ଜଡ଼ ନୁହେଁ ଜୀବନ୍ତ
ପ୍ରାୟତଃ ମଣିଷ ନିଜ ସ୍ବାର୍ଥ ପାଇଁ ଈଶ୍ବରଙ୍କୁ ଡାକି ଥାଏ। ସମ୍ପଦ ସମୟରେ ଅନେକେ ଈଶ୍ବରଙ୍କୁ ଭୁଲିଯାଇଥାନ୍ତି। ଯେଉଁ ମୁହୂର୍ତ୍ତରେ ଦୁଃଖଦୁର୍ଦଶା, ବିପତ୍ତିର ସମ୍ମୁଖୀନ ହୁଅନ୍ତି ସେହି ମୁହୂର୍ତ୍ତରେ ବଡ଼ କାତର ଭାବରେ ଈଶ୍ବରଙ୍କୁ ଡାକିଥାନ୍ତି ସେଥିରୁ ଉଦ୍ଧାର ପାଇବାପାଇଁ। ଈଶ୍ବର ବି ସେମାନଙ୍କର ଡାକ ଶୁଣିଥାନ୍ତି। କାରଣ ସେ ଆର୍ତ୍ତର ଠାକୁର- ଭକ୍ତର ଭଗବାନ। ଏ ଧରଣର ସ୍ବାର୍ଥୀ ମଣିଷଙ୍କୁ ଛାଡ଼ିଦେଲେ କେତେକ ପ୍ରକୃତ ଆଧ୍ୟାତ୍ମିକ ଦୃଷ୍ଟିଭଙ୍ଗୀ ନେଇ ଈଶ୍ବେରାପାସକ ହୋଇଥାନ୍ତି। ସେମାନଙ୍କର ଭୌତିକ ସୁଖସମୃଦ୍ଦି ଲାଭ ଲାଳସା ନଥାଏ, କେବଳ ଥାଏ ଆତ୍ମିକ ଉନ୍ନତି। ଈଶ୍ବରଙ୍କୁ ଉପାସନା କଲାବେଳେ ଜଡ଼ ଦେହରେ ସେ ଜୀବନଶକ୍ତି ଭରି ଦେଇଥାନ୍ତି। ତାଙ୍କର ଦୃଢ଼ ବିଶ୍ବାସ ଥାଏ ଠାକୁର ନିଶ୍ଚୟ ତାଙ୍କର ଦୁଃଖ ଶୁଣିବେ। ତାଙ୍କର ସ୍ଥିତି ଅଛି, ସେ ବିଶ୍ବାସ- ଅବିଶ୍ବାସରୁ ଊର୍ଦ୍ଧ୍ବରେ। ମୂଳ ହେଲା ତାଙ୍କଠାରେ ସେହି ଅନିର୍ବଚନୀୟ ଶକ୍ତିର ଆରୋପ କରିବା।
ବ୍ୟକ୍ତିଜଣକ କୌଣସିଠାରୁ ଶୁଣିଥିଲେ ଯେ ଗଣେଶ ଭଗବାନଙ୍କ ପୂଜା କଲେ ଧନଧାନ୍ୟ, ବୁଦ୍ଧି, ଶ୍ରୀ, ସବୁକିଛି ବୃଦ୍ଧି ହୋଇଥାଏ। ତେଣୁ ଗଣେଶଙ୍କର ଏକ ମୂର୍ତ୍ତି ଗୃହରେ ସ୍ଥାପନ କଲେ। ରୀତିମତ ଗଣେଶ ଭଗବାନଙ୍କର ପୂଜା ଆରାଧନାରେ ମନୋନିବେଶ କଲେ। ଘଣ୍ଟାଘଣ୍ଟା ଧରି ଗଣେଶଙ୍କ ବିଭିନ୍ନ ସ୍ତୋତ୍ର ପାଠ, ଘଣ୍ଟାଘଣ୍ଟି ବଜାଇବାରେ ଅତିବାହିତ ହେଉଥାଏ। ଏହିପରି ଭାବରେ ମାସମାସ, ବର୍ଷ ମଧ୍ୟ ଅତିବାହିତ ହୋଇଗଲା। ହେଲେ ପରିସ୍ଥିତିରେ କିିଛି ହେଲେ ଉନ୍ନତି ହୋଇନଥିଲା। ହଠାତ୍ ମୁଣ୍ଡକୁ ଖଳବୁଦ୍ଧି ଜୁଟିଲା। ମନେମନେ ଭାବିଲେ ଗଣେଶ ଭଗବାନଙ୍କୁ ଏତେକାଳ ଧରି ପୂଜା କରି ମୋର ଦୁରବସ୍ଥାରେ କିଛି ହେଲେ ପରିବର୍ତ୍ତନ ହେଲାନାହିଁ। କାହିଁକି ବା ଏଭଳି ପାଷାଣକୁ ପୂଜା କରିବି? କି ଲାଭ ହେବ? ଏହା ଭାବି ଭଗବାନ ଗଣେଶଙ୍କୁ ପୂଜାସ୍ଥଳରୁ ହଟାଇଦେଲେ। ଗଣେଶଙ୍କ ସ୍ଥାନରେ ଧନର ଦେବୀ ଲକ୍ଷ୍ମୀଙ୍କ ମୂର୍ତ୍ତି ଆଣି ପୂଜା ଆରମ୍ଭ କେଲ।
ପ୍ରଥମ କରି ଲକ୍ଷ୍ମୀଙ୍କ ମୂର୍ତ୍ତିକୁ ପୂଜା ଉଦ୍ଦେଶ୍ୟରେ ଧୂପଦେଇ ଆରତି କରିବାକୁ ଗଲାବେଳେ ଆହୁରି ଏକ କୁ ବୁଦ୍ଧି ମନକୁ ଆସିଲା। ଯେଉଁ ଠାକୁର ଏତେଦିନ ଧରି ପୂଜା କରି ମୋର ଡାକ ଶୁଣିଲେନି ସେ ଠାକୁର ଯେପରି ଧୂପର ସାମାନ୍ୟତମ ବାସ୍ନା ନପାଆନ୍ତି ଏହା ଭାବି ଦୁଇଟି ଗୁଳା କରି ଗଣେଶଙ୍କ ପ୍ରତିମୂର୍ତ୍ତିର ନାକପୁଡ଼ାରେ ଦେଇ ରୁଦ୍ଧ କରି ଦେଲେ। ଠିକ୍ ଏଇ ସମୟରେ ଏକ ଅବିଶ୍ବସନୀୟ ଘଟଣା ଘଟିଲା। ସେ ଦେଖିପାରିଲେ ଗଣେଶଙ୍କ ମୂର୍ତ୍ତି ଖିଲିଖିଲି ହୋଇ ହସୁଛନ୍ତି। ବିଚରା ବ୍ୟକ୍ତିଜଣକ ଘାବରେଇଗଲେ। ଆବାକାବା ହୋଇ ମୂର୍ତ୍ତିର ମୁହଁକୁ ଚାହିଁ ରହିଥାନ୍ତି। ହଠାତ୍ ସେ ଶୁଣିବାକୁ ପାଇଲେ ଏକ କଣ୍ଠସ୍ବର- ‘ଯେ ପର୍ଯ୍ୟନ୍ତ ମୋତେ ଜଡ଼ ଭାବିଥିଲ ସେ ପର୍ଯ୍ୟନ୍ତ ତୁମ ନିକଟରେ ମୁଁ ଜଡ଼ଠାକୁର ଥିଲି। ଆଉ ବର୍ତ୍ତମାନ? ବର୍ତ୍ତମାନ ତୁମେ ମୋତେ ଚେତନାର ଅଭିବ୍ୟକ୍ତି, ସଜୀବ ମୂର୍ତ୍ତି ଭାବରେ ଅବଲୋକନ କଲ। ତେଣୁମୋତେ ତ ତୁମ ନିକଟକୁ ଆସିବାକୁ ପଡ଼ିଲା।’