ପାଣି ଅଣ୍ଟାଏ; ନାକ ଆଉ କେତେ ଦୂର?
ଅକ୍ଷୟ କୁମାର ସାହୁ
ଲଘୁଚାପଜନିତ ଅବିଶ୍ରାନ୍ତ ବର୍ଷା ଯୋଗୁ ରାଜଧାନୀ ଭୁବନେଶ୍ୱର, କଟକ ଓ ପୁରୀ ସମେତ ରାଜ୍ୟରେ ବିଭିନ୍ନ ସହର ଓ ଗ୍ରାମାଞ୍ଚଳର ଜନବସତିଗୁଡିକ ଯେଉଁଭଳି ଭାବେ ଜଳାର୍ଣ୍ଣବ ହୋଇଛି, ତାହା ଅଭୂତପୂର୍ବ। ଅତୀତରେ ବର୍ଷା ହେଉଥିଲେ ସହର ତଳି ଅଞ୍ଚଳରେ ପାଣି ପ୍ରବେଶ କରୁଥିଲା । ସହିଦନଗର, ଜୟଦେବ ବିହାର ଭଳି ଉଚ୍ଚ ସ୍ଥାନରେ ପାଣି ଘରେ ପଶୁ ନଥିଲା କି ଓଡ୍ରାଫ୍ ଜବାନମାନେ ମୋଟରବୋଟ୍ ସାହାଯ୍ୟରେ ଲୋକମାନଙ୍କୁ ପାଣିସୁଅରୁ ଉଦ୍ଧାର କରିବା ନଜିର ନଥିଲା । ଏଥରର ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ନିଆରା । ତଳି ଅଞ୍ଚଳ ଓ ବସ୍ତି ସମେତ ସହରଗୁଡିକର ମୁଖ୍ୟ ରାସ୍ତା ଓ ଉଚ୍ଚ ସ୍ଥାନରେ ଅବସ୍ଥିତ ଜନବସତିରେ ବର୍ଷା ଜଳ ପ୍ରବେଶ କରିଛି ।
ବହୁ ବୁଦ୍ଧିଜୀବୀ ଏଥର ଘଟଣାକୁ ମାନବକୃତ ବୋଲି ତୁଳନା କରିଛନ୍ତି। ସେମାନେ ଏ ନେଇ ବଳିଷ୍ଠ ଯୁକ୍ତି ମଧ୍ୟ ଉପସ୍ଥାପନ କରିଛନ୍ତି । ସାମଗ୍ରିକ ଭାବରେ ଯେଉଁ ଯୁକ୍ତିଟି ବେଶି ମାତ୍ରାରେ ସାମ୍ନାକୁ ଆସିଛି ତାହା ହେଲା – ଅବିଚାରିତ ଭାବରେ ସରକାରୀ ଜାଗାକୁ ମାଡିବସି ଗୃହ ନିର୍ମାଣ କରିବା, ପ୍ରାକୃତିକ ଡ୍ରେନଗୁଡିକର ପଥରୋଧ କରିବା ବା ସେଗୁଡିକୁ ସଙ୍କୁଚିତ କରିଦେବା ଏବଂ ଏଭଳି ବେଧଡକ, ବେନିୟମ କାର୍ଯ୍ୟକୁ ସରକାର ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ପ୍ରୋତ୍ସାହନ ଦେବା ।
ଭୁବନେଶ୍ୱର ଓ କଟକ ସହରକୁ ଯେଉଁମାନେ ଦୁଇ ଦଶନ୍ଧି ପୂର୍ବରୁ ଦେଖିଥିବେ ସେମାନେ ନିଶ୍ଚିତ ଅନୁଭବ କରିଥିବେ ଯେ ଏଠି ଯେତେ ମୂଷଳଧାରାରେ ବର୍ଷା ହେଲେ ବି କିଛି କ୍ଷଣ ମଧ୍ୟରେ ସହରଗୁଡିକରେ ଥିବା ନାଳ ମଧ୍ୟଦେଇ ବର୍ଷାଜଳ ନଦୀକୁ ନିଷ୍କାସିତ ହୋଇଯାଉଥିଲା ।
ଭୁବନେଶ୍ୱର ସହରରେ ପ୍ରାୟ ୧୦ଟି ପ୍ରାକୃତିକ ନାଳ ଥିଲା। ଏକାମ୍ରକାନନ, ଜୟଦେବ ବିହାର, ଗଜପତି ନଗର, ସୈନିକ ସ୍କୁଲ, ବାଣୀବିହାର, ମଞ୍ଚେଶ୍ୱର, ଆଚାର୍ଯ୍ୟ ବିହାର, ଇସ୍କନ ମନ୍ଦିର ଅଞ୍ଚଳ, ଆଇଗିଣିଆ, ଜାଗମରା ଓ ପୋଖରୀପୁଟ ଅଞ୍ଚଳରେ ଏହି ପ୍ରାକୃତିକ ନାଳଗୁଡିକ ଥିଲା । ସହରର ବର୍ଷାଜଳକୁ ଅତି ସହଜରେ ଏମାନେ ଅନାୟାସରେ ବହନ କରି ଗଙ୍ଗୁଆ ନାଳରେ ପହଞ୍ଚାଇ ଦେଉଥିଲେ । ଶେଷରେ ଗଙ୍ଗୁଆ ନାଳର ଜଳ ଦୟାନଦୀରେ ପ୍ରାକୃତିକ ଭାବେ ନିଷ୍କାସିତ ହେଉଥିଲା । ଉପରୋକ୍ତ ନାଳଗୁଡିକ ମଧ୍ୟରୁ ଅନେକ ଏବେ ନିଜର ସତ୍ତା ହରାଇ ସାରିଛନ୍ତି । ଆଉ ଯେତୋଟି ନାଳ ଅଛି, ସେମାନେ ଏବେ ନିଜର ସତ୍ତା ରକ୍ଷା କରିପାରିବେ କି ନାହିଁ ତାହା ସନ୍ଦେହରେ । ଏହି ନାଳଗୁଡିକୁ ଜବରଦଖଲ କରି ବିଲ୍ଡର, ପ୍ରଭାବଶାଳୀ ରାଜନୈତିକ ବ୍ୟକ୍ତି, ପଦସ୍ଥ ସରକାରୀ ଅଧିକାରୀ ଓ ଜମି ମାଫିଆମାନେ ଅବିଚାରିତ ଭାବେ ନିର୍ମାଣକାର୍ଯ୍ୟ ଜାରି ରଖିଛନ୍ତି । କିଛି ଦିନ ଏମାନେ ଜବରଦଖଲରେ ରହିବା ପରେ ଉକ୍ତ ଅଞ୍ଚଳକୁ ନିଜ ନାମରେ ପଞ୍ଜୀକରଣ କରି ସତ୍ୱାଧିକାର ହାସଲ କରୁଛନ୍ତି । ଏହି ତଞ୍ଚକତାପୂର୍ଣ୍ଣ କାର୍ଯ୍ୟ ରାଜନୈତିକ ପୃଷ୍ଠପୋଷକତା ଓ ସରକାରୀ ଅଧିକାରୀଙ୍କ ସହଯୋଗ ବିନା ଆଦୌ ସମ୍ଭବ ନୁହେଁ।
ରାଜ୍ୟ ସରକାର ନିକଟରେ ଘୋଷଣା କରିଛନ୍ତି ଯେ ଯେଉଁମାନେ ସରକାରୀ ଜମିକୁ ଜବରଦଖଲରେ ରଖିଛନ୍ତି, ସେମାନଙ୍କ ଜମିକୁ ନିୟମିତ କରାଯିବ ଏବଂ ଜମିର ସ୍ୱତ୍ୱାଧିକାର ସୋମନଙ୍କୁ ପ୍ରଦାନ କରାଯିବ । ଏହା ଏକ ବଡ ଆତ୍ମଘାତୀ ପଦକ୍ଷେପ । ଥରେ ଏହି ଯୋଜନା କାର୍ଯ୍ୟକାରୀ ହେଲେ ଭୁବନେଶ୍ୱର, କଟକ, ପୁରୀ, ସମ୍ବଲପୁର ଭଳି ସହରରେ ଅବସ୍ଥା ଅଣାୟତ୍ତ ହୋଇପଡିବ । ରାସ୍ତାଘାଟ ଆହୁରି ସଙ୍କୁଚିତ ହୋଇଯିବ ।
ଏହା ସର୍ବବିଦିତ ଯେ ସହରରେ ଲୋକମାନେ ନିଜ ଜାଗା ବ୍ୟତୀତ ସରକାରୀ ଜମି ବା ରାସ୍ତାକୁ ବଢାଇ କିଛି ନିର୍ମାଣ କରିଥାନ୍ତି । ଏହାକୁ ମଧ୍ୟ ସରକାର ନିୟମିତ କରିବା ଲାଗି ଘୋଷଣା କରିଛନ୍ତି । ଏହା କେତେଦୂର ଯଥାର୍ଥ ତାହା ବିଚାର୍ଯ୍ୟ।
ସରକାରଙ୍କ ନିୟମ ଅନୁସାରେ ସହରରେ ବାସଗୃହ ନିର୍ମାଣ ପ୍ରକଳ୍ପ ଅଞ୍ଚଳରେ ସର୍ବନିମ୍ନ ୩୦ ଫୁଟର ରାସ୍ତା ରହିବା ଆବଶ୍ୟକ। ଯିବାଆସିବା ବ୍ୟତୀତ ଏହି ରାସ୍ତାକଡରେ ବର୍ଷାଜଳ ନିଷ୍କାସନ ଓ ନର୍ଦମାପାଣି ନିଷ୍କାସନ ଲାଗି ଡ୍ରେନ୍ ନିର୍ମାଣ କରାଯାଇଥାଏ । ଯାହା ଦେଖାଯାଉଛି, – ଭୁବନେଶ୍ୱର ହେଉ ବା କଟକ ଅବା ପୁରୀ, କେଉଁଠି ବି ନିକଟ ଅତୀତରେ କେହି ୩୦ ଫୁଟ୍ ରାସ୍ତା ଛାଡିବା ଦେଖିବାକୁ ମିଳୁନାହିଁ । ଲୋକମାନେ ନିୟମକୁ ବାରମ୍ବାର ଆଖିଠାର ମାରି ନିର୍ମାଣ କାର୍ଯ୍ୟ କରି ଆସୁଛନ୍ତି । ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ, ଭୁବନେଶ୍ୱର ମହାନଗର ନିଗମ ଏବଂ ଅନ୍ୟାନ୍ୟ ସହରରେ ଥିବା ଏହି ଭଳି ସରକାରୀ ସଂସ୍ଥା ଏ ସବୁ କାର୍ଯ୍ୟପ୍ରତି ଆଖି ବୁଜି ଦେଉଛନ୍ତି । ଯେଉଁ ସମୟରେ ନିର୍ମାଣ କାର୍ଯ୍ୟ ପ୍ରତିରୋଧ କରିବା କଥା ତାହା ନକରାଯାଇ ସେମାନଙ୍କୁ ନିର୍ମାଣ କାର୍ଯ୍ୟ ଶେଷ କରିବା ଲାଗି ପର୍ଯ୍ୟାପ୍ତ ସୁଯୋଗ ଦିଆଯାଉଛି। ପରେ ସର୍ବକ୍ଷମା ଯୋଜନା ମାଧ୍ୟମରେ ସେଗୁଡିକ ଆଇନସିଦ୍ଧ କରାଯାଉଛି।
ଇଏ କି ବିଚିତ୍ର ନୀତି? କିଛି ବ୍ୟକ୍ତିବିଶେଷଙ୍କୁ ଆଇନ ଉଲ୍ଲଘଂନ କରିବା ପାଇଁ ସୁଯୋଗ ଦେବା ଏବଂ ସରକାରୀ ସ୍ତରରେ ପ୍ରୋତ୍ସାହନ ଦେବା ନିହାତି ଏକ ଗର୍ହିତ କାର୍ଯ୍ୟ । ଦୃଷ୍ଟାନ୍ତମୂଳକ ଦଣ୍ଡ ବଦଳରେ ଉଲ୍ଲଘଂନକାରୀଙ୍କୁ ସହ୍ୟ କରି ସର୍ବକ୍ଷମା ଭଳି ଯୋଜନା ମାଧ୍ୟମରେ ପୁରସ୍କୃତ କରିବା ଅନ୍ୟ ବ୍ୟକ୍ତି ବିଶେଷଙ୍କୁ ଅନୁରୂପ ବେଆଇନ୍ କାର୍ଯ୍ୟକରିବା ଲାଗି ନକାରାତ୍ମକ ଭାବେ ପ୍ରେରିତ କରୁଛି ।
ଏହା ସତ୍ୟ ଯେ ସହର ବଢିବ । ସେହିପରି ଅନ୍ୟ ଯେଉଁ ଅଞ୍ଚଳରେ ସ୍ୱଚ୍ଛନ୍ଦ ଜୀବନଯାପନ କରିବା ଏବଂ ରୋଜଗାର କରିବାର ସୁଯୋଗ ଅଛି ସେଠାକୁ ବହୁ ଲୋକ ଆସିବେ ଏବଂ ସେହି ସ୍ଥାନମାନଙ୍କରେ ମଧ୍ୟ ଜନବସତିର ଆକାର ବଢିବ । ଏହାର ମାନେ ନୁହେଁ ଯେ ଏହା ବେଆଇନ୍ ଭାବେ ଗଢି ଉଠିବ ଏବଂ ତାକୁ ସରକାର ସହିବେ ଏବଂ ପ୍ରତ୍ୟକ୍ଷ ଓ ପରୋକ୍ଷ ପ୍ରୋତ୍ସାହନ ଦେବେ ।
ବିଶେଷଜ୍ଞମାନଙ୍କ କହିବା କଥା ଯେଉଁ ଅଚଂଳରେ ଜନବସତି ଗଢି ଉଠିବ, ସେଠି ପ୍ରଥମେ ଜଳନିଷ୍କାସନ ବ୍ୟବସ୍ଥା ଉପରେ ଗୁରୁତ୍ୱ ପ୍ରଦାନ କରାଯିବା ଦରକାର । କଟକ, ଭୁବନେଶ୍ୱର ଓ ପୁରୀ ସହରରେ ଏଥର ଅବସ୍ଥା ଯାହା ହୋଇଛି, ତାହା ଦେଖି ଆମେ କହିପାରିବା ଯେ ପାଣି ଆଣ୍ଠୁ ବୁଡି ଅଣ୍ଟାଏ ହେଲାଣି । ଆଉ ଟିକିଏ ବିଳମ୍ବ ହେଲେ ନାକ ପର୍ଯ୍ୟନ୍ତ ପାଣି ଚଢିବ । ସେତେବେଳକୁ ଏକ ଆସନ୍ନ ପ୍ରଳୟକୁ ବିନା ଦ୍ୱିଧାରେ ଆଲିଙ୍ଗନ କରିବା ବ୍ୟତୀତ ଆଉ କିଛି ବିକଳ୍ପ ନଥିବ ।