ଜାଲିଆଁୱାଲାବାଗ ହତ୍ୟାକାଣ୍ଡ: ଏକ ଚର୍ଚ୍ଚା

0

ପ୍ରୀତୀଶ ଆଚାର୍ଯ୍ୟ

prayash

ଭାରତର ଜାତୀୟତା ଆନ୍ଦୋଳନ ଏକ ସୁଦୀର୍ଘ ସଂଗ୍ରାମ। ଏହାର ଆରମ୍ଭ ବ୍ରିଟିଶ ଶାସନର ଆରମ୍ଭ ଦିନରୁ। ସେହି ସଂଗ୍ରାମ ପ୍ରକ୍ରିୟାରେ ନବଭାରତର ଉନ୍ମେଷ ହେଲା, ଯାହା ପ୍ରାକ୍‌-ବ୍ରିଟିଶକାଳୀନ ଉପନିବେଶବାଦ ଶାସିତ ଭାରତର ବିକଳ୍ପ ମଧ୍ୟ ଥିଲା। ଉପନିବେଶବାଦୀ ଶାସନ ଓ ଜାତୀୟତା ଆନ୍ଦୋଳନ ହେଉଛି ଆଧୁନିକ ଭାରତ ଇତିହାସର ଏକ ପ୍ରମୁଖ ସମ୍ଭାଗ। ସେହି କାରଣରୁ ଆନ୍ଦୋଳନକାଳୀନ ବିଶିଷ୍ଟ ଘଟଣାସବୁ ଏବଂ ତହିଁରେ ଭାଗ ନେଇଥିବା ବ୍ୟକ୍ତିବିଶେଷ ସ୍ବାଧୀନୋତ୍ତର ଭାରତରେ ଚର୍ଚ୍ଚାର ମୁଖ୍ୟ ପ୍ରସଙ୍ଗ ହୁଅନ୍ତି। ଏହା ଆଦୌ ଅସଂଗତ ନୁହେଁ। କାରଣ ଭାରତର ରାଜନୀତି, ସମାଜ, ସାହିତ୍ୟ ଓ ଅର୍ଥନୀତି ଆଦି ବିଭିନ୍ନ ବିଭାବ ଏହି କାଳାଂଶରେ ରୂପାନ୍ତରକୁ ଅନୁଭବ କରିଥିଲେ। ଏହି କ୍ରମରେ ଏଠାରେ ‘ଜାଲିଆଁୱାଲାବାଗ ହତ୍ୟାକାଣ୍ଡ’କୁ ସ୍ମରଣକୁ ଆଣିବା। ତାକୁ ଏ ବର୍ଷ (୨୦୧୯) ଶହେବର୍ଷ ପୂରଣ ହେଲା। ତା’ଠାରୁ ବଡ଼କଥା ଯେ ‘ଜାଲିଆଁୱାଲାବାଗ’ ଥିଲା ଭାରତୀୟ ସ୍ବାଧୀନତା ସଂଗ୍ରାମର ଏକ ଜଳବିଭାଜିକା ପରି ପରିଦୃଶ୍ୟ। ଏହି ଘଟଣା ଯୋଗୁଁ ଭାରତୀୟ ସମାଜର ବ୍ରିଟିଶ ଶାସନ ଉପରୁ ସଂପୂର୍ଣ୍ଣଭାବେ ମୋହ ତୁଟିଲା। ନିରସ୍ତ୍ର ସାଧାରଣ ଲୋକଙ୍କୁ ଆତ୍ମରକ୍ଷାର ଆଦୌ ଅବସର ନଦେଇ ହତ୍ୟା କରିଥିବା ବ୍ୟକ୍ତିବିଶେଷଙ୍କୁ ଏବଂ ଏଭଳି ଜଘନ୍ୟ ହତ୍ୟାକୁ ବ୍ରିଟିିଶ ସରକାର ଔଚିତ୍ୟ ପ୍ରଦାନ କରିଥିଲା। ଏହା ସିଦ୍ଧ କଲା ଯେ ବ୍ରିଟିଶ ଶାସନ ଆଦୌ ଲୋକମଙ୍ଗଳକାରୀ ନୁହେଁ, ବରଂ ଲୋକହତ୍ୟାକାରୀ! ଏହି କାରଣରୁ ୧୯୧୯ପରେ ଜାତୀୟତା ଆନ୍ଦୋଳନ ଏକ ଗଣସଂଗ୍ରାମରେ ପରିଣତ ହେଲା। ଶତାବ୍ଦୀ ବର୍ଷରେ ଜାଲିଆଁୱାଲାବାଗକୁ ନେଇ ଏହି ଚର୍ଚ୍ଚା।
ଜାଲିଆଁୱାଲାବାଗ ଥିଲା ଅମୃତସରରେ ସ୍ଥାପିତ ସ୍ବର୍ଣ୍ଣମନ୍ଦିର ନିକଟସ୍ଥ ଏକ ପଡ଼ିଆ। ହିମ୍ମତ ସିଂହ ନାମକ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କର ବ୍ୟକ୍ତିଗତ ସଂପତ୍ତି। ହିମ୍ମତ ସିଂହଙ୍କର ପରିବାର ‘ଜାଲିୟାଁ’ ନାମକ ଏକ ଗାଁରୁ ଆସିଥିଲେ ବୋଲି ‘ଜାଲିୟାଁୱାଲେ’ ନାମରେ ପରିଚିତ ଥିଲେ। ‘ବାଗ୍‌’ ବା ପଡ଼ିଆର ଚାରିକଡ଼େ ଘର, ଯାହା ପଡ଼ିଆକୁ ଆବଦ୍ଧ କରି ରଖିଥିଲା। ଯଦିଓ ପଡ଼ିଆକୁ ଯିବା ଆସିବା ଲାଗି ପାଞ୍ଚଟି ବାଟ, କେବଳ ଗୋଟାଏ ବାଟ ହିଁ ସାମାନ୍ୟ ଚଉଡ଼ା ଥିଲା। ଅନ୍ୟଗୁଡ଼ିକ ଥିଲା ଖୁବ୍‌ ସଂକୀର୍ଣ୍ଣ; ତେଣୁ ଅବ୍ୟବହୃତ ମଧ୍ୟ। ୧୩ ଏପ୍ରିଲ ୧୯୧୯ ଦିନ ଏହି ପଡ଼ିଆରେ ପ୍ରାୟ ୩୦୦୦ରୁ ଊର୍ଦ୍ଧ୍ବ ଲୋକ ଏକତ୍ରିତ ହୋଇ ଶାନ୍ତିପୂର୍ଣ୍ଣ ଉପାୟରେ ନିକଟରେ ଗୃହୀତ ହୋଇଥିବା ରାଓଲଟ ଆଇନର ପ୍ରତିବାଦ କରୁଥିଲେ। ଏହି ସମୟରେ ଅମୃତସରର ସେନା ଅଧିକାରୀ ଜେନେରାଲ ରିଗିନାଲ୍ଡ ଡାୟାର ୯୫ଜଣ ଭାରତୀୟ ସୈନ୍ୟଙ୍କୁ ନେଇ ସେଠାରେ ପହଞ୍ଚିଥିଲେ ଏବଂ ବ୍ୟବହାରଯୋଗ୍ୟ ଏକମାତ୍ର ବାଟ ମୁହଁରେ ରହି ଲୋକସମାଗମ ଉପରେ ଗୁଳିଚାଳନା କରିବାକୁ ନିର୍ଦେଶ ଦେଇଥିଲେ। ଏହି ଅତର୍କିତ ଗୁଳିକାଣ୍ଡ ପାଇଁ ଲୋକେ ଆଦୌ ପ୍ରସ୍ତୁତ ନ ଥିଲେ। ପୁଣି