www.samajalive.in
Saturday, December 6, 2025
16.1 C
Bhubaneswar

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ ଆହ୍ବାନ ଦେଇଛନ୍ତି ଭାରତ ଓ ରୁଷ୍। ଶୁକ୍ରବାର ନୂଆଦିଲ୍ଲୀର ହାଇଦରାବାଦ ହାଉସରେ ଅନୁଷ୍ଠିତ ଭାରତ-ରୁଷ ୨୩ତମ ଶିଖର ସମ୍ମିଳନୀରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଳିତ ଭାବେ ଏପରି ଆହ୍ବାନ ଦେଇଛନ୍ତି। ସମ୍ମିଳନୀରେ ମୋଦୀ ଓ ପୁଟିନ ଜାମ୍ମୁ-କାଶ୍ମୀରର ପହଲଗାଓଁ ଓ ମସ୍କୋର କ୍ରୋକସ୍‌ ସିଟି ହଲ୍‌ରେ ଘଟିଥିବା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଥିଲେ। ଏହି ଅବସରରେ ଉଭୟ ଆତଙ୍କବାଦ ପ୍ରସଙ୍ଗରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରିବାକୁ ବିଶ୍ବ ସମୁଦାୟଙ୍କୁ ପରାମର୍ଶ ଦେଇଛନ୍ତି। ଉଭୟ ନେତା କହିଥିଲେ ଯେ ଆତଙ୍କବାଦ ବିରୋଧୀ ଲଢେଇରେ କୌଣସି ଗୁପ୍ତ ଏଜେଣ୍ଡା କିମ୍ବା ଦୋମୁହଁା ନୀତି ରହିବା ଅନୁଚିତ୍। ଆତଙ୍କବାଦ ମାନବତା ଉପରେ ପ୍ରତ୍ୟକ୍ଷ ଆକ୍ରମଣ। ତେଣୁ ଏହାକୁ ଦମନ କରିବା ଲାଗି ସେମାନେ ପ୍ରତିଶ୍ରୁତିବଦ୍ଧ। ସୀମା ପାର ଆତଙ୍କବାଦ ହେଉ କିମ୍ବା ଆତଙ୍କବାଦକୁ ପାଣ୍ଠି ଯୋଗାଣ ଏହାକୁ ରୋକିବା ଲାଗି ସେମାନେ ପରସ୍ପରର ସହଯୋଗରେ କାମ କରିବେ ବୋଲି ମୋଦୀ ଓ ପୁଟିନ କହିଥିଲେ। ଶିଖର ସମ୍ମିଳନୀରେ ମୋଦୀ ଓ ପୁଟିନ ସେମାନଙ୍କ ଅଧିକାରୀଙ୍କୁ ସ୍ବାକ୍ଷରିତ ହୋଇଥିବା ଦ୍ବିପାକ୍ଷିକ ଚୁକ୍ତିକୁ କାର୍ଯ୍ୟକାରୀ କରିବା ଦିଗରେ ତ୍ବରିତ ପଦକ୍ଷେପ ନେବାକୁ ନିର୍ଦେଶ ନେଇଥିଲେ। ଦୁଇ ଦେଶ ମଧ୍ୟରେ ପୁଞ୍ଜିନିବେଶ, ବ୍ୟବସାୟ କାରବାର ଓ ସୁରକ୍ଷା ସହଯୋଗ ନେଇ ଅନେକ ବୁଝାମଣା ସ୍ବାକ୍ଷର ହୋଇଛି।

ଶିଖର ସମ୍ମିଳନୀ ପରେ ଦୁଇ ନେତା ମିଳିତ ସାମ୍ବାଦିକ
ସମ୍ମିଳନୀକୁ ସମ୍ବୋଧନ କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ମୋଦୀ କହିଥିଲେ ଯେ ମାନବିକତାର ଅନେକ ଆହ୍ୱାନ ଏବଂ ସଙ୍କଟ ସତ୍ତ୍ବେ ଆମର ଦ୍ୱିପାକ୍ଷିକ ବନ୍ଧୁତା ଧ୍ରୁବ ତାରା ପରି ଅଟଳ ରହିଛି। ୨୫ ବର୍ଷ ପୂର୍ବେ ରାଷ୍ଟ୍ରପତି ପୁଟିନ ଆମର ରଣନୈତିକ ସହଭାଗିତାର ମୂଳଦୁଆ ସ୍ଥାପନ କରିଥିଲେ। ୨୦୧୦ ମସିହାରେ ଆମର ସହଭାଗିତାକୁ ‘ସ୍ୱତନ୍ତ୍ର ଏବଂ ବିଶେଷାଧିକାର ପ୍ରାପ୍ତ ରଣନୀତିକ ଭାଗିଦାରୀ’ର ମାନ୍ୟତା ମିଳିଥିଲା। ଦୁଇ ଦେଶର ବାଣିଜ୍ୟ କାରବାରକୁ ୨୦୩୦ ସୁଦ୍ଧା ୧୦୦ ବିଲିୟନ ଡଲାରରେ ପହଞ୍ଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଆଉ ଏହି ଲକ୍ଷ୍ୟକୁ ହାସଲ କରିବା ଦିଗରେ ସେମାନେ ସଫଳ ହେବେ ବୋଲି ମୋଦୀ କହିଛନ୍ତି। ଦୁଇ ଦେଶ ମଧ୍ୟରେ ହେଉଥିବା ବାଣିଜ୍ୟ କାରବାରରେ ନିଜ ନିଜର ଜାତୀୟ ମୁଦ୍ରା ଉପଯୋଗ କରିବାକୁ ସମ୍ମତି ପ୍ରକାଶ ପାଇଛି।

