ଜଳମାନବ, ସଦ୍‌ଗୁରୁ ଓ ବାସ୍ତବତା

0

ଶରତ କୁମାର ମହାନ୍ତି

prayash

ନଦୀ ଜଳର ସଂରକ୍ଷଣ ଓ ସୁରକ୍ଷାକୁ ନେଇ ଆମ ଦେଶର ଦୁଇଜଣ ବିଶିଷ୍ଟ ବ୍ୟକ୍ତି ପ୍ରଶଂସନୀୟ କାର୍ଯ୍ୟକରି ସାରା ବିଶ୍ବରେ ସମ୍ମାନିତ ହୋଇପାରିଛନ୍ତି। ଆଜିର ଲେଖା ସେଇ ଦୁଇଜଣଙ୍କ ବିଚାରଧାରା ଓ ଆମର ବାସ୍ତବତା ଉପରେ ପର୍ଯ୍ୟବସିତ। ପ୍ରଥମ ବ୍ୟକ୍ତି ହେଲେ ରାଜେନ୍ଦ୍ର ସିଂହ, ଯିଏ ଆମ ଦେଶରେ ‘ଜଳମାନବ’ ନାମରେ ପରିଚିତ। ଉତ୍ତରପ୍ରଦେଶ ନିବାସୀ ଶ୍ରୀ ସିଂହ ଜଣେ ସରକାରୀ ଆୟୁର୍ବେଦ ଡାକ୍ତର ଭାବରେ ରାଜସ୍ଥାନରେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ। ଚାକିରିରୁ ଅବ୍ୟାହତି ନେଇ ରାଜସ୍ଥାନର ଆଲୱାର ଜିଲାର ଗୋଟିଏ ନିପଟ ମଫସଲ ଗାଁରେ ସେ ରୋଗୀ ସେବା ଆରମ୍ଭ କରିଥିଲେ। ମଙ୍ଗୁଲାଲ ପଟେଲ ସେଇ ଗାଁର ଜଣେ ବୃଦ୍ଧ ଅଧିବାସୀ ଥିଲେ। ରାଜେନ୍ଦ୍ର ସିଂହଙ୍କୁ ସେ ହିଁ ପରାମର୍ଶ ଦେଇଥିଲେ ଯେ ଏଇ ଅଞ୍ଚଳମାନଙ୍କରେ ଅସଲ ସମସ୍ୟା ହେଉଛି ଲୋକଙ୍କ ଜଳ ସମସ୍ୟା ଦୂର କରିବା ଓ ଭୂତଳ ଜଳସ୍ତର ବଢ଼ାଇବା; ଯାହାଫଳରେ ଗାଁର କୂଅଗୁଡ଼ିକ କାର୍ଯ୍ୟକ୍ଷମ ହୋଇପାରିବ। ରାଜେନ୍ଦ୍ର ସିଂହଙ୍କ ଜୀବନର ଗତିପଥ ସେହିଦିନଠାରୁ ବଦଳି ଯାଇଥିଲା। ବର୍ଷା ଦିନରେ ଯାହା ଅଳ୍ପ ବର୍ଷା ହୁଏ ତାକୁ ସଂରକ୍ଷଣ କରି ରଖିବା ଓ ସେଇ ମାଧ୍ୟମରେ ଭୂତଳ ଜଳସ୍ତରକୁ ବଢ଼ାଇବା ପାଇଁ ସେ ଲାଗି ପଡ଼ିଲେ। ବିଭିନ୍ନ ଗାଁର ଜନସାଧାରଣଙ୍କୁ ଏକାଠି କରି ସେମାନଙ୍କ ଶ୍ରମରେ ସେ ନିକଟବର୍ତ୍ତୀ ‘ଅରଭାରୀ’ ନଦୀ ଓ ଏହାର ଉପନଦୀମାନଙ୍କରେ ୩୭୫ଟି ଚେକ୍‌ଡ୍ୟାମ୍‌ ନିର୍ମାଣ କରି ଜଳ ସଂରକ୍ଷଣ କଲେ। ଏହାର ସୁଫଳ ମିଳିଲା ଓ କୂଅଗୁଡ଼ିକରେ ପାଣି ଝରିଲା। ରାଜେନ୍ଦ୍ର ସିଂହଙ୍କ ସଫଳ ଉଦ୍ୟମ ରାଜସ୍ଥାନରେ ବ୍ୟାପକ ଜନଆନ୍ଦୋଳନରେ ପରିଣତ ହୋଇଗଲା। ଏହା ଅନ୍ୟ ନଦୀ ଅବବାହିକାକୁ ବ୍ୟାପିଲା ଓ କିଛି ସମୟରେ ପ୍ରାୟ ୪୫୦୦ ଚେକ୍‌ଡ୍ୟାମ୍‌ ନିର୍ମିତ ହୋଇ ଅନେକ ଛୋଟ ଶୁଖିଲା ନଦୀ, ଯଥା, ଆରଭାରି, ରୂପାରେଲ, ସରସା, ଭଗାନି ଓ ଜାହାଜ୍‌ୱାଲିମାନଙ୍କୁ ଚିରସ୍ରୋତା କରିବାରେ ସାହାଯ୍ୟ କଲା। ‘ତରୁଣ ଭାରତ ସଂଘ’ ନାମରେ ସେ ଗୋଟିଏ ସଂସ୍ଥା ଖୋଲିଲେ ଯେଉଁଥିରେ ଅନେକ ବ୍ୟକ୍ତି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସାମିଲ ହେଲେ। ଦେଶ ବିଦେଶରେ ତାଙ୍କ କାମର ଆଦର ବଢ଼ିଲା। ୨୦୦୧ ମସିହାରେ ସମ୍ମାନଜନକ ‘ରମଣ ମାଗାସେସେ’ ଓ ୨୦୦୫ରେ ସେ ଯମୁନାଲାଲ ବଜାଜ ପୁରସ୍କାର ପାଇଲେ। ୨୦୦୮ ମସିହାରେ ଇଂଲଣ୍ଡର ଗାର୍ଡ଼ିଆନ ଖବରକାଗଜ ଲେଖିଲା ଯେ ରାଜେନ୍ଦ୍ର ସିଂହଙ୍କ ପରି ପୃଥିବୀରେ ୫୦ଜଣ ବ୍ୟକ୍ତି ଅଛନ୍ତି ଯେଉଁମାନେ କି ପୃଥିବୀକୁ ଧ୍ବଂସ ମୁଖରୁ ବଞ୍ଚାଇ ପାରିବେ। ଜଳକୁ ନେଇ ପୃଥିବୀର ସବୁଠାରୁ ସମ୍ମାନଜନକ ଷ୍ଟକହୋମ୍‌ସ୍‌ ପୁରସ୍କାର ସେ ୨୦୧୫ ମସିହାରେ ପାଇଲେ।
ଭାରତ ପରି ଏକ ବିରାଟ ଦେଶରେ ଜଳସଂରକ୍ଷଣର ମହତ୍ତ୍ବ କେତେ ତାହା ଓଡ଼ିଶା ପରି ରାଜ୍ୟମାନେ ଆଜି ପର୍ଯ୍ୟନ୍ତ ଗ୍ରହଣ କରିପାରିନାହାନ୍ତି କାରଣ ଆମେ ସେପରି ଜଳକ୍ଲିଷ୍ଟ ଅବସ୍ଥାକୁ ଏ ପର୍ଯ୍ୟନ୍ତ ଆସିନୁ, କିନ୍ତୁ ଭବିଷ୍ୟତରେ ଯେ ନିଶ୍ଚୟ ଏହା ଘଟିବ, ଏକଥା ସମସ୍ତେ ଜାଣନ୍ତି।
ଜଳମାନବ ରାଜେନ୍ଦ୍ର ସିଂହଙ୍କର ବିଚାରାଧାରା ବିଷୟରେ ଆଲୋଚନା କରିବା ପୂର୍ବରୁ ଆମେ ଭାରତର ଦ୍ବିତୀୟ ବିଶିଷ୍ଟ ବ୍ୟକ୍ତିଙ୍କ ବିଷୟରେ କିଛି ଜାଣିବା। ସେ ଆମ ଦେଶରେ ସଦ୍‌ଗୁରୁ ଭାବରେ ପରିଚିତ। ପଦ୍ମବିଭୂଷଣ ଉପାଧିରେ ଭୂଷିତ ସଦ୍‌ଗୁରୁ, କର୍ଣ୍ଣାଟକ ରାଜ୍ୟର ମହୀଶୂର ଅଞ୍ଚଳର ବାସିନ୍ଦା। ତାଙ୍କର ପୂରା ନାଁ ଁ ହେଲା ଜଗଦୀଶ ବାସୁଦେବ ଯଦିଓ ଜାଗ୍ଗୀ ବାସୁଦେବ ଭାବରେ ସେ ବେଶ ଜଣାଶୁଣା। ୧୯୯୨ ମସିହାରେ ତାଙ୍କ ଦ୍ବାରା ସ୍ଥାପିତ ଈଶା ଫାଉଣ୍ଡେସନ ଜରିଆରେ ସାରା ବିଶ୍ବର ଅନେକ ଦେଶରେ ସେ ଯୋଗଶିକ୍ଷା ପ୍ରଦାନ କରୁଛନ୍ତି। ତାଙ୍କ ଆଶ୍ରମଟି ତାମିଲନାଡ଼ୁର କୋଏମ୍ବାଟୁର ସହର ପାଖରେ ଅବସ୍ଥିତ। ଆଧ୍ୟାତ୍ମିକ ରାସ୍ତାରେ ସଦ୍‌ଗୁରୁ ଜୀବନ କାଟୁଥିବାବେଳେ ମଧ୍ୟ ପର୍ଯ୍ୟାବରଣ ଓ ଏହାର ସୁରକ୍ଷା ପାଇଁ ସେ ବହୁତ ଆଗ୍ରହୀ । ଆମ ଦେଶରେ ବ୍ୟାବହାରିକ ଜଳର ମୁଣ୍ଡପିଛା ଉପଲବ୍ଧତା ଯଥେଷ୍ଟ କମିକମି ଯାଉଥିବାରୁ ସେ ଉଦ୍‌ବେଗ ପ୍ରକାଶ କରନ୍ତି। ନଦୀମାନଙ୍କରେ ଜଳପ୍ରବାହ ହ୍ରାସ ପାଉଥିବାରୁ ସେ ସବୁବେଳେ ଚିନ୍ତା କରୁଥିଲେ ଯେ ନଦୀମାନଙ୍କୁ କିପରି ପୁନଃଜୀବିତ ଓ ଚିରସ୍ରୋତା କରାଯାଇ ପାରିବ। ବର୍ଷବର୍ଷର ପର୍ଯ୍ୟାବରଣ ଉପରେ ସାଉଁଟି ରଖିଥିବା ଅଭିଜ୍ଞତାକୁ ପାଥେୟ କରି ତାଙ୍କର ଈଶା ଫାଉଣ୍ଡେସନ ନଦୀମାନଙ୍କୁ ପୁନଃଜୀବିତ କରିବାର ଉଦ୍ଦେଶ୍ୟ ନେଇ ଗୋଟିଏ ସଚେତନତା ଅଭିଯାନ ଆରମ୍ଭ କରିଥିଲେ ଯାହା ‘ରାଲି ଫର ରିଭର୍ସ, ନାମରେ ପରିଚିତ ଥିଲା। ୨୦୧୭ ସେପ୍ଟେମ୍ବର ୩ ଏଇ ସମାବେଶ କୋଏମ୍ବାଟୁରରୁ ବାହାରି କନ୍ୟାକୁମାରୀ ଯାଇଥିଲା ଓ ସେଠାରୁ ବିଭିନ୍ନ ସହର ଦେଇ ୬୫୭୦ କିଲୋମିଟର ଯାତ୍ରା ପରେ ଦିଲ୍ଲୀରେ ଅକ୍ଟୋବର ୨ରେ ଏହା ଉଦ୍‌ଯାପିତ ହୋଇଥିଲା। ‘ରାଲି’ଫର ରିଭର୍ସର ମୁଖ୍ୟ ଉଦ୍ଦେଶ୍ୟ ହେଲା ପ୍ରତ୍ୟେକ ବଡ଼ ନଦୀର ଦୁଇ ପାର୍ଶ୍ବରେ ଏକ କିଲୋମିଟର ଅଞ୍ଚଳରେ ଚାରାରୋପଣ କରିବା। ତାଙ୍କର ପ୍ରସ୍ତାବ ଥିଲା ଯେ ସେଠାରେ ଥିବା ସରକାରୀ ଜମିରେ ଜଙ୍ଗଲ ସୃଷ୍ଟି କରାଯାଉ। ଏଇ ବନୀକରଣର ଉଦ୍ଦେଶ୍ୟ ହେଉଛି ମୃତ୍ତିକା ସଂରକ୍ଷଣ, ଭୂତଳ ଜଳସ୍ତର ବୃଦ୍ଧି, ଅଧିକ ବର୍ଷା ପାଇଁ ଅନୁକୂଳ ପରିସ୍ଥିତି ଓ ନଦୀକୁ ଚିରସ୍ରୋତା କରିବା ଇତ୍ୟାଦି। ତାଙ୍କର ବିଚାରଧାରା ଥିଲା ନଦୀ, ଜଳାଶୟ, ଜଙ୍ଗଲ ଜମି ସମସ୍ତଙ୍କ ପାଇଁ ନୂଆ ଆଇନ ପ୍ରଣୀତ ହେଉ ଓ ଏ ସବୁକୁ ଜାତୀୟ ସମ୍ପତ୍ତି ଭାବରେ ଗଣାଯାଉ। ଜଙ୍ଗଲ ସୃଷ୍ଟି ଫଳରେ ଏହାର ଅନୁକୂଳ ପ୍ରଭାବ ଜଳବାୟୁ ପରିବର୍ତ୍ତନ ଉପରେ ନିଶ୍ଚୟ ପଡ଼ିବ ଓ ନଦୀମାନେ ଅଣମୌସୁମୀ ମାସମାନଙ୍କରେ ଅପେକ୍ଷାକୃତ ଅଧିକ ଜଳ ବହନ କରିବେ। ଛୋଟ ନଦୀମାନଙ୍କ ପାଇଁ ଦୁଇ ପାର୍ଶ୍ବରେ ୫୦୦ମିଟର ଚଉଡ଼ା ଭିତରେ ଜଙ୍ଗଲ ସୃଷ୍ଟି କରାଯିବାର ଯୋଜନା ସଦ୍‌ଗୁରୁ ପ୍ରସ୍ତାବ କରିଥିଲେ। ସମାବେଶ ପରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ସେ ନିଜର ପ୍ରସ୍ତାବ ରଖିଥିଲେ।
ରାଜେନ୍ଦ୍ର ସିଂହଙ୍କ ମତରେ ଶୁଖା ଅଞ୍ଚଳର ଗାଁଗଣ୍ଡାମାନଙ୍କରେ ଗୋଷ୍ଠୀ ସଂରକ୍ଷଣ ବ୍ୟବସ୍ଥା ଦ୍ବାରା ଜଳର ଉପଲବ୍ଧତା ବଢ଼ିବ ଓ ଏଥିରେ ସେଇ ସବୁ ଅଞ୍ଚଳର ଅଧିବାସୀମାନଙ୍କର ସହଯୋଗ ଓ ଶ୍ରମ ଏକାନ୍ତ ଆବଶ୍ୟକ। ଗାଁଗଣ୍ଡାର ମହିଳାମାନଙ୍କର ଏଥିରେ ବିଶେଷ ଭୂମିକା ରହିବ। ରାଜସ୍ଥାନର ୧୦,୬୦୦ ବର୍ଗ କିଲୋମିଟର ଶୁଖା ଅଞ୍ଚଳରେ ଜଳସଂରକ୍ଷଣ ଦିଗରେ କାମ କଲାପରେ ସେ ଏସବୁ ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି। ନଦୀମାନଙ୍କ ବିଷୟରେ ତାଙ୍କ ମତ ହେଲା, ନଦୀ ତା’ର ଧର୍ମପାଳନ କରୁ, ଏହାର ଜୈବ ବ୍ୟବସ୍ଥାକୁ ବଜାୟ ରଖୁ ଓ ପରିବେଶର ସୁରକ୍ଷା କରୁ। ତାଙ୍କ ମତରେ ନଦୀମାନଙ୍କୁ ନଷ୍ଟ କରିବାର ପ୍ରଧାନ କାରଣ ହେଲା ଏହା ଉପରେ ଅସଂଖ୍ୟ ବନ୍ଧ, ଜଳଭଣ୍ଡାର ଓ ବ୍ୟାରେଜ ନିର୍ମାଣ। ଭାରତ ସରକାରଙ୍କର ବହୁଚର୍ଚ୍ଚିତ ନଦୀ ସଂଯୋଗୀକରଣ ଯୋଜନା ବିଷୟରେ ତାଙ୍କ ବିଚାରଧାରା ହେଲା ଯେ ଏହି ଯୋଜନା ରାଜ୍ୟମାନଙ୍କୁ ଯୋଡ଼ିବା ପରିବର୍ତ୍ତେ ସେମାନଙ୍କ ଭିତରେ ସମ୍ବନ୍ଧକୁ ନଷ୍ଟ କରିଦେବ। ଦେଶର ବିଭିନ୍ନ ସ୍ଥାନରେ ଥିବା କେନାଲ ଜଳସେଚନ ବିଷୟରେ ସେ ପ୍ରତିକୂଳ ମତ ଦେଇ କହିଛନ୍ତି ଯେ ସେଗୁଡ଼ିକର ବ୍ୟର୍ଥତା ଯୋଗୁଁ ଭୂତଳ ଜଳର ଉତ୍ତୋଳନ ଆଶାତୀତ ଭାବରେ ବୃଦ୍ଧି ପାଇଛି ଯାହାକି କିଛି ରାଜ୍ୟରେ ଉଦ୍‌ବେଗଜନକ ପରିସ୍ଥିତି ସୃଷ୍ଟି କରିଛି।
ଏହି ଦୁଇ ବିଶିଷ୍ଟ ବ୍ୟକ୍ତିଙ୍କ ବିଚାରାଧାରା ଆମ ଦେଶରେ କେତେଦୂର ପ୍ରଯୁଜ୍ୟ ହୋଇପାରିବ ସେ କଥା ବର୍ତ୍ତମାନ ଆଲୋଚନା କରିବା। ଜଳବିଜ୍ଞାନୀମାନେ ଆକଳନ କରିଛନ୍ତି ଯେ ଆମ ଦେଶର ବ୍ୟାବହାରିକ ଜଳର ପରିମାଣ ହେବ ନଦୀଜଳରୁ ୬୯୦ ଓ ଭୂତଳ ଜଳରୁ ୪୩୦ ବିସିଏମ୍‌। ଗୋଟିଏ ବିସିଏମ୍‌ ୧୦୦୦ ନିୟୁତ ଘନମିଟର ସହିତ ସମାନ। ଗୋଟିଏ ଘନମିଟର ହେଲା ୧୦୦୦ ଲିଟର। ଆମ ଦେଶରେ ବର୍ଷା ଚାରିମାସ ଭିତରେ ପ୍ରାୟ ଶତକଡ଼ା ୮୫ଭାଗ ନଦୀ ଜଳ ବୋହିଥାଏ। ବର୍ଷାଦିନ ଭିତରେ ମଧ୍ୟ ବିଭିନ୍ନ ଲଘୁଚାପଜନିତ ପରିସ୍ଥିତି ଯୋଗୁଁ ସମୁଦାୟ ବର୍ଷାଜଳର ପ୍ରାୟ ୫୦ଭାଗ ମାତ୍ର ୧୫ଦିନ ଭିତରେ ନଦୀରେ ପ୍ରବାହିତ ହୋଇଥାଏ। ବର୍ଷା ଚାରିମାସ ଭିତରେ ମଧ୍ୟ କ୍ରମାଗତ ଭାବରେ ବର୍ଷାଭାବ ଯୋଗୁଁ ମରୁଡ଼ି ପରିସ୍ଥିତି