ପଳାୟନ ପାଇଁ ମଧ୍ୟ ବାଟ ଅବରୁଦ୍ଧ ଥିଲା। ପ୍ରଥମେ ସୈନିକମାନେ ଲୋକଙ୍କ ଉପରେ ଗୁଳି ନକରି ଉପରକୁ ଗୁଳି କଲେ। ଉଦ୍ଦେଶ୍ୟ, ଲୋକ ପଡ଼ିଆଛାଡ଼ି ଚାଲିଯିବେ। ମାତ୍ର ଏଥିପାଇଁ ସେମାନଙ୍କୁ ଜେନେରାଲ ଡାୟାରଙ୍କଠାରୁ ଭର୍ତ୍ସନା ଶୁଣିବାକୁ ମିଳିଲା। ଫଳରେ ବାଧ୍ୟରେ ସେମାନେ ପଡ଼ିଆର ଭିଡ଼ ଜାଗା ଦେଖି ପ୍ରାୟ ଦଶରୁ ବାର ମିନିଟ ଯାଏଁ ଲୋକଙ୍କୁ ହତ୍ୟା କରିବା ନିମନ୍ତେ ହିଁ ଗୁଳି କଲେ। ଘଟଣା ପରେ ପଞ୍ଜାବର ଲେଫ୍ଟନାଣ୍ଟ ଗଭର୍ଣ୍ଣର ପଦରେ ଥିବା ମାଇକେଲ ଓ’ଡାୟାର ହତ୍ୟାକାଣ୍ଡର ଔଚିତ୍ୟ ଦର୍ଶାଇ ବୟାନ ଜାରି କରିଥିଲେ, ଯାହା ଭାରତବାସୀଙ୍କୁ ଅଧିକ କ୍ରୁଦ୍ଧ କରିଥିଲା।
‘ଜାଲିଆଁୱାଲାବାଗ’ରେ ସରକାରୀ ଆକଳନ ଅନୁଯାୟୀ ​ ‌େସଦିନ ମୋଟ ୩୭୯ଜଣ ଲୋକ ନିହତ ଏବଂ ପ୍ରାୟ ୧୧୦୦ଲୋକ ଆହତ ହୋଇଥିଲେ। ବେସରକାରୀ ହିିସାବରେ ଉଭୟେ ନିହତ ଓ ଆହତଙ୍କ ସଂଖ୍ୟା ଏଥିରୁ ଖୁବ୍‌ ଅଧିକ ଥିଲା। ସରକାରୀ ଆକଳନ ଅନେକାଂଶରେ ଭ୍ରମାତ୍ମକ, କାରଣ ହତ୍ୟାକାଣ୍ଡ ଉତ୍ତାରୁ ଉଭୟ ମୃତକଙ୍କ ପରିଜନ ଓ ଆହତ ବ୍ୟକ୍ତି ମୃତାହତଙ୍କ ସମ୍ବନ୍ଧରେ ସୂଚନା ଦେବାକୁ ମଧ୍ୟ ସାହସ କରୁନଥିଲେ। ଅନ୍ୟଥା ସେମାନେ ପ୍ରଶାସନିକ ରୋଷର ଶିକାର ହେବାର ଡର ରହିଥିଲା। ଦ୍ବିତୀୟତଃ, ଉକ୍ତ ଦିନ ପବିତ୍ର ବୈଶାଖୀ ପର୍ବ ଥିବାରୁ ଅନେକ ସପରିବାର ସ୍ବର୍ଣ୍ଣମନ୍ଦିର ନିକଟରେ ଅନୁଷ୍ଠିତ ହେଉଥିବା ଏହି ସଭାକୁ ଆସିଥିଲେ। ଫଳରେ ଗୁଳିକାଣ୍ଡରେ ପୂରା ପରିବାର ନିଶ୍ଚିହ୍ନ ହୋଇଯାଇଥିଲେ। ସେହି ସ୍ଥିତିରେ ମୃତକଙ୍କ ହିସାବ ଦେବାଲାଗି ମଧ୍ୟ ପରିବାରରେ ​‌େ‌କହି ବାକି ନଥିଲେ। ହତ୍ୟାକାଣ୍ଡଠାରୁ ଅଧିକ ବର୍ବରୋଚିତ ଥିଲା ଅମୃତସରର ସାମରିକ ଶାସନ। ଏହା ଅନେକ ଦିନ ଧରି ଚାଲିଲା ଏବଂ କର୍ଫ୍ୟୁ ସମୟରେ ଲୋକଙ୍କୁ ଆଣ୍ଠୁରେ ଭାରାଦେଇ ମୁଣ୍ଡତଳକୁ କରି ଗୁରୁଣ୍ଡିଗୁରୁଣ୍ଡି ଯା’ ଆସ କରିବାକୁ ପଡ଼ୁଥିଲା।
‘ଜାଲିଆଁୱାଲାବାଗ’ର ଖବର ସମଗ୍ର ଦେଶବାସୀଙ୍କୁ ସ୍ତବ୍ଧ କରି ଦେଇଥିଲା। ଇଂରେଜ ସରକାରର ଭାରତୀୟ ଜନତା ପ୍ରତି ‘ପିତୃସୁଲଭ’ ପ୍ରେମଭାବ ରହିଛି ବୋଲି ଯେଉଁମାନେ ମନେ କରୁଥିଲେ, ସେମାନେ ମଧ୍ୟ ଆଉ ଇଂରେଜ ଉପରେ କୌଣସି ଆସ୍ଥା ରଖିଲେ ନାହିଁ। ଠିକ୍‌ ସେହି ବର୍ଷ ଅମୃତସରଠାରେ କଂଗ୍ରେସ ତା’ର ବାର୍ଷିକ ମହାଅଧିବେଶନ ଆୟୋଜିତ କରି ଇଂରେଜ ସରକାରଙ୍କୁ ଏକ ରକମ ଚାଲେଞ୍ଜ୍‌ ଦେଲା। ୧୯୧୭-୧୮ରେ ମହାତ୍ମା ଗାନ୍ଧି ‘ଚମ୍ପାରଣ’, ‘ଖେଡ଼ା’ ଏବଂ ‘ଅହମ୍ମଦାବାଦ’ ଆନ୍ଦୋଳନର ସୂତ୍ରପାତ କରି ଏକ ସର୍ବଭାରତୀୟ ଜନଆନ୍ଦୋଳନ ପାଇଁ ଭିତ୍ତି ତିଆରି କରି ସାରିଥାନ୍ତି; ଅର୍ଥାତ ‘ଜାଲିଆଁୱାଲାବାଗ’ ଘଟିତ ହେଲାବେଳକୁ ଗାନ୍ଧୀଙ୍କର ସର୍ବଭାରତୀୟ ସ୍ତରର ପ୍ରମୁଖ ନେତା ଭାବେ ଉତ୍‌ଥାନ ହୋଇସାରିଥାଏ। ଏବର୍ଷ ଜାଲିଆଁୱାଲାବାଗର ଯେମିତି ଶହେବର୍ଷ ପୂର୍ତ୍ତି, ମହାତ୍ମା ଗାନ୍ଧୀଙ୍କର ମଧ୍ୟ ସେମିତି ୧୫୦ ତମ ଜୟନ୍ତୀ। ‘ଗାନ୍ଧୀଙ୍କର ଜୟନ୍ତୀ ପାଳନ ଅବସରରେ ହତ୍ୟାକାଣ୍ଡର ଶିକାର ସେହି ଅଗଣିତ ଜନସମୂହ ମଧ୍ୟ ଶ୍ରଦ୍ଧାଞ୍ଜଳିର ଯୋଗ୍ୟ। ସେମାନେ ସମସ୍ତେ ଉପନିବେଶବାଦୀ ଇଂରେଜ ସରକାରକୁ ମୋଟାମୋଟି ଭାବେ ‘ଜନମଙ୍ଗଳକାରୀ’ ବୋଲି ଭାବୁଥିଲେ। ସେହି ଭରସାରେ ନିରସ୍ତ୍ର ହୋଇ ନିର୍ଭୟ ମନରେ ଜନସଭାରେ ଯୋଗ ଦେଇଥିଲେ। ଜାତୀୟତାବାଦକୁ ନେଇ ତର୍କ ଓ ତତ୍ତ୍ବର ଗୂଢ଼ତାକୁ ବି ହୁଏତ ସେମାନଙ୍କ ମଧ୍ୟରୁ ଅଧିକାଂଶ ବୁଝି ନ ଥିଲେ। ବିଶ୍ବାସରେ ବିଷ ମିଶାଇ ଇଂରେଜ ସରକାର ସେମାନଙ୍କୁ ହତ୍ୟା କଲା। ସେମାନଙ୍କ ଆତ୍ମବଳି ଦେଶକୁ ଅଧିକ ତୀବ୍ରତର ସହିତ ଜାତୀୟତାବୋଧ​‌େ​‌ର ଯେ ଓତପ୍ରୋତ କଲା, ଏହା କହିବା ବାହୁଲ୍ୟ।
‘ଜାଲିଆଁୱାଲାବାଗ’ ସମଗ୍ର ଦେଶର ରାଜନୀତିକୁ ଖୁବ୍‌ ପ୍ରଭାବିତ କରିଥିଲା। ଓଡ଼ିଶା ରାଜନୀତି ପାଇଁ ମଧ୍ୟ ଏକ ଅପାସୋରା କାହାଣୀ। ଏମିତିରେ ପଞ୍ଜାବ ଓ ଓଡ଼ିଶା ମଧ୍ୟରେ ଭୌଗୋଳିକ ଦୂରତା କିଛି କମ୍ ନୁହେଁ। ତହିଁରେ ପୁଣି ଭାଷା ଭିନ୍ନଭିନ୍ନ। ତା’ପରେ ବି ହତ୍ୟାକାଣ୍ଡର ଯଥେଷ୍ଟ ପ୍ରଭାବ ପଡ଼ିଥିଲା ଓଡ଼ିଶାରେ। ୧୯୧୯ରେ ପ୍ରତିଷ୍ଠିତ ‘ସମାଜ’ ପୃଷ୍ଠାରେ ପଞ୍ଜାବର ଏହି ଅମାନବୀୟ ଘଟଣାକୁ ନେଇ ଏକାଧିକ ସମ୍ବାଦ ପ୍ରକାଶିତ ହୋଇଥିଲା। ‘ସମାଜ’ର ପ୍ରକାଶନ ଆରମ୍ଭ ହେଲା ବେଳକୁ ‘ହତ୍ୟାକାଣ୍ଡ’କୁ ଛଅମାସ ପୂରି ସାରିଥାଏ। ତେଣୁ, ଜେନେରାଲ ଡାୟାରଙ୍କୁ ହତ୍ୟାକାଣ୍ଡ ପାଇଁ ଦୋଷୀ କରିବା ପରିବର୍ତ୍ତେ ସରକାର କିଭଳି ‘ବିଜୟୀ ବୀର’ ଭଳି ଉତ୍ସାହ ଦେଉଛି, ସେ ନେଇ ‘ସମାଜ’ରେ ବାରମ୍ବାର ଚର୍ଚ୍ଚା ହେଉଥାଏ। ଗଙ୍ଗାଧର ମେହେର ମଫସଲ ବରପାଲିରେ ରହି ଏହି ଘଟଣା ପରେ ଦ୍ବିଅର୍ଥବୋଧକ ‘ଭାରତଗୀତିକା’ ଲେଖିଲେ। ତହିଁରେ ଇଂରେଜକୁ ଆକ୍ଷେପ କରି ତଥା ଉଭୟ ଗାନ୍ଧୀ ଏବଂ ପଞ୍ଜାବ କାଣ୍ଡ (ଜାଲିଆଁୱାଲାବାଗ)ର ଉଦ୍ଧରଣ କରି ଗାଇଛନ୍ତି:
‘‘ ଡାକି ତ ନଥିଲୁ ତୁମ୍ଭ ଘର ଯାଇ ଆସିଥିଲ ତୁୁମ୍ଭ ଲାଭରେ/ ସରଳ ହୃଦୟ ଜାଣି ସିନା ଘରେ ରଖିଲୁ ସ୍ନେହ ଆଦରେ। ଗୋପେନ୍ଦ୍ର, (ସାମ୍ରାଜ୍ୟବାଦୀ ଶାସକ) କହିବ କଲ ଉପକାର/ଯାହା କରିଅଛ ନିଜ ସ୍ବାର୍ଥପାଇଁ ନ ଥିଲା ଆମ୍ଭ ଦରକାର’’
…. ଗାନ୍ଧୀ ନିଜ କାଣ୍ଡ ଘଟାଇଲା ଦିନୁ ସ୍ନେହ ଗଣ୍ଠି ହେଲା ଶିଥିଳ/ ତହୁଁ ଜଣାଗଲା କିସ ହେଲ ତୁମ୍ଭେ ତହିଁ ପୂର୍ବେ ଅବା କି ଥିଲ/ ପାଞ୍ଚା​‌େ​‌ଳ (ପଞ୍ଜାବରେ) ପରିଚୟ ହେଲା ଯାହାର/ ଯାହା ଲାଗି ହେଲା ସକଳ କଳହ (ଜେନେରାଲ ଡାୟାର) ମାନ ବଢ଼ାଇଲ ତାହାର’’।
ଯଦି ଗଙ୍ଗାଧର ସାହିତ୍ୟକୁ ଆଲୋଚନା କରାଯାଏ, ଆରମ୍ଭରେ ସେ ଆଦୌ ଇଂରେଜ ବିରୋଧୀ ନଥିଲେ; ବରଂ ‘ଭିକ୍ଟୋରିଆ ସ୍ତବ’ ଲେଖି ଇଂରେଜ ଶାସନର ଜୟଗାନ କରିଥିଲେ। ନିଜେ ମହାତ୍ମା ଗାନ୍ଧୀ ମଧ୍ୟ ‘ପ୍ରଥମ ବିଶ୍ବଯୁଦ୍ଧ’ (୧୯୧୪-୧୮) ପର୍ଯ୍ୟନ୍ତ ଇଂରେଜକୁ ପୂର୍ଣ୍ଣତଃ ଅମଙ୍ଗଳକାରୀ, ଜନବିରୋଧୀ ମନେ କରୁନଥିଲେ। ପଞ୍ଜାବର ଘଟଣା ଗାନ୍ଧୀ ଓ ଗଙ୍ଗାଧର ମେହେରଙ୍କ ଭଳି ବୌଦ୍ଧିକ ବର୍ଗକୁ ତୀବ୍ରଭାବେ ବ୍ରିଟିଶ ବିରୋଧୀ କଲା। ଗଙ୍ଗାଧରଙ୍କ କବିତା ତା’ର ଏକ ପ୍ରତୀକ। ଫଳରେ ଦେଶର ଆନ୍ଦୋଳନ ତୀବ୍ରଗତି ଓ ଠୋସ ସ୍ବରୂପ ପାଇଲା। ୧୯୧୯ ପରେ ଓଡ଼ିଶାରେ ପ୍ରଥମକରି ଜାତୀୟ କଂଗ୍ରେସର ଶାଖା ପ୍ରତିଷ୍ଠିତ ହେଲା, ଯଦିଓ ସର୍ବଭାରତୀୟ ସ୍ତରରେ ଦୀର୍ଘ ୩୫ ବର୍ଷ ପୂର୍ବେ (୧୮୮୫)ରେ ତା’ର ସ୍ଥାପନ ହୋଇ ସାରିଥିଲା। ୧୯୦୩ରେ ସ୍ଥାପିତ ‘ଉତ୍କଳ ସମ୍ମିଳନୀ’ ସେ ପର୍ଯ୍ୟନ୍ତ ଥିଲା ମୋଟାମୋଟି ଭାବେ ଇଂରେଜ ଶାସନର ସମର୍ଥକ, କାରଣ ତା’ର ଆଞ୍ଚଳିକ ଦାବି ଇଂରେଜ ସରକାରର ସହାୟତାରେ ପରିପୂରଣ ହେବ ବୋଲି ଆଶା ରହିଥିଲା। ‘ଜାଲିଆଁୱାଲାବାଗ’ ଘଟଣା ଉତ୍ତାରୁ ୧୯୨୦ରେ ‘ଉତ୍କଳ ସମ୍ମିଳନୀ’ ମଧ୍ୟ ଜାତୀୟ କଂଗ୍ରେସରେ ସମାହିତ ହେଲା। ଅନ୍ୟ ଶବ୍ଦରେ କହିଲେ, ‘ଜାଲିଆଁୱାଲାବାଗ’ ଓଡ଼ିଶାର ଉଦାର ନେତୃବର୍ଗଙ୍କୁ ଏବଂ ଓଡ଼ିଶାକୁ ଭାରତୀୟ ମହାଜାତୀୟ ସ୍ରୋତରେ ମିଶିଯିବା ଲାଗି ପ୍ରବର୍ତ୍ତାଇଲା। ଭାରତ ଓ ଓଡ଼ିଶା ବା ରାଷ୍ଟ୍ର ଓ ଅଞ୍ଚଳର ମୁକ୍ତି ମାର୍ଗ ଅଭିନ୍ନ ବୋଲି ଯେଉଁ ଅନ୍ତଃସ୍ବର ରହିଥିଲା, ତାହା ଏହି ଘଟଣା ଉତ୍ତାରୁ ଓଡ଼ିଶା ରାଜନୀତିର ମୁଖ୍ୟସ୍ବର ହେଲା।
ଇତିହାସର କୌଣସି ଘଟଣା ପଛରେ କେବଳ ଗୋଟାଏ କାରଣ ରହିନଥାଏ; ବରଂ ଏକାଧିକ କାରଣ ରହିଥାଏ। ସେହି ଆଧାରରେ ତର୍କ କଲେ କେବଳ ଜାଲିଆଁୱାଲାବାଗ ଆମ ରାଜ୍ୟର କିମ୍ବା ଦେଶର ରାଜନୀତିକ ପଟ୍ଟ ପରିବର୍ତ୍ତନ କରିଦେଲା ବୋଲି କହିବା ଠିକ୍‌ ହେବନାହିଁ। ମାତ୍ର ସାମଗ୍ରିକ ପଟ୍ଟ ପରିବର୍ତ୍ତନରେ ‘ଜାଲିଆଁୱାଲାବାଗ’ର ଯୋଗଦାନ କମ ବୋଲି ବି କହିବା ଆଦୌ ଉଚିତ ହେବନାହିଁ। ଏହା ହେଲା ଏକ ସାମଗ୍ରିକ ଦୃଷ୍ଟି; ବିଜ୍ଞାନସମ୍ମତ ଇତିହାସ ସୃଷ୍ଟି; ତାକୁ ଉପେକ୍ଷା କଲେ ଘଟଣାର ଶହେବର୍ଷ ଓ ବ୍ୟକ୍ତିର ଦେଢ଼ଶହ ବର୍ଷ ପୂର୍ତ୍ତି ଆଦି ଉତ୍ସବ ଯେ ‘ପାଣିଚିଆ’ ‘ଶୁଦ୍ଧ ଦେଖାଣିଆ’ ହେବାର ଡର ବଢ଼ିଯାଏ, ଏହା କହିବା ବାହୁଲ୍ୟ।

kalyan agarbati
Leave A Reply