼ିଓ, ତହସିଲଦାର, ଫରେଷ୍ଟ ରେଞ୍ଜର,ପୁଲିସ ଇନ୍ସପେକ୍ଟର, ସମବାୟ ଇନ୍ସପେକ୍ଟରଙ୍କୁ ନିଜର ଅଧସ୍ତନ ବୋଲି ମନେ କରୁଛନ୍ତି। ସେମାନେ ପୁଣି ଆମ କଥା ମାନିବେନି? ବଦଳି କରେଇ ଦେବୁ। ଦରକାର ହେଲେ ହାତ ଉଞ୍ଚେଇବୁ, କେହି କିଛି କହିବେ ନାହିଁ।’
ଏଇ ମାନସିକତାକୁ କାର୍ଯ୍ୟକାରୀ କରାଗଲା ନିକଟରେ ଘଟିଥିବା ଭୁବନେଶ୍ବରର ସହିଦନଗର ପୁଲିସ େଷ୍ଟସନ ଉପରେ ଆକ୍ରମଣରେ। ଗୋଟିଏ ଗୋଷ୍ଠୀ ଯେହେତୁ କେତେକ ସାମ୍ବାଦିକଙ୍କ ଉପରେ ଆକ୍ରମଣ କରିଛନ୍ତି ତେଣୁ ପୁଲିସକୁ ଆକ୍ରମଣ କରିବାରେ ପଛେଇଲେ ନାହିଁ। ଥାନାରେ ପଶି ପୁଲିସକୁ ବାଡ଼େଇଲେ। ସେତେବେଳେ ରାତି ଅଧ ହୋଇଥିବାରୁ ଅଳ୍ପ କେତେଜଣ ପୁଲିସ ଥିଲେ। ଜଣେ ଏଏସଆଇଙ୍କ ମୁଣ୍ଡ ଫାଟିଲା। ଟେବୁଲଚୌକି ଭଙ୍ଗାଗଲା ଓ ପୁଲିସ ଅଫିସରଙ୍କୁ କୁହାଗଲା ‘ତୁମକୁ ମୁଁ ମାଲକାନାଗିରି ବଦଳି କରିଦେବି।’ ବହୁ ଦିନ ତଳେ ଜଣେ ଉପଖଣ୍ଡ ପୁଲିସ ଅଧିକାରୀ ରାସ୍ତାରେ ଖଟ ପକେଇ ଗାଡ଼ିକୁ ଅଟକେଇ ବଟି ଆଦାୟ କରୁଥିବା ଦଳର ଜଣେ ନେତାଙ୍କୁ ଧରିଆଣି ଥାନା ହାଜତରେ ପୂରେଇଲେ ଏବଂ ସେଠାରୁ ଆଉ ଏକ ଥାନାକୁ ଗଲେ। ତାଙ୍କ ଅନୁପସ୍ଥିତିରେ ସେଇ ଦଳର କେତେକ ଲୋକ ଥାନାରେ ପଶି ତାଙ୍କୁ ଜବରଦସ୍ତ ଛଡ଼େଇ ନେଲେ। ତା’ପରେ ପୁଲିସ ଅଫିସର ଫେରିଲାବେଳକୁ ତାଙ୍କୁ ଗାଡ଼ିରୁ ଘୋଷାଡ଼ିଆଣି ସହରରେ ବୁଲେଇଲେ। ପୁଲିସ ନିରବ ରହିଲା, କାରଣ କିିଛିଦିନ ପୂର୍ବରୁ ଜଣେ ତୁଙ୍ଗନେତା ପୁଲିସ ଇନ୍ସପେକ୍ଟରଙ୍କୁ ଚାପୁଡ଼ାଏ ମାରିଲେ ଏବଂ ରାଜନୈତିକ ଚାପରେ ଖସିଗଲେ। ଏ କ୍ଷେତ୍ରରେ କିନ୍ତୁ ଏସ୍ପି ଭିନ୍ନଲୋକ ଥିଲେ। ଆକ୍ରମଣକାରୀଙ୍କ ଘରେ ପଶି ତାଙ୍କୁ ଘୋଷାଡ଼ି ଆଣିଲେ, ହାତକଡ଼ି ପକେଇଲେ ଓ ଚଲେଇଚଲେଇ ଥାନାକୁ ନେଲେ। ଏ ବାବୁ ଏକଦା କଲେଜ ପ୍ରିନ୍ସପାଲଙ୍କୁ ଧକ୍କା ମାରିଥିଲେ, ଜଣେ ଇଞ୍ଜିନିୟରଙ୍କୁ ଚାପୁଡ଼ାଏ ପକେଇଥିଲେ ଓ ଜଣେ ମାଜିଷ୍ଟ୍ରେଟଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ତାଙ୍କୁ ଥାନାରେ ଉପଯୁକ୍ତ ଚର୍ଚ୍ଚା କରିବା ପରେ ସେ ଶାନ୍ତ ଓ ଭଦ୍ର ହୋଇଗଲେ ଏବଂ ତା’ପରେ କାହା ଉପରେ ହାତ ଉଠେଇ ନାହାନ୍ତି, କିନ୍ତୁ ସେକାଳ ପଖାଳ ଗଲାଣି। ପୁଲିସଙ୍କୁ କୁହାଯାଉଛି ଭଦ୍ର ବ୍ୟବହାର କର। ମାନବିକ ଅଧିକାର ଉଲ୍ଲଙ୍ଘନ କରନାହିଁ। ଯଦି ମାଡ଼ ଖାଉଛ ତେବେ ସହିଯାଅ। ଏଇଭଳି ଚାଲିଥାଉ। ଗୁଣ୍ଡାମାନେ ଆକ୍ରମଣ କଲେ ଲୋକେ ଥାନାକୁ ଯାଆନ୍ତି ସୁରକ୍ଷା ପାଇଁ। ଯଦି ପୁଲିସ ନିଜକୁ ଅସୁରକ୍ଷିତ ମନେକରେ ତେବେ କି ସୁରକ୍ଷା ମିଳିବ? ଅରାଜକତା ବ୍ୟାପୁଛି, ଦଳମତ ନିର୍ବିଶେଷରେ ଏହାକୁ କିଭଳି ଦମନ କରାଯିବ ସେକଥା ସରକାର ଚିନ୍ତା କରନ୍ତୁ।