bjd gruha runa banner

ବିଜ୍ଞ ପରାମର୍ଶ

BSKY banner  750×100
0

ଆଇନ ଆୟୋଗ ଏବେ ଦୁଇଟି ମହତ୍ତ୍ବପୂର୍ଣ୍ଣ ପ୍ରସଙ୍ଗରେ ସରକାରଙ୍କ ପାଇଁ ଏକ ପରାମର୍ଶପତ୍ର ଜାରି କରିଛନ୍ତି। ଏହି ପ୍ରସଙ୍ଗଦ୍ବୟ ହେଲା: ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକର ଏକକାଳୀନ ନିର୍ବାଚନ ଏବଂ ରାଷ୍ଟ୍ରଦ୍ରୋହ ଆଇନ। ସରକାର ଆୟୋଗଙ୍କ ପରାମର୍ଶ ଓ ସତର୍କତାଗୁଡ଼ିକୁ ସଗୁରୁତ୍ବ ବିଚାର କରିବା ଆବଶ୍ୟକ।
କେବଳ ଭାରତ ନୁହେଁ, ବିଶ୍ବର ବିଭିନ୍ନ ଦେଶର ଶାସକଶ୍ରେଣୀ ସମାଲୋଚନାକୁ ସହଜରେ ହଜମ କରିପାରନ୍ତି ନାହିଁ। ରାଜତନ୍ତ୍ରଗୁଡ଼ିକରେ ଏଥିପାଇଁ ପ୍ରାଣଦଣ୍ଡ ମଧ୍ୟ ଦିଆଯିବାର ଉଦାହରଣ ଦେଖିବାକୁ ମିଳେ। ଭାରତରେ ଇଂରେଜମାନେ ସ୍ବାଧୀନତା ସଂଗ୍ରାମକୁ ଦମନ କରିବା ପାଇଁ ମୂଳତଃ ରାଷ୍ଟ୍ରଦ୍ରୋହ ଆଇନ (ଭାରତୀୟ ପିଙ୍ଗଳ କୋଡର ଧାରା ୧୨୪-କ) ପ୍ରଣୟନ କରିଥିଲେ। ପରିତାପର ବିଷୟ ଯେ ଦେଶ ସ୍ବାଧୀନ ହେବାପରେ ମଧ୍ୟ ଶାସକମାନେ ଏହି ଆଇନକୁ ଉଚ୍ଛେଦ କରିନାହାନ୍ତି। ତା’ର ମୂଳରେ ରହିଛି ଏକ ଅଜଣା ଭୟ ଯେ କାଳେ ସେମାନଙ୍କୁ କେହି ସମାଲୋଚନା କରିବ; ବଡ଼ ଧରଣର ଷଡ଼ଯନ୍ତ୍ର କରି ସେମାନଙ୍କ ପତନର କାରଣ ହେବ। ଏଭଳି ଶାସକମାନେ ନିଜକୁ ହିଁ ରାଷ୍ଟ୍ର ବୋଲି ଭାବୁଥିବାରୁ ଏହି ଆଇନଟି ଏ ପର୍ଯ୍ୟନ୍ତ ବଞ୍ଚିରହିଛି ସ୍ବାଧୀନ ଭାରତବର୍ଷରେ। କେବଳ ବଞ୍ଚିନାହିଁ, ସ୍ବାଧୀନତାଠାରୁ ଆଜିପର୍ଯ୍ୟନ୍ତ ବହୁବାର ଶାସନ-ସମାଲୋଚକ ସ୍ବାଧୀନଚେତା କର୍ମୀ, ଲେଖକ, ବୁଦ୍ଧିଜୀବୀ, ଏପରିକି ବ୍ୟଙ୍ଗ ଚିତ୍ରକରଙ୍କ ଉପରେ ପ୍ରୟୋଗ କରାଯାଇ ସେମାନଙ୍କୁ କାରାବଦ୍ଧ କରାଯାଇଛି। ଏବେ ଆଇନ ଆୟୋଗ ପରାମର୍ଶ ଦେଇଛି ଯେ ‘କେବଳ ସେଭଳି କାର୍ଯ୍ୟ କ୍ଷେତ୍ରରେ ଏହାକୁ ପ୍ରୟୋଗ କରାଯିବା ଉଚିତ, ଯେଉଁଠି ତାହା ବ୍ୟାପକଭାବେ ଲୋକଜୀବନକୁ ଅସ୍ତବ୍ୟସ୍ତ କରିଦେଉଥିବ କିମ୍ବା ହିଂସା ଓ ବେଆଇନ ଉପାୟରେ ସରକାରଙ୍କ ପତନ ଆଭିମୁଖ୍ୟ ରହିଥିବ’। ଆୟୋଗ ଅତି ସ୍ପଷ୍ଟଭାଷାରେ ଏଥିରେ ଉଲ୍ଲେଖ କରିଛନ୍ତି ଯେ ‘‘ସମସାମୟିକ ସରକାରଙ୍କ ନୀତି ସହ ସମ୍ମତ ନହେବାର ବିଚାର ଆଦୌ ରାଷ୍ଟ୍ରଦ୍ରୋହ ନୁହେଁ’’। ବିସ୍ମୟର କଥା ଯେ ଆଇନ ଆୟୋଗ ଗତ ପାଞ୍ଚ ଦଶନ୍ଧି ମଧ୍ୟରେ ତୃତୀୟ ଥର ପାଇଁ ଏହି କଠୋରତମ ଆଇନରେ ପରିବର୍ତ୍ତନ ଆଣିବାକୁ ବିଜ୍ଞ ପରାମର୍ଶ ଦେଇଥିଲେ ବି ଶାସକଗୋଷ୍ଠୀ ତା’କୁ ଉପେକ୍ଷା କରିଆସିଛନ୍ତି। ପୂର୍ବରୁ ୧୯୬୮ ଓ ୧୯୭୧ରେ ଆୟୋଗ ସରକାରଙ୍କୁ ଏନେଇ ପରାମର୍ଶ ଦେଇଥିଲେ। ସରକାର ଏହି ଆଇନଟିର ବାରମ୍ବାର ଦୁରୁପଯୋଗ କରିଆସିଥିବାବେଳେ ନ୍ୟାୟାଳୟ ହିଁ ପୀଡ଼ିତଙ୍କ ସୁରକ୍ଷାକର୍ତ୍ତା ସାଜିଛନ୍ତି। ଏହି ଆଇନର ଉଚ୍ଛେଦ ପାଇଁ ଦାବି ଅଯୌକ୍ତିକ ନୁହେଁ।
ଅପରପକ୍ଷେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ସରକାର ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ ନିମନ୍ତେ ସର୍ବସମ୍ମତି ହାସଲ ପାଇଁ ପ୍ରଚେଷ୍ଟା ଚଳାଇଛନ୍ତି। ଏହା କରିବାକୁ ହେଲେ ଯେଉଁ ବାଧାମାନ ରହିଛି, ସେ ନେଇ ଆୟୋଗ ବିଶଦଭାବେ ଏବେ ତାଙ୍କ ପରାମର୍ଶପତ୍ରରେ ଉଲ୍ଲେଖ କରିଛନ୍ତି। ଆୟୋଗ ବହୁ ସଂସଦୀୟ ବିଶେଷଜ୍ଞଙ୍କ ପରାମର୍ଶକୁ ଆଧାର କରି କହିଛନ୍ତି ଯେ ଏକକାଳୀନ ନିର୍ବାଚନ ସମ୍ବିଧାନର ମୂଳ ଭିତ୍ତିକୁ କୁଠାରାଘାତ କରିବ। ଭାରତୀୟ ଲୋକତନ୍ତ୍ରର ଯେଉଁ ସଂଘୀୟ ଚରିତ୍ର ରହିଛି, ତାହା ଏପରି ଏକକାଳୀନ ନିର୍ବାଚନକୁ ଅନୁମତି ଦିଏନାହିଁ। ସଂସଦ ଓ ବିଧାନସଭାଗୁଡ଼ିକର ନିଜର ସ୍ବାତନ୍ତ୍ର୍ୟ ଓ ସ୍ବାଧୀନତା ରହିଛି, ଯାହାକୁ ଭିନ୍ନରୂପ ଦେବା ଅର୍ଥ ସମ୍ବିଧାନର ମୌଳିକତାକୁ ନଷ୍ଟ କରିବା। ଆଶା, କେନ୍ଦ୍ର ସରକାର ଏହି ଉଭୟ ପ୍ରସଙ୍ଗରେ ଉଚିତ ପଦକ୍ଷେପ ନେବେ।

Leave A Reply