ପ୍ରୟାଗରାଜ: ଉତ୍ତରପ୍ରଦେଶ ପ୍ରୟାଗରାଜର ପବିତ୍ର ତ୍ରିବେଣୀ ସଙ୍ଗମସ୍ଥଳ ରେ ଆଜିଠାରୁ ମହାକୁମ୍ଭ ମେଳା ଆରମ୍ଭ ହୋଇଛି। ବିଶ୍ବର ଏହି ଅନ୍ୟତମ ପ୍ରମୁଖ ଧାର୍ମିକ ସମାବେଶରେ ଆଧ୍ୟାତ୍ମ, ସଂସ୍କୃତି ଓ ପରମ୍ପରାର ଅଦ୍ଭୁତ ମିଳନ ଦେଖିବାକୁ ମିଳିବ। ଏହି ମେଳା ଫେବୃଆରୀ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ହିନ୍ଦୁ ସମ୍ପ୍ରଦାୟର ପ୍ରମୁଖ ସାଧୁସନ୍ଥ ଓ ଶ୍ରଦ୍ଧାଳୁ ଯୋଗ ଦେଇଛନ୍ତି । ଆକଳନ ଅନୁଯାୟୀ ଏହି ସମାବେଶରେ ପ୍ରାୟ ୪୫ କୋଟି ଜନତାଙ୍କ ସମାଗମ ହେବ। ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମେଳାକୁ ଆସିବାକୁ ଥିବା ସାଧୁସନ୍ଥ ଓ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଠାରୁ ଆରମ୍ଭ କରି ଖାଦ୍ୟପେୟ, ରହିବା ଆଦିର ସୁବିଧା କରାଯାଇଛି। ପ୍ରତି ୧୨ବର୍ଷରେ ଥରେ ମହାକୁମ୍ଭ ପଡିଥାଏ। ଏଥର ମହାକୁମ୍ଭରେ ୬ଥର ଶାହୀ ସ୍ନାନ ପାଇଁ ତିଥି ଧାର୍ଯ୍ୟ ହୋଇଛି। ଜାନୁଆରୀ ୧୩ ପୌଷ ପୂର୍ଣ୍ଣିମାରେ ପ୍ରଥମ ଶାହୀ ସ୍ନାନ ପଡୁଛି। ମହାକୁମ୍ଭ ମେଳାର ଶାହୀ ସ୍ନାନ ତିଥିରେ ସଙ୍ଗମସ୍ଥଳରେ ବୁଡ ପକାଇଲେ ବ୍ୟକ୍ତିର ସମସ୍ତ ପାପ ମୋଚନ ହୋଇଥାଏ ବୋଲି ବିଶ୍ବାସ ରହିଛି। ତେଣୁ ମେଳାକୁ ଆସି ଶାହୀ ସ୍ନାନ କରିବାକୁ ଅନିରୁଦ୍ଧାଚାର୍ଯ୍ୟ ମହାରାଜ ଭକ୍ତମାନଙ୍କୁ ନିବେଦନ କରିଛନ୍ତି।
Popular Categories



