www.samajalive.in
Saturday, December 6, 2025
23.1 C
Bhubaneswar

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ (ଗ୍ରାଣ୍ଡ ଓଲ୍‌ଡ ମ୍ୟାନ୍‌) କୁହାଯାଉଥିଲା। ମୃତ୍ୟୁବେଳକୁ ତାଙ୍କୁ ୮୬ବର୍ଷ ବୟସ ପୂର୍ଣ୍ଣ ହୋଇନଥିଲା। ସେତେବେଳେ ଭାରତରେ ଜନ୍ମବେଳେ ପ୍ରତ୍ୟେକ ବ୍ୟକ୍ତିର ଜୀବନର ହାରାହାରି ପରିସୀମା ୩୨ବର୍ଷ ବୟସ ପର୍ଯ୍ୟନ୍ତ ଥିଲା। ପଦ୍ମଭୂଷଣ ଡ. ରାଧାନାଥ ରଥ ଏବେ ୯୫ବର୍ଷ ବୟସରେ ପଦାର୍ପଣ କଲେ। ତାଙ୍କୁ ପ୍ରଚଳିତ ମାନଦଣ୍ଡରେ ଓଡ଼ିଶାର ମହାନ୍‌ ବର୍ଷୀୟାନ ପୁରୁଷ (ଗ୍ରାଣ୍ଡ ଓଲ୍‌ଡ ମ୍ୟାନ୍‌) ନିର୍ବିବାଦରେ କୁହାଯାଇପାରେ। କେବଳ ଘଟଣାବହୁଳ ଜୀବନଯାପନ କରି ଦେଶ ଓ ଜାତିର ଇତିହାସରେ ନାମ ରଖିଯାଇଥିବା ବ୍ୟକ୍ତିଙ୍କୁ ଏଭଳି ବିଶେଷଣ ଦିଆଯାଇପାରେ। ସେହି ବିଚାରରେ ଉତ୍କଳଗୌରବ ମଧୁସୂଦନ ଓ ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କୁ ଏହି ବିଶେଷଣରେ ଭୂଷିତ କରାଯିବା ଯଥାର୍ଥ।

ପ୍ରତିବର୍ଷ ତାଙ୍କ ଜୟନ୍ତୀ ଉତ୍ସବରେ ବକ୍ତାମାନେ କହି ଆସୁଛନ୍ତି ଯେ ସେ ବ୍ୟକ୍ତି ରୂପେ ଜନ୍ମଗ୍ରହଣ କରିଥିଲେ ହେଁ ସେ ଗୋଟିଏ ଅନୁଷ୍ଠାନରେ ପରିଣତ ହୋଇଗଲେଣି। ଏଭଳି କହିବାର କାରଣ ହେଉଛି, ସେ ତାଙ୍କ ଜୀବନରେ ଜାତୀୟ ଜୀବନର ବିଭିନ୍ନ ବିଭାବରେ ଅବତୀର୍ଣ୍ଣ ହୋଇ ଯେଉଁ ମହାନ୍‌ ଅବଦାନ ଦେଇଛନ୍ତି, ତାହା ତାଙ୍କୁ ଗୋଟିଏ ଅନୁଷ୍ଠାନ ରୂପେ ପ୍ରତିଷ୍ଠିତ କରିସାରିଛି। ଗୋଟିଏ ଅନୁଷ୍ଠାନ ପରି ସେ ବର୍ତ୍ତମାନ ଚିରଞ୍ଜୀବୀ। ସେ ସାଂସାରିକ ଜୀବନରେ ଅକ୍ଷୟ କୀର୍ତ୍ତି ଅର୍ଜନ କରିଛନ୍ତି। ସେଥିପାଇଁ ସେ ବର୍ତ୍ତମାନ ବ୍ୟକ୍ତି ଓ ଜାତିର ପ୍ରେରଣାଦାତା ହୋଇଛନ୍ତି।

- Advertisement -

ରାଧାନାଥବାବୁ ଜଣେ କ୍ଷୁଦ୍ର ସରକାରୀ କର୍ମଚାରୀ ରୂପେ ଜୀବନ ଆରମ୍ଭ କରିଥିଲେ। ସେ ସରକାରୀ ଚାକିରି କରନ୍ତୁ ବୋଲି ଭଗବାନଙ୍କ ଅଭିପ୍ରାୟ ନଥିଲା। ତା ନ ହୋଇଥିଲେ ବିହାର-ଓଡ଼ିଶା ପ୍ରଦେଶର ସୁଦୂର ଚାଇଁବସାରେ ସରକାରୀ ଚାକିରି କରୁଥିବାବେଳେ ସେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦୃଷ୍ଟିରେ ପଡ଼ି ନଥାନ୍ତେ ଏବଂ ଗୋପବନ୍ଧୁ ନିଜ ଚରିତ୍ରବତ୍ତାର ମାଧ୍ୟାକର୍ଷଣରେ ବହୁ ଲୋକଙ୍କୁ ଆକୃଷ୍ଟ କରି ସରକାରୀ ଚାକିରିରୁ ଦେଶସେବା କ୍ଷେତ୍ରକୁ ଆଣିବାପରି ରାଧାନାଥବାବୁଙ୍କୁ ଆକୃଷ୍ଟ କରି ପାରିନଥାନ୍ତେ ଓ ସେ ନିଜ ଜୀବନକୁ ଉତ୍କଳମଣିଙ୍କ ଜୀବନ ସହିତ ସଂଶ୍ଳିଷ୍ଟ କରିନଥାନ୍ତେ। ୧୯୧୯ ଅକ୍ଟୋବର ୪ ତାରିଖଠାରୁ ଆଜୀବନ ସେ ଗୋପବନ୍ଧୁଙ୍କ ଐତିହ୍ୟର ବାହକ ହୋଇ ଆସିଛନ୍ତି। ବୟସ୍କ ଲୋକେ ତାଙ୍କୁ ଦେଖିଲେ ଉତ୍କଳମଣିଙ୍କୁ ମନେପକାନ୍ତି। ତାଙ୍କର ଦୁର୍ଭାଗ୍ୟ ଯେ ସେ ଆସିବାର ପ୍ରାୟ ନଅବର୍ଷ ପରେ ଉତ୍କଳମଣିଙ୍କ ମହାପ୍ରୟାଣ ହୋଇଗଲା। ମାତ୍ର ୫୧ ବର୍ଷର ଜୀବନକାଳ ମଧ୍ୟରେ ପଣ୍ଡିତ ଗୋପବନ୍ଧୁ ଯେଉଁ ଯଶକୀର୍ତ୍ତି ଅର୍ଜନ କରିଥିଲେ ଆଉ କେତେ ବର୍ଷ ବଞ୍ଚିଥିଲେ ସେ ଆହୁରି ଊର୍ଦ୍ଧ୍ବକୁ ଉଠି ଯାଇଥାଆନ୍ତେ ଏବଂ ତାଙ୍କ ଛାୟା ତଳେ ରାଧାନାଥବାବୁଙ୍କ ବ୍ୟକ୍ତିତ୍ବ ଆହୁରି ବେଶି ବିକଶିତ ହୋଇଥାଆନ୍ତା।

ଉତ୍କଳମଣିଙ୍କ ଅକାଳ ବିୟୋଗ ପରେ ତାଙ୍କ ମହାନ୍‌ ଐତିହ୍ୟକୁ ଜୀବନ୍ତ କରି ରଖିବା ଦାୟିତ୍ବ ରାଧାନାଥବାବୁଙ୍କ ଉପରେ ନ୍ୟସ୍ତ ହେଲା ଏବଂ ବିଭିନ୍ନ କ୍ଷେତ୍ରରେ ସେ ତାହା ହିଁ କଲେ। ଡ. ରାଧାନାଥ ରଥ ଗୋପବନ୍ଧୁଙ୍କ ଆଦର୍ଶରେ ନିଜକୁ ରଚନା କରି ଆସିଛନ୍ତି। ବଢ଼ି, ମରୁଡ଼ିବେଳେ ସ୍ନାନାହାରକୁ ଉପେକ୍ଷା କରି ଏପରି କି ଅସୁସ୍ଥତାକୁ ଭ୍ରୂକ୍ଷେପ ନ କରି ସେ ରାତିଦିନ ସେବା କ୍ଷେତ୍ରକୁ ଡେଇଁ ପଡ଼ନ୍ତି। ବେଳେବେଳେ ସେ ନିଜ ଜୀବନକୁ ବିପନ୍ନ କରି ପକାଇଛନ୍ତି। ବିପଦବେଳେ ଲୋକଙ୍କୁ ସାହାଯ୍ୟ କରିଛନ୍ତି। ସେ ନାନା ଭାବରେ ଲୋକଙ୍କୁ ସାହାଯ୍ୟ କରିବା ଲାଗି ଅନୁଷ୍ଠାନ ଗଢ଼ିଛନ୍ତି। ଗୋପବନ୍ଧୁଙ୍କ ଜୀବଦ୍ଦଶାରେ ସେ ‘ବଢ଼ି କଉଡ଼ି ଖାଇଗଲେ’ ବୋଲି କେତେ ଲୋକ ଅସୂୟା ପରବଶ ଭାବରେ ତାଙ୍କୁ ନିନ୍ଦା କରିଥିଲେ ବୋଲି ଗୋପବନ୍ଧୁ ମୃତ୍ୟୁଶଯ୍ୟାରେ ମଧ୍ୟ ଏହି ନିନ୍ଦା ବାକ୍ୟକୁ ପାସୋରି ପାରିନଥିଲେ। ଠିକ୍‌ ସେହିପରି ରାଧାନାଥବାବୁଙ୍କୁ ତାଙ୍କ ଦୟାଶୀଳତା ଯୋଗୁଁଁ ଲୋକେ ଯେ ନିନ୍ଦା କରିନାହାନ୍ତି ଏହା ନୁହେଁ, ତଥାପି ସେ ଅବିଚଳିତ ଭାବରେ ଜନସେବା କ୍ଷେତ୍ରରେ ଆଦୌ ଅବହେଳା କରିନାହାନ୍ତି। ଲୋକଙ୍କ ଦୁରବସ୍ଥାର ଅପନୋଦନ ଓ ରାଧାନାଥ ଏ ଦୁଇଟି ସମାନାର୍ଥବୋଧକ ଶବ୍ଦରେ ପରିଣତ ହୋଇଛି।

ଗୋପବନ୍ଧୁ ଜଣେ ଶିକ୍ଷାବିତ୍‌ ଥିଲେ ଓ ଶିକ୍ଷା ପ୍ରସାର ଲାଗି ସେ ଆଚାର୍ଯ୍ୟ ହରିହର, ପଣ୍ଡିତ ନୀଳକଣ୍ଠ, ପଣ୍ଡିତ ଗୋଦାବରୀଶ, ପଣ୍ଡିତ କୃପାସିନ୍ଧୁଙ୍କ ପରି ଉଚ୍ଚଶିକ୍ଷିତ ବ୍ୟକ୍ତିମାନଙ୍କୁ ଗ୍ରାସାଚ୍ଛାଦନ ଦେଇ ସତ୍ୟବାଦୀ ବନ ବିଦ୍ୟାଳୟରେ ନିୟୋଜିତ କରିଥିଲେ। ଏହି ବନ ବିଦ୍ୟାଳୟ ବ୍ୟବସ୍ଥା କେବଳ ସତ୍ୟବାଦୀରେ ସୀମିତ ନଥିଲା। ଏହାକୁ ସମଗ୍ର ରାଜ୍ୟରେ ପରିବ୍ୟାପ୍ତ କରିବା ଲାଗି ବିହାର-ଓଡ଼ିଶା ପ୍ରଦେଶର ବିଧାନ ପରିଷଦରେ ସେ ସରକାରୀ ପ୍ରସ୍ତାବ ଆଗତ କରି ତାହାକୁ ଗୃହୀତ କରାଇ ପାରିଥିଲେ। ରାଧାନାଥବାବୁ ଶିକ୍ଷକ ନଥିଲେ; କିନ୍ତୁ ଶିକ୍ଷାବିତ୍‌ ଥିଲେ। ସେ ସାଢ଼େ ଚାରିବର୍ଷ କାଳ ଶିକ୍ଷାମନ୍ତ୍ରୀ ରହିଥିଲେ। ଶୀଘ୍ର ଶିକ୍ଷା ବ୍ୟବସ୍ଥା ଉନ୍ନତ କରିବା ଲାଗି ସେ କଞ୍ଚାଇଟାରେ ଗୃହ ନିର୍ମାଣ କୌଶଳ ଆଲିଗଡ଼ରୁ ଆଣି ପୁରୀ ଜିଲା ସ୍କୁଲ, ବାଲେଶ୍ବର ଜିଲା ସ୍କୁଲ ଓ ସମ୍ବଲପୁର ଜିଲା ସ୍କୁଲର ଗୃହ ନିର୍ମାଣରେ ପ୍ରୟୋଗ କରିଥିଲେ। ଶିକ୍ଷାମନ୍ତ୍ରୀ ପଦରୁ ଯିବା ପରେ ସେ ବହୁ ସଂଖ୍ୟକ ଶିକ୍ଷାନୁଷ୍ଠାନର ବିନ୍ଧାଣି ହୋଇଛନ୍ତି। ତନ୍ମଧ୍ୟରୁ ବାଣପୁରର ଗୋଦାବରୀଶ ମହାବିଦ୍ୟାଳୟ ଏବଂ ଆଠଗଡ଼ର ଗୋପବନ୍ଧୁ ମହାବିଦ୍ୟାଳୟ ଓ ବାଳିକା ମହାବିଦ୍ୟାଳୟର ନାମ ଉଲ୍ଲେଖଯୋଗ୍ୟ।

ସେ ହେଉଛନ୍ତି ଓଡ଼ିଶାର ସର୍ବଶ୍ରେଷ୍ଠ ସାମ୍ବାଦିକ। ଭାରତବର୍ଷରେ ‘ଅମୃତବଜାର ପତ୍ରିକା’ର ସମ୍ପାଦକ ତୁଷାରକାନ୍ତି ଘୋଷଙ୍କ ବ୍ୟତୀତ ଅନ୍ୟ କେହି ୭୧ ବର୍ଷ ସାମ୍ବାଦିକତା କରିନାହାନ୍ତି। ପ୍ରଥମେ ‘ସମାଜ’ର ପରିଚାଳକ ଓ ପରେ ସମ୍ପାଦକ ରୂପେ ଡ. ରଥ ବହୁ ଝଡ଼ଝଞ୍ଜାର ସମ୍ମୁଖୀନ ହୋଇଛନ୍ତି। ପଣ୍ଡିତ ଗୋପବନ୍ଧୁଙ୍କ ସମ୍ପାଦନାରେ ‘ସମାଜ’ ଗୋଟିଏ ସାପ୍ତାହିକ ପତ୍ରିକା ଥିଲା। ପଣ୍ଡିତ ଗୋପବନ୍ଧୁଙ୍କ ମହାପ୍ରୟାଣ ପରେ ପଣ୍ଡିତ ନୀଳକଣ୍ଠ, ପଣ୍ଡିତ ଗୋଦାବରୀଶ ଓ ଆଚାର୍ଯ୍ୟ ହରିହର ବିଭିନ୍ନ ସମୟରେ ଏହାର ସମ୍ପାଦନା ଦାୟିତ୍ବ ନେଇଥିଲେ ସିନା, ୧୯୩୦ ଅପ୍ରେଲ ମାସରେ ମହାତ୍ମା ଗାନ୍ଧୀଙ୍କ ଦାଣ୍ଡି ଲବଣଯାତ୍ରା ବେଳେ ଏହା ପରୀକ୍ଷାମୂଳକ ଭାବରେ ଦୈନିକ ସମ୍ବାଦପତ୍ର ଓ ୧୯୩୧ରେ ନିୟମିତ ଭାବରେ ଦୈନିକ ସମ୍ବାଦପତ୍ର ରୂପେ ପ୍ରକାଶ ପାଇଲା। ଓଡ଼ିଶାର ପୁରପଲ୍ଲୀ ଓ ଭାରତରେ ଓଡ଼ିଆମାନେ ବାସ କରୁଥିବା ସହରରେ ‘ସମାଜ’ ଖ୍ୟାତି ଅର୍ଜନ କରିଛି। ‘ସମାଜ’ର ଆଧୁନିକ କଳେବର ରାଧାନାଥବାବୁଙ୍କ ସମ୍ପାଦନାରେ ସୃଷ୍ଟି ହୋଇଛି ଏବଂ ସାଧାରଣ ଲୋକେ ‘ସମାଜ’ କହିଲେ ଡ. ରଥଙ୍କୁ ଓ ତାଙ୍କ ନାଁ ଧଇଲେ ‘ସମାଜ’ ବୋଲି ବିବେଚନା କରନ୍ତି। ଦେଶସେବା କ୍ଷେତ୍ରରେ ସେ ମଧ୍ୟ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି। ଭାରତଛାଡ଼ ଆନ୍ଦୋଳନ ବେଳେ ସେ ବ୍ରହ୍ମପୁର ଜେଲ୍‌ରେ ଥିଲେ। ଗଡ଼ଜାତ ଆନ୍ଦୋଳନ କ୍ଷେତ୍ରରେ ସେ ଅନ୍ୟତମ ପୁରୋଧା ଥିଲେ ଏବଂ ତାଙ୍କ ଉଦ୍ୟମରେ ଆଠଗଡ଼ରେ ରାଜାଙ୍କ ଦ୍ବାରା ଯେଉଁ ମନ୍ତ୍ରିମଣ୍ଡଳ ଗଠିତ ହୋଇଥିଲା ସେଥିରେ ତାଙ୍କର କନିଷ୍ଠଭ୍ରାତା ବିଶ୍ବନାଥ ରଥ ପ୍ରଧାନମନ୍ତ୍ରୀ ହୋଇଥିଲେ। ସ୍ବାଧୀନ ଭାରତରେ ସେ ବହୁକାଳ ଧରି ଉତ୍କଳ ସମ୍ମିଳନୀର ସଭାପତି ପଦ ମଣ୍ଡନ କରିଥିଲେ। ସେ ୧୯୫୨ରୁ ୧୯୬୧ ପର୍ଯ୍ୟନ୍ତ ଛଅଥର ଓଡ଼ିଶା ସରକାରରେ ମନ୍ତ୍ରୀ ଏବଂ ଅଖିଳ ଭାରତ ଓଡ଼ିଶା ବିଧାନସଭାର ସଦସ୍ୟ ଓ ଲୋକସେବକ ମଣ୍ଡଳର ଜାତୀୟ ସଭାପତି ଭାବେ ଦୀର୍ଘ ବର୍ଷ କାର୍ଯ୍ୟ କରିଥିଲେ।

ରାଧାନାଥବାବୁ ତାଙ୍କ ଜୀବଦ୍ଦଶାରେ ଏତେ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ଯେ ତାହାର ବିଶଦ ବିବରଣୀ ଦେବା ଏହି କ୍ଷୁଦ୍ର କଳେବର ମଧ୍ୟରେ ସମ୍ଭବପର ନୁହେଁ। ତାଙ୍କ ଖ୍ୟାତିକୁ ଅବଲୋକନ କରି ରାଷ୍ଟ୍ରପତି ତାଙ୍କୁ ‘ପଦ୍ମଭୂଷଣ’ ସମ୍ମାନ ପ୍ରଦାନ କରିଛନ୍ତି ଏବଂ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ତାଙ୍କୁ ସମ୍ମାନସୂଚକ ଡକ୍ଟରେଟ ଉପାଧିରେ ମଣ୍ଡନ କରିଛନ୍ତି। ତେଣୁ ତାଙ୍କୁ ଓଡ଼ିଶାର ମହାନ୍‌ ବର୍ଷୀୟାନ ପୁରୁଷ ବୋଲି ବର୍ଣ୍ଣନା କରାଯାଇପାରେ।
(୧୯୯୦ ଡିସେମ୍ବରରେ ପ୍ରକାଶିତ ଡକ୍ଟର ରାଧାନାଥ ରଥଙ୍କ ୯୫ତମ ଜୟନ୍ତୀ ଅବସରରେ ପ୍ରକାଶିତ ‘ଅଭିନନ୍ଦନିକା’ରୁ ଆନୀତ ପ୍ରଫେସର ଦାଶଙ୍କ ଲେଖା ‘ମହାନ୍‌ ବର୍ଷୀୟାନ ପୁରୁଷ’ର ସମ୍ପାଦିତ ଅଂଶ।)

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories