ବାସ୍ତବ ସତ୍ୟ
ପରାଧୀନ ଭାରତବର୍ଷର ଏହି ଘଟଣା। ସେ ସମୟରେ ଭାରତର ବିଭାଜନ ହୋଇନଥାଏ। ଧର୍ମଗୁରୁ ନାନକ ଲାହୋର (ଅଧୁନା ପାକିସ୍ତାନ ଅନ୍ତର୍ଗତ)ର ଏକ ସରାଇଖାନା (ଧର୍ମଶାଳା)ରେ ଅବସ୍ଥାନ କରୁଥାନ୍ତି। ଲାହୋରରେ ଦୁଲି ଚାନ୍ଦ ନାମକ ଜଣେ କରୋଡ଼ପତି ଶେଠ ଥିଲେ। ପ୍ରଭୂତ ଧନଯୋଗୁ ତାଙ୍କର ମନରେ ଅହଂକାର ମଧ୍ୟ ଥିଲା। ଅଧିକରୁ ଅଧିକ ଧନ ଆହରଣ ନିମନ୍ତେ ସେ ବିଭିନ୍ନ ପ୍ରକାର ଅସଦ୍ ଉପାୟ ଅବଲମ୍ବନ କରୁଥିଲେ। ପର୍ଯ୍ୟାପ୍ତ ସମ୍ପଦର ଅଧିକାରୀ ହୋଇ ମଧ୍ୟ ଦୁଃଖୀ ରଙ୍କୀଙ୍କୁ ଦାନ ଦେବା ତାଙ୍କର ଜାତକରେ ନଥିଲା।
ଦୁଲିଚାନ୍ଦ ଗୁରୁନାନକଙ୍କ ଅବସ୍ଥାନ ସମ୍ପର୍କରେ ଜାଣିବାକୁ ପାଇଥିଲେ। ନାନକଦେବଙ୍କ ଭଳି ଜଣେ ମହାନ ସନ୍ଥଙ୍କୁ ଦେଖା କରିବା ନିମନ୍ତେ ପ୍ରବଳ ଇଚ୍ଛା ହେଲା। କାହାଠାରୁ ଶୁଣିଥିଲେ ସାଧୁସନ୍ଥମାନଙ୍କୁ ଦେଖା କରିବାକୁ ହେଲେ କିଛି ମୁଦ୍ରା ଭେଟି ସ୍ବରୂପ ଦେଲେ ସନ୍ଥ ଦର୍ଶନର ସୁପରିଣାମ ମିଳିଥାଏ। କେବଳ ଏହି ଦୃଷ୍ଟିକୋଣରୁ ସେ ସାଥିରେ ବେଶ୍ କିଛି ସ୍ବର୍ଣ୍ଣ ମୁଦ୍ରା ନେଇଥିଲେ। ଏହାକୁ ନାନକଙ୍କ ପାଦତଳେ ଥୋଇ ତାଙ୍କର ଦର୍ଶନ କରିଥିଲେ।
ନାନକ ତାଙ୍କ ସମ୍ପର୍କରେ ପୂର୍ବରୁ ତଥ୍ୟ ସଂଗ୍ରହ କରିଥିଲେ। ସେ ଯେ ଜଣେ ଅତିମାତ୍ରାରେ କଞ୍ଜୁସ ଓ କାହାରିକୁ ଲେସ ମାତ୍ର ସାହାଯ୍ୟ କରନ୍ତି ନାହିଁ ଏହା ତାଙ୍କୁ ଅଜଣା ନଥିଲା। ଆହୁରି ମଧ୍ୟ ବୈଭବକୁ ନେଇ ତାଙ୍କର ଅହଂକାର ସମ୍ପର୍କରେ ଜାଣିପାରିଥିଲେ ନାନକ। ସ୍ବର୍ଣ୍ଣମୁଦ୍ରା ଥୋଇ ପ୍ରଣାମ କରି ଅତି ନମ୍ରଭାବରେ ଦୁଲିଚାନ୍ଦ ନାନକଙ୍କୁ କହିଥିଲେ- ଗୁରୁଦେବ! ଆଦେଶ ଦିଅନ୍ତୁ ଆପଣଙ୍କର କି ପ୍ରକାର ସେବା କରିପାରିବି?
ଏହା ଶୁଣି ନାନକ ଦେବ ତାଙ୍କୁ ଏକ ଛୁଞ୍ଚି ଧରାଇ ଦେଇ କହିଥିଲେ- ତୁମେ େଗାଟିଏ କାମ କର ମୋ ପାଇଁ; ଏହି ଛୁଞ୍ଚିଟି ପାଖରେ ରଖିଥାଅ। ଏହା ପର ଜନ୍ମରେ ମୋତେ ଫେରାଇ ଦେବ। ଏତିକି କରିପାରିଲେ ତୁମର ଏହି ସେବା ନିମେନ୍ତ ମୁଁ ଖୁବ୍ ଖୁସି ହେବି।
ଏହା ଶୁଣି ଦୁଲିଚାନ୍ଦ ଆଶ୍ଚର୍ଯ୍ୟ ହୋଇ କହିଲେ- ଗୁରୁଦେବ! ଏହା କିପରି ସମ୍ଭବ? ଗଲାବେଳେ ତ ସମସ୍ତେ ଖାଲିହାତରେ ଯାଇଥାନ୍ତି। ମୁଁ କିପରି ବା ଏହାକୁ ନେଇ ଆପଣଙ୍କୁ ଫେରାଇବି?
ଏହାଶୁଣି ନାନକ ଦେବ କହିଲେ- କରୋଡ଼ପତି ଦୁଲିଚାନ୍ଦ, ଯଦି ତୁମ କହିବା ମୁତାବକ ଗୋଟିଏ ସାମାନ୍ୟ ଛୁଞ୍ଚି ମଧ୍ୟ ତୁମେ ଗଲାବେଳେ ନେଇଯାଇ ପାରିବ ନାହିଁ ସେ କ୍ଷେତ୍ରରେ କୋଟିକୋଟି ଟଙ୍କାର ସମ୍ପତ୍ତି କିପରି ତୁମେ ସାଥିରେ ନେବ?
ଏହା ଶୁଣିଲା ପରେ ଦୁଲିଚାନ୍ଦ ବାସ୍ତବ ସତ୍ୟ ଉପଲବ୍ଧି କରିଥିଲେ। ଅତ୍ୟଧିକ ସମ୍ପଦର ଅସାରତା ସମ୍ପର୍କରେ ଜାଣିଲା ପରେ ଲଜ୍ଜିତ ହୋଇ ଚୁପ୍ଚାପ ନାନକଦେବଙ୍କ ନିକଟରୁ ଚାଲିଆସିଥିଲେ ସେ ଫେରାଇ ଦେଇଥିବା ସ୍ବର୍ଣ୍ଣମୁଦ୍ରା ଧରି। ନିଜର ଉଦ୍ବୃତ୍ତ ସଂପଦ ଦୁଃଖୀରଙ୍କୀଙ୍କୁ ଦାନ କରିବା ସହ ଲୋକହିତକର କାମରେ ବିନିଯୋଗ କରିଥିଲେ। ପରବର୍ତ୍ତୀ ସମୟରେ ନାନକ ଦେବଙ୍କ ନିକଟକୁ ଆସି ଶିଷ୍ୟ ଭାବରେ ନିଜକୁ ଗ୍ରହଣ କରିନେବାକୁ ନିବେଦନ କରିଥିଲେ। ତାଙ୍କର ପରିବର୍ତ୍ତିତ ମନୋଭାବରେ ନାନକ ଖୁସିହୋଇ ତାଙ୍କୁ ଶିଷ୍ୟ ଭାବରେ ଗ୍ରହଣ କରିନେଇଥିଲେ ଓ ଦୁଲିଚାନ୍ଦ ଧର୍ମପ୍ରଚାରରେ ନିଜକୁ ବିନିଯୋଗ କରିଥିଲେ।