ମାନବ ଚାଲାଣ ଅବରୋଧ ଅପରିହାର୍ଯ୍ୟ
ଜ୍ଞାନାଞ୍ଜଳି ପରିଡ଼ା
ମାନବ ଚାଲାଣ ଅର୍ଥ ମଣିଷକୁ ନେଇ ବ୍ୟବସାୟରେ ଲଗାଇବା। ପୃଥିବୀରେ ଏଭଳି ଘଟଣା ଘଟିବା କିଛି ନୂଆ ଏବଂ ଆଶ୍ଚର୍ଯ୍ୟଜନକ ନୁହେଁ। ଶହଶହ ବର୍ଷ ଧରି ପୃଥିବୀର ଅଧିକାଂଶ ରାଷ୍ଟ୍ରରେ ଆଭ୍ୟନ୍ତରୀଣ ଓ ଅନ୍ତର୍ଜାତୀୟ ସ୍ତରରେ ବେଆଇନ ମଣିଷ କିଣାବିକା କାରବାର ଚାଲୁ ରହିଆସିଛି। ଏଥିରେ ଲକ୍ଷଲକ୍ଷ ମହିଳା, ପୁରୁଷ ଓ ଶିଶୁମାନଙ୍କୁ ଶୋଷଣ କରାଯାଇ କୋଟିକୋଟି ଟଙ୍କା ରୋଜଗାର କରାଯାଉଛି। ଚୋରା ଅସ୍ତ୍ରଶସ୍ତ୍ର ଓ ଡ୍ରଗସ୍ କାରବାରକୁ ବାଦ୍ ଦେଲେ, ମାନବ ଚାଲାଣ ବିଶ୍ୱର ତୃତୀୟ ଲାଭଜନକ ବେଆଇନ ବ୍ୟବସାୟ। ଅନ୍ତର୍ଜାତୀୟ ଅନୁଷ୍ଠାନ ଜାତିସଂଘର ଆକଳନ ଅନୁସାରେ ପ୍ରତିବର୍ଷ ୧ ରୁ ୪ ନିୟୁତ ଲୋକ ଚାଲାଣର ଶିକାର ହୋଇଥାନ୍ତି। ସମଗ୍ର ପୃଥିବୀରେ ମହିଳା ଓ ଶିଶୁ ଚାଲାଣରୁ ବାର୍ଷିକ ପ୍ରାୟ ୧୦୦୦ କୋଟିଟଙ୍କା ମିଳିଥାଏ। ବିଶେଷ କରି ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡିକରେ ଏହି ଘଟଣା ଅଧିକ ଉତ୍କଟ ରୂପ ନେଇସାରିଛି। ମାନବଚାଲାଣ ରାଷ୍ଟ୍ରଗୁଡିକ ମଧ୍ୟରେ ଭାରତ ଏକ ଅଗ୍ରଣୀ ରାଷ୍ଟ୍ର। ମୋଟ ମାନବଚାଲାଣ ମଧ୍ୟରୁ ଭାରତରୁ ବିଦେଶକୁ ୧୦ ପ୍ରତିଶତ ବ୍ୟକ୍ତି ଚାଲାଣ ହେଉଥିବା ବେଳେ ଦେଶ ମଧ୍ୟରେ ରାଜ୍ୟରୁ ରାଜ୍ୟକୁ ଓ ଜିଲାରୁ ଜିଲାକୁ ୯୦ ପ୍ରତିଶତ ହେଉଛି। ଦେଶର ଅବସ୍ଥିତି ଏବଂ ଗମନାଗମନ ଦୃଷ୍ଟିେକାଣରୁ ଭାରତରେ ମାନବ ଚାଲାଣର ପରିମାଣ ଅତି କ୍ଷିପ୍ର ଗତିରେ ବଢିଚାଲିଛି। ନୂଆ ଦିଲ୍ଲୀ (ଥମସନ୍ ରଏଟର ଫାଉଣ୍ଡେସନ ) ରିପୋର୍ଟରୁ ଜଣାପଡ଼ିଛି ଯେ ମାନବ ଚାଲାଣ ଅପରାଧର ମାତ୍ରା ୨୦୧୪ ମସିହା ତୁଳନାରେ ୨୦୧୫ ମସିହାରେ ୨୫ ପ୍ରତିଶତକୁ ବୃଦ୍ଧି ପାଇଛି। ଏନସିଆରବି ରିପୋର୍ଟ ଅନୁସାରେ ପଞ୍ଜିକୃତ ଘଟଣାଗୁଡିକର ପରିମାଣ ମଧ୍ୟ ପ୍ରତିବର୍ଷ ବଢିବାକୁ ଲାଗିଛି । ଏନସିଆରବି – ସର୍ବେକ୍ଷଣ ତଥ୍ୟରୁ ଜଣାଯାଏ ଯେ ୨୦୦୯ ମସିହାରେ ଚାଲାଣ ସମ୍ବନ୍ଧୀୟ ଘଟଣା ୨ହଜାର ୪ ଶହ ୪୮ ପଞ୍ଜିକୃତ କରାଯାଇଥିବା ବେଳେ ୨୦୧୩ ମସିହାରେ ଅପରାଧର ସଂଖ୍ୟା ୩ ହଜାର ୯ ଶହ ୪୦କୁ ବୃଦ୍ଧି ପାଇଛି । ବାସ୍ତବିକ ଦେଖିବାକୁ ଗଲେ ଏନସିଆରବି ରିପୋର୍ଟ ଅପେକ୍ଷା ଚାଲାଣଜନିତ ଅପରାଧର ପରିମାଣ ଯଥେଷ୍ଟ ବେଶୀ। ଆମ ଦେଶରେ ପ୍ରତ୍ୟେକ ଦିନ ଅନେକ ଲୋକ ହଜିଯାଉଥିବା ଖବର ପ୍ରକାଶ ପାଏ। ଜାତୀୟ ମାନବ ଅଧିକାର ଆୟୋଗ ୨୦୦୩-୨୦୦୫ ମସିହା ସର୍ବେକ୍ଷଣ ତଥ୍ୟ ଅନୁଯାୟୀ, ହଜିଯାଇଛି ବୋଲି ଆଶଙ୍କା ବା ସନ୍ଦେହ କରାଯାଉଥିବା ବ୍ୟକ୍ତି ପ୍ରକୃତରେ ହଜିବା ବଦଳରେ ଚାଲାଣକାରୀ ଫାଶରେ ପଡିଥାନ୍ତି। ଚାଇଲ୍ଡ୍ ଲାଇନ ତଥ୍ୟାନୁସାରେ, ପ୍ରତିବର୍ଷ ୧୦୦୦-୧୫୦୦ ଶିଶୁ ଦେଶରୁ ଭିକ୍ଷା ଅଥବା ଅନ୍ୟ ଉଦ୍ଦେଶ୍ୟରେ ସାଉଦୀ ଆରବକୁ ଚାଲାଣ ହୋଇଥାନ୍ତି। କେବଳ ସେତିକି ନୁହେଁ, ମାନବ ଚାଲାଣର ମୁଖ୍ୟ ଉଦ୍ଦେଶ୍ୟଗୁଡିକ ହେଲା, ଗୋଲାମି, ଗୋତି ଶ୍ରମିକ, ଘରୋଇ ଚାକର, ଡ୍ରଗସ୍ ବ୍ୟବସାୟ, ବ୍ୟଭିଚାର, ବେଆଇନ ଅଙ୍ଗ ପ୍ରତିରୋପଣ ଇତ୍ୟାଦି ।
ମାନବ ଚାଲାଣ ଉଭୟ ଜାତୀୟ ଓ ଆନ୍ତର୍ଜାତିକ ଆଇନ ଅନୁସାରେ ଏକ ଅପରାଧ। ଏଭଳି ଘୃଣ୍ୟ କାର୍ଯ୍ୟ ପାଇଁ ବ୍ୟକ୍ତି ବା ନାଗରିକର ମୈାଳିକ ଅଧିକାର କ୍ଷୁଣ୍ଣ ହୋଇଆସୁଅଛି। ଏହା ପ୍ରତ୍ୟେକ ଦେଶ ଓ ଜାତି ପାଇଁ ଅମର୍ଯ୍ୟାଦା ଏବଂ ଆତ୍ମଗ୍ଲାନିର ପ୍ରସଙ୍ଗ । ହେଲେ, ଆମ ଦେଶରେ ଏହାର ପ୍ରତିରୋଧ ଦିଗରେ ବହୁତ କମ୍ ପଦକ୍ଷେପ ଗ୍ରହଣ କରାଯାଇଛି । ଭାରତ ସମ୍ବିଧାନରେ ଧାରା ୨୩ ଏବଂ ଧାରା ୩୯ ଅନୁଯାୟୀ ପ୍ରତ୍ୟେକ ନାଗରିକ ସବୁ ପ୍ରକାର ନିର୍ଯାତନା ବିରୁଦ୍ଧରେ ପ୍ରତିବାଦ କରିବାର ଅଧିକାର ଦିଆଯାଇଛି। ସମ୍ବିଧାନର ଧାରା ୨୩ରେ ସ୍ୱତନ୍ତ୍ର ଭାବରେ ଟ୍ରାଫିକିଂ ହୁମ୍ୟାନବିଙ୍ଗ୍ ( ମଣିଷକୁ ନେଇ ବ୍ୟବସାୟ) ଏବଂ ମାଗଣା ବେଠିବେଗାରିକୁ ସଂପୂର୍ଣ୍ଣ ନିଷେଧ କରାଯାଇଛି। ଦୁର୍ଭାଗ୍ୟ ଯେ ଆଜିପର୍ଯ୍ୟନ୍ତ ବ୍ୟକ୍ତି ସୁରକ୍ଷା ପାଇଁ ସମ୍ବିଧାନରେ ରହିଥିବା ଏହି ମୈାଳିକ ବ୍ୟବସ୍ଥାଗୁଡିକ ଠିକ୍ ମାର୍ଗରେ କାର୍ଯ୍ୟକାରୀ ହୋଇପାରିନାହିଁ କି ଅପରାଧୀ ବିରୁଦ୍ଧରେ କୌଣସି ପ୍ରକାର ଉପଯୁକ୍ତ ଦଣ୍ଡ ବ୍ୟବସ୍ଥା ଘୋାଷଣା କରାଯାଇନାହିଁ। ଯଦିଓ ଅନେକ ପୀଡିତା ଓ ପୀଡିତମାନଙ୍କୁ ରକ୍ଷା କରାଯାଇଛି ଏବଂ ଚାଲାଣକାରୀମାନଙ୍କୁ ଚିହ୍ନଟ କରାଯାଇଛି, ତଥାପି ସରକାରୀ ସ୍ତରରେ ରକ୍ଷାପାଇଥିବା ବ୍ୟକ୍ତିମାନଙ୍କ ପାଇଁ କୈାଣସି ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି, ନା ଦୋଷୀକୁ କଠୋର ଶାସ୍ତି ମିଳିଛି ? ଆଜିପର୍ଯ୍ୟନ୍ତ ଏ ଦିଗରେ କୈାଣସି ନିଷ୍ପତ୍ତି କାର୍ଯ୍ୟକାରିତା ପାଇଁ ବିଭିନ୍ନ ବିଭାଗ ଓ ମନ୍ତ୍ରଣାଳୟଗୁଡିକ ତରଫରୁ କେବେ ହେଲେ ଗୁରୁତ୍ୱ ଦିଆଯାଇନାହିଁ । ଏ କଥା ମଧ୍ୟ ସତ, ଯେଉଁମାନେ (କୁଟ୍ଟନ ଓ ଭାଡୁଆ) ଚାଲାଣକାରୀ, ସେମାନେ ଦୋଷୀ ସାବ୍ୟସ୍ତ ନହୋଇ ନିର୍ଦୋଷରେ ଖଲାସ ହେଉଛନ୍ତି। ସେଥିପାଇଁ, ଦେଶରେ ବେଆଇନ ମାନବ ଚାଲାଣ ପ୍ରକ୍ରିୟାକୁ କୈାଣସି ବାଟରେ ରୋକାଯାଇ ପାରିନାହିଁ। ଦେଶରେ ଲକ୍ଷଲକ୍ଷ ନାଗରିକ କ୍ରୀତଦାସ ପ୍ରାୟ ଜୀବନ କଟାଉଛନ୍ତି। ମହିଳା ଓ ଶିଶୁମାନଙ୍କ ଅବସ୍ଥା ଆହୁରି ଦୟନୀୟ। ସେମାନଙ୍କ ମଧ୍ୟରୁ କିଏ ଗୋତି ଶ୍ରମିକ ଭାବରେ କାମ କରୁଛି ତ, ଆଉ କିଏ ବିବାହ କରି ପ୍ରତାରଣାର ଶିକାର ହେଉଛି। ଖାଲି ସେତିକି ନୁହେଁ, ବେଳେବେଳେ ପୀଡିତା ଓ ପୀଡିତମାନେ ବାରମ୍ବାର ଚାଲାଣର ଶିକାର ହୋଇଆସୁଛନ୍ତି। ଯେଉଁମାନେ ଥରେ କୁଚକ୍ରୀର କପଟଜାଲ ଭିତରକୁ ଯାଇଛନ୍ତି, ସେଭଳି ଜାଗାରୁ ରକ୍ଷା ପାଇବାର ସବୁ ରାସ୍ତା ପ୍ରାୟ ବନ୍ଦ ହୋଇଥାଏ । ଆଉ ଯେଉଁମାନେ ଭାଗ୍ୟବଶତଃ ନିଜ ଭିଟାମାଟିକୁ ଫେରିଆସନ୍ତି, ସେମାନେ ଅନେକ ପ୍ରକାର ମାରାତ୍ମକ ରୋଗ, ମାନସିକ ଅଶାନ୍ତି ଏବଂ ଦାରିଦ୍ର୍ୟ ମଧ୍ୟରେ ବଂଚିବା ପାଇଁ ସଂଘର୍ଷ କରିଆସୁଛନ୍ତି।
ସରକାରୀ ଅଥବା ବେସରକାରୀ ସ୍ତରରେ ହେଉ, କୈାଣସି ନିର୍ଦିଷ୍ଟ ସଂସ୍ଥାଦ୍ୱାରା ଉଭୟ କେନ୍ଦ୍ର ଓ ରାଜ୍ୟରେ ଘଟୁଥିବା ମାନବ ଚାଲାଣ ଅପରାଧଗୁଡିକର ସଂଖ୍ୟା ନିରୂପଣ କରାଯାଇପାରିନାହିଁ। ଜନଗଣନା ଭଳି ବଡଧରଣର ସର୍ବେକ୍ଷଣ ମାଧ୍ୟମରେ ଏଭଳି ଘଟଣା ସମ୍ବନ୍ଧୀୟ ସୂଚନା ସବୁକୁ ଆୟତ୍ତ କରିବା ସମ୍ଭବ ହୋଇପାରିନାହିଁ । ଏପରିକି, ରାଜ୍ୟସ୍ତରୀୟ ଅର୍ଥନୈତିକ ଏବଂ ପରିସଂଖ୍ୟାନ ସାହାଯ୍ୟରେ ବି ଏ ପ୍ରସଙ୍ଗରେ ଠିକ୍ ତଥ୍ୟ ଉପଲବ୍ଧ ହୋଇପାରିନି; କିନ୍ତୁ ଅଣୁକ୍ଷେତ୍ର (ଜିଲାସ୍ତରୀୟ) ଗବେଷଣାରୁ ମିଳିଥିବା ସୂଚନାରୁ ଅନୁମାନ କରାଯାଏ, ଓଡିଶାରେ ମାନବ ଚାଲାଣଜନିତ ଅପରାଧର ସଂଖ୍ୟା ଯଥେଷ୍ଟ ଅଧିକ । ୧୯୯୯ ମସିହା ଅକ୍ଟୋବର ମହାବାତ୍ୟା ପରଠାରୁ ରାଜ୍ୟରେ ଏହି ଅପରାଧର ପରିମାଣ କ୍ଷିପ୍ର ଗତିରେ ବଢିିଚାଲିଛି । ଆମ ଦେଶର ଆନ୍ତର୍ଜାତିକ ସ୍ତରରେ ଘଟୁଥିବା ଅପରାଧ ଆଭ୍ୟନ୍ତରୀଣ ସ୍ତରରେ ଘଟୁଥିବା ଅପରାଧର ପରିମାଣ ଏବଂ ବୈଶିଷ୍ଟ୍ୟ ମଧ୍ୟରେ ଅନେକ ତଫାତ୍ ରହିଛି। ୟୁଏନଡିଓସି ରିପୋର୍ଟରୁ ମାନବ ଚାଲାଣ ପେଣ୍ଠସ୍ଥଳୀ ବୋଲି ଭାରତର ୮ ଗୋଟି ରାଜ୍ୟକୁ ହିସାବକୁ ନିଆଯାଇଛି। ଓଡିଶା ସେଥିରୁ ଅନ୍ୟତମ। ୨୦୧୪ ମସିହା ରାଜ୍ୟସ୍ତରୀୟ ତଥ୍ୟାନୁସାରେ ଓଡିଶାରୁ ଅଧିକାଂଶ ଚାଲାଣ ହେଉଥିବା