ଉଚ୍ଚଶିକ୍ଷା ଆୟୋଗ ଚିନ୍ତାଧାରାର ପୃଷ୍ଠଭୂମି
ଅମିୟ କୁମାର ମହାନ୍ତି
ଜୁନ୍ ୨୭, ୨୦୧୮ରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦୀର୍ଘ ଛଅ ଦଶନ୍ଧିଧରି ଉଚ୍ଚଶିକ୍ଷା ବ୍ୟବସ୍ଥାର ସୁରମ୍ୟ ହର୍ମ୍ୟ ନିର୍ମାଣରେ ଗୁରୁତ୍ବପୂର୍ଣ୍ଣ ସକାରାତ୍ମକ ଭୂମିକା ଗ୍ରହଣ କରିଥିବା ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ଚେହେରା ପରିବର୍ତ୍ତନ କରି ଉଚ୍ଚଶିକ୍ଷା ଆୟୋଗ ଗଠନ କରିବା ପାଇଁ ଚିଠା ଅଧିନିୟମ ଜନସାଧାରଣଙ୍କ ମତାମତ ପାଇଁ ପ୍ରକାଶ କରିଛନ୍ତି। ଉଚ୍ଚଶିକ୍ଷା କ୍ଷେତ୍ରରେ ଯେତେବେଳେ ନୂତନ ଶିକ୍ଷାବର୍ଷ ଆରମ୍ଭରେ ଅଧ୍ୟାପକ, ଛାତ୍ରଛାତ୍ରୀ ଏବଂ ସମସ୍ତ ସହଭାଗୀମାନେ ଆଡ଼ମିସନ, ଶିକ୍ଷାବର୍ଷ ପାଇଁ ନୂତନ ଯୋଜନା ପ୍ରସ୍ତୁତି, ପରୀକ୍ଷା ଫଳାଫଳ ପ୍ରକାଶନରେ ବ୍ୟସ୍ତ ଥିଲେ, ସରକାରଙ୍କ ଏତାଦୃଶ ନିଷ୍ପତ୍ତି ଉଚ୍ଚଶିକ୍ଷା କ୍ଷେତ୍ରରେ ଗଭୀର ଆଲୋଡ଼ନ ସୃଷ୍ଟି କରିଅଛି। ଶୈକ୍ଷିକ ଜଗତରେ ତୀବ୍ର ପ୍ରତିକ୍ରିୟା ଏବଂ ଅସନ୍ତୋଷ ଦେଖାଦେଇଛି। ପ୍ରସ୍ତାବିତ ନିଷ୍ପତ୍ତିର ସାମଗ୍ରିକ ଭାବେ ଉଚ୍ଚଶିକ୍ଷା ବ୍ୟବସ୍ଥାରେ ସୁଦୂରପ୍ରସାରୀ ପ୍ରଭାବ ରହିିଥିବାରୁ ଏହାର ଏକ ସତ୍ୟନିଷ୍ଠ ବାସ୍ତବମୁଖୀ ଆଲୋଚନାର ଆବଶ୍ୟକତା ରହିଛି।
ଉପରୋକ୍ତ ଘୋଷଣାର ସମୟ ସମ୍ପର୍କରେ ପ୍ରଥମେ ଆଲୋଚନା କରାଯାଉ। କେନ୍ଦ୍ରରେ ଅଧିଷ୍ଠିତ ବର୍ତ୍ତମାନର ସରକାର ଶାସନଭାର ଗ୍ରହଣ କଲାବେଳେ ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ଘୋଷଣା କଲେ ଏବଂ ପ୍ରଶାସକ ସୁବ୍ରମଣ୍ୟମଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କଲେ। କିଛିଦିନ ଶୈକ୍ଷିକ କସରତ ପରେ ସେ ମହାଶୟ ଏକ ରିପୋର୍ଟ ପ୍ରସ୍ତୁତ କଲେ। ତାହା କିନ୍ତୁ ସାର୍ବଜନୀନ ନକରି କେନ୍ଦ୍ର ସରକାର ଖ୍ୟାତନାମା ବୈଜ୍ଞାନିକ କସ୍ତୁରୀ ରଙ୍ଗନଙ୍କ ନେତୃତ୍ବରେ ଅନ୍ୟ ଏକ କମିଟି ଗଠନ କଲେ। ସେହି କମିଟି ଅଦ୍ୟାବଧି କୌଣସି ରିପୋର୍ଟ ଦେଇନଥିବାବେଳେ, ତରବରିଆ ଭାେବ କେନ୍ଦ୍ର ସରକାର ଗ୍ରେଡେଡ ଅଟୋନମି, ଓପନ୍ ଡିଷ୍ଟାନସ୍ ଶିକ୍ଷା, ଅନ୍ଲାଇନ୍ ଡିଗ୍ରୀ ଅଧିନିୟମ ଏବଂ ୟୁଜିସି ବଦଳରେ ଉଚ୍ଚଶିକ୍ଷା ଆୟୋଗ ଓ ଉଚ୍ଚଶିକ୍ଷା ଫଣ୍ଡିଂ ଏଜେନ୍ସି ବା ଏଚଇଏଫଏ ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଉଚ୍ଚଶିକ୍ଷା ବ୍ୟବସ୍ଥାରେ ଏକ ମୌଳିକ ଏବଂ ସାର୍ବଜନୀନ ସଂସ୍କାରର ଆବଶ୍ୟକତା ସମସ୍ତେ ଉପଲବ୍ଧି କରୁଛନ୍ତି। କିନ୍ତୁ କେନ୍ଦ୍ର ସରକାର ଏହା ଅନୁଧ୍ୟାନ ଏବଂ ସୁପାରିସ କରିବାପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିଥିବାବେଳେ ଏହାର ସୁପାରିସକୁ ଅପେକ୍ଷା ନକରି ତରବରିଆ ଭାବେ ସାଧାରଣ ଲୋକସଭା ନିର୍ବାଚନ ଏକବର୍ଷରୁ କମ୍ ସମୟ ଥିବାେବଳେ, ଉପରୋକ୍ତ ଖଣ୍ଡିତ ସଂସ୍କାର ଘୋଷଣାର ଉଦ୍ଦେଶ୍ୟ ସମ୍ପର୍କରେ ରାଜନୈତିକ ପ୍ରଶ୍ନ ଉତ୍ଥାପିତ ହେବା ଏକ ସ୍ବାଭାବିକ କଥା। ଋଣ ଅର୍ଥରେ ଉଚ୍ଚଶିକ୍ଷାର ବିକାଶ ଚିନ୍ତାଧାରା ସାମଗ୍ରିକଭାବେ ଶିକ୍ଷା ବ୍ୟବସ୍ଥାକୁ କର୍ପୋରେଟ୍ ପୁଞ୍ଜି ହାତରେ ଟେକି ଦେବାପାଇଁ ଦ୍ବାର ପ୍ରସାରିତ କରିବ ନାହିଁତ? ଏ ସମ୍ପର୍କରେ ଗଭୀର ଅନୁଶୀଳନ ଆବଶ୍ୟକ।
ଦ୍ବିତୀୟତଃ କେଉଁ ପୃଷ୍ଠଭୂମି ଉପେର ୟୁଜିସି ଆକ୍ଟ ୧୯୫୬ ହୋଇଥିଲା ଏବଂ ବର୍ତ୍ତମାନ ପ୍ରସ୍ତାବିତ ଉଚ୍ଚଶିକ୍ଷା ଆୟୋଗ ଅଧିନିୟମ ଆସିଛି, ଏ ସମସ୍ତ ବିଷୟକୁ ଆଲୋଚନା କରିବା ଏକାନ୍ତ ଆବଶ୍ୟକ। ଶିକ୍ଷା ବ୍ୟବସ୍ଥା ସାମାଜିକ ଏବଂ ଅର୍ଥନୈତିକ ବ୍ୟବସ୍ଥାର ପ୍ରତିଫଳନ ଅଟେ। ଇତିହାସ ଯେପରି ଥିଲାବାଲା ଏବଂ ନଥିଲାବାଲାଙ୍କର ସଂଘର୍ଷର କାହାଣୀ, ଠିକ୍ ସେହିପରି ଇତିହାସର ଗଡ୍ଡାଳିକା ପ୍ରବାହରେ ସାମାଜିକ ଏବଂ ଅର୍ଥନୈତିକ ଦୃଷ୍ଟିକୋଣରୁ ବଳଶାଳୀ ବ୍ୟକ୍ତିମାନେ ଶିକ୍ଷାକୁ ନିଜ ପରିସର ଭିତରେ ନିୟନ୍ତ୍ରଣ କରି ରଖିବାକୁ ଉଦ୍ୟମରତ ଥିବାବେଳେ, ଏହାକୁ ସାର୍ବଜନୀନ ରୂପଦେବା ପାଇଁ ମଧ୍ୟ ପ୍ରଚେଷ୍ଟା ନିରବଚ୍ଛିନ୍ନ ଭାବେ ରହିଛି। ଦୁଃଖର କଥା ବଳଶାଳୀ ବ୍ୟକ୍ତିଙ୍କର ବଳ-କଳ-କୌଶଳ ମଧ୍ୟରେ ସାର୍ବଜନୀନ ଶିକ୍ଷାରେ ସାମୟିକ ଭାବେ ଜୁଆର ଆସି ଭଟ୍ଟା ପଡ଼ିଯାଇଛି। ସ୍ବାଧୀନତା ପରବର୍ତ୍ତୀ ପର୍ଯ୍ୟାୟରେ ସାମୟିକ ଭାେବ ନୂତନ ଜାତୀୟବାଦୀ ଚେତନାରେ ଉଦ୍ବୁଦ୍ଧ ହୋଇ ଶିକ୍ଷା ବିକାଶରେ ରାଷ୍ଟ୍ରର ନିର୍ଣ୍ଣାୟକ ଭୂମିକା ରହିବା ଉଚିତ ବୋଲି ବହୁ ଆଦର୍ଶର କଥା କୁହାଯାଇଥିଲା। ସମ୍ବିଧାନର ମୂଳ ଆଦର୍ଶ ଗଣତନ୍ତ୍ର, ଧର୍ମନିରପେକ୍ଷତା ଏବଂ ସମାଜବାଦୀ ଚିନ୍ତାଧାରା ଶିକ୍ଷା ବ୍ୟବସ୍ଥାକୁ ପ୍ରଭାବିତ କଲା। ସ୍ବାଧୀନତା ପରବର୍ତ୍ତୀ ଭାବପ୍ରବଣତାର ପରିବେଶରେ ଭାରତୀୟ ପୁଞ୍ଜିପତି ଏବଂ ସାମନ୍ତବାଦୀ ଶକ୍ତି ଗଣତନ୍ତ୍ରର ପ୍ରଭାବ କିଛିଟି ପଛେଇ ଯାଇଥିଲେ। ସେହି ଗଣତାନ୍ତ୍ରିକ ଆଦର୍ଶକୁ ପ୍ରତିଫଳିତ କରିବାର ରୂପରେଖ ଆମେ ପ୍ରଥମେ ୧୯୪୮-୪୯ ମସିହାରେ ଗଠିତ ହୋଇଥିବା ପ୍ରଥମ ୟୁନିଭରସିଟି ଏଜୁକେସନ କମିସନର ବକ୍ତବ୍ୟରେ ପ୍ରସ୍ଫୁଟିତ ହେଲା। ଏହି କମିସନର ମୁଖ୍ୟଥିଲେ ବିଶିଷ୍ଟ ଦାର୍ଶନିକ ସର୍ବପଲ୍ଲୀ ରାଧାକୃଷ୍ଣନ ଏବଂ ଖ୍ୟାତନାମା ଶିକ୍ଷାବିତ୍ ଜାକିର ହୁସେନ୍ ଥିଲେ ଏହାର ପ୍ରମୁଖ ବିନ୍ଧାଣି। ଏହି କମିସନ ସ୍ବାଧୀନ ଭାରତର ଶିକ୍ଷା ଆଦର୍ଶ ଏବଂ ଜନଗଣଙ୍କ ସ୍ବପ୍ନକୁ ପ୍ରତିଫଳିତ କରିବା ପାଇଁ ଏକ ଗଣତାନ୍ତ୍ରିକ, ଧର୍ମନିରପେକ୍ଷ ଏବଂ ସମତାଭିତ୍ତିକ ଶିକ୍ଷା ବ୍ୟବସ୍ଥାର ଆବଶ୍ୟକତା ଉପରେ ଗୁରୁତ୍ବ ଆରୋପ କରିଥିଲେ। ସାମାଜିକ ନ୍ୟାୟ, ବୌଦ୍ଧିକ ସ୍ବାଧୀନତା ଏବଂ ସର୍ବୋପରି ରାଷ୍ଟ୍ର ନିୟନ୍ତ୍ରଣରୁ ଶିକ୍ଷା ବ୍ୟବସ୍ଥାର ମୁକ୍ତି ପାଇଁ ସେମାନେ ପରିକଳ୍ପନା କରିଥିଲେ। ସଂେକ୍ଷପରେ କହିବାକୁ ଗଲେ ସ୍ବାଧୀନତାର ଆଦ୍ୟ ପର୍ବରେ ଶିକ୍ଷାନୀତିର ଆଦର୍ଶ ଥିଲା ଗଣତାନ୍ତ୍ରିକ, ଜନକଲ୍ୟାଣକାରୀ ଏବଂ ସମତାଭିତ୍ତିକ ସମାଜ ପ୍ରତିଷ୍ଠିତ କରିବା। ଉପରୋକ୍ତ ଆଦର୍ଶର ପୃଷ୍ଠଭୂମିରେ ୟୁଜିସି ଆକ୍ଟ ୧୯୫୬ ସୃଷ୍ଟି ହୋଇ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦୀର୍ଘ ୬୨ବର୍ଷ ଧରି ଉଚ୍ଚଶିକ୍ଷାର ଗୁଣାତ୍ମକ, ଗବେଷଣାତ୍ମକ ଏବଂ ସମତାଭିତ୍ତିକ ବ୍ୟବସ୍ଥା ପାଇଁ ଉଦ୍ୟମ କରିଆସିଛି। ଗ୍ରାମାଞ୍ଚଳ ଉଚ୍ଚଶିକ୍ଷା ବିକାଶରେ ୟୁଜିସିର ମହତ୍ତ୍ବପୂର୍ଣ୍ଣ ଭୂମିକା ସ୍ପଷ୍ଟ ପ୍ରତିଫଳିତ।
ଭାରତର ସ୍ବାଧୀନତାର ଆଦ୍ୟ ପର୍ବରେ ସୃଷ୍ଟି ହୋଇଥିବା ଗଣତାନ୍ତ୍ରିକ ଭାବପ୍ରବଣତା ଧୀରେଧୀରେ ମଳିନ ହେଲା। ଭାରତୀୟ ପୁଞ୍ଜିପତି ଏବଂ ଅନ୍ତର୍ଜାତୀୟ ପୁଞ୍ଜି ନିଜର ପ୍ରଭାବ ବିସ୍ତାର କରିବା ପାଇଁ ଜୋରସୋର୍ ଉଦ୍ୟମ ଆରମ୍ଭ କଲେ। ୧୯୮୬ର ଜାତୀୟ ଶିକ୍ଷାନୀତି ଶିକ୍ଷା ବ୍ୟବସ୍ଥାର ସମ୍ଭ୍ରାନ୍ତ ଚରିତ୍ର ସ୍ପଷ୍ଟ କରିଥିଲା। ପୁଞ୍ଜିବାଦୀ ଶକ୍ତି ବ୍ୟୂହରେ ସାର୍ବଜନୀନ ଶିକ୍ଷା ଏକ ପ୍ରହେଳିକାରେ ପରିଣତ ହେଲା। ୯୦ ଦଶକରେ ବିଶ୍ବ ରାଜନୈତିକ ପୃଷ୍ଠଭୂମିରେ ସମାଜବାଦର ମଉଡ଼ମଣି ଥିବା ସୋଭିଏତ ରାଷ୍ଟ୍ରସଂଘର ପତନ ଘଟିଲା। ସମଗ୍ର ବିଶ୍ବରେ ପୁଞ୍ଜିବାଦୀ ଶକ୍ତି ନୂତନ ଆଶାରେ ଉଦ୍ବୁଦ୍ଧ ହେଲେ। ଆମ ଭାରତର ଅର୍ଥନୈତିକ ଢାଞ୍ଚାରେ ପରିବର୍ତ୍ତନ ଆସିଲା। ସମ୍ବିଧାନର ମୁଖବନ୍ଧରେ ସମାଜବାଦ କେବଳ ଏକ ଆଳଙ୍କାରିକ ଶବ୍ଦ ଭାବେ ରହିଗଲା। ଜଗତୀକରଣ, ଘରୋଇକରଣ, ଉଦାରୀକରଣ ଅର୍ଥନୀତି ସାମଗ୍ରିକ ବିଧି ବ୍ୟବସ୍ଥାକୁ କରାୟତ୍ତ କଲା। ସ୍ବାଭାବିକ ଭାବେ ଶିକ୍ଷା ବ୍ୟବସ୍ଥା ମଧ୍ୟ ଏଥିରେ ପ୍ରଭାବିତ ହେଲା। ଜନମଙ୍ଗଳ ରାଷ୍ଟ୍ରର ଚିନ୍ତାଧାରା ଏକ ନିର୍ବାଚନୀ ସ୍ଲୋଗାନରେ ସୀମାବଦ୍ଧ ହୋଇ ରହିଲା। ଶିକ୍ଷା ବଜାର ଶକ୍ତି ଆଗରେ ନିଷ୍ପ୍ରଭ ହୋଇଗଲା। ଶିକ୍ଷା ଏକ ପଣ୍ୟଦ୍ରବ୍ୟ ଭଳି ବଜାର ବିକ୍ରିର ସାମଗ୍ରୀ ହୋଇଗଲା। ଉଚ୍ଚଶିକ୍ଷାକୁ ଏକ ନନ୍ମେରିଟ୍ ଗୁଡ୍ସ ହିସାବରେ ଚିତ୍ରିତ କରାଗଲା। ଶିକ୍ଷା ଆଉ ସାମାଜିକ ଏବଂ ସେବା ପରିଧି ଭିତେର ନ ରହି ବ୍ୟବସ୍ଥାର ବିଷୟବସ୍ତୁ ହୋଇଗଲା। ଶିକ୍ଷା ଆଉ ଏକ ଅଧିକାର ନୁହେଁ, ବରଂ ସୁଯୋଗର ସାମଗ୍ରୀ ହେଲା। ୧୯୯୦ ମସିହାରୁ ଆରମ୍ଭ ହୋଇଥିବା ଏହି ଅବକ୍ଷୟ ୨୦୦୦ ମସିହା ପରଠାରୁ ଏକ ବିରାଟ ଶକ୍ତି ହିସାବରେ ଦେଖାଦେଇ ଶିକ୍ଷାର ଲୋକାଭିମୁଖୀ, ଗଣତାନ୍ତ୍ରିକ ଏବଂ ସାର୍ବଜନୀନ ଦିଗ ପ୍ରତି ବିରାଟ ପ୍ରତିବନ୍ଧକ ସୃଷ୍ଟି କଲା। ବିରଳା- ଅମ୍ବାନୀଙ୍କ ଭଳି ଶିଳ୍ପପତିମାନେ ଶିକ୍ଷା ବିକାଶର ଦଲିଲ ପ୍ରସ୍ତୁତ କଲେ। ‘ଗାଟ୍’ର ସର୍ତ୍ତ ପାଳନ ପାଇଁ ପ୍ରଚେଷ୍ଟା ହେଲା। ସମସ୍ତ ପ୍ରଚେଷ୍ଟାର ଫଳ ହେଲା ରାଷ୍ଟ୍ର ଶିକ୍ଷାକ୍ଷେତ୍ରରୁ ପଳାୟନ ଭୂମିକା ଗ୍ରହଣ କଲା। ଶିକ୍ଷା ବ୍ୟବସାୟ ଏବଂ ଅମଲାତନ୍ତ୍ର ଶକ୍ତିଶାଳୀ ହେଲେ। କର୍ପୋରେଟ୍ ପୁଞ୍ଜିର ଚକ୍ରବ୍ୟୂହରେ ସ୍ବାଧୀନତା ପରବର୍ତ୍ତୀ ଭାରତର ଶିକ୍ଷା ବିକାଶ ଆଦର୍ଶ ଅନୁକମ୍ପାମୂଳକ ମୃତ୍ୟୁ ଆପଣେଇବା ପାଇଁ ବାଧ୍ୟ ହେଲା। ଦଳମତ ନିର୍ବିଶେଷରେ କେନ୍ଦ୍ରର ଶାସନାଧୀନ ସରକାର ୧୯୯୦ ଠାରୁ ୨୦୧୮ ପର୍ଯ୍ୟନ୍ତ ନବଉଦାରବାଦୀ ଚିନ୍ତାଧାରାର ପ୍ରସାର ପାଇଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଏବଂ ଅଧିନିୟମମାନ ପ୍ରଣୟନ କରିବାରେ ଅହେତୁକ ଆଗ୍ରହ ପ୍ରଦର୍ଶନ କଲେ। କୁହାଯାଏ ଯେ ୨୦୧୮ର ପ୍ରସ୍ତାବିତ ଅଧିନିୟମର ପୂର୍ବାଭାସ ଜ୍ଞାନ କମିସନ ଏବଂ ୟଶପାଳଙ୍କ ସୁପାରିସରେ ଦେଖିବାକୁ ମିଳେ। ବାସ୍ତବପକ୍ଷେ ୨୦୧୮ ପ୍ରସ୍ତାବିତ ଅଧିନିୟମ ବୃହତ୍ତର ପୃଷ୍ଠଭୂମି ଉପରେ ଅନୁଶୀଳନ କଲେ ଏହା କେତେଦୂର ଲୋକାଭିମୁଖୀ ତାହା ଆପେଆପେ ସ୍ପଷ୍ଟ ହୋଇଯିବ। ସଂକ୍ଷେପରେ କହିବାକୁ ଗଲେ ୨୦୧୮ ପ୍ରସ୍ତାବିତ ଉଚ୍ଚଶିକ୍ଷା କମିସନ ଅଧିନିୟମ ଏକ ନବଉଦାରବାଦୀ-କର୍ପୋରେଟ-ବଜାରଶକ୍ତିର ଶିକ୍ଷା ଆଦର୍ଶରେ ପ୍ରତିଫଳିତ।
ଯେକୌଣସି ସରକାରଙ୍କ ନୀତି ସେମାନଙ୍କ ଆଦର୍ଶର ପ୍ରତିଫଳନ କରାଏ। ୟୁଜିସିର ଚେହେରା ପରିବର୍ତ୍ତନ କରି ଉଚ୍ଚଶିକ୍ଷା ଆୟୋଗ ନିଷ୍ପତ୍ତି ମଧ୍ୟ ଏତାଦୃଶ ରାଜନୈତିକ-ପ୍ରାଶାସନିକ ଆଦର୍ଶର ପ୍ରତିଫଳନ। ଅଧିନିୟମକୁ ସ୍ବାଗତ କରି ଶାସକ ବର୍ଗ ଏବଂ ନବ ଉଦାରବାଦୀ ଅର୍ଥନୈତିକ ଚିନ୍ତାଧାରାର ପ୍ରଶଂସକମାନେ ମତପୋଷଣ କରିଛନ୍ତି। ଅପରପକ୍ଷେ ସ୍ବାଧୀନତାର ମୂଳ ଆଦର୍ଶ ଏବଂ ସମ୍ବିଧାନର ମୂଳଭିତ୍ତିକୁ ବିଶ୍ବାସ କରୁଥିବା ଜନଗଣ ଉପରୋକ୍ତ ଚିନ୍ତାଧାରାର ତୀବ୍ର ବିରୋଧ କରିଛନ୍ତି। ଅଧିନିୟମ ୨୦୧୮ ବସ୍ତୁତଃ ଏକ ଐତିହାସିକ ଆଦର୍ଶ ସଂଘର୍ଷ ପାଇଁ କ୍ଷେତ୍ର ପ୍ରସ୍ତୁତ କରିଛି। ଶିକ୍ଷା ଏକ ପଣ୍ୟଦ୍ରବ୍ୟ ବା ବଜାରଶକ୍ତିର ପ୍ରଭାବରେ ରହିବ ନା ଜନଗଣଙ୍କ ଉନ୍ନତିର ହତିଆର ହେବ, ତାହାହିଁ ଉପରୋକ୍ତ ସଂଘର୍ଷର ମୂଳ ଆଧାର। ସେଥିରେ ୟୁଜିସି ଆକ୍ଟ ୧୯୫୬ ଏବଂ ପ୍ରସ୍ତାବିତ ୨୦୧୮ର ଚିଠା ଅଧିନିୟମ ସମ୍ପର୍କିତ ଉଚ୍ଚଶିକ୍ଷା ଆୟୋଗ ତୁଳନାତ୍ମକ ଆଲୋଚନା ବୃହତ୍ତର ଆଦର୍ଶର ପୃଷ୍ଠଭୂମି ଉପରେ ହେବା ପ୍ରାସଙ୍ଗିକ। ଉପରୋକ୍ତ ଆଦର୍ଶଗତ ସଂଘର୍ଷରେ ବଜାରର ବିଜୟ ହେବ କି ଜନଗଣଙ୍କ ବିଜୟ ହେବ, ଏହା ଗଣତାନ୍ତ୍ରିକ ଚେତନାର ବିକାଶ ଓ ସଫଳ ପ୍ରସାରରେ ନିର୍ଭରଶୀଳ। ସଂକ୍ଷେପରେ କହିବାକୁ ଗଲେ ରାଷ୍ଟ୍ରର ବୃହତ୍ତର ସ୍ବାର୍ଥ ପାଇଁ ବଜାର ଶକ୍ତି ନିଷ୍ପ୍ରଭ ହୋଇ ଗଣତନ୍ତ୍ର ରୁଦ୍ଧିମନ୍ତ ଏବଂ ବିକଶିତ ହେବା ଆବଶ୍ୟକ।