- Advertisement -

ଶିଖର ସମ୍ମିଳନୀରେ ଦୁଇ ନେତା ଦ୍ବିପାକ୍ଷିକ ପ୍ରସଙ୍ଗ ସହିତ ବୈଶ୍ବିକ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ରୁଷ୍ ଓ ୟୁକ୍ରେନ ଯୁଦ୍ଧରେ ଭାରତ ନିରପେକ୍ଷତା ଅବଲମ୍ବନ କରୁନାହିଁ। ଭାରତ ଏହି ଯୁଦ୍ଧରେ ଶାନ୍ତିର ପକ୍ଷ ନେଉଛି। ଏହି ଯୁଦ୍ଧର ଶାନ୍ତିପୂର୍ଣ୍ଣ ଏବଂ ସ୍ଥାୟୀ ସମାଧାନ ଖୋଜିବା ପାଇଁ କରାଯାଉଥିବା ସମସ୍ତ ପ୍ରୟାସକୁ ଭାରତ ସ୍ବାଗତ କରୁଛି। ଭାରତ ଏହି କଥାବାର୍ତ୍ତାରେ ସାମିଲ ହେବାକୁ ପ୍ରସ୍ତୁତ ଅଛି। ଯୁଦ୍ଧରେ ଭାରତ ଶାନ୍ତିର ପକ୍ଷ ନେଉଥିବା ଜାଣି ପୁଟିନ ଖୁସି ବ୍ୟକ୍ତ କରିଥିଲେ। ପୁଟିନ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବରେ ଭାରତ ସ୍ବାଧୀନ ଓ ସାର୍ବଭୌମ ନୀତି ଅବଲମ୍ବନ କରିଆସୁଛି। ଏଥିପାଇଁ ଭାରତ ଆଜି ବିଶ୍ବର ସବୁଠାରୁ ଦ୍ରୁତ ଅଗ୍ରଗତି କରୁଥିବା ଅର୍ଥନୀତିରେ ପରିଣତ ହୋଇଛି। ଭାରତ ଏବଂ ରୁଷ ମଧ୍ୟରେ ଜାତିସଂଘ, ଜି ୨୦, ବ୍ରିକ୍ସ, ଏସସିଓ ଏବଂ ଅନ୍ୟାନ୍ୟ ଫୋରମରେ ଘନିଷ୍ଠ ସହଯୋଗ ରହିଆସିଛି। ଘନିଷ୍ଠ ସମନ୍ୱୟର ସହିତ ଆଗକୁ ବଢ଼ି ଏହି ସମସ୍ତ ଫୋରମରେ ଭାରତ ଆଲୋଚନା ଏବଂ ସହଯୋଗ ଜାରି ରଖିବ ବୋଲି ମୋଦୀ କହିଥିଲେ।

ଶେଷରେ ମୋଦୀ ରୁଷ୍ ରାଷ୍ଟ୍ରପତି ପୁଟିନ ଓ ତାଙ୍କ ପ୍ରତିନିଧି ମଣ୍ଡଳୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଶିଖର ସମ୍ମିଳନୀ ଓ ଦ୍ବିପାକ୍ଷିକ କଥାବାର୍ତ୍ତା ପୂର୍ବରୁ ପୁଟିନଙ୍କୁ ରାଷ୍ଟ୍ରପତି ଭବନରେ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ପରେ ସେ ରାଜଘାଟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ରାତିରେ ପୁଟିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପକ୍ଷରୁ ଆୟୋଜିତ ନୈଶ ଭୋଜିରେ ଯୋଗ ଦେଇଥିଲେ। ଶୁକ୍ରବାର ରାତିରେ ପୁଟିନ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ। ଗୁରୁବାର ସନ୍ଧ୍ୟାରେ ପୁଟିନଙ୍କ ଭାରତ ଗସ୍ତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପୁଟିନଙ୍କ ଏହି ଗସ୍ତ କାଳରେ ଭାରତ-ରୁଷ୍ ମଧ୍ୟରେ ଅନେକ ବୁଝାମଣା ସ୍ବାକ୍ଷରିତ ହୋଇଛି। ଏହା ମଧ୍ୟରେ ସ୍ବାସ୍ଥ୍ୟ ଓ ଖାଦ୍ୟ ସୁରକ୍ଷା, ସାମୁଦ୍ରିକ ସହଯୋଗ, ସାର, ସୀମା ଶୁଳ୍କ ଓ ବାଣିଜ୍ୟ, ଶିକ୍ଷାଗତ ସହଭାଗିତା, ଗଣମାଧ୍ୟମ ସହଭାଗିତା ଭଳି ବିଭିନ୍ନ କ୍ଷେତ୍ର ରହିଛି। ଏହି ଅବସରରେ ପୁତିନ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ରୁଷ୍‌ ଆସିବାକୁ ଆମନ୍ତ୍ରଣ କରିଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories