ବାବୁ ଓ ବାବେଙ୍କ ପାଇଁ ଗର୍ବିତ ଦିଲ୍ଲୀ ପୁଲିସ୍
ଭାରତର ପ୍ରତ୍ୟେକ ପ୍ରାନ୍ତରେ ଅପରାଧ ହେଉଛି, ହେଲେ ନିଜ ଦାୟିତ୍ବକୁ ନେଇ ଖୁବ୍ ସଚେତନ ଅଛନ୍ତି ପୁଲିସ୍ ବାହିନୀ। ରାଜଧାନୀ ଦିଲ୍ଲୀର ଅବସ୍ଥା ଭିନ୍ନ। ଏଠାରେ ନିୟମିତ ଅଭାବନୀୟ କାଣ୍ଡ ଘଟିଥାଏ। ପୁଲିସ୍ ଦଳ ଯଥା ଶୀଘ୍ର ଅପରାଧୀଙ୍କ ସମ୍ପର୍କରେ ଜାଣିବା ନିମନ୍ତେ ଦକ୍ଷ ତାଲିମପ୍ରାପ୍ତ କୁକୁରଙ୍କ ସହାୟତା ନେଇଥାଏ। ଏବେ ଦିଲ୍ଲୀ ପୁଲିସ୍ ଦଳର ଦୁଇ ମୁଖ୍ୟ ସହଯୋଗୀ କୁକୁର ହେଲେ ବାବୁ ଓ ବାବେ। ନିକଟରେ ‘ପୁଲିସ୍ ମିଟ୍ ଚେନ୍ନଇ’ରେ ବାବୁ ଓ ବାବେ ନିଜ ଉତ୍ତମ କର୍ତ୍ତବ୍ୟ ସମ୍ପାଦନ ନିମନ୍ତେ ସ୍ବର୍ଣ୍ଣ ଓ କାଂସ୍ୟ ପଦକ ବିଜୟୀ ହୋଇଛନ୍ତି। ଏଇ ଦୁଇ ତାଲିମପ୍ରାପ୍ତ କୁକୁରଙ୍କ ଦାୟିତ୍ବରେ ଏବେ ଅଛନ୍ତି କନଷ୍ଟବଳ ପବନ କୁମାର ଓ ନଗେନ୍ଦ୍ର ପ୍ରସାଦ। ଏକ ସାକ୍ଷାତକାରରେ ପବନ କହିଛନ୍ତି, ପିଲାଦିନୁ ହିଁ ପୋଷା ପ୍ରାଣୀ ରଖିବାରେ ତାଙ୍କର ସଉକ୍ ଥିଲା। ପୁଲିସ୍ରେ ଭର୍ତ୍ତି ହେବା ପରେ ଯେତେବେଳେ ବାବୁ(କୁକୁର)ର ଦାୟିତ୍ବ ତାଙ୍କୁ ଦିଆଯାଇଥିଲା, ସେ ନିଜ କାମକୁ ଏକାଗ୍ରତାର ସହ ସମ୍ପାଦନ କରିବାରେ ହେଳା କରିନଥିଲେ। ଏହାର ଫଳସ୍ବରୂପ ବାବୁ କିଛିଦିନତଳେ ହିଁ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛି। ଗତ ବର୍ଷ ଦୀପାବଳିରେ ୧୫ଦିନ ଛୁଟି ନେଇ ପବନ ନିଜ ଗାଁ ରାଜସ୍ଥାନର ଅଲୱାରକୁ ଯାଇଥିଲେ। ତେବେ ୧୫ଦିନ ଭିତରେ ସେ ୪ଥର ଦିଲ୍ଲୀ ଆସି କୁକୁର ବାବୁକୁ ଦେଖିଯାଇଥିଲେ। କାରଣ ସେ ଛୁଟି ନେବା ପରେ ବାବୁ ଖାଇବା-ପିଇବା ବନ୍ଦ କରିଦେଇଥିଲା। ତୁରନ୍ତ ମୁଖ୍ୟ ଅଧିକାରୀ ପବନଙ୍କୁ କାର୍ଯ୍ୟାଳୟ ଆସି ବାବୁର ଦାୟିତ୍ବ ନେବାକୁ ପରାମର୍ଶ ଦେଇଥିଲେ। ଆଉ ଏକ ମାଈ କୁକୁର ବାବେର ଦାୟିତ୍ବରେ ଅଛନ୍ତି ନଗେନ୍ଦ୍ର ପ୍ରସାଦ। ଲାବ୍ରାଡର ପ୍ରଜାତିର ଏଇ ଦୁଇ କୁକୁରଙ୍କୁ ମିରଟ୍ରୁ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯାଇ ଅଣାଯାଇଛି। ବର୍ତ୍ତମାନ ଦିଲ୍ଲୀ ପୁଲିସ୍ ନିକଟରେ ୬୦ରୁ ଅଧିକ କୁକୁର ଅଛନ୍ତି ହେଲେ ବାବା ଓ ବାବେ ବିଭିନ୍ନ ଅପରାଧୀଙ୍କ ସୁରାକ୍ ଦେବାରେ ସଫଳ ହୋଇପାରିଛନ୍ତି। ଡାକ୍ତର ରଜତ ପ୍ରସାଦ ଏମାନଙ୍କ ନିୟମିତ ଦେଖାରଖା କରନ୍ତି। ସକାଳବେଳା କୁକୁରଙ୍କୁ ଲିଟରେ ଖିର ସହ ସୋୟାବିନ୍, ଦ୍ବିପହରରେ ହାଲାକ ଖାଦ୍ୟ, ସନ୍ଧ୍ୟାରେ ରୁଟି ସହ ୧କିଲୋ ମାଂସ ଓ ସିଝା ପରିବା ଖାଇବାକୁ ଦିଆଯାଏ। ମୁଖ୍ୟ ଅଧିକାରୀ କହିଛନ୍ତି, ଏଇ କୁକୁରଙ୍କ ଉତ୍ତମ ଦାୟିତ୍ବ ସମ୍ପାଦନା କାରଣରୁ ଆଜି ଦିଲ୍ଲୀ ପୁଲିସ୍ ନିଜକୁ ଗୌରବାନ୍ବିତ ମନେ କରୁଛି।