ଉପୁଜିଥାଏ। ପାଣିପାଗର ମିଜାଜ୍‌ ଆମ ଦେଶର ଅର୍ଥନୀତିକୁ ପ୍ରଭାବିତ କରିଥାଏ। ଦକ୍ଷିଣ, ପଶ୍ଚିମ ଓ ମଧ୍ୟଭାରତର ନଦୀମାନଙ୍କରେ ଅଣମୌସୁମୀ ଆଠମାସ ଭିତରେ ବହୁତ କମ୍‌ ଜଳ ପ୍ରବାହିତ ହୋଇଥାଏ ଯାହାକି ସେଇ ସମୟର ଜଳ ଚାହିଦାଠାରୁ ଢ଼େର କମ। ବର୍ଷା ଚାରିମାସ ଭିତରେ ଭୂତଳ ଜଳ ସ୍ତର ବୃଦ୍ଧି ପାଇଥାଏ। ବିିଭିନ୍ନ ଅଞ୍ଚଳର ମୃତ୍ତିକା ଓ ମୌସୁମୀ ବର୍ଷାର ବିଭିନ୍ନତା ଭୂତଳ ଜଳର ପରିମାଣକୁ ପ୍ରଭାବିତ କରିଥାଏ। ଭୂତଳ ଜଳସ୍ତର ବି ସବୁ ଜାଗାରେ ସମାନ ରହେନି।
ଭୂବିଜ୍ଞାନୀମାନେ ଆକଳନ କରିଛନ୍ତି ଯେ ବିଭିନ୍ନ ସ୍ଥାନମାନଙ୍କରେ କେତେଜଳ ପ୍ରତିବର୍ଷ ପୁନଃ ଭରଣା ହୋଇପାରିବ କେବଳ ସେତିକି ଜଳ ଉତ୍ତୋଳନ କଲେ ଭୂତଳ ଜଳଭଣ୍ଡାରର ସନ୍ତୁଳନ ଓ ଜଳସ୍ତର ଠିକ୍‌ ରହିବ; କିନ୍ତୁ କେନାଲ ଜଳସେଚନର ଅନିଶ୍ଚିତତା ଓ ସ୍ବଳ୍ପତା ଯୋଗୁଁ, ଗୁଜରାଟ, ପଞ୍ଜାବ, ହରିଆଣା, ରାଜସ୍ଥାନ ଓ ପଶ୍ଚିମ ଉତ୍ତର ପ୍ରଦେଶ ପରି କିଛି ରାଜ୍ୟରେ ମାତ୍ରାଧିକ ଜଳ ଉତ୍ତୋଳନ ହେତୁ ଜଳସ୍ତର ବହୁତ ତଳକୁ ଚାଲିଯାଉଛି, କାରଣ ପୁନଃଭରଣା ହୋଇପାରୁନି।
ଜଳ ବ୍ୟବହାରର ବ୍ୟାପକତା ଅନେକ ଥିଲେ ହେଁ ମୁଖ୍ୟତଃ ଆମ ଦେଶରେ କୃଷି, ଶିଳ୍ପ, ଘରୋଇ କାର୍ଯ୍ୟ ଓ ପରିବେଶ ପାଇଁ ଅଧିକ ଜଳ ଖର୍ଚ୍ଚ ହେଉଛି। କୃଷି ପାଇଁ ଜଳ ବ୍ୟବହାରରେ ଆମ ଦେଶରେ ଅଯଥା ଅନେକ ଜଳ ନଷ୍ଟ ହେଉଛି। କୃଷି ବିଜ୍ଞାନୀମାନେ ଏହାକୁ କମାଇବାକୁ କାର୍ଯ୍ୟ କରୁଛନ୍ତି। ୧୯୯୭-୯୮ରେ ଦେଶର ଜଳ ବ୍ୟବହାର ୬୨୯ ବିସିଏମ୍‌ ଥିଲାବେଳେ ୨୦୧୦ରେ ଏହା ହାରାହାରି ୭୦୨ ବିସିଏମ୍‌ ଥିଲା। ୨୦୨୫ ଓ ୨୦୫୦ ମସିହାରେ ଜଳବ୍ୟବହାର ବୃଦ୍ଧି ପାଇ ଯଥାକ୍ରମେ ୮୧୪ ଓ ୧୦୭୭ ବିସିଏମ ହୋଇଯିବାର ଆଶଙ୍କା ରହିଛି। ଭବିଷ୍ୟତ ପିଢ଼ିଙ୍କ ଜଳ ସମସ୍ୟା ଆହୁରି ବଢ଼ିବ, କାରଣ ଜନସଂଖ୍ୟା ବଢ଼ିବାରେ ଲାଗିଛି।
ଏଇ ପରିପ୍ରେକ୍ଷୀରେ ଜଳ ସଂରକ୍ଷଣ ବର୍ତ୍ତମାନର ସବୁଠାରୁ ବଡ଼ ଆହ୍ବାନ। ନଦୀମାନଙ୍କର ଅବବାହିକାରେ ବହୁଳ ଚାରାରୋପଣ ଓ ମୃତ୍ତିକା ସଂରକ୍ଷଣ କାର୍ଯ୍ୟପ୍ରତି ସବୁବେଳେ ଅବହେଳା କରାଯାଇଥାଏ। ବର୍ତ୍ତମାନ ଏସବୁ ଅଗ୍ରାଧିକାର ଭିତ୍ତିରେ ହେବା ଉଚିତ। ଭୂତଳ ଜଳ ସ୍ତରରେ ଉନ୍ନତି ଆଣିବାପାଇଁ ରାଜେନ୍ଦ୍ର ସିଂହଙ୍କ ପରିଶ୍ରମ ଦେଶରେ ବ୍ୟାପକ କରାଯିବା ଉଚିତ। ସଦ୍‌ଗୁରୁଙ୍କର ଚାରାରୋପଣ ପ୍ରସ୍ତାବ କେତେଦୂର କାର୍ଯ୍ୟକାରୀ ହୋଇପାରିବ ଏଥିରେ ସନ୍ଦେହ ରହିଛି, କିନ୍ତୁ ନଦୀ କୂଳରେ ଜଙ୍ଗଲ ଓ ଫଳ ବଗିଚା ସୃଷ୍ଟି କରିବା କାମ ସବୁକୁ ସରକାର ପ୍ରାଧାନ୍ୟ ଦିଅନ୍ତୁ। ଓଡ଼ିଶା ସରକାର ନିକଟ ଅତୀତରେ ଗ୍ରୀନ୍‌ ମହାନଦୀ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହା ପ୍ରଶଂସନୀୟ।
ଭବିଷ୍ୟତରେ ଜଳର ଉପଲବ୍ଧତା ଯେ କୌଣସି ଦେଶ ପାଇଁ ଏକ ଆହ୍ବାନ। ଏହାକୁ ଦୂର କରିବା ପାଇଁ ଆମେ ବାସ୍ତବବାଦୀ ହେବାକୁ ପଡ଼ିବ। ଜଳସଂରକ୍ଷଣ ଓ ମିତବ୍ୟୟିତା ସହିତ ଆମକୁ ବର୍ଷାଦିନର କିଛି ଜଳକୁ ନିଶ୍ଚୟ କୌଣସି ଜଳ ଭଣ୍ଡାରରେ ସାଇତିବାକୁ ପଡ଼ିବ। ଜଳମାନବ ଓ ସଦ୍‌ଗୁରୁଙ୍କର ଉଦ୍ଦେଶ୍ୟ ମହତ୍‌, କିନ୍ତୁ ସେମାନଙ୍କର ସବୁ ଉପଦେଶ କାର୍ଯ୍ୟକାରୀ କରାଗଲେ ବି ଏହା ଭବିଷ୍ୟତ ପାଇଁ ଯଥେଷ୍ଟ ହେବନି। ମୁଣ୍ଡପିଛା ଜଳର ଉପଲବ୍ଧତା ବଢ଼ାଇବାକୁ ଯଦି ଜଳଭଣ୍ଡାର ନିର୍ମାଣର ଆବଶ୍ୟକତା ଆସେ ଏଥିରେ ସମସ୍ତେ ସହଯୋଗ କରିବା ଉଚିତ।

Leave A Reply