ରାଜ୍ୟରେ ଆଉ ୫ କରୋନା ପଜିଟିଭ ଚିହ୍ନଟ, ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୮କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଆଜି ଆଉ ୫ କରୋନା ପଜିଟିଭ ଚିହ୍ନଟ। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି। ଅପରପକ୍ଷରେ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ଦିଆଯାଇଛି।

ରାଜ୍ୟରେ ସପ୍ତାହକ ମଧ୍ୟରେ ୧୮ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। ପରିସ୍ଥିତି ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ବିଭାଗ ପକ୍ଷରୁ କୁହାଯାଇଛି। ଏନେଇ ଜନସ୍ବାସ୍ଥ୍ୟ ନିର୍ଦେଶକ ରାଜ୍ୟର ସମସ୍ତ ଭେଷଜ ମହାବିଦ୍ୟାଳୟ ଏବଂ ହସ୍ପିଟାଲକୁ କରୋନା ନିୟମାବଳି ନିମନ୍ତେ ଚିଠି ଲେଖି ଅବଗତ କରିବା ଜନସାଧାରଣଙ୍କୁ ସତର୍କ ରହିବା ସହିତ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୫ କରୋନାରେ ସଂକ୍ରମିତ ହୋଇଛନ୍ତି। ନୂଆ ସଂକ୍ରମିତଙ୍କୁ ମିଶାଇ ମୋଟ ସଂଖ୍ୟା ୧୮ରେ ପହଞ୍ଚିଛି। ସଂକ୍ରମିତଙ୍କ ମଧ୍ୟରୁ ଜଣେ ଆରୋଗ୍ୟ ଲାଭ କରିଥିବା ଜଣାପଡ଼ିଛି। ସଂକ୍ରମିତି ହୋଇଥିବା ସମସ୍ତ ୧୮ ଜଣ ସଙ୍ଗରୋଧରେ ରହିଛନ୍ତି ଏବଂ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି।

ଏନେଇ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି କରୋନା ପାଇଁ ଭୟଭୀତ ହେବାର ଆବଶ୍ୟକତା ନାହିଁ। ଯେଉଁମାନଙ୍କର ଥଣ୍ଡା, ଜ୍ବର, କାଶ ଲାଗି ରହୁଛି ସେମାନେ ପୃଥକ ରହିବା ସହିତ ପରୀକ୍ଷା କରାଇ ନେବା ଜରୁରୀ। ବହୁବିଧ ରୋଗୀମାନେ ଜନଗହଳି ସ୍ଥାନକୁ ଯାଆନ୍ତୁ ନାହିଁ, ଯଦି ବା ଯାଉଛନ୍ତି ତୁଣ୍ଡି ପିନ୍ଧିବାକୁ ଡା. ମିଶ୍ର କହିଛନ୍ତି।

ଅନ୍ୟପକ୍ଷରେ ରାତି ପାହିଲେ ଇଂରାଜୀ ନୂଆବର୍ଷ। ଜିରୋ ନାଇଟ ପାଳନ ଅବସରରେ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାକୁ ଏଡାଇ ଦିଆଯାଇନପାରେ। ଏହାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କରୋନା ମୁକାବିଲା ପାଇଁ ପ୍ରସ୍ତୁତି କାର୍ଯ୍ୟ ତ୍ବରାନ୍ବିତ କରିବାକୁ ଜନସ୍ବାସ୍ଥ୍ୟ ବିଭାଗ ସମସ୍ତ ଭେଷଜ ମହାବିଦ୍ୟାଳୟ ଏବଂ ହସ୍ପିଟାଲକୁ ଚିଠି ଲେଖି ଅବଗତ କରିଛି।

ବିଶେଷ କରି ରାଜ୍ୟରେ ସର୍ବେକ୍ଷଣ ସହିତ ପରୀକ୍ଷଣକୁ ବୃଦ୍ଧି କରିବାକୁ କୁହାଯାଇଛି। ସେହିପରି ସ୍ବତନ୍ତ୍ର ଅମ୍ଳଜାନ ସଂଯୋଗ ଶଯ୍ୟା ପ୍ରସ୍ତୁତ ରଖିବା, ଆବଶ୍ୟକୀୟ ଔଷଧ ଓ ପରୀକ୍ଷା କିଟ୍‌ ମହଜୁଦ ରଖିବାକୁ ନିର୍ଦେଶ ରହିଛି। ସେହିପରି ଜିଲା ପ୍ରଶାସନ ସହିତ ସହଯୋଗ ରକ୍ଷା କରି ଏ ଦିଗରେ ସଚେତନ କରିବା ସହିତ ଉଚିତ୍‌ ପଦକ୍ଷେପ ଗ୍ରହଣ କରାଯିବାକୁ ମଧ୍ୟ କୁହାଯାଇଛି। କରୋନା ଜନିତ ପରୀକ୍ଷା କିମ୍ବା ଚିକିତ୍ସା ସୁବିଧା ନଥିବା ନେଇ ଯେପରି ଅଭିଯୋଗ ନଆସେ, ସେଥିପ୍ରତି ସତର୍କ ରହିବାକୁ ଚିଠିରେ ଉଲ୍ଲେଖ ରହିଛି।

Comments are closed.