ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ ଶୁକ୍ରବାର ସନ୍ଧ୍ୟା ୬ଟା ସମୟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଗର୍ଭବତୀ ପତ୍ନୀଙ୍କ ସହ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ଘଟିଥିବା ବେଳେ ଆଶ୍ଚର୍ଯ୍ୟଜନକ ଭାବେ ୩ ବର୍ଷର ଶିଶୁ ଦୁର୍ଘଟଣାରୁ ବର୍ତ୍ତି ଯାଇଛି। ସ୍କୁଟି ସହ ପଲସର ଗାଡ଼ିର ମୁହାଁମୁହିଁ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଥିଲା। ଆଜି ପୂର୍ବାହ୍ନରେ ଗଞ୍ଜାମ ଜିଲା ପାଟପୁର ଥାନା ଗଙ୍ଗାପୁର ପଞ୍ଚାୟତ ଅନ୍ତର୍ଗତ ଢେପାଗୁଡ଼ା ଗ୍ରାମର ପ୍ରତାପ ମଲିକ(୩୫), ତାଙ୍କର ଗର୍ଭବତୀ ସ୍ତ୍ରୀ ଲଳିତା ମଳିକ(୩୦) ଓ ତିନି ବର୍ଷର ଶିଶୁକୁ ନେଇ ସ୍କୁଟି ଯୋଗେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲ୍ ଯାଇଥିଲେ।
ଦମ୍ପତି ସେଠାରେ ଚିକିତ୍ସା ସାରି ସ୍କୁଟିରେ ସନ୍ଧ୍ୟା ୬ଟା ସମୟରେ ଗାଁକୁ ଫେରୁଥିଲେ। ଗଣିଆନାଳ ମାଁ କୁରେଇଶୁଣୀ ମନ୍ଦିର ନିକଟରେ ବିପରୀତ ଦିଗରୁ ଗଜପତି ଜିଲା ଆର୍.ଉଦୟଗିରି ଗ୍ରାମର ସୁନୀଲ୍ ଦଳେଇ(୩୬) ପଲ୍ସର୍ ବାଇକ୍ ଯୋଗେ ଆସୁଥିବା ବେଳେ ଦୁଇ ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ପନିପରିବା ବିକ୍ରି କରୁଥିବା ସ୍ଥାନୀୟ ଲୋକମାନେ ଆମ୍ବ୍ୁଲାନ୍ସ ଯୋଗେ ଆହତ ଦମ୍ପତିଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରତାପ ଓ ତାଙ୍କ ପତ୍ନୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଗୁରୁତର ଥିବା ସୁନୀଲ ସେଠାରେ ଚିିିକିତ୍ସାଧୀନ ଅଛନ୍ତି। ମୃତ ଦମ୍ପତିଙ୍କ ଶବ ଜବତ କରି ପୁଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି। ଦିଗପହଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ପଲସର ଓ ସ୍କୁଟିକୁ ଜବତ କରି ଘଟଣାର ତଦନ୍ତ କରୁଥିବା ଭାରପ୍ରାପ୍ତ ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର କହିଛନ୍ତି।



