ମନ୍ଦ ସମୟ ଓ ଭଲ ସମୟ

0

ସୀମାପାର ଆର୍ଥିକ କାରବାର, ବିଶେଷକରି ଆମଦାନୀ ଓ ଦେୟ ପ୍ରଦାନରେ ଆମେରିକୀୟ ମୁଦ୍ରା ଡଲାର ପ୍ରମୁଖ ମୁଦ୍ରା ଭାବେ ବ୍ୟବହୃତ ହୋଇଥାଏ। ତେଣୁ ଭାରତ ସମେତ ବିଶ୍ବର ସବୁ ପ୍ରମୁଖ ଦେଶ ନିଜନିଜ ମୁଦ୍ରାର ମୂଲ୍ୟ ଡଲାରସହ ବର୍ଗୀକୃତ କରିଥାନ୍ତି। ଟ୍ରମ୍ପ ପ୍ରଶାସନର କେତେକ ଆଭ୍ୟନ୍ତରୀଣ ନୀତି ଯୋଗୁ ଡଲାରର ଚାହିଦା ବିଶ୍ବ ବ୍ୟାପୀ ବଢ଼ି ଏହା ମହଙ୍ଗା ହୋଇଛି। ପରିଣାମ ସ୍ବରୂପ ଭାରତ ସମେତ ବିଭିନ୍ନ ବିକାଶଶୀଳ ଦେଶର ମୁଦ୍ରାର ମୂଲ୍ୟହ୍ରାସ ପାଇ ଏହା ଚାପର ସମ୍ମୁଖୀନ। ଗତ କିଛିକାଳ ଡଲାର ତୁଳନାରେ ଟଙ୍କାର ମୂଲ୍ୟହ୍ରାସ ପାଇ ଆସୁଥିବାବେଳେ ଶୁକ୍ରବାର ଏହା ରେକର୍ଡ଼ ତଳକୁ ଖସି ସର୍ବକାଳୀନ ସ୍ଥିତିରେ ପହଞ୍ଚିଛି। ଅର୍ଥାତ୍‌ ଗୋଟିଏ ଡଲାର ମୂଲ୍ୟ ୭୧ ଟଙ୍କା ହୋଇଛି। ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ବୃଦ୍ଧି ବିଭିନ୍ନ ସମୟରେ ଘଟେ। ତେବେ ଏ କ୍ଷେତ୍ରରେ ଏକ ମନସ୍ତାତ୍ତ୍ବିକ ଅଙ୍କ ଥାଏ, ଅର୍ଥାତ ନିର୍ଦିଷ୍ଟ ମୂଲ୍ୟର ସ୍ତରକୁ ଅତିକ୍ରମ କରିବାକୁ ଏକ ସଂକଟ ଭାବେ ଗ୍ରହଣ କରାଯାଏ। ଏବେ ଟଙ୍କାର ମୂଲ୍ୟ ଡଲାର ତୁଳନାରେ କମି ସେହି ମନସ୍ତାତ୍ତ୍ବିକ ସ୍ତର ୭୧ରେ ପହଞ୍ଚିଛି। ଅତଏବ ଆମଦାନୀ ଉପରେ ନିର୍ଭରଶୀଳ ଭାରତଭଳି ଏକ ଦେଶରେ ମୁଦ୍ରାର ମୂଲ୍ୟହ୍ରାସ ବିଭିନ୍ନ କ୍ଷେତ୍ର ଉପରେ ସିଧାସଳଖ ପ୍ରଭାବ ପକାଇବା ନିଶ୍ଚିତ। ଏହା ମୁଦ୍ରାସ୍ଫୀତି ବଢ଼ାଇବାସହ ଲୋକଙ୍କ ବ୍ୟକ୍ତିଗତ ବଜେଟକୁ ପ୍ରଭାବିତ କରିବ ଏବଂ ଦେଶର ଅର୍ଥନୀତି ମଧ୍ୟ କ୍ଷତିଗ୍ରସ୍ତ ହେବ। ପେଟ୍ରୋଲିୟମ ସାମଗ୍ରୀରେ ଭାରତ ଆତ୍ମନିର୍ଭରଶୀଳ ନୁହେଁ, ତେଣୁ ନିଜର ଇନ୍ଧନ ଆବଶ୍ୟକତାର ପ୍ରାୟ ୭୫ ଶତାଂଶ ଏହା ଆମଦାନୀ କରିଥାଏ। ଏବେ ଟଙ୍କାର ମୂଲ୍ୟ ହ୍ରାସ ଯୋଗୁଁ ପେଟ୍ରୋଲ, ଡିଜେଲ ଓ ଅନ୍ୟାନ୍ୟ ପେଟ୍ରୋଲିୟମ ସାମଗ୍ରୀ ଆହୁରି ମହଙ୍ଗା ହେବ। ଭାରତରେ ପେଟ୍ରୋଲିୟମ ମହଙ୍ଗା ହେବାଦ୍ବାରା ଜନସାଧାରଣ ଓ ଅର୍ଥନୀତି ଉପରେ ଏହାର କିପ୍ରକାର ପ୍ରତିକୂଳ ପ୍ରଭାବ ପଡ଼େ ତାହା ବୁଝାଇ କହିବାର ଆବଶ୍ୟକତା ନାହିଁ। ସେହିଭଳି ବିଦେଶରୁ ଆମଦାନୀ ହେଉଥିବା କଞ୍ଚାମାଲ, ଯନ୍ତ୍ରପାତି, ବିଭିନ୍ନ ସାମଗ୍ରୀ, ଖାଦ୍ୟପଦାର୍ଥ, ଔଷଧପତ୍ର, ମେଡିକାଲ ଉପକରଣର ଦାମ ବହୁତ ବଢ଼ିଯିବ। ଏବେ ଏ କ୍ଷେତ୍ରରେ ୧୦ଭାଗ ମୂଲ୍ୟବୃଦ୍ଧି ଘଟି ସାରିଲାଣି ବୋଲି ଆମଦାନୀକାରୀ ସଂସ୍ଥାମାନ କହୁଛନ୍ତି।
ଟଙ୍କାର ନିମ୍ନଗତି ଯୋଗୁଁ ବିଭିନ୍ନ ଖାଉଟି ସାମଗ୍ରୀର ମୂଲ୍ୟବୃଦ୍ଧି ଘଟିବାସହ ବିଦେଶରେ ପାଠପଢ଼ୁଥିବା ଭାରତୀୟଙ୍କ ଖର୍ଚ୍ଚ ଯଥେଷ୍ଟ ବଢ଼ିଯିବ। ବିଦେଶକୁ ବିଭିନ୍ନ କାର୍ଯ୍ୟରେ ଯାଉଥିବା ଭାରତୀୟଙ୍କୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ। ମୋଟାମୋଟି ଭାରତରେ ମହଙ୍ଗା ବଢ଼ିବ ଏବଂ ଅର୍ଥନୀତି ଉପରେ ଚାପ ସୃଷ୍ଟି ହେବ। ତେବେ ଏହି ପ୍ରକ୍ରିୟାରେ ଭାରତ ପାଇଁ କେତେକ ପ୍ରତ୍ୟକ୍ଷ ଓ ପ୍ରାନ୍ତୀୟ ଲାଭର ସୁଯୋଗ ରହିଛି। ବିଦେଶରେ ଥିବା ଭାରତୀୟମାନେ ନିଜର ପରିବାରବର୍ଗଙ୍କ ନିକଟକୁ ଅଧିକ ଅର୍ଥ ପଠାଇବାର ସୁଯୋଗ ସୃଷ୍ଟିହେବ ଏବଂ ଭାରତକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ଶସ୍ତାହେବାରୁ ପର୍ଯ୍ୟଟନକ୍ଷେତ୍ର ଅବଶ୍ୟ ଲାଭବାନ ହେବ। ଭାରତୀୟ ସଫ୍ଟଓୟାର କମ୍ପାନୀମାନଙ୍କର ଆୟ ମଧ୍ୟ କିଛିକାଳ ବଢ଼ିବ। ସେମାନେ ଯେଉଁ ବିଦେଶୀ ଠିକାକାମ ପାଉଛନ୍ତି ସେ ବାବଦରେ ଅଧିକ ଅର୍ଥ ରୋଜଗାର କରିବେ। ତେବେ ବିଡ଼ମ୍ବନା ହେଉଛି ଏଭଳି ଠିକା ଚୁକ୍ତି ସବୁ ବୁଝାମଣା ଭିତ୍ତିରେ ପୁନଃ ସଂପାଦିତ ହେଉଥିବାରୁ ଏହି କମ୍ପାନୀସବୁ ବେଶୀକାଳ ଲାଭାନ୍ବିତ ହେବା ସମ୍ଭାବନା କମ୍‌। ଏହାଛଡ଼ା ଟଙ୍କାର ମୂଲ୍ୟହ୍ରାସ ଯୋଗୁଁ କ୍ଷୁଦ୍ର ରପ୍ତାନୀଭିତ୍ତିକ କମ୍ପାନୀଗୁଡ଼ିକର ରପ୍ତାନୀ କାରବାର ବିଶ୍ବବଜାରରେ ଅଧିକ ପ୍ରତିଯୋଗିତାର ସୁଯୋଗ ପାଇବ। ଏହା ଭାରତୀୟ ଶିଳ୍ପ ଓ ଉଦ୍ୟୋଗ ପାଇଁ ଲାଭଦାୟକ ହୋଇପାରେ। ଡଲାରର ମୂଲ୍ୟବୃଦ୍ଧି ଯୋଗୁଁ ଭାରତ ସମେତ ହଂକଂ, ଚୀନ, ମାଲେସିଆ, ସିଙ୍ଗାପୁର, ତାଇୱାନ ଓ ଦକ୍ଷିଣ କୋରିଆ, ଆଦି ଦେଶର ମୁଦ୍ରାର ମୂଲ୍ୟ ହ୍ରାସ ପାଇଛି; ତେବେ ଭାରତୀୟ ମୁଦ୍ରା ଏହାଦ୍ବାରା ସର୍ବାଧିକ ପ୍ରଭାବିତ ହୋଇଛି। ଭାରତ ସରକାର ଓ ରିଜର୍ଭବ୍ୟାଙ୍କ ଏ ସମ୍ପର୍କରେ ସଚେତନ ଏବଂ ପରିସ୍ଥିତିର ମୁକାବିଲା କରିବାକୁ କି ପ୍ରକାର ପଦକ୍ଷେପମାନ ଗ୍ରହଣ କରାଯାଇପାରିବ ସେଥିପାଇଁ ଚେଷ୍ଟିତ। ଏହା ସତ୍ତ୍ବେ ଭାରତ ପାଖରେ ବିକଳ୍ପ କମ୍‌। ତୈଳ ସହିତ ଭାରତର ବିଭିନ୍ନ ସାମଗ୍ରୀର ଆମଦାନୀ ପରିମାଣ ବିପୁଳ ହୋଇଥିବାରୁ କିଛିକାଳ ଭାରତ ମହଙ୍ଗାମାଡ଼ର ସମ୍ମୁଖୀନ ହେବ ଏବଂ ଲୋକେ ଅସୁବିଧା ଭୋଗିବେ। ଏହା ମଧ୍ୟ ଦେଶର ଅର୍ଥନୈତିକ ଅଭିବୃ୍ଦ୍ଧିକୁ ମନ୍ଥର କରିବ। ଭାରତ ପାଇଁ ଏ ସ୍ଥିତି ନୂଆ ନୁହେଁ। ଅତୀତରେ ଏଭଳି ଅବସ୍ଥା କେଇବାର ସୃଷ୍ଟି ହୋଇଛି ଏବଂ ଭାରତ ସେଥିରୁ ଉଧୁରିଛି। ଏହା ଏକ ସାମୟିକ ପ୍ରକ୍ରିୟା। ତଥାପି ଏହା ଦେଶର ଅର୍ଥନୀତି, ଆର୍ଥିକ ପରିଚାଳନା ଓ ନେତୃତ୍ବ ପରାକାଷ୍ଠାର ପରୀକ୍ଷା ନେବ। ଅତଏବ ଟଙ୍କାର ଏହି ନିମ୍ନଗତିକୁ ଦାର୍ଶନିକ ଦୃଷ୍ଟିରୁ ଉଭୟ ‘ମନ୍ଦ ଓ ଭଲ ସମୟ’ ଭାବେ ବିଚାର କରି ପରିସ୍ଥିତିରୁ ଶିଖିବା ଓ ବାଟ ବାହାର କରିବାର ଅବକାଶ ଦେଶ ପାଇଁ ଆସିଛି କହିଲେ ଅତ୍ୟୁକ୍ତି ହେବନାହିଁ।

Leave A Reply