ବ୍ୟକ୍ତିଙ୍କର ବୟସ ୧୮ ବର୍ଷରୁ କମ୍। ଓଡିଶା ରାଜ୍ୟ ମହିଳା କମିସନ ପକ୍ଷରୁ ଚିହ୍ନଟ କରାଯାଇଥିବା ଘଟଣାଗୁଡିକର ଅଧିକାଂଶ ବ୍ୟକ୍ତି ନିଜ ଜୀବନଜୀବିକା ଲକ୍ଷ୍ୟରେ ଚାଲାଣ ହୋଇଛନ୍ତି ବୋଲି ନିଜ ମୁହଁରେ ସ୍ୱୀକାର କରିଛନ୍ତି। ବିଶେଷ କରି ଆଦିବାସୀବହୁଳ ଜିଲାଗୁଡିକରେ ଦୈନିକ ଦୁଇଜଣ ଚାଲାଣ ହେଉଥିବାର ଅନୁମାନ କରାଯାଏ । ସେହିଭଳି, ରାଜ୍ୟର ୧୮ଟି ଜିଲାରେ ଅବସ୍ଥା ପ୍ରାୟତଃ ଏକା ପ୍ରକାରର। ସେଗୁଡିକ ମଧ୍ୟରେ ଅନୁଗୋଳ, କଟକ, କେନ୍ଦୁଝର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଂଜାମ, ଗଜପତି, କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକ, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, କୋରାପୁଟ, ରାୟଗଡା, ସୁନ୍ଦରଗଡ ଓ ନୂଆପଡା ଜିଲାରେ ପରିସ୍ଥିତି ଉଦ୍ବେଗଜନକ। ଏହି ଜିଲାମାନଙ୍କରେ ଚୋରା ଚାଲାଣକାରୀ ବେଶ୍ ସକ୍ରିୟ। ଗବେଷକ ଜିଲାସ୍ତରୀୟ ଘଟଣାଗୁଡିକ ଅନୁଧ୍ୟାନ କଲାପରେ, ଅଧିକ ପରିମାଣର ମହିଳା ଓ ଶିଶୁ କୁଟ୍ଟନମାନଙ୍କ ଦ୍ୱାରା ଚାଲାଣ ହେଉଥିବାର ଜଣାପଡିଛି । ସେମାନଙ୍କ ମଧ୍ୟରୁ କେହି ସ୍ୱଇଚ୍ଛାରେ ଯାଇନଥାନ୍ତି, ଅଧିକାଂଶ କପଟରେ ତ, ଆଉ କେହି ଚାପ ବା ବଳପୂର୍ବକ ଚାଲାଣର ଶିକାର ହୋଇଥାନ୍ତି। ସବୁଠାରୁ ଦଃୁଖର କଥା, ଆମ ଦେଶର ବିଭିନ୍ନ ରାଜ୍ୟମାନଙ୍କରେ ଏଭଳି ସମ୍ବେଦନଶୀଳ ଘଟଣାଗୁଡିକର ମୂଳୋତ୍ପାଟନ ସମ୍ଭବ ହୋଇପାରିନାହିଁ । ଏସବୁ ମୂଳରେ, ପ୍ରମୁଖ କାରଣଗୁଡିକ ହେଲା, ଜଗତୀକରଣ, ଶିଳ୍ପାୟନ, ଦାରିଦ୍ର୍ୟ, ଅଜ୍ଞତା, ଲିଙ୍ଗଗତ ପ୍ରଭେଦ, ପ୍ରାକୃତିକ ବିପର୍ଯ୍ୟୟ , ସାଂପ୍ରଦାୟିକ ଦଙ୍ଗା, ବିସ୍ଥାପନ ଓ ଦାଦନ ଇତ୍ୟାଦି ।
ମାାନବ ଚାଲାଣ ଏକ ନିନ୍ଦନୀୟ ପନ୍ଥା। ଏହା କେବଳ ମୈାଳିକ ଅଧିକାର ଆଇନ ଉଲ୍ଲଙ୍ଘନ କରୁନି , ଅନ୍ୟ ପକ୍ଷରେ ଦେଶର ଗଣତନ୍ତ୍ରକୁ ନଷ୍ଟ କରିବା ସହିତ ବ୍ୟକ୍ତିିର ସାମାଜିକ ଜୀବନ କଳୁଷିତ କରିଆସୁଛି । ଦେଶରେ ଗଣତନ୍ତ୍ର ବ୍ୟବସ୍ଥା, ଗଣମାଧ୍ୟମ, ପୁଲିସ୍, ସର୍ବୋଚ୍ଚ ନ୍ୟାୟାଳୟ, ସିଭିଲ୍ ସୋସାଇଟି ସଂସ୍ଥା ଥିଲେ ମଧ୍ୟ ନିରୀହ ନାଗରିକଙ୍କୁ ମାଫିଆ ଓ ଚାଲାଣକାରୀମାନଙ୍କ କବଳରୁ ରକ୍ଷା କରିବା କଷ୍ଟସାଧ୍ୟ ହୋଇ ପଡିଛି।। ଯେଉଁ କେତୋଟି ଆଇନ, ଯଥା, ଇମୋରାଲ ଟ୍ରାଫିକିଙ୍ଗ୍ ପ୍ରିଭେନସନ୍ ଆଇନ (ଆଇଟିପିଏ) ୧୯୫୬ , ଇଣ୍ଡିଆନ ପେନାଲ କୋଡ୍ (ଆଇପିସି) ୧୮୬୦ ଓ ଜୁଭେନାଇଲ୍ ଜଷ୍ଟିସ୍ ୨୦୦୦ ଓ ସଂଶୋଧନ ଆଇନ ୨୦୦୬ କୁ ପ୍ରୟୋଗାତ୍ମକ ଦିଗରୁ ସଂକୀର୍ଣ୍ଣ କରାଯାଇଛି। ଯଦିଓ ଗୋଆ ଶିଶୁ ଆଇନ,୨୦୦୩ ଗୃହୀତ ହୋଇଅଛି, ଯାହା କେବଳ ଏକ ରାଜ୍ୟ ଆଇନ। ଅନ୍ୟ ରାଜ୍ୟମାନଙ୍କ ପାଇଁ ଏହା ପ୍ରଯୁଜ୍ୟ ନୁହେଁ। ଦେଶର ଆଇନ ବ୍ୟବସ୍ଥା କୋହଳ ଥିଲା ବେଳେ, ମାନବ ଚାଲାଣ ସମ୍ବନ୍ଧୀୟ କୈାଣସି ବିସ୍ତୃତ ଆଇନ ଦେଶର ଗୃହୀତ କରାଯାଇନାହିଁ । ଦେଶରେ ସର୍ବସାଧାରଣଙ୍କ ନିରାପତ୍ତା ନିମନ୍ତେ ବର୍ତ୍ତମାନ ଏହାର ନିରାକରଣ ନିହାତି ଜରୁରୀ । ଏହାର ଦମନ ପାଇଁ ସରକାରୀ ଏବଂ ବେସରକାରୀ ସଂସ୍ଥାଗୁଡିକ ଦ୍ୱାରା ସୁଚିନ୍ତିତ ଉପାୟ ଅବଲମ୍ବନ ଓ ଦୃଢ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉ। ଆଇନ ବ୍ୟବସ୍ଥାକୁ ଆହୁରି କଠୋର କରିବା ସଙ୍ଗେସଙ୍ଗେ ଇମୋରାଲ ଟ୍ରାଫିକିଙ୍ଗ୍ ପ୍ରିଭେନସନ୍ ଆଇନ (ଆଇଟିପିଏ), ୧୯୫୬କୁ ସଂଶୋଧନ ସମେତ ଗୋଆ ରାଜ୍ୟ ଆଇନ ଭଳି ସ୍ୱତନ୍ତ୍ର ଆଇନ ରାଜ୍ୟରେ ଗୃହୀତ କରାଯାଉ । ଏଥିପାଇଁ କେବଳ ସରକାର ନୁହନ୍ତି, ଆମେ ସମସ୍ତେ ମିଳିମିଶି ଏହାର ପ୍ରତିବାଦ କରିବା।