ରାହୁଲଙ୍କ ଆଲିଙ୍ଗନ ଓ ଭବ୍ୟତା

0

ପ୍ରବୋଧ କୁମାର ମିଶ୍ର

prayash

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାର (ଏନଡିଏ) ବିରୋଧରେ ବିରୋଧୀ ମେଣ୍ଟ ପକ୍ଷରୁ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଗୃହର ଆସ୍ଥା ନଥିବା ପ୍ରମାଣିତ ହୋଇଛି। ବୃହତ୍ତମ କଂଗ୍ରେସଦଳ ନେତୃତ୍ୱରେ ବିରୋଧୀ ମେଣ୍ଟ ସମ୍ଭାବ୍ୟ ପରାଜୟ ବରଣ କରିଛି। ବିରୋଧୀଙ୍କ ମହାମେଣ୍ଟ ଗଠନ ପୂର୍ବରୁ ଫାଟ ସୃଷ୍ଟି ହୋଇଥିବା ବେଶ୍ ଲକ୍ଷଣୀୟ। ଏନଡିଏ ମେଣ୍ଟ ୩୨୫ଟି ଆସନ ପାଇଥିବା ବେଳେ କଂଗ୍ରେସ ଓ ବିରୋଧୀ ମେଣ୍ଟ ୧୨୬ଟି ଭୋଟ୍ ପାଇଁ ଶୋଚନୀୟ ଭାବେ ପରାଜିତ ହୋଇଛି। ଶିବସେନା ଭୋଟ୍ ଦାନରୁ ବିରତ ରହିଥିବାବେଳେ ବିଜେଡି କେନ୍ଦ୍ର ବିରୋଧରେ ଅଭିଯୋଗ କରି କକ୍ଷତ୍ୟାଗ କରିଥିଲା। ଟିଆରଏସ୍ ଦଳ ଅନୁପସ୍ଥିତ ଥିଲା। ଏହା ହେଲା ମୋଦୀ ସରକାରଙ୍କ ଶାସନ ବିରୋଧରେ ବିରୋଧୀଙ୍କ ପକ୍ଷରୁ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବର ଭାଗ୍ୟ। ରାଜନୈତିକ କୌଶଳ ଅବଲମ୍ବନ କରି ଉପରୋକ୍ତ ତିନୋଟି ଦଳ ଅନୁପସ୍ଥିତ ରହିବା ବେଶ୍ ପ୍ରଣିଧାନଯୋଗ୍ୟ। ଏହି ଅନୁପସ୍ଥିତ ସଭ୍ୟଙ୍କ ସଂଖ୍ୟାଥିଲା ୪୭।
ଅନାସ୍ଥା ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷଣ ମେଣ୍ଟ ଭିତରେ ଫାଟ କରିବାରେ ସମର୍ଥ ହୋଇଥିବା ଓ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଗାଣିତିକ ହିସାବ ଫେଲ୍ ମାରିଥିବା ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ। ମୋଦିଜୀ ବିଗତ କଂଗ୍ରେସ ସରକାରର ବିଫଳତା, ବିଭିନ୍ନ କ୍ଷେତ୍ରରେ ଭ୍ରଷ୍ଟାଚାର ଆଦିର ଗୁରୁତର ଅଭିଯୋଗ କରି ସିଧାସଳଖ କଂଗ୍ରେସକୁ ଟାର୍ଗେଟ୍ କରିଥିଲେ। ସେହିପରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୋଦି ସରକାରଙ୍କ ବିମୁଦ୍ରାୟନ, ଜିଏସ୍‌ଟି ବ୍ୟବସ୍ଥା, ସର୍ଜିକାଲ୍ ଷ୍ଟ୍ରାଇକ୍ ଓ ଅନ୍ୟାନ୍ୟ କଲ୍ୟାଣକାରୀ କାର୍ଯ୍ୟକ୍ରମର ତୀବ୍ର ସମାଲୋଚନା କରିଥିଲେ। ଲୋକସଭାରେ ରାହୁଲ ଗାନ୍ଧୀ ନିଜ ଆସନରୁ ହଠାତ୍ ଉଠିଯାଇ ପ୍ରଧାନମନ୍ତ୍ରୀଙ୍କୁ ଅତର୍କିତ ଆଲିଙ୍ଗନ କରିବା ମୋଦୀଙ୍କୁ ହତବାକ୍ କରିଥିବା ଲକ୍ଷ୍ୟ କରାଯାଇଥିଲା। ଲୋକସଭାର ସାଂସଦମାନଙ୍କ ସମେତ ବାଚସ୍ପତି ଏ ଘଟଣାରେ ବିସ୍ମିତ ହୋଇଥିଲେ। ମୋଦିଜୀ ବଡ ଚତୁରତାର ସହିତ ମୁକାବିଲା କରିବା ସାଙ୍ଗକୁ ରାହୁଲ ଗାନ୍ଧୀଙ୍କ ଆଖିମିଟିକା ଘଟଣା ବିବାଦୀୟ ହୋଇଥିଲା। ପ୍ରଶ୍ନ ଉଠେ ଏ ଆଲିଙ୍ଗନ ଦେଶପାଇଁ କି ବାର୍ତ୍ତା ପ୍ରେରଣ କରିବ!
ଆଲିଙ୍ଗନର ଧାରା ଓ ସ୍ୱର ସମ୍ପୂର୍ଣ୍ଣ ସ୍ୱତନ୍ତ୍ର। ଅତ୍ୟନ୍ତ ମଧୁର ସମ୍ପର୍କ, ପୂର୍ଣ୍ଣ ପାରିବାରିକତା ଓ ସମବୟସ୍କ, ସମଧର୍ମୀ ବନ୍ଧୁଙ୍କ ଭିତରେ ଆଲିଙ୍ଗନ ଏକ ସହୃଦୟ ସମ୍ପର୍କର ସେତୁ ସୃଷ୍ଟି କରେ। ପ୍ରତିଦ୍ୱନ୍ଦ୍ୱିତା, ବିରୋଧ ଓ ସମ୍ମୁଖ ଯୁକ୍ତି-ସମର ବେଳେ ଆଲିଙ୍ଗନର କିଛି ମର୍ଯ୍ୟାଦା ବା ଅର୍ଥ ନଥାଏ। ଲୋକସଭାରେ ବିଭିନ୍ନ ଦଳ ଭିତରେ ଯୁକ୍ତିତର୍କ ଓ ପାରସ୍ପରିକ କଟାକ୍ଷପାତ ଚାଲିଥିବାବେଳେ ବିରୋଧୀ ପକ୍ଷରୁ ଜଣେ ମୁର୍ଦ୍ଧନୀ ବ୍ୟକ୍ତି ଶାସକ ଦଳର ମୁର୍ଦ୍ଧନୀ ବ୍ୟକ୍ତି (ପ୍ରଧାନମନ୍ତ୍ରୀ)ଙ୍କୁ ଅଚାନକ ଆଲିଙ୍ଗନ କରିବା ଅର୍ଥ କ’ଣ ହୋଇପାରେ? ପ୍ରଧାନମନ୍ତ୍ରୀ ମୋଦୀ ଏହି ଘଟଣାକୁ ଲକ୍ଷ୍ୟ କରି କହିଛନ୍ତି “ନିଜ ଦୋଷ ଲୁଚାଇବାକୁ ଯାଇ ଏହା ଅବାଞ୍ଛିତ ଆଲିଙ୍ଗନ।’’ ଅପରପକ୍ଷରେ ଆଲିଙ୍ଗନକାରୀ ରାହୁଲ କହିଛନ୍ତି- ‘ପ୍ରେମ ଓ କରୁଣାରେ ଦେଶ ନିର୍ମାଣ ସମ୍ଭବ।’ ଏଠି ପ୍ରଶ୍ନ ଉଠେ ମୋଦୀ ସରକାରକୁ ବିରୋଧ ବାଣରେ ଜର୍ଜରିତ କରି ମୋଦୀଙ୍କୁ ଆଲିଙ୍ଗନ କରିବା ପରେ ପ୍ରେମ ଓ କରୁଣା ବାର୍ତ୍ତା ଅଗ୍ନଲଗ୍ନ ମାନସିକତା ନୁହେଁ କି? ସମ୍ମୁଖ ସମରକ୍ଷେତ୍ରରେ ପ୍ରତିପକ୍ଷଙ୍କୁ ଆଲିଙ୍ଗନ କରିବା ଏକ ଅବ୍ୟାପାର ବୋଲି କହିବାକୁ ହେବ। ପ୍ରାଚୀନ ଶାସ୍ତ୍ରକାର ଚାଣକ୍ୟଙ୍କ ମତରେ ଯୁଦ୍ଧ କ୍ଷେତ୍ରରେ ପରାଜୟର ଆଶଙ୍କା ଥିଲେ କୌଶଳ ରାଜନୀତିରେ ସନ୍ଧି କରାଯାଏ। ମାତ୍ର ନିଜ ଦଳର ନୈତିକ ଶକ୍ତି ଦୋହଲାଇବା ଭଳି କାର୍ଯ୍ୟ କରାଯାଏ ନାହିଁ। ଆମ ଗ୍ରାମ୍ୟ ଭାଷାରେ କୁହାଯାଏ ବୀରତ୍ୱର ସହ ଯୁଦ୍ଧ କରୁକରୁ ପଳାୟନ ଛତ୍ରଭଙ୍ଗ ଓ କୋଳାକୋଳି ଅବସ୍ଥା ଉପୁଜିଥାଏ। ଅଳମତି ବିସ୍ତରେଣ।
କଂଗ୍ରେସ ଅଧ୍ୟକ୍ଷଙ୍କ ଏହି ନାଟକୀୟ ବ୍ୟବହାରରେ ବାଚସ୍ପତି ଶ୍ରୀମତୀ ମହାଜନ କହିଛନ୍ତି ରାହୁଲ ମୋର ଶତ୍ରୁ ନୁହନ୍ତି। ସେ ମୋ ପୁଅ ବୟସର। ତାଙ୍କର ଏ କାର୍ଯ୍ୟଶୈଳୀରେ ମୁଁ ଦୁଃଖିତ। ଶ୍ରୀ ମୋଦୀ ଜଣେ ବ୍ୟକ୍ତିବିଶେଷ ହୋଇପାରନ୍ତି, ମାତ୍ର ସେ ଦେଶର ପ୍ରଧାନମନ୍ତ୍ରୀ ବୋଲି ମନେ ରଖିବାକୁ ହେବ ଇତ୍ୟାଦି! ସାଧାରଣ ମତରେ ସଂସଦର ଗରିମା ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ। ସଂସଦୀୟ ଶିଷ୍ଟାଚାର, ଶାଳୀନତା ଓ ମର୍ଯ୍ୟାଦା ଦୃଷ୍ଟିରୁ ଅନୁମତି ନ ନେଇ ସଂସଦ ଭିତରେ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଯିବା ଓ ତାଙ୍କ ହାତ ଧରି ପକାଇବା କିମ୍ବା ଆଲିଙ୍ଗନ କରିବା ଇତ୍ୟାଦି ଏକ ଅଭବ୍ୟ ଆଚରଣ। ଗୌରବାବହ ସଂସଦର ଭବ୍ୟତା ରକ୍ଷା ପାଇଁ ବାଚସ୍ପତି ଏବଂ ସମସ୍ତ ସାଂସଦ ସଚେତନ ରହିବା ହିଁ ସଂସଦୀୟ ପରମ୍ପରା କୁହାଯାଏ। ଏ ପର୍ଯ୍ୟନ୍ତ ଲୋକସଭାରେ ଏ ଧରଣର କୋଳାକୋଳି ହେବାର ନଜିର ନାହିଁ। ଅତୀତରେ ପଣ୍ଡିତ ନେହେରୁ ପ୍ରଧାନମନ୍ତ୍ରୀ ଥିଲାବେଳେ ପ୍ରତିବାଦୀ ନେତା ରାମମନୋହର ଲୋହିଆ ଏବଂ ଇନ୍ଦିରାଗାନ୍ଧୀ ପ୍ରଧାନମନ୍ତ୍ରୀ ଥିଲାବେଳେ ପ୍ରବୀଣ ନେତା ରାଜନାରାୟଣ, ସେମାନଙ୍କୁ ଅନେକ ସମୟରେ ପ୍ରଚଣ୍ଡ ଆକ୍ରମଣ କରୁଥିଲେ, ମାତ୍ର ସେମାନେ ନିଜ ସ୍ଥାନରୁ ଉଠି ଯାଇନଥିଲେ। ଦଳୀୟ ମର୍ଯ୍ୟାଦା ଓ ଆତ୍ମମର୍ଯ୍ୟାଦାକୁ ସେମାନେ ତଳେ ପକାଇ ନଥିଲେ ଓ ନିଜ ଦଳୀୟ ଭାବମୂର୍ତ୍ତି ଅକ୍ଷୁଣ୍ଣ ରଖିବାକୁ ଚେଷ୍ଟା କରିଥିଲେ। କଂଗ୍ରେସଦଳ ସ୍ୱାଧୀନ ଭାରତର ପ୍ରତିଷ୍ଠା ଦିନଠାରୁ କ୍ଷମତାରେ ରହି ଆସିଅଛି। ଜାତିର ପିତା ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ସର୍ଦାର ପଟେଲ, ଚକ୍ରବର୍ତ୍ତୀ ରାଜପୋଳଚାରୀ, ମୌଲାନା ଅବୁଲ୍ କାଲାମ୍ ଆଜାଦ, ଡ.ବି.ଆର ଆମ୍ବେଦକରଙ୍କ ଭଳି ମହାନ ନେତା ଏହି କଂଗ୍ରେସର ପ୍ରତିଷ୍ଠା, ପରାକାଷ୍ଠା ଓ ଗରିମା ବଢାଇ ଯାଇଛନ୍ତି। ଆଜି ସେହି ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଜନସାଧାରଣଙ୍କ ଆଗରେ ସେହି ଗରିମାକୁ କେତେଦୂର ରଖିଛନ୍ତି ତାହା ବିବେଚନା ସାପେକ୍ଷ।
ଏହି ଘଟଣା ସାଧାରଣ ନୁହେଁ, ବରଂ ଅସାଧାରଣ। ରାହୁଲ ଗାନ୍ଧୀ ପ୍ରେମ ଓ କରୁଣାରେ ଦେଶ ଗଠନ କଥା ଉଠାଇବା ନିଶ୍ଚିତ ଭାବେ ଭଲ ବିଚାର; ମାତ୍ର ସରକାରଙ୍କୁ ତୀବ୍ର ବିରୋଧ କରୁଥିବା କଂଗ୍ରେସ ଦଳ ଅନାସ୍ଥା ଯୁଦ୍ଧରେ ବିଫଳତା ପାଇଲା ପରେ ପ୍ରଧାନମନ୍ତ୍ରୀଙ୍କୁ ଆଲିଙ୍ଗନ କରି ପ୍ରେମ ଓ କରୁଣାର ବାର୍ତ୍ତା ଦେବାର ତାତ୍ପର୍ଯ୍ୟ ବୁଝିହୁଏନା।
ଭୁବନେଶ୍ବର

Leave